ଆପଣମାନେ ଖୁସି ତ ?

ଶ୍ୟାମସୁନ୍ଦର ଅଗ୍ରୱାଲା

‘‘ଆପଣମାନେ ଖୁସି ତ? ମୁଁ ବି ଖୁସି।’’ ଏହି ଦୁଇଟିର ସରଳ ବାକ୍ୟ ଭିତରେ ‘ଖୁସି’ର ଏକ ଗୂଢ଼ ତଥ୍ୟ ଲୁଚି ରହିଛି। ଏହି ତଥ୍ୟର ସାରାଂଶ ହେଉଛି ଯେ ଯେପର୍ଯ୍ୟନ୍ତ ‘ଆପଣମାନେ’ ଖୁସି ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ‘ମୁଁ ବି ଖୁସି ହୋଇ ପାରିବି ନାହିଁ ଏବଂ ଏହା ସମ୍ଭବପର ମଧ୍ୟ ନୁହେଁ। କାରଣ ସାମାଜିକ ଖୁସି ହେଉଛି ଏକ ସାମଗ୍ରିକ ଚେତନା। ଏହା କ୍ବଚିତ ଅଧାଅଧି ହୋଇଥାଏ। ସମାଜରେ ଅଧାଲୋକ ଯଦି ଦୁଃଖରେ ରୁହନ୍ତି ତେବେ ବାକି ଅଧା ଲୋକ ଲମ୍ବା ସମୟ ଧରି ଖୁସିରେ ରହିବା ସମ୍ଭବପର ନୁହେଁ। ଅଷ୍ଟାଦଶ ଶତାବ୍ଦୀର ଦାର୍ଶନିକ ଜେରେମି ବେନ୍ଥାମ କୁହନ୍ତି ‘ଯେଉଁ ସମାଜରେ ସର୍ବାଧିକ ଜନସାଧାରଣ ଖୁସିରେ ଥାଆନ୍ତି ତାହା ହିଁ ସର୍ବଶ୍ରେଷ୍ଠ ସମାଜର ଆଖ୍ୟା ପାଇଥାଏ ଏବଂ ଯେଉଁ ନୀତି ସର୍ବାଧିକ ଲୋକମାନଙ୍କର ସର୍ବାଧିକ ଖୁସି ସୃଷ୍ଟି କରିଥାଏ ତାହା ହିଁ ଶ୍ରେଷ୍ଠ ନୀତି ବୋଲି ବିବେଚିତ ହୋଇଥାଏ। ଏହାକୁ ହିତବାଦ ବା ଉପଯୋଗିତାବାଦର ମୁଖ୍ୟ ତଥ୍ୟ ବୋଲି ଧରାଯାଇଥାଏ ଏବଂ ଏହି ନୀତିରେ ସର୍ବାଧିକ ଲୋକମାନଙ୍କର ସର୍ବାଧିକ ଖୁସି ପ୍ରତି ଗୁରୁତ୍ବ ଦିଆଯାଇଥାଏ।’ ସମସାମୟିକ ଆମେରିକା ସ୍ବାଧୀନତା ଘୋଷଣା ପତ୍ରର ପ୍ରଥମ ଧାଡ଼ିରେ ହିଁ ଏହି ଖୁସିକୁ ଗୁରୁତ୍ବ ଦିଆଯାଇ କୁହାଯାଇଛି ଯେ ‘ବ୍ୟକ୍ତିର ଅଧିକାରମାନଙ୍କ ଭିତରେ ଧନ ଜୀବନ ଖୁସିର ଅନ୍ବେଷଣ ଏକ ଅନ୍ୟତମ ଅଧିକାର ଅଟେ। ’ ଖୁସି ହେଉଛି ମନୁଷ୍ୟର ଜନ୍ମଗତ ଅଧିକାର ଏବଂ ଏହା ପୂରଣ କରିବା ହେଉଛି ରାଷ୍ଟ୍ରର ପରମ ଦାୟିତ୍ବ।
ପ୍ରଶ୍ନ ଉଠେ ‘ଖୁସି’ କ’ଣ? ଏହା କେମିତି ସୃଷ୍ଟି ହୁଏ? ଭେଷଜ ବିଜ୍ଞାନ କହୁଛି ଯେ ଯେତେବେଳେ ମନୁଷ୍ୟ ମସ୍ତିଷ୍କରୁ ଏଣ୍ଡୋରଫିନ୍‌ ଜାତୀୟ ହରମୋନ କ୍ଷରଣ ହୁଏ ସେତେବେଳେ ତା’ର ଶରୀର ଓ ମନରେ ଖୁସିର ଲହରି ସୃଷ୍ଟି ହୁଏ। ତେବେ ଏହା କ୍ଷରଣ ହେବାର କାରଣ କ’ଣ? ଏହାର କାରଣ ସମାଜରେ ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇ ନ ଥାଏ। ଧନିକ ଶ୍ରେଣୀର ବ୍ୟକ୍ତିଟିଏ ଯେତେବେଳେ ନୂଆ ମର୍ସିଡିଜ୍‌ ଗାଡ଼ିଟିଏ କିଣି ରାସ୍ତାରେ ଚଲେଇ ଯାଇଥାଏ ସେତେବେଳେ ଯେଉଁ ଖୁସିର ହରମୋନ ତା’ର କ୍ଷରଣ ହୋଇଥାଏ, ମଧ୍ୟବିତ୍ତ ଲୋକଟିଏ ନୂଆ ମାରୁତି ଗାଡ଼ିଟିଏ ଚଲେଇକି ଗଲାବେଳେ ସେଇ ହରମୋନ କ୍ଷରଣ ହୋଇଥାଏ। ଏଠାରେ ଲୋକଟିଏ ନୂଆ ସାଇକଲଟିଏ ଚଲେଇକି ଗଲାବେଳେ ମଧ୍ୟ ସେଇ ହରମୋନ କ୍ଷରଣ ହୋଇଥାଏ। ଏଠାରେ ସମସ୍ତଙ୍କର ଖୁସିର କାରଣ ଭିନ୍ନଭିନ୍ନ ହୋଇଥିଲେ ହେଁ ସମସ୍ତଙ୍କର ଖୁସିର ହରମୋନ ଓ ମାତ୍ରା ସମାନ ହୋଇଥାଏ। ତେଣୁ ସମସ୍ତେ ଖୁସିରେ ରହିବାପାଇଁ ଯିଏ ଯେଉଁ ଗୋଷ୍ଠୀର ହୁଅନ୍ତୁ ନା କାହିଁକି ସେହି ଗୋଷ୍ଠୀର ଯାହା ଇଚ୍ଛା ଓ ଆବଶ୍ୟକତା ଅଛି ତାହା ପୂର୍ଣ୍ଣ ହେଲେ ଯାଇ ସମସ୍ତେ ଖୁସିରେ ରହିବେ।
ଯଦି କାଳେ ଧନୀଟିଏ ସୌଖୀନ ଗାଡ଼ିଟିଏ କିଣି ପାରୁଥିବ ଆଉ ମଧ୍ୟବିତ୍ତ ଲୋକଟିଏ ସାଧାରଣ ଗାଡ଼ି ଖଣ୍ଡିଏ କି ଗରିବ ଲୋକଟିଏ ସାଇକଲ ଖଣ୍ଡେ ବି କିଣିପାରୁନଥିବ ତା’ହେଲେ ସମାଜ ସାମଗ୍ରିକ ଭାବେ ସୁଖୀ ହୋଇପାରିବ ନାହିଁ ଏବଂ ଶେଷକୁ ପରିସ୍ଥିତି ଏ ପରି ହୋଇଯିବ ଯେ ଧନିକ ମଧ୍ୟ ସୌଖୀନ ଗାଡ଼ି କିଣିବାକୁ ତା’ର ସାମର୍ଥ୍ୟ ହରେଇ ବସିବ। ଖୁସି ସର୍ବଦା ପରିପୂରକ ହୋଇଥାଏ। ଜଣେ ଅନ୍ୟଜଣକ ଦୁଃଖରେ ହୁଏତ ଖୁସି ହୋଇପାରେ କିନ୍ତୁ ଏହି ଖୁସି ଲମ୍ବା ସମୟଧରି ତିଷ୍ଠି ରହିପାରିବ ନାହିଁ।
କଥାଟିଏ କହୁଛି। ଜଣେ କୃଷକ ତା’ଘରେ ଗୋଟେ ଛେଳି ଆଉ ଗୋଟେ କୁକୁଡ଼ା ପାଳିଥିଲା। ଛେଳି ଓ କୁକୁଡ଼ା ଯେଉଁଠି ରହୁଥିଲେ ସେଠି ଗୋଟେ ମୂଷା ମଧ୍ୟ ରହୁଥିଲା। ତିନିହେଁ ଏକାଠି ଖୁସିରେ ଥିଲେ। ଦିନେ କୃଷକର ପତ୍ନୀ ମୂଷାଟିକୁ ଏମାନଙ୍କ ସହିତ ଦେଖି ତାକୁ ଘଉଡ଼େଇ ଦେବାକୁ ଚେଷ୍ଟା କଲା, କିନ୍ତୁ ମୂଷାଟି ତା’ର ବନ୍ଧୁମାନଙ୍କୁ ଛାଡ଼ି ନଯିବାରୁ କୃଷକର ପତ୍ନୀ ଗୋଟେ ଯନ୍ତା ଆଣି ସେଇଠି ବସେଇ ଦେଲା। ଯନ୍ତାଟିକୁ ଦେଖି ମୂଷା ଛୁଆଟି ଦୁଃଖୀ ହୋଇଗଲା ଆଉ ଯାଇ କୁକୁଡ଼ାକୁ କହିଲା ‘ମୋତେ ଧରିବାକୁୁ କୃଷକର ପତ୍ନୀ ଗୋଟେ ଯନ୍ତା ବସେଇଛି, ତୁମେ ଏହାର କିଛି ଗୋଟେ ପ୍ରତିକାର କର।’ କୁକୁଡ଼ା କହିଲା ‘ମୋର କ’ଣ ଯାଉଛି? ମୁଁ କ’ଣ ଯନ୍ତାରେ ପଡ଼ିଯିବି? ତୋ ଦୁଃଖ କଥା ତୁ ବୁଝ୍‌।’ ବ୍ୟସ୍ତ ହୋଇ ମୂଷାଛୁଆଟି ଯାଇ ଛେଳି ପାଖରେ ପହଞ୍ଚିଲା ଓ ତାକୁ ମଧ୍ୟ କିଛି ପ୍ରତିକାର କରିବାକୁ ଅନୁରୋଧ କଲା। ଛେଳି ମଧ୍ୟ କୁକୁଡ଼ା ଭଳି ଉତ୍ତର ଦେଇ ନିଜର ଅସହାୟତା ପ୍ରକାଶ କଲା।
ମୂଷା ଛୁଆଟି କୁଆଡ଼ୁ କିଛି ସାହାଯ୍ୟ ନ ପାଇ ବଡ଼ ଦୁଃଖରେ ରହିଲା। ସେଦିନ ରାତିରେ ବିଷାକ୍ତ ସାପଟିଏ ଯନ୍ତା ଭିତରେ ଲାଗିଥିବା ଖାଦ୍ୟ ଖାଇବା ଲୋଭରେ ପଶିଯିବାରୁ ଯନ୍ତାଟି ଆପେଆପେ ବନ୍ଦ ହୋଇଗଲା। ସକାଳୁସକାଳୁ କୃଷକ ପତ୍ନୀ ମୂଷାଛୁଆ ଯନ୍ତାରେ ପଡ଼ିଛି ଭାବି ତା’ର ଢ଼ାଙ୍କୁଣୀ ଖୋଲି ଦେବାରୁ ବିଷାକ୍ତ ସାପଟି ତାକୁ ଚୋଟଟିଏ ମାରିଦେଇ ଚାଲିଗଲା। କୃଷକ ପତ୍ନୀ ଚେତାଶୂନ୍ୟ ହୋଇ ପଡ଼ିଗଲା। ବଇଦ ପରୀକ୍ଷାନିରୀକ୍ଷା କରି ଔଷଧ ଦେଲେ ଓ ବିଷର ପ୍ରଭାବ ଦୂର କରିବାପାଇଁ ତତ୍‌କ୍ଷଣାତ୍‌ କୁକୁଡ଼ା ଝୋଳ ଖାଇବା ପାଇଁ ପଥି ବତେଇଲେ। କୃଷକ ସାଙ୍ଗେସାଙ୍ଗେ ତା’ଘରେ ଥିବା କୁକୁଡ଼ାଟିକୁ କାଟି ତା’ରି ଝୋଳକରି ତା’ପତ୍ନୀକୁ ଖାଇବାକୁ ଦେଲା, କିନ୍ତୁ ତାହା କାମ ନକରିବାରୁ ଦୁଇତିନି ଦିନ ଭିତରେ ପତ୍ନୀ ମୃତ୍ୟୁବରଣ କଲା। ତା’ର ଶ୍ରାଦ୍ଧରେ ଗ୍ରାମବାସୀମାନେ ଖାସିମାଂସ ଦାବି କରିବାରୁ କୃଷକ ତା’ର ଏକମାତ୍ର ପାଳିତ ଛେଳିକୁ କାଟି ଗାଁ ବାଲାଙ୍କୁ ଦେବାକୁ ବାଧ୍ୟ ହେଲା।
ମୂଷାଛୁଆଟିଏ ଏ ସବୁ ଘଟଣା ଆବାକାବା ହୋଇ ଦେଖୁଥାଏ। ମନେମନେ ଭାବୁଥାଏ ଯଦି କୁକୁଡ଼ା ଓ ଛେଳି ତା’ର ଖୁସି ପାଇଁ ସାମାନ୍ୟ ଚିନ୍ତା କରିଥାନ୍ତେ ତେବେ ଆଜି ଏ ଦୁର୍ଦିନ ଦେଖିବାକୁ ପଡ଼ିନଥାନ୍ତା ଓ ଆଜି ସମସ୍ତେ ଖୁସିରେ ଥାଆନ୍ତେ। କିନ୍ତୁୁ କ’ଣ ହେଲା? ଦୁଇ ବନ୍ଧୁଙ୍କର ଦୁଃଖଦ ମୃତ୍ୟୁ ହେଲା ଓ ସେମାନଙ୍କ ବିୟୋଗରେ ଅନ୍ୟ ଜଣେ ବନ୍ଧୁ ମଧ୍ୟ ଦୁଃଖରେ ରହିଲା।
୯୭, ଜନପଥ, ଭୁବନେଶ୍ବର

Comments
Loading...