କୁକ୍‍, ମୋଇନ୍‍ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଇଂଲଣ୍ଡର ବିପର୍ଯ୍ୟୟ

0

ଲଣ୍ଡନ, ୭ା୯: ଶୁକ୍ରବାରଠାରୁ ଏଠାରେ ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ୫ମ ଟେଷ୍ଟମ୍ୟାଚ୍‍ ଆରମ୍ଭ ହୋଇଛି। ପ୍ରଥମଦିନରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡର ସଫଳତମ ବ୍ୟାଟ୍‍ସମ୍ୟାନ ଆଲଷ୍ଟାୟାର କୁକ୍‍ ତାଙ୍କ ବିଦାୟୀ ଟେଷ୍ଟମ୍ୟାଚ୍‍ରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମୋଇନ୍‍ ଅଲୀ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି। ଏହାସତ୍ତ୍ବେ ମ୍ୟାଚ୍‍ର ପ୍ରଥମଦିନ ଭାରତ ନାମରେ ଯାଇଛି। ପ୍ରଥମଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ମାତ୍ର ୧୯୮ ରନ୍‍ କରିପାରିଛି। ଭାରତୀୟଙ୍କ ଚମତ୍କାର ବୋଲିଂ ଯୋଗୁଁ ୯୦ ଓଭର ବ୍ୟାଟିଂକରି ଇଂଲଣ୍ଡ ଦଳ ୨ ଶହ ରନ୍‍ରେ ମଧ୍ୟ ପହଞ୍ଚି ପାରିନାହିଁ।
କ୍ରମାଗତ ୫ମ ଟେଷ୍ଟମ୍ୟାଚ୍‍ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‍ ଟସ୍‍ ଜିତି ବ୍ୟାଟିଂ ନେଇଥିଲେ। ଇଂଲଣ୍ଡର ଓପ୍‍ନିଂ ଯୋଡ଼ି ଆଲଷ୍ଟାୟାର କୁକ୍‍ ଓ କିଟନ ଜେନିଙ୍ଗ୍‍ସ ଆରମ୍ଭରୁ ଭାରତୀୟ ନୂଆ ବଲ୍‍ ଆକ୍ରମଣର ସଫଳ ମୁକାବିଲା କରି ୨୪ତମ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହି ୬୦ ରନ୍‍ର ଭାଗିଦାରୀ କରିଥିଲେ। ବାମହାତି ଜେନିଙ୍ଗ୍‍ସ ୭୫ ବଲ୍‍ ଖେଳି ୨ଟି ଚୌକା ସହ ୨୩ ରନ୍‍କରି ଆଉଟ ହୋଇଥିଲେ। ଭାରତକୁ ଏହି ପ୍ରଥମ ସଫଳତା ଏହି ସିରିଜ୍‍ରେ ପ୍ରଥମ ମ୍ୟାଚ୍‍ ଖେଳୁଥିବା ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଦେଇଥିଲେ। ପରେ କୁକ୍‍ ଓ ମୋଇନ୍‍ ଅଲୀ ଧୀରେସୁସ୍ଥେ ସ୍କୋର୍‍କୁ ଆଗେଇ ନେଇଥିଲେ। ତେବେ ୩ଟି ବଲ୍‍ ମଧ୍ୟରେ ଭାରତୀୟ ଫିଲ୍‍ଡର ଉଭୟଙ୍କୁ ଜୀବନଦାନ ଦେଇଥିଲେ। କୁକ୍‍ ୩୭ ରନ୍‍ କରିଥିବା ବେଳେ ଅଜିଙ୍କ୍ୟ ରାହାଣେ ଏବଂ ମୋଇନ୍‍ ୨ ରନ୍‍ କରିଥିବା ବେଳେ ବିରାଟ କୋହଲି ସ୍ଲିପ୍‍ରେ ଉଭୟଙ୍କ କ୍ୟାଚ୍‍ ଛାଡ଼ିଥିଲେ। ୨ୟ ୱିକେଟ ପାଇଁ କୁକ୍‍ ଓ ମୋଇନ୍‍ ୭୩ ରନ୍‍ ଯୋଡ଼ିଥିଲେ। ତେବେ ଯଶପ୍ରୀତ ବୁମ୍‍ରା ଗୋଟିଏ ଓଭରରେ ୨ଟି ୱିକେଟ ନେଇ ଭାରତକୁ ବଡ଼ ସଫଳତା ଦେଇଥିଲେ। କୁକ୍‍ ୮ଟି ଚୌକା ସହ ୭୧ ରନ୍‍କରି ଆଉଟ ହୋଇଥିଲେ। ଏହାର ୩ଟି ବଲ୍‍ ପରେ ଅଧିନାୟକ ଜୋ ରୁଟ୍‍ ବିନା ସ୍କୋର୍‍ରେ ଏଲ୍‍ବିଡବ୍ଲ୍ୟୁ ହୋଇଥିଲେ। ପରେପରେ ଜନି ବେୟାରଷ୍ଟୋ ବିନା ସ୍କୋର୍‍ରେ ଈଶାନ୍ତ ଶର୍ମାଙ୍କ ପ୍ରଥମ ଶିକାର ହୋଇଥିଲେ। ଏହିପରି ୧ ରନ୍‍ରେ ୩ଟି ୱିକେଟ ନେଇ ଭାରତୀୟ ଦଳ ମ୍ୟାଚ୍‍କୁ ଫେରିଥିଲା। ୧୩୪ ରନ୍‍ରେ ୪ଟି ୱିକେଟ ପଡ଼ିଯିବା ପରେ ଦୁଇ ବାମହାତି ମୋଇନ୍‍ ଅଲୀ ଓ ବେନ୍‍ ଷ୍ଟୋକ୍‍ସ ୩୭ ରନ୍‍ ଯୋଗ କରିଥିଲେ। ଷ୍ଟୋକ୍‍ସ ୧୧ ରନ୍‍କରି ଆଉଟ ହୋଇଥିଲେ। ଈଶାନ୍ତ ଶର୍ମା ଗୋଟିଏ ଓଭରରେ ୨ଟି ୱିକେଟ ନେଇଥିଲେ। ପାଖାପାଖି ୫ ଘଣ୍ଟା କ୍ରିଜ୍‍ରେ ରହି ୧୭୦ଟି ବଲ୍‍ର ମୁକାବିଲା କରି ୫୦ ରନ୍‍କରି ମୋଇନ୍‍ ଆଉଟ ହୋଇଥିଲେ। ସିରିଜ୍‍ରେ ଭାରତ ପାଇଁ କଣ୍ଟା ସାଜିଥିବା ସାମ୍‍ କରନ୍‍ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ଜୋସ୍‍ ବଟ୍‍ଲର ୧୧ ଓ ଆଦିଲ ରସିଦ୍‍ ୪ ରନ୍‍କରି କ୍ରିଜ୍‍ରେ ଅଛନ୍ତି। ଈଶାନ୍ତ ଶର୍ମା ୩ଟି ଏବଂ ବୁମ୍‍ରା ଓ ଜାଡ଼େଜା ୨ଟି ଲେଖାଏଁ ୱିକେଟ ନେଇଛନ୍ତି।
ଏହି ମ୍ୟାଚ୍‍ରେ ଇଂଲଣ୍ଡ ଅପରିବର୍ତ୍ତିତ ଏକାଦଶ ଖେଳାଉଛି। ତେବେ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି। ଅଫ୍‍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଖେଳୁଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ହନୁମା ବିହାରୀ ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ଘରୋଇ ଇଂଲଣ୍ଡ ୩-୧ରେ ଆଗୁଆରହି ସିରିଜ୍‍ ଜିତିସାରିଛି।

Leave A Reply