ଆସ୍ଥା ଭୋଟ୍‌ରେ ବିକ୍ରମସିଙ୍ଘେ ବିଜୟୀ

0

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିବାଦୀୟ ନିଷ୍ପତ୍ତି କ୍ରମେ ବିତାଡିତ ହୋଇଥିବା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ବୁଧବାର ପାର୍ଲାମେଣ୍ଟର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ପାର୍ଲାମେଣ୍ଟର ୨୨୫ ସଦସ୍ୟଙ୍କ ମଧ୍ୟରୁ ୧୧୭ଜଣ ବିକ୍ରମସିଙ୍ଘେଙ୍କ ସପକ୍ଷରେ ଭୋଟ ଦେଇଥିଲେ। ପାର୍ଲାମେଣ୍ଟର ଏହି ଆସ୍ଥା ଭୋଟ ଫଳ ରାଷ୍ଟ୍ରପତି ମୈତ୍ରୀପାଳ ଶିରୀସେନାଙ୍କ ଉପରେ ଚାପ ପକାଇଛି। ବିତାଡିତ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରିବାକୁ ରାଷ୍ଟ୍ରପତିଙ୍କ ଉପରେ ଚାପ ପଡିଛି। ଗତ ଅକ୍ଟୋବର ୨୬ ତାରିଖରେ ରାଷ୍ଟ୍ରପତି ବିବାଦୀୟ ନିଷ୍ପତ୍ତି କ୍ରମରେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେଙ୍କୁ ବିତାଡିତ କରି ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଆଣିଥିଲା। ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ରାଜପକ୍ଷେ ପାର୍ଲାମେଣ୍ଟରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରି ନଥିଲେ। ରାଜପକ୍ଷେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାରେ ବିଫଳ ହେବାରୁ ରାଷ୍ଟ୍ରପତି ଶିରୀସେନା ପାର୍ଲାମେଣ୍ଟକୁ ଭାଙ୍ଗି ଦେଇ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ନିର୍ଦେଶ ଦେଇଥିଲେ। ତେବେ ରାଷ୍ଟ୍ରପତିଙ୍କ ଏପରି ନିର୍ଦେଶ ଉପରେ ଦେଶର ସର୍ବୋଚ୍ଚ ଅଦାଲତ ରହିତାଦେଶ ଜାରି କରିଥିଲେ। ଏପରିକି ନୂଆ ପ୍ରଧାନମନ୍ତ୍ରୀ ରାଜପକ୍ଷେଙ୍କ କ୍ଷମତା ଉପଯୋଗ ଉପରେ ଅଦାଲତ ରୋକ ଲଗାଇଥିଲେ। ଅଦାଲତଙ୍କ ଏହି ରାୟ ଦେଶରେ ରାଜନୈତିକ ଅସ୍ଥିରତାକୁ ଅଧିକ ଜଟିଳ କରିଥିଲା। ଜଟିଳ ପରିସ୍ଥିତିକୁ ଦୂର କରିବା ପାଇଁ ରାଷ୍ଟ୍ରପତି ବିକ୍ରମସିଙ୍ଘେଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ଦେବାକୁ ବାଧ୍ୟ ହୋଇଛନ୍ତି।

Leave A Reply