ଆତ୍ମନିର୍ଭରଶୀଳ ଭାରତ ପଥେ; ଲକ୍ଷ୍ୟ ମହତ୍, ପଥ ଅତ୍ୟନ୍ତ କଷ୍ଟସାଧ୍ୟ

କରୋନା ମହାମାରୀ ଦ୍ବାରା ବିପର୍ଯ୍ୟସ୍ତ ଭାରତୀୟ ଅର୍ଥନୀତିକୁ ସଜାଡ଼ି ବାଟକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣାର ଦିନକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ତିନିଲକ୍ଷ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନା ଏସ୍‌ଏମ୍‌ଏସଇ ଓ ତତ୍‌ ସଂଲଗ୍ନ କ୍ଷେତ୍ରପାଇଁ ଘୋଷଣା କରିଛନ୍ତି। ଏହାଛଡ଼ା ଶ୍ରମିକବର୍ଗ ଓ କେତେକ ନିର୍ଦିଷ୍ଟ ଶ୍ରେଣୀର ରୋଜଗାରିଆଙ୍କ ହାତକୁ ଯେପରି ଅଧିକ ନଗଦ ଯିବ ସେଥିପାଇଁ ପ୍ରଚଳିତ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ଣ୍ଣାଙ୍ଗ ଆର୍ଥିକ ପୁନରୁଦ୍ଧାର ଯୋଜନାର ଏହା ଆଦ୍ୟ ପର୍ବ ମାତ୍ର; କାରଣ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ପାଇଁ କ୍ଷେତ୍ରୱାରୀ ସ୍ବତନ୍ତ୍ର ଓ ସ୍ପଷ୍ଟ ଯୋଜନା କରିବାକୁ ପଡ଼ିବ ଯାହା ସମୟସାପେକ୍ଷ। ତେବେ ଅର୍ଥମନ୍ତ୍ରୀ ପ୍ରାରମ୍ଭିକ ଭାବେ ଏସ.ଏମ୍‌.ଏସ.ଇ ଶ୍ରମ, କୃଷି, ବ୍ୟବସାୟ, ଟିକସ, ଭୂମି ଓ ଆଇନ ଆଦି କ୍ଷେତ୍ରରେ ଯେଉଁ ସୀମିତ ଘୋଷଣାମାନ କରିଛନ୍ତି ତାହା ଦରକାର ଥିଲା।
ଲକ୍‌ଡାଉନ ସଂପୂର୍ଣ୍ଣ ପ୍ରତ୍ୟାହାର ହୋଇନାହିଁ ଏବଂ ଏହା କରୋନା ସଂକ୍ରମଣର ସ୍ଥିତି ଉପରେ ନିର୍ଭର କରେ। ତେଣୁ କ୍ଷୟକ୍ଷତିର ଅନ୍ତିମ ଆକଳନ ନ’ହେବାଯାଏ ଓ କରୋନା ସଂପୂର୍ଣ୍ଣ ନ ଥମିବା ପର୍ଯ୍ୟନ୍ତ ସରକାର ତାଙ୍କର ଯୋଜନାର ପୂର୍ଣ୍ଣାଙ୍ଗ ରୂପରେଖ ଆଙ୍କିପାରିବେ ନାହିଁ କିମ୍ବା ଏହାକୁ କାର୍ଯ୍ୟକାରୀ କରି ହେବନାହିଁ। ଏବେ ଯାହା ଚାଲିବ ତାହା କେବଳ ଧୀରେଧୀରେ ସହାୟତାକାରୀ ଢ଼ଙ୍ଗରେ କ୍ରମାନ୍ବୟ ଭିତ୍ତିରେ ଚାଲିବ। ତେଣୁ ପରିସ୍ଥିତି ଓ ପରିବେଶକୁ ଦେଖି ସରକାର ପର୍ଯ୍ୟାୟକ୍ରମେ ଏ ଦିଗରେ ପଦକ୍ଷେପ ନେବେ ଏହା ସ୍ପଷ୍ଟ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଯେଉଁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ଭାରତର ଚିତ୍ର ଦେଶବାସୀଙ୍କ ଆଗରେ ରଖିଛନ୍ତି ତାହା ପାଞ୍ଚଟି ପ୍ରମୁଖ ସ୍ତମ୍ବ- ଅର୍ଥନୀତି, ଭିତ୍ତିଭୂମି, ଟେକ୍‌ନୋଲୋଜି, ଜନସଂାଖ୍ୟିକ ତତ୍ତ୍ବ ଓ ଚାହିଦା ଉପରେ ନିର୍ଭର କରୁଛି। ସେଥିପାଇଁ ସେ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନମୂଳକ ପ୍ୟାକେଜ ରଖିଛନ୍ତି ତାହା ଦେଶର ମୋଟ ଜାତୀୟ ଆୟର ୧୦ ଶତାଂଶ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାରୁ ସ୍ପଷ୍ଟ ହୋଇଯାଇଛି ଯେ ସେ ଏକ ନିର୍ଣ୍ଣାୟକ ଆର୍ଥିକ ସଂସ୍କାର କାର୍ଯ୍ୟକାରୀ କରି ଭାରତକୁ ଏହି ମହାଆର୍ଥିକ ସଂକଟରୁ ଊଦ୍ଧାର କରିବାକୁ ପ୍ରୟାସୀ।
ପ୍ରଧାନମନ୍ତ୍ରୀଙ୍କ ବିଚାର ଉତ୍ତମ। ଭାରତ ସ୍ବାବଲମ୍ବୀ ହେବ, ଆର୍ଥିକ ସ୍ଥିତି ସୁଧୁରିବ, ଲୋକଙ୍କୁୁ ରୋଜଗାର ମିଳିବ, ସ୍ଥାନୀୟ ଭାବେ ଉତ୍ପାଦିତ ସାମଗ୍ରୀ ଚାହିଦା ଅନୁସାରେ ପ୍ରୋତ୍ସାହନ ପାଇବ, ଚାଷବାସ ଶିଳ୍ପ ବାଣିଜ୍ୟ ସବୁଠି ଦ୍ରୁତ ଉନ୍ନତି ଘଟିବ- ଏସବୁ ଭଲ ବିଚାର ଏବଂ ସେଥିପାଇଁ ପ୍ରୟାସ ନିଶ୍ଚୟ ପ୍ରଶଂସା ଯୋଗ୍ୟ। ତେବେ ଭାରତ ଓ ସମଗ୍ର ବିଶ୍ବ ଏବେ ଯେଉଁ ଅଭୂତପୂର୍ବ ଆର୍ଥିକ ସଂକଟ ଓ ମାନ୍ଦାବସ୍ଥା ଦେଇ ଗତି କରୁଛି ସେଥିରେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ସହଜରେ ସଫଳ ହେବା ସମ୍ଭାବନା କ୍ଷୀଣ। ଏ ​‌େ​‌କ୍ଷତ୍ରରେ ପ୍ରଥମ ଆବଶ୍ୟକତା ହେବ ପାଣ୍ଠି ବା ଅର୍ଥ। ସେ ଯେଉଁ ୨୦ ଲକ୍ଷକୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ସେଥିରେ ସବୁକ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମନେ ରଖିବାକୁ ପଡ଼ିବ ଯେ ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଯେଉଁ ଗୁରୁତର ପ୍ରଭାବର ସମ୍ମୁଖୀନ ହୋଇଛି ସେଥିପାଇଁ ଏହି ୨୦ଲକ୍ଷକୋଟି ଟଙ୍କା ବି ଯଥେଷ୍ଟ ହୋଇ ନ’ପାରେ।
ଏଠି ଆଉ ଏକ ପ୍ରସଙ୍ଗ ହେଲା ଘୋଷଣା ମୁତାବକ ପ୍ରଧାନମନ୍ତ୍ରୀ ୨୦ଲକ୍ଷକୋଟି ଟଙ୍କା ଆଣିବେ କେଉଁଠୁ? ବିପର୍ଯ୍ୟସ୍ତ ଅର୍ଥନୀତିରେ ଲୋକଙ୍କ ଉପରେ ନୂଆ ଟିକସ, କର ଓ ଉପ-କର ଆତ୍ମଘାତୀ ହୋଇପାରେ। ଜିଏସ୍‌ଟିଜନିତ ଆୟ ଲକ୍‌ଡାଉନ କାରଣରୁ ଶୋଚନୀୟ ଭାବେ ହ୍ରାସ ପାଇଛି। ରାଜ୍ୟମାନେ କରୋନା ମୁକାବିଲା ପାଇଁ ଏବେ ବିପୁଳ ଅର୍ଥ ଖର୍ଚ୍ଚକରି ରାଜକୋଷ ରିକ୍ତ କଲେଣି। ସେମାନେ ଏଥିପାଇଁ କେନ୍ଦ୍ରର ଶରଣାପନ୍ନ। ସେବାକ୍ଷେତ୍ର, ଯାହା ଜିଡିପିକୁ ସର୍ବାଧିକ ଆୟ ଦିଏ ତାହା ଛିନ୍ନଛତ୍ର। କୃଷିର ଅବସ୍ଥା ଆହୁରି ଖରାପ। ଏଭଳି ସ୍ଥିତିରେ ସରକାର କେଉଁ ସୂତ୍ରରୁ ଆବଶ୍ୟକ ପଡ଼ୁଥିବା ବିପୁଳ ସମ୍ବଳ ସଂଗ୍ରହ କରିବେ? ସର୍ବୋପରି କରୋନା ପ୍ରଭାବରୁ ସମାଜର ଏକ ବଡ଼ ଦୁର୍ବଳ ବର୍ଗକୁ ସରକାର ବିିଭିନ୍ନ ଯୋଜନାରେ ଯେଉଁସବୁ ସୁବିଧାସୁଯୋଗ ଯୋଗାଉଛନ୍ତି ସେଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାକୁ କେତେକାଳ ସରକାର ଚଳାଇପାରିବେ?
ଏହାସତ୍ତ୍ବେ ସରକାରଙ୍କୁ ଆଗକୁ ବଢ଼ିବାକୁ ହେବ ଏବଂ ଆବଶ୍ୟକ ସମ୍ବଳ ସଂଗ୍ରହ ପାଇଁ ବାଟ ତିଆରି କରିବାକୁ ପଡ଼ିବ। ଏଥିପାଇଁ ଯେ ବିକଳ୍ପ ନାହିଁ; ସେ କଥା ନୁହେଁ। ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସରକାର କେତେକ କଠୋର ଓ ଅପ୍ରିୟ ନିଷ୍ପତ୍ତି ନେବାକୁ ଆଗକୁ ବାଧ୍ୟ ହୋଇପାରନ୍ତି। ବିିଭିନ୍ନ କ୍ଷେତ୍ରରେ ଦିଆଯାଉଥିବା ବିପୁଳ ସବ୍‌ସିଡିକୁ ହ୍ରାସ କିମ୍ବା ବନ୍ଦ କରିବାକୁ ପଡ଼ିପାରେ। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସଂସ୍ଥାରୁ ସରକାର ଅଧିକ ପୁଞ୍ଜି (ନିଜ ଅଂଶଧନ) ପ୍ରତ୍ୟାହାର କରିପାରନ୍ତି। ରିଜର୍ଭ ବ୍ୟାଙ୍କରୁ ଅଧିକ ନଗଦ ସହାୟତା ଲୋଡ଼ିବାର ବାଟ ମଧ୍ୟ ଅଛି। ଏଥର ବଜେଟରେ ଭିତ୍ତିଭୂମି ବିକାଶ ସଂକ୍ରାନ୍ତ ଯେଉଁ ଜାତୀୟ ପାଇପଲାଇନ୍‌ ପ୍ରକଳ୍ପରେ ବିପୁଳ ପାଣ୍ଠିର ବ୍ୟବସ୍ଥା କରାଯାଇଛି ସେ ବାବଦ ଅର୍ଥକୁ ଆଣି ଖର୍ଚ୍ଚ କରାଯାଇପାରେ। ଆହୁରି ମଧ୍ୟ ବିଶେଷ ଜରୁରୀ ଆବଶ୍ୟକତା ନଥିବା କାର୍ଯ୍ୟକ୍ରମକୁ ସରକାର ସ୍ଥଗିତ ରଖି ସେ ବାବଦ ଅର୍ଥକୁ ଆଣି ଖର୍ଚ୍ଚ କରିପାରିବେ। ସର୍ବୋପରି ନିହାତି କିଛି ବାଟ ନ’ମିଳିଲେ ସବୁ ସରକାରୀ ବଣ୍ଡ ଓ ସିକ୍ୟୁରିଟିକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା ଦେଇ ସେ ବାବଦରେ ଅଧମ ଉଦ୍ଧାରଣ ପନ୍ଥାରେ ଅଧିକ ନୋଟ ଛାପିବାକୁ କେନ୍ଦ୍ରୀୟ ବ୍ୟାଙ୍କକୁ ଅନୁରୋଧ କରିପାରିବେ।
କରୋନା ମହାମାରୀ ଭଳି ଏକ ଅଭୂତପୂର୍ବ ସଂକଟ କେବଳ ଭାରତ ନୁହେଁ, ସାରା ପୃଥିବୀକୁ ଦୋହଲାଇ ଦେଇଛି। ଏଭଳି ପରିସ୍ଥିତିରେ ବିଦେଶୀ ଶିଳ୍ପ ବଣିକ କେତେ ଭାରତକୁ ଆସିବେ ଏବଂ ସେମାନଙ୍କ ଆବଶ୍ୟକତା ଆମ ସରକାର କେତେ ମାତ୍ରାରେ ପୂରଣ କରି ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ, ତାହା କହିବା ଅସହଜ। ଆମର ଆଭ୍ୟନ୍ତରୀଣ ଓ ଜନସାଂଖ୍ୟିକ ସମସ୍ୟା ବହୁ ଅଧିକ। ସେସବୁୁକୁ ପ୍ରଥମେ ପୂରଣ ନ’କଲେ ଚଳିବ ନାହିଁ। ଏହାସତ୍ତ୍ବେ ସରକାର ତ ଚୁପ୍‌ ହୋଇ ବସିପାରିବେ ନାହିଁ। ଏବେ ଯେଉଁ ସମସ୍ୟା ଆସିଛି ସେଥିରୁ ମୁକୁଳିବାର ବାଟ ବାହାର କରିବାକୁ ହେବ। ଏଥିରେ ଦର୍ଶନ ଓ କଳ୍ପନାବିଳାସ ଅପେକ୍ଷା ବାସ୍ତବତା ଅଧିକ ଲୋଡ଼ା।

Comments
Loading...