ଆରଏସ୍‍ଏସ୍‍କୁ ମୁସଲିମ ବ୍ରଦରହୁଡ଼ ସହ ତୁଳନା କଲେ ରାହୁଲ

0

ନୂଆଦିଲ୍ଲୀ: ନିକଟ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଚରିତ୍ରରେ ଦୁଇ ପ୍ରମୁଖ ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ପାରେ। ପ୍ରଥମତଃ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରହୁଲଙ୍କୁ ହିନ୍ଦୁ ମନ୍ଦିରକୁ ଗମନାଗମନ ବୃଦ୍ଧି ପାଇବା, ଆରଏସଏସ ସଂଗଠନ ଉପରେ ଆକ୍ରମଣକୁ ତୀବ୍ର କରିବା ରହୁଲଙ୍କ ଦୁଇ ପ୍ରମୁଖ ପରିବର୍ତ୍ତନ କୁହାଯାଇ ପାରେ। ଏହାର ପରିଣାମ ସ୍ୱରୂପ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଅଧିକ ସଂଖ୍ୟାରେ ଆସନ, ସରକାର ବିରୋଧୀ ଦଳକୁ ଏକତ୍ରିତ କରି କର୍ଣ୍ଣାଟକରେ ମେଣ୍ଟ ସରକାର ଗଠନ କରିବାରେ ସଫଳତା ମିଳିଛି।
ଧାର୍ମିକ ସ୍ଥଳକୁ ଯିବା ଓ ହିନ୍ଦୁତ୍ୱବାଦୀ ସଂଗଠନ ଆରଏସଏସ ଉପରେ କ୍ରମାଗତ ସମାଲୋଚନା କରି ରାହୁଲ ହିନ୍ଦୁ ଓ କଟ୍ଟୋର ହିନ୍ଦୁତ୍ୱ ମଧ୍ୟରେ ଏକ ସୀମାରେଖା ଅଙ୍କିତ କରିବାକୁ ଉଦ୍ୟମ କରୁଛନ୍ତି। ଏହାର ପ୍ରଭାବ କିଛିକାଂଶରେ ହେଲେ ମଧ୍ୟ ରାଜନୈତିକ ମଇଦାନରେ ରାହୁଲଙ୍କୁ ମିଳୁଥିବା ମଧ୍ୟ ଦୃଶ୍ୟମାନ ହେଉଛି। ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ତାଙ୍କ ବକ୍ତବ୍ୟକୁ ତର୍ଜମା କଲେ ଆରଏସଏସର ବିଚାରଧାରା ହିଁ ଭାରତର ବିଚାର ବୋଲି ପ୍ରଚାର କରାଯାଉଛି। ଭାରତର ବିଚାର “ଅଇଡିଆ ଅଫ ଇଣ୍ଡିଆ’କୁ ବିଖଣ୍ଡିତ କରି ଆରଏସଏସ ତା’ର ବିଚାରଧାରାକୁ ରାଷ୍ଟ୍ରବାଦୀର ଆବରଣରେ ଢାଙ୍କି ଦେଶରେ ଲାଗୁ କରିବାକୁ ଉଦ୍ୟମ କରୁଛି। ଅଥଚ ଭାରତୀୟ ବିଚାର ଏକାଧିକ ଭାଷା, ଜାତି, ସମ୍ପ୍ରଦାୟକୁ ନେଇ ବହୂଲତାବାଦୀ ଅଟେ।
ଏଣ୍ଟୋନି ରିପୋର୍ଟ ଆସିବା ପରଠାରୁ କଂଗ୍ରେସର ରଣନୀତିରେ ଏଭଳି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଉଦାରବାଦୀ ହିନ୍ଦୁତ୍ୱ ପ୍ରତି କଂଗ୍ରେସ ଢଳି ରହିଥିବା ଦୃଶ୍ୟମାନ ହେଉଛି। ଲୋକସଭା ନିର୍ବାଚନ ଓ ପରବର୍ତ୍ତୀ ଏକାଧିକ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ କଂଗ୍ରେସ ଉଦାରବାଦୀ ହିନ୍ଦୁଙ୍କୁ ଆରଏସଏସ ଓ ବିଜେପିଠାରୁ ଛଡ଼େଇ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି।
ଲଣ୍ଡନରେ ଆଇଆଇଏସଏସ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧି ଆରଏସଏସକୁ ସୁନ୍ନି ଇସଲାମୀ ସଂଗଠନ ମୁସଲିମ ବ୍ରଦରହୁଡ଼ ସହ ତୁଳନା କରିଛନ୍ତି।ଆରଏସଏସ ଭାରତୀୟ ସଂଗଠନ ଗୁଡ଼ିକ ଉପରେ କବଜା କରିବାକୁ ଉଦ୍ୟମ କରୁଛି ବୋଲି ରାହୁଲ କହିଥିଲେ। ଦେଶର ସ୍ୱରୂପ ବଦଳାଇ ଦେବାକୁ ଆରଏସଏସ ଏଭଳି ରଣନୀତି ଆରମ୍ଭ କରିଛି ବୋଲି ରାହୁଲ ମନ୍ତବ୍ୟ ଦେଇଥିଲେ।
ମୁସଲିମ ବ୍ରଦରହୁଡ଼ କ’ଣ?
ମିଶର ଦେଶର ସବୁଠାରୁ ପୁରୁଣା ଓ ବିଶାଳ ସଂଗଠନ ଭାବେ ମୁସଲିମ ବ୍ରଦରହୁଡ଼ର ନାମ ନିଆଯାଇ ପାରେ। ୧୯୨୮ରେ ସ୍ଥାପିତ ଏହି ସଂଗଠନ ସମଗ୍ର ଇସଲାମି ଆଇନ ତଥା ଶରିଆ ଆଇନ ଆଧାରରେ ଦେଶକୁ ପରିଚାଳିତ କରିବାକୁ ଉଦ୍ୟମ କରୁଛି। ଆରବ ଦେଶରେ ସକ୍ରିୟ ଏହି ସଂଗଠନ ଉପରେ ଆତଙ୍କବାଦକୁ ପ୍ରୋତ୍ସାହନ କରିବାର ଅଭିଯୋଗ ମଧ୍ୟ ରହିଛି। ମିଶର ପରି ଦେଶରେ ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି।
ରାହୁଲ ଗାନ୍ଧି ବାରମ୍ବାର ଆରଏସଏସ ପରି ସଂଗଠନ ଦେଶକୁ ତା’ର ଅଧିନାୟକବାଦୀ ବିଚାରକୁ ସଂଞ୍ଚାଳିତ କରିବାକୁ ଉଦ୍ୟମ କରୁଛି ବୋଲି ପ୍ରଚାର କରୁଛନ୍ତି। ତେଣୁ ଲଣ୍ଡନରେ ରାହୁଲ ଆମେ ଏଭଳି ଏକ ସଂଗଠନ ସହ ଲଢେଇ କରୁଛୁ(ଆରଏସଏସ) ଯିଏ ଦେଶର ମୂଳ ସ୍ୱରୂପକୁ ବଦଳାଇବାକୁ ଉଦ୍ୟମ କରୁଛି। ଏହି ସଂଗଠନ ନିଜ ବିଚାରଧାରାକୁ ଦେଶରେ ଲାଗୁ କରି ଅନ୍ୟ ବିଚାରଧାରାକୁ ମୂଳତ୍ପାଟନ କରିବାରେ ଲାଗିଛି।
ରାହୁଲ ତାଙ୍କ ଭାଷଣରେ ସୁପ୍ରିମ କୋର୍ଟର ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ ଓ ରିଜର୍ଭବ୍ୟାଙ୍କର ପ୍ରାକ୍ତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଉଦାହରଣ ଦେଇ ଦେଶରେ ବିଚାରଧାରାର ପରିବର୍ତ୍ତନ କିପରି ହେଉଛି ଏହା ସୂଚାଇ ଦେଇଥିଲେ। ଏହା ବ୍ୟତୀତ ଧର୍ମ ସମାଜକୁ ବାଣ୍ଟିବା ପାଇଁ ନୁହେଁ ବରଂ ଭାଇଚାରାର ପରିଭାଷା ଅଟେ ବୋଲି ରାହୁଲ ସ୍ପଷ୍ଟ କରିଥିଲେ।

Leave A Reply