ଆଜିର ବିଶ୍ବକପ୍‌ ଓ ସ୍ମୃତିରେ ଧ୍ୟାନଚାନ୍ଦ

0

ଦୀପକ କାନୁନ୍‌ଗୋ

ପୁରୁଷ ହକିର ବିଶ୍ୱକପ୍‌ ନିମନ୍ତେ କେବଳ ଭୁବନେଶ୍ୱର କାହିଁକି, ସମଗ୍ର ଓଡ଼ିଶା ଆଜି ଉଠୁଛି ପଡ଼ୁଛି। ଏଭଳି କଥା ମଧ୍ୟ କିଛି ଅସ୍ୱାଭାବିକ ନୁହେଁ। ହକି ଭଳି ଏକ ସର୍ବକାଳୀନ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା କେବଳ ଯୁବପିଢ଼ି କାହିଁକି, ଆମ ସମସ୍ତଙ୍କ ପାଇଁ ହେଉଛି ଆନନ୍ଦଦାୟକ, ସେକଥା ସ୍ୱୀକାର କରିବାକୁ ପଡ଼ିବ। ଦିନଥିଲା ଯେତେବେଳେ ହକି ହିଁ ଥିଲା ଭାରତର ଖେଳ, କୋଟିକୋଟି ଭାରତୀୟଙ୍କର ଖେଳ। କ୍ରିକେଟ ଥିଲା ଏକ ସୀମିତ, ଆଭିଜାତ୍ୟସଂପନ୍ନ ଆଲୋଚନା। ଆଜି କିନ୍ତୁ ପରିସ୍ଥିତି ଠିକ୍‌ ଓଲଟା ହୋଇଯାଇଛି। ହକି ଚାଲିଯାଇଛି ପଛକୁ କ୍ରିକେଟ ଚାଲିଆସିଛି ଆଗକୁ। ସେକଥା ଯାହାହେଉନା ନାହିଁକି, ଚଳିତ ବିଶ୍ୱକପ୍‌ ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ଗାଥା ବହନ କରୁଛି।
ଇତିମଧ୍ୟରେ ଏହାର ଚମକ୍‌ଦାର ଉଦ୍‌ଘାଟନୀ ଉତ୍ସବ ସମାପ୍ତ ହୋଇଯାଇଛି ଏବଂ ଟୁର୍ଣ୍ଣାମେଣ୍ଟର ଖେଳସବୁ ମଧ୍ୟ ଆରମ୍ଭ ହୋଇଗଲାଣି। କିଏ ବିଶ୍ୱକପ୍‌ ବିଜେତା ହେବ ସେକଥା ଆଜିଠାରୁ କହିବା ସମ୍ଭବ ନହେଲେ ମଧ୍ୟ ଦର୍ଶକମାନେ ଯେ ପ୍ରକୃତ ହକି ଉତ୍କର୍ଷ ଓ ଚମତ୍କାରିତାର ସନ୍ଧାନ ଏହି ସମୟରେ ପାଇଯିବେ, ସେକଥା ଆଶା କରିବାରେ କିଛି ଅସୁବିଧା ନାହିଁ। ଶାହାରୁଖ ଖାଁ, ସଲମନ ଖାଁଙ୍କ ଭଳି ପରିଣତ ବୟସର ନାୟକ; ମାଧୁରୀ ଦୀକ୍ଷିିତଙ୍କ ଭଳି ବିଗତ ଯୁଗର ଲାସ୍ୟମୟୀ ଅଭିନେତ୍ରୀ ଏବଂ ସଂଗୀତର ମାଧୁର୍ଯ୍ୟକୁ ମାଇକ୍ରୋଚିପ୍‌ ଭିତରଦେଇ ଆମ ସମସ୍ତଙ୍କ ପାଖରେ ପହଞ୍ଚାଇଦେବାର କଳା-କୌଶଳକୁ ହାସଲ କରିଥିବା ସୁପ୍ରସିଦ୍ଧ ରହେମନ୍‌ଙ୍କ ଉପସ୍ଥିତି ଉଦ୍‌ଘାଟନୀ ଉତ୍ସବସମୂହକୁ ଗୋଟାଏ ଭିନ୍ନ ରୂପ ଦେଇଦେଇଛି। ତାହା ସାଙ୍ଗକୁ ଡ୍ରୋନ୍‌, ଲେଜର ଆଲୋକ ଏବଂ ଆତସବାଜିର ପସରା ହକିର ଗୁଣାତ୍ମକ ମାନକୁ ବୃଦ୍ଧି ନକରୁଥିଲେ ମଧ୍ୟ ଉପସ୍ଥିତ ହଜାରହଜାର ଦର୍ଶକଙ୍କ ମନରେ ଯେ ହାଲ୍‌କା ଆନନ୍ଦ ସୃଷ୍ଟି କରିପାରିଛି, ସେକଥା ଦୃଢ଼ତାର ସହିତ କୁହାଯାଇପାରିବ। ଏହି ଉତ୍ସବକୁ କିନ୍ତୁ ଆୟୋଜନ କରିଥିବା ଇଭେଣ୍ଟ ପରିଚାଳକମାନେ ଗୋଟାଏ ବଡ଼ କାମ କରିପାରିଥା’ନ୍ତେ, ଯଦି ଉଦ୍‌ଘାଟନୀ ସନ୍ଧ୍ୟାରେ ଲେଜର ସାହାଯ୍ୟରେ ଅମ୍ଳାନ ଧ୍ୟାନଚାନ୍ଦଙ୍କ ସ୍ମୃତିକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଆକାଶରେ କିଛି ସମୟ ପାଇଁ ପ୍ରଦର୍ଶିତ କରିପାରିଥା’ନ୍ତେ। ତାହା ହିଁ ବୋଧହୁଏ ହୋଇଥା’ନ୍ତା ଏହି ହକି ମହାକୁମ୍ଭର ସର୍ବଶ୍ରେଷ୍ଠ ନିବେଦନ! ଆସନ୍ତୁ ଦେଖିବା ଓଡ଼ିଶା ସହିତ ଧ୍ୟାନଚାନ୍ଦଙ୍କର କିଭଳି ସଂପର୍କ ଥିଲା।
ହକିଜଗତର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବରେ ତ ନିଶ୍ଚୟ ଧ୍ୟାନଚାନ୍ଦଙ୍କର ଚର୍ଚ୍ଚା ହେଉଛି; ଏହା ବ୍ୟତୀତ ଅନ୍ୟ ବହୁ ନୈତିକ ଗୁଣର ମଧ୍ୟ ସେ ଅଧିକାରୀ ଥିଲେ। ତାଙ୍କ ସହିତ କେବଳ ଆମେରିକାର ଜେସି ଓୟେନ୍ସଙ୍କୁ ତୁଳନା କରାଯାଇପାରେ। ଓୟେନ୍ସ ଥିଲେ ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ହିଟଲରଙ୍କ ନିଦ ହଜାଇ ଦେଇଥିବା ଆଥଲେଟ। ଗୋରା, ଆର୍ଯ୍ୟ ଚମଡ଼ାର ଶ୍ରେଷ୍ଠତା ପ୍ରତିପାଦିତ କରିବା ପାଇଁ ହିଟଲର ଏହି ଯେଉଁ ଅଲିମ୍ପିକ କ୍ରୀଡ଼ାକୁ ନିବେଦିତ କରିଥିଲେ, ଚାରିଟି ସ୍ୱର୍ଣ୍ଣ ପଦକ ଜିତି କୃଷ୍ଣକାୟ ଓୟେନ୍ସ ତାଙ୍କର ସେହି ପ୍ରଚଣ୍ଡ ଗର୍ବକୁ ଖର୍ବ କରିଦେଇଥିଲେ। ହିଟଲରଙ୍କ ମୁହଁକୁ ଆଉ ଯେଉଁ ଜଣକ ସେତେବେଳେ କଳା ପକାଇ ଦେଇଥିଲେ, ସେ ହେଉଛନ୍ତି ଆଜିର ଚର୍ଚ୍ଚିତ ଧ୍ୟାନଚାନ୍ଦ ସିଂହ। ଏ ଉଭୟଙ୍କ କ୍ରୀଡ଼ା-ନୈପୁଣ୍ୟ ଅବିବେକୀ ହିଟଲରଙ୍କ ମୋହଭଙ୍ଗ କରିଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ଅନ୍ୟ କୌଣସି କ୍ରୀଡ଼ାବିତ୍‌ଙ୍କର ଓୟେନ୍ସ ଓ ଧ୍ୟାନଚାନ୍ଦଙ୍କ ଭଳି ଇତିହାସ ପ୍ରସିଦ୍ଧି ଏପର୍ଯ୍ୟନ୍ତ ଆସିପାରିନାହିଁ।
ଓଡ଼ିଶାର ସୌଭାଗ୍ୟ ଯେ ଏଭଳି ‘କିମ୍ବଦନ୍ତୀ’ର ସ୍ରଷ୍ଟା ଧ୍ୟାନଚାନ୍ଦ ଦିନେ ଆମ ମାଟିରେ ପାଦ ଦେଇଥିଲେ ଓ ବର୍ଷାଧିକକାଳ ରହି ଓଡ଼ିଆ ପିଲାଙ୍କୁ ହକିି ଖେଳ ଶିଖାଇଥିଲେ। ଆଜିର ତରୁଣମାନେ ହୁଏତ ବିଶ୍ୱାସ କରିବେ ନାହିଁ ଯେ ଆମ ବାରବାଟୀ ହିଁ ଥିଲା ଦିନେ ଏଭଳି ଜଣେ ଦେଶପ୍ରେମୀଙ୍କର ଲୀଳାଭୂମି। ଆଜିକୁ ପାଖାପାଖି ଅର୍ଦ୍ଧ-ଶତାବ୍ଦୀ ତଳେ, ୧୯୬୯ ରୁ ୧୯୭୨- ଏହି ତିନି ବର୍ଷ ପାଇଁ ସେ ହୋଇଯାଇଥିଲେ କଟକର ବହୁଲୋକଙ୍କର ଅନ୍ତରଙ୍ଗ। ଆପଣଙ୍କର ଏହି ସ୍ତମ୍ଭକାର ମଧ୍ୟ ତାଙ୍କ ଆଶୀର୍ବାଦ ପାଇବାରୁ ବଞ୍ଚିତ ହୋଇନଥିଲା। ବାରବାଟୀ କ୍ରୀଡ଼ାଙ୍ଗନର ପ୍ରାଣ-ପ୍ରତିଷ୍ଠାତା ଭୈରବଚନ୍ଦ୍ର ମହାନ୍ତି ତାଙ୍କୁ ନିମନ୍ତ୍ରଣ କରି ନେଇଆସିଥିଲେ ଓଡ଼ିଶାରେ ହକିର ଉନ୍ନତି ପାଇଁ। ସେକାଳର ବାରବାଟୀ ଷ୍ଟାଡିୟମ ଯେଉଁମାନେ ଦେଖିଛନ୍ତି, ସେମାନେ ଆଜିର କୋଳାହଳମୟ ବାଣିଜ୍ୟ-ସମୃଦ୍ଧ ଷ୍ଟାଡିୟମର ରୂପ ଦେଖି ନିଶ୍ଚୟ ହତଚକିତ ହୋଇଯିବେ। ଭୈରବ ବାବୁଙ୍କ ଷ୍ଟାଡିୟମ କିନ୍ତୁ ଥିଲା ଗୋଟିଏ ପବିତ୍ର, ସୁରମ୍ୟ ଉଦ୍ୟାନ; ଓଡ଼ିଶାର ସାମାଜିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର। ସୀମାନ୍ତ ଗାନ୍ଧୀ ଓ ଭାଲେନ୍ତିନା ତେରେସ୍କୋଭାଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସ୍ୱର ଦିନେ ଏହାର ଗ୍ୟାଲେରୀ ବକ୍ଷରେ ମୂର୍ଚ୍ଛନା ଖେଳାଇ ଦେଉଥିଲା; ଲୟଡ୍ ଓ କାଳୀଚରଣଙ୍କ ବ୍ୟାଟ୍ ବାରବାଟୀ ଘାସକୁ ସମ୍ମାନ ଜଣାଉଥିଲା। କାଲିଭଳି ଲାଗୁଛି- ଦିନେ ସକାଳୁ ଭୈରବ ବାବୁ ଧ୍ୟାନଚାନ୍ଦଙ୍କୁ ସାଙ୍ଗରେ ନେଇ ‘ଜ୍ଞାନମଣ୍ଡଳ’ ଅଫିସ ଭିତରକୁ ପଶିଆସିିଲେ। ବନ୍ଧୁ ବିନୋଦ (‘ଜ୍ଞାନମଣ୍ଡଳ’ର ସ୍ରଷ୍ଟା ବିନୋଦ କାନୁନ୍‌ଗୋ)ଙ୍କ ସହିତ ସକାଳେ ପ୍ରଥମେ ଦେଖାହେବ, ତାହା ଥିଲା ଭୈରବ ବାବୁଙ୍କର ଦୈନନ୍ଦିନ ରୁଟିନ। ବଡ଼ପାଟିରେ କହିପକାଇଲେ-ବିନୋଦ ବାବୁ, ମେଜର ଧ୍ୟାନଚାନ୍ଦ ମୋ ସାଙ୍ଗରେ ଅଛନ୍ତି। ତାଙ୍କ ଇଚ୍ଛା ସେ ସବୁଦିନେ ଆପଣଙ୍କ ପାଖରେ କିଛି ସମୟ କଟାଇବେ। ଭୈରବ ବାବୁଙ୍କର ସେଦିନର ଏହି କେତେପଦ କଥା ଗୋଟାଏ ବଡ଼ ଅଭୁଲା ସଂପର୍କର ମୂଳଦୁଆ ପକାଇଦେଲା। ଆମେସବୁ ଧ୍ୟାନଚାନ୍ଦଙ୍କର ଅତି ଆପଣାର ହୋଇଗଲୁ। ସେ ହୋଇଗଲେ ଆମର ପିତୃପ୍ରତିମ। କଲ୍‌କାତାରୁ ପ୍ରକାଶିତ ଜାତୀୟବାଦୀ ଇଂରାଜୀ ଦୈନିକ ‘ଅମୃତ ବଜାର ପତ୍ରିକା’ହିଁ ଥିଲା ତାଙ୍କର ଆଜୀବନ ପ୍ରିୟ ଖବରକାଗଜ। ତାଙ୍କ କଟକ ରହଣିର ସ୍ମୃତି ବର୍ଣ୍ଣନା କଲେ ଗୋଟାଏ ବହି ହୋଇଯିବ। ଏ ଜାତିର ଦୁର୍ଭାଗ୍ୟ ଯେ କୌଣସି କାରଣରୁ କିନ୍ତୁ ଦିନେ ତାଙ୍କୁ ଓଡ଼ିଶାରୁ ଚୁକ୍ତି ସମାପ୍ତି ପୂର୍ବରୁ ବିଦାୟ ନେବାକୁ ପଡ଼ିଥିଲା। ସେଭଳି ପରିସ୍ଥିତି ତାଙ୍କୁ ନିରାଶ କରିଦେଇଥିଲା। ଯିବା ପୂର୍ବଦିନ ବହୁସମୟ ଧରି ବସି ବିନୋଦ ବାବୁଙ୍କ ସହିତ ସେ ଗପସପ କରିଥିଲେ। ତାଙ୍କୁ କଟକ ଷ୍ଟେସନରେ ନେଇ ଛାଡ଼ିବାର ଗୌରବ ମୋ’ର ସେତେବେଳେ ହୋଇଥିଲା। ଏହାର ଅଳ୍ପ କିଛିଦିନ ପରେ ସେ ‘ମ୍ୟୁନିକ୍ ଅଲିମ୍ପିକ’କୁ ସ୍ୱତନ୍ତ୍ର ନିମନ୍ତ୍ରଣ ପାଇଲେ। କେତେଜଣଙ୍କୁ ଆନ୍ତର୍ଜାତିକ ଅଲିମ୍ପିକ କମିଟି ଏଭଳି ବିରଳ ସମ୍ମାନ ସେତେବେଳେ ଜ୍ଞାପନ କରିଥିଲା ବୋଲି ବିଶ୍ୱ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।
ମେଜର ଧ୍ୟାନଚାନ୍ଦ କେବଳ ଇତିହାସ ପୁରୁଷ ନଥିଲେ; ସେ ଥିଲେ ଜଣେ ଭଲ ମଣିଷ- ଭଦ୍ର, ବିନୟୀ, ସ୍ନେହୀ, କୃତଜ୍ଞ। ତାଙ୍କ ପୁଅ ଅଶୋକ କୁମାର ମଧ୍ୟ ଭାରତୀୟ ହକି ଜଗତର ଅନ୍ୟତମ ବିରଳ ପ୍ରତିଭା। ବୋଧହୁଏ ସେ ଆଜିର ମହାକୁମ୍ଭ ନିମନ୍ତେ ଭୁବନେଶ୍ୱର ଆସିଛନ୍ତି। ୧୯୭୬ ମସିହାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ଅଶୋକ କୁମାର କଟକ ଆସିବେ ବୋଲି ଯେତେବେଳେ ଜାଣିଲେ, ସେତେବେଳେ ମହାନ ପିତା (ଧ୍ୟାନଚାନ୍ଦ)ଙ୍କର କଡ଼ା ନିର୍ଦେଶ ଥିଲା- ବିନୋଦ ବାବୁ ଆଉ ତାଙ୍କ ପିଲାଙ୍କୁ ନିଶ୍ଚୟ ଦେଖାକରି ଆସିବୁ। ସୁଯୋଗ୍ୟ ପୁତ୍ର ଅଶୋକ କୁମାର ଯେତେବେଳେ ନିଜ ସାଙ୍ଗ ଅସ୍ଲାମ ଶେର୍, ଫିଲିପ୍ସ, ମାଇକେଲ୍ କିଣ୍ଡୋ, ଜଗଜିତ୍ ସିଂହ ଓ ଅନ୍ୟ ବହୁ ତାରକାଙ୍କୁ ସାଙ୍ଗରେ ଧରି ଆସି ଦିନେ ସକାଳେ ‘ଜ୍ଞାନମଣ୍ଡଳ’ରେ ମୁଣ୍ଡ ନୁଅାଁଇ ଛିଡ଼ା ହୋଇଗଲେ, ସେତେବେଳେ ଆବେଗ ଓ ବିସ୍ମୟ ଆମ ସମସ୍ତଙ୍କୁ ଅଭିଭୂତ କରିଦେଇଥିଲା। ସେ ଯୁଗ ଥିଲା ଖେଳର ଯୁଗ। ଚାକଚକ୍ୟ କମ୍‌, ଷ୍ଟିକ୍‌ ବେଶି।
ଅଧ୍ୟକ୍ଷ, ବିନୋଦ କାନୁନ୍‌ଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ର, ଭୁବନେଶ୍ୱର-୧୨
[email protected]

Comments
Loading...