ଅୟମାରମ୍ଭଃ ଶୁଭାୟ ଭବତୁ…

ସବୁ ସଂଘର୍ଷ, ସବୁ ଲଢ଼େଇ, ସବୁ ମୁକାବିଲାର ପରିଣତି ନକାରାତ୍ମକ ହୋଇ ନ ଥାଏ, ୟେ ଭଲରେ ହେଉ ବା ମନ୍ଦରେ ହେଉ। ତେବେ ଏକୁ ଏଡ଼େଇବା ନିରହଂକାର ଶାନ୍ତିପ୍ରିୟ ବ୍ୟକ୍ତି ପାଇଁ ଅପରିହାର୍ଯ୍ୟ। ବଡ଼ସାନ ଏଥିରେ ପ୍ରମାଣିତ ନହେଉ, କ୍ଷମତା ଦଖଲ ସମ୍ଭବ ନ ହେଉ ପଛେ। ତେବେ ଏକୁ କାପୁରୁଷତା ବୋଲି ବି କୁହାଯାଇପାରେ। ଯୁଦ୍ଧ ପଡ଼ିଆରେ ଅଶ୍ରୁସ୍ନାତ ଅମଙ୍ଗ ଅର୍ଜୁନଙ୍କୁ କୃଷ୍ଣ କେମିତି ଯୁଦ୍ଧ କରିବାକୁ ଗେଧେଇଲେ ତା’ ତ ଗୀତା ବନିଗଲା। “ଏବେ ଯୁଦ୍ଧ ନ କଲେ ଲୋକେ ତତେ କାପୁରୁଷ କହିବେ, ତୁ ତୋ ରାଜଧର୍ମ ପାଳନ ଖିଲାପୀ ହେବୁ ଓ ଅର୍ବାଚୀନ ଶତ୍ରୁମାନେ ବି ତୋ ସାମର୍ଥ୍ୟକୁ ନିନ୍ଦା କରିବେ।” ନିନ୍ଦନ୍ତସ୍ତବ ସାମର୍ଥ୍ୟଂ ତତୋ ଦୁଃଖତରଂ ନୁ କିମ୍” ଆଉ ପୁଣି କହିଲେ “ହତ୍ୱା ବା ପ୍ରାପ୍‌ସ୍ୟତେ ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷସେ ମହୀମ”। ମହାଭାରତ ଯୁଦ୍ଧ ଚାଲିଲା। ପାଣ୍ଡବମାନେ ରାଜଭୋଗ କଲେ। ମାତ୍ର କୁ ଶାନ୍ତି ପାଇଲେ? ବିଧବା, ପୁତ୍ରହରା ମା’ର ଲୁହରେ ରାଇଜ ଟକମକ ଫୁଟୁଥିଲା। ଶେଷକୁ ରାଜପଦ ଛାଡ଼ି ସେମାନେ ବାନପ୍ରସ୍ଥରେ ବାହାରିଲେ। କିଏ ସ୍ୱର୍ଗକୁ ଗଲା? ସବୁଠୁ କମ୍‍ ଯୁଦ୍ଧ କରିଥିବା ଯୁଧିଷ୍ଠିର କିନ୍ତୁ ସ୍ୱଦେହରେ ସ୍ୱର୍ଗକୁ ଗଲେ। ଦ୍ରୌପଦୀ ସମେତ ଆଉମାନେ ଅଧାଅଧା ବାଟରେ ଟଳି ପଡ଼ିଲେ। ମହାଭାରତ ଯୁଦ୍ଧକୁ ଚମକାଉଥିବା, ହୃତ୍‍କମ୍ପନ ସୃଷ୍ଟି କରୁଥିବା ଅର୍ଜୁନ, ଭୀମସେନଙ୍କୁ ତ କିଛି ନମ୍ବର ପ୍ରଭୁ ଦେଲେନି। ସେମିତି ସତୀତ୍ୱର ଧ୍ୱଜା ଉଡ଼ାଇଥିବା, ଦ୍ୱିତୀକୃଷ୍ଣା ନାମେ ପରିଚିତା ଦ୍ରୌପଦୀ ବି କୋଉ ସ୍ୱର୍ଗକୁ ଗଲେ? ଦୁଃଶାସନ ହାତରକ୍ତରେ କେଶ ପଖାଳିବାର ବଜ୍ର ଶପଥ କରିଥିବା ଓ କେଶ ମୁକୁଳା ରଖିଥିବା ଦ୍ରୌପଦୀଙ୍କୁ ତାଙ୍କ କେଶ ପୁଣି ବନ୍ଧାଇବା ପାଇଁ, ଯୁଦ୍ଧ ପଡ଼ିଆରେ ଦୁଃଶାସନର ବାହୁ ଉପାଡ଼ି, ରକ୍ତସଲବଲ ବାହୁକୁ ଧରି ଯୁଦ୍ଧପଡ଼ିଆରୁ ଧାଉଁଥିବା ଭୀମ ତାଙ୍କ କେଶ ଉପରେ ରକ୍ତସବୁ ଢାଳିଦେଇଥିଲେ। ସତେଯେମିତି ସୁଗନ୍ଧିତ ଦାମୀ ତେଲଟେ ୟେ। ଏସବୁ ବୀରତ୍ୱ, ପ୍ରତିଜ୍ଞା ପାଇଁ କ’ଣ ମଜୁରି ପ୍ରଭୁ ଦେଲେ କେଜାଣି? ସ୍ୱର୍ଗ ରାସ୍ତାରେ ପ୍ରାଣ ତ୍ୟାଗ କଲେ, ଏହି ଯଶସ୍ୱୀ ବୀରା ଓ ବୀରମାନେ। ଅବଶ୍ୟ “ପଞ୍ଚକନ୍ୟା ସ୍ମରେ ନିତ୍ୟଂ ମହାପାତକ ନାଶନଂ” ମନ୍ତ୍ରରେ ପାଞ୍ଚସ୍ୱାମୀର ସ୍ତ୍ରୀ ଦ୍ରୌପଦୀଙ୍କୁ କାଳକାଳ ପାଇଁ ପ୍ରଭୁ କାଳଜୟୀ ଘୋଷଣା କରିଦେଲେ। ୟେକୁ ଗୋଟେ ପୁରସ୍କାର ! ଖାଲି ଛିଗୁଲିଆଙ୍କ ଆନନ୍ଦର ଖୋରାକ ୟେ ଯାହା ବନିଲା। ଏ ଯୁଦ୍ଧରେ ସେମିତି କୌରବ ପଟର ଭୀଷ୍ମ ପିତାମହ ଦାରୁଣ ଶରଶଯ୍ୟାରେ ପଡ଼ି ପ୍ରାଣ ତ୍ୟାଗକଲେ। ପିତୃଭକ୍ତ ଗଙ୍ଗାପୁତ୍ର ଭୀଷ୍ମ ପିତାଙ୍କ ସମ୍ଭୋଗ ସୁଖ ପାଇଁ ଅବିବାହିତ କେବଳ ରହିଗଲେନି; ରାଜଗାଦି ପ୍ରତ୍ୟାଖ୍ୟାନ ବି କଲେ। ପ୍ରବଳ ପରାକ୍ରମଶାଳୀ ସେ। ମାତ୍ର ଯୁଦ୍ଧପଡ଼ିଆରେ କେଡ଼େ ଦୟନୀୟ ପଡ଼ିରହିଲେ। ଯେନତେନ ପ୍ରକାରେଣ ଜିତିବାର ମୋହରେ ଯୁଦ୍ଧ ନୀତି ଭଙ୍ଗ କରି ଅର୍ଜୁନ ତାଙ୍କ ପିତାମହଙ୍କୁ ଶରଶଯ୍ୟାରେ ପକେଇ ଦେଲେ। ତା’ ପୁଣି ସ୍ୱୟଂ କୃଷ୍ଣଙ୍କ ବାଧ୍ୟବାଧକତାରେ। ଖାଲି ସେତିକି ନୁହଁ; କୁନ୍ତୀ ଓ ସୂର୍ଯ୍ୟ ପୁତ୍ର ମହାଦାନୀ କର୍ଣ୍ଣଙ୍କ ଅବସ୍ଥା କ’ଣ ହେଲା? ତାଙ୍କ ରଥଚକ ପାତାଳଗାମୀ ହେବା ଓ ତାକୁ ଉଠାଉଥିବା ବେଳେ ନିରସ୍ତ୍ର କର୍ଣ୍ଣଙ୍କୁ, ସେମିତି ଯୁଦ୍ଧ ନୀତି, ନୈତିକତା ଭାଙ୍ଗି ହତ୍ୟାକଲେ। ଅବଶ୍ୟ କର୍ଣ୍ଣଙ୍କ ମୃତ୍ୟୁରେ କୃଷ୍ଣ ନିଜ ଦୁଃଖକୁ ଲୁଚାଇ ପାରିଲେନି। ଅପରାଜେୟ କର୍ଣ୍ଣଙ୍କୁ ବଧ ପରେ ପାଣ୍ଡବ ଶିବିରରେ ସେଦିନ ଯେଉଁ ଆନନ୍ଦ ଓ ମିଠା ଖୁଆଖୋଇ ହେଲେ ତାକୁ କିନ୍ତୁ ସେ ଗ୍ରହଣ କରିପାରୁନଥିଲେ। ବିଷଣ୍ଣ କୃଷ୍ଣଙ୍କୁ ଦେଖି ଅର୍ଜୁନ ପଚାରିଲେ, ‘‘ଆମର ଏ ବିଜୟରେ ତମେ ଖୁସି ହଉନ କିଆଁ ?’’ ଦୀର୍ଘଶ୍ୱାସ ପକାଇ କୃଷ୍ଣ କହିଲେ, ‘‘ଆଜି ପୃଥିବୀରୁ ଏକ ମହାନ ଦାନୀ ଚାଲିଗଲା।’’ ତାଙ୍କର ଚରମ ପ୍ରତିଦ୍ୱନ୍ଦ୍ୱୀ କର୍ଣ୍ଣଙ୍କ ପ୍ରଶଂସା ଅର୍ଜୁନଙ୍କ ଦେହରେ ଗଲାନି। କହିଲେ, “ଓଃ ଆମେ କ’ଣ ସେମିତି ଦେଇ ପାରିବୁନି।” ପ୍ରତିବାଦ ନ କରି ଯୁଦ୍ଧପଡ଼ିଆରେ ମୃତ୍ୟୁମୁଖୀ କର୍ଣ୍ଣଙ୍କ ପାଖୁ ଅର୍ଜୁନଙ୍କୁ ନେଲେ। କହିଲେ, ‘‘ଚାଲ ଦେଖିବ ସେ କେମିତି ଦାନୀ।’’ କୃଷ୍ଣ ଗୋଟେ ବ୍ରାହ୍ମଣ ବେଶ ହୋଇ ଅର୍ଜୁନଙ୍କ ମୃତ୍ୟୁମୁଖୀ ଶରୀର ପାଖେ ପାଟି କଲେ “ଏଠି କର୍ଣ୍ଣ କିଏ ଅଛି, କର୍ଣ୍ଣ।” ବାରମ୍ବାର ଚେତାଶୂନ୍ୟ ହୋଇପଡ଼ୁଥିବା ଧରାଶାୟୀ କର୍ଣ୍ଣଙ୍କ କାନରେ ଏ ଡାକ ଶୁଭିଲା। ଚମକି ପଡ଼ିଲେ ସେ। ‘‘ଏ ସମୟରେ ମତେ ଏଠି କିଏ ଖୋଜୁଛି ?’’ ଯୁଦ୍ଧାହତମାନେ ତ ସେବା ନେବା ପୁଣ୍ୟର ପରିପନ୍ଥୀ। କ୍ଷୀଣ ସ୍ୱରରେ କହିଲେ “କିଏ ଡାକୁଛନ୍ତି ମୁଁ କର୍ଣ୍ଣ ଏଠି ପଡ଼ିଛି। କୁହନ୍ତୁ କି ସେବା କରିବି ?” ବ୍ରାହ୍ମଣ ତାଙ୍କୁ ଏମିତି ଦେଖି ଚମକି ପଡ଼ିଲେ। କହିଲେ, “ଆରେ ଏ ତ ଏମିତି ଅବସ୍ଥାରେ ପଡ଼ିଛି ତାକୁ ମାଗିବି କ’ଣ ? ସୁନା ଟିକିଏ ଦରକାର ଥିଲା।’’ କର୍ଣ୍ଣ କହିଲେ, ‘‘ଏ ଅନ୍ତିମ ମୁହୂର୍ତ୍ତରେ ସେବାର ସୁଯୋଗ ଆପଣ ଦେଇଛନ୍ତି, ମୁଁ ତ ଏବେ ମୃତ୍ୟୁଅପେକ୍ଷୀ। ଆପଣ ମୋ ଘରକୁ ଯାଇ ମୁଁ କହିଛି କହି ମୋ ସ୍ତ୍ରୀଙ୍କଠାରୁ ସୁନା ଆଣିବେ। ସେ ତା’ର ସକଳ ସୁବର୍ଣ୍ଣ ଆପଣଙ୍କୁ ଦେଇଦେବ, ଖଣ୍ଡେ କ’ଣ ?’’ ବ୍ରାହ୍ମଣ ବଡ଼ ତାଚ୍ଛଲ୍ୟ ଭାବେ କହିଲେ, “ଆରେ କିଏ ଗୋଟେ କର୍ଣ୍ଣ ମହାଦାନୀ କହି ମୋତେ ଏଠିକି ପଠେଇଲା? ଖଣ୍ଡେ, ଟିକିଏ ସୁନା ନ ଦେଇ ତା’ ଭାର୍ଯ୍ୟା ପାଖୁ ପଠଉଛି। ଏ ବେଳରେ ତା ସ୍ତ୍ରୀକୁ ସୁନା ମାଗି ମାଡ଼କୁ ଯାହା ବରିବି, ଛାଡ଼।’’ କର୍ଣ୍ଣ ହାତଯୋଡ଼ିଦେଲେ। କହିଲେ, ‘‘ମୋର କିନ୍ତୁ ସୁବର୍ଣ୍ଣର ଦାନ୍ତ, ଆପଣ ଢେଲାଟିଏରେ ଭାଙ୍ଗି ନେଇ ଯାଆନ୍ତୁ।’’ ବ୍ରାହ୍ମଣ ଚିଡ଼ିଗଲେ କହିଲେ, “ୟେ କେମିତିକା ଦାନୀ କେଜାଣି, ମୁଁ ତା’ ଦାନ୍ତ ଭାଙ୍ଗୁଭାଙ୍ଗୁ ଯଦି ମରିଯିବ ତ ନରହତ୍ୟା ପାପରେ ୟେ ମୋତେ ପକେଇବ। ଦାନର ଭଲ ନାଟକ ଏକୁ ଜଣା’’ କହି ଫେରିବାକୁ ଉଦ୍ୟତ ହେଲେ। କର୍ଣ୍ଣ ଏତେ ରୁକ୍ଷକଥା ଓ ଚରମ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଅନୁରୋଧ କରି ‘‘ଟିକିଏ ଅପେକ୍ଷା କରନ୍ତୁ’’ କହି, ହାତପାଖରେ ସେଇ ଭୂଇଁରେ ପଡ଼ିଥିବା ଢେଲାଖଣ୍ଡେ ଗୋଟାଇ ନିଜ ଦାନ୍ତକୁ ଶେଷମୁହୂର୍ତ୍ତରେ ସମସ୍ତ ବଳ ଖଟାଇ ଭାଙ୍ଗିଦେଲେ। ରକ୍ତସଲବଲ ସୁନାର ଏ ଦାନ୍ତ ସେଠି ଝଲମଲ ହୋଇଲା। କହିଲେ, ‘‘ଗ୍ରହଣ କରନ୍ତୁ ଆଜ୍ଞା।” ବ୍ରାହ୍ମଣ ଏଥିରେ ଘୋର ବିରକ୍ତ ହୋଇଗଲେ, କହିଲେ, ‘‘ତୁ ଗୋଟେ କି ଦାନୀ ମ ? ମୁଁ ବ୍ରାହ୍ମଣ ଏ ଉଚ୍ଛିଷ୍ଟ ଅପବିତ୍ର ସୁନା ମତେ ଦେଉଛୁ। ଟିକିଏ ସୁନା ପାଇଁ ମତେ ଇୟେ ଖାସା ନାଟକ ଦେଖଉଛି। ହଉ ରଖ ତୋ ଦାନ୍ତ। ୟେ ବ୍ରାହ୍ମଣର ଗ୍ରହଣୀୟ ନୁହଁ।’’ ପୁଣି ଅନୁନୟ ହୋଇ ଆଖି ଲୁହରେ ତାଙ୍କୁ ଖଣ୍ଡେ ଦୂରରେ ପଡ଼ିଥିବା ଧନୁଶର ଓ ତୂଣୀର ଆଣିଦେବାକୁ ନିବେଦନ କଲେ। ବିରକ୍ତ ବ୍ରାହ୍ମଣ କହିଲେ, ‘‘ଆରେ ମୁଁ କ’ଣ ତୋ ଚପରାସୀ, ଢେର କାମ ମତେ ବତେଇଲୁଣି ସୁନା ଟିକିଏ ପାଇଁ।’’ ବ୍ରାହ୍ମଣଙ୍କ ଗୋଡ଼ ଧରିପକାଇବା ଭାବରେ କହିଲେ, ‘‘ମତେ ଏ ଅନ୍ତିମ ସମୟରେ ଆପଣଙ୍କ ଭଳି ଜଣେ ପୂଜନୀୟ ବ୍ରାହ୍ମଣଙ୍କୁ ନିରାଶ କରିବାର ପାପ ଦିଅନ୍ତୁନି।’’ ଘୁଷୁରିଘୁଷୁରି ଯାଇ ଧନୁଶର ଧରିପକେଇଲେ। ଗଙ୍ଗାଙ୍କୁ ପ୍ରାର୍ଥନା କରି ଶର କ୍ଷେପିଲେ ଯେ ପିଚିକାରି ଭଳି ଗଙ୍ଗା ଜଳରେ ସେ ଦାନ୍ତକୁ ଧୋଇଦେଲେ, ସୁବର୍ଣ୍ଣର ଆଭାରେ ତା ଝଲସିଲା। କୃଷ୍ଣ ଏହା ପରେ ଆଉ ନିଜର କପଟ ରୂପ ଲୁଚାଇ ପାରିଲେ ନାହିଁ। ସମଗ୍ର ମହାଭାରତରେ, ଯୁଦ୍ଧଭୂଇଁରେ ଆଖି ତାଙ୍କର ଓଦା ହୋଇଯିବାର ଦ୍ୱିତୀୟ ଉଦାହରଣ କାଇଁ? ନିଜ କୃଷ୍ଣରୂପ ପ୍ରକଟ ହୋଇଗଲା। ବିସ୍ମିତ ଓ ବିଚଳିତ କର୍ଣ୍ଣ ଶେଷ ମୁହୂର୍ତ୍ତରେ ତାଙ୍କୁ ଦର୍ଶନ ଦେଇଥିବା ସନ୍ତୋଷରେ, ମୁହଁ ଓ ପାଟି ଗଙ୍ଗା ଜଳରେ ଧୋଇହୋଇ ଯାଉଥିବା ବେଳେ ପ୍ରାଣବାୟୁ ଉଡ଼ିଗଲା। କୃଷ୍ଣ ବୁଲି ଚାହିଁଲେ ଅର୍ଜୁନଙ୍କୁ। ସେ ବି ପଥର ପିତୁଳାପରି ନିର୍ବାକ୍‌ ହୋଇଯାଇଥିଲେ। ୟେ ହେଲା ଆମ ସଂସ୍କୃତିର ଏକ ଯୁଦ୍ଧ କାହାଣୀ ଯେଉଁଥିରେ ମହାମହାରଥୀ, ପୁଣ୍ୟଶ୍ଳୋକମାନେ ବି ପରାଜିତ ହୁଅନ୍ତି। ପୁରାଣ ଛାଡ଼, ଇତିହାସ କଥା ଦେଖୁନ। ବିଶ୍ବବିଜୟୀ ଆଲେକଜାଣ୍ଡରଙ୍କ ବିରୁଦ୍ଧରେ ଘୋର ଯୁଦ୍ଧକରି ଓ ତାଙ୍କ ଅଭିମାନକୁ ଆଘାତ ଦେଇଥିବା ପୁରୁ ହାରିଗଲେ ସିନା; କିନ୍ତୁ ଭାରତୀୟମାନଙ୍କ ବୀରତ୍ବ ଓ ସ୍ବାଭିମାନର ଏକ ଗଭୀର ରେଖାପାତ ସେ ଆଲେକଜାଣ୍ଡରଙ୍କ ଠାରେ କରିଥିଲେ। ତା’ପରେ ଆଉ ଆଗକୁ ବଢିନଥିଲେ। ପୃଥିବୀର ସବୁଠାରୁ ଧନଶାଳୀ ସମ୍ରାଟ, ବିରାଟ ସାମ୍ରାଜ୍ୟର ମହାପ୍ରତାପୀ ଜାର୍‍ (ଦ୍ୱିତୀୟ ନିକୋଲାସ)ଙ୍କ କି ଦାରୁଣ ଅବଶେଷ ହେଲା, ତାଙ୍କ ସିପେଇଠୁ ହୀନ ଶତ୍ରୁପକ୍ଷ ସିପେଇମାନେ କୁକୁରକୁ ମାରିବା ଭଳି ତାଙ୍କୁ, ତାଙ୍କ ସ୍ତ୍ରୀ ଓ ଅବୋଧ ଶିଶୁକୁ ଯେମିତି ହତ୍ୟାକଲେ ତା’ ପ୍ରଥମ ବିଶ୍ୱଯୁଦ୍ଧର ଏକ ଐତିହାସିକ ତଥ୍ୟ। ଗର୍ବ ଓ ପ୍ରତାପରେ ଫାଟି ପଡ଼ୁଥିବା ହିଟଲର, ଶତ୍ରୁ ହାତରେ ଧରାପଡ଼ି ଘୋଷରା ପାଇବାରୁ ରକ୍ଷା ପାଇଁ ବଡ଼ ଅସହାୟ ଭାବେ ଶେଷ ମୁହୂର୍ତ୍ତରେ ନିଜେ ଓ ସଦ୍ୟ ସ୍ତ୍ରୀ ବନିଥିବା ନିଜ ବ୍ୟକ୍ତିଗତ ସହାୟିକା ସାଇନାଇଟ୍ ଓ ପ୍ରିୟ କୁକୁରକୁ ପଟାସିୟମ ସାଇନାଇଟ ବିଷ ଦେଇ ଟଳି ପଡ଼ିଲେ। ତାଙ୍କୁ ଯେଉଁମାନେ ଜିତିଲେ ସେମାନେ ତାଙ୍କ ସମତୁଲ କୋଉ ଥିଲେ?
ଇୟେ ହେଲା ଯୁଦ୍ଧ, ସଂଘର୍ଷ ମୁକାବିଲା ବାଜିମରାମରିର ପରିଣତି। ତେବେ ପୌରାଣିକ ଯୁଦ୍ଧ ସବୁ ଯୁଦ୍ଧ ଭୂଇଁରେ ସୀମିତ ଥିଲା। ସାଧାରଣ ଲୋକଟିଏ ଓ ତା’ର ନିରୀହ ପରିବାର ଉପରେ ଆକ୍ରମଣ ନିଷିଦ୍ଧ ଥିଲା। ମାତ୍ର ଏବେ ନିର୍ବାଚନ ନାମରେ ଯେଉଁ ଖଣ୍ଡଯୁଦ୍ଧ ଚାଲିଛି, ଗୁଣ୍ଡାମି, ହତ୍ୟାକାଣ୍ଡ ଘଟୁଛି ତା’ର ପଟାନ୍ତର କାହିଁ ? କ୍ଷମତା ପାଇଁ ଏ ଲୋକେ କ’ଣ ହୋଇପାରନ୍ତି? ତା’ପରେ ଏ ସମାଜକୁ ଚଳାଇବା ପାଇଁ ଏ ଯେଉଁ ମୁରବି ଖୋଜା ପଦ୍ଧତି ଗଣତନ୍ତ୍ରରେ ବ୍ୟବସ୍ଥିତ, ତା’ର ପ୍ରତିବଦଳ କାଇଁ ଯେ? ରାଜାମହାରାଜ, ସାମନ୍ତ ଜମିଦାରଙ୍କ ଅତ୍ୟାଚାରକୁ ଚିର ସମାଧି ଦେଇ ଗଣତନ୍ତ୍ର ଆବିର୍ଭୂତ ହୋଇଛି। ମାତ୍ର ଏଥିକୁ ଏତେ ରାଗ, ପ୍ରତିଶୋଧ କିଆଁ? ନିର୍ବାଚନ ନାମରେ ସାରା ଦେଶରେ ଯେଉଁ ତାତି ପ୍ରକଟିଲା, ଯେଉଁ ଉତ୍କଣ୍ଠା ଓ ଉଦ୍‍ବେଗରେ ସାରା ଜନତା ଜର୍ଜରିତ ହେଲେ ତା’ର ଏବେ ପରିସମାପ୍ତି ଘଟିଛି। ଅଙ୍କକଷାଳିଙ୍କ ଅଙ୍କ କଷା ଭୁଲ ହୋଇଯାଇଛି। ପଣିକିଆରେ ଭାବକୁ ମନକୁ ​‌େ​‌କାଉ ମାପି ହେବ ?
ସମଗ୍ର ଦେଶରେ ମୋଦୀ ପବନ ବହୁଥିଲେ ବି ଏତେଗୁଡ଼େ ସମର୍ଥନ ସେ ଲାଭ କରିବେ ତା’ କିଏ ଜାଣିଥିଲା? ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଅହଂକାର ମୂଲ ସେ ପ୍ରାୟତଃ ପାଇଲେ। ଆମ ନିଜ ଘର କଥା ଓଡ଼ିଶାରେ ନିର୍ବାଚନକୁ ଲୋକେ ନବୀନଙ୍କ ମ୍ୟାଜିକ ଓ କରିସ୍ମା ବୋଲି କହୁଛନ୍ତି। ସାରା ଭାରତର ମତଠୁ ଓଡ଼ିଆଙ୍କ ମତ ଯେ ଭିନ୍ନ ଓ ସ୍ୱତନ୍ତ୍ର ତା ନବୀନଙ୍କ ନେତୃତ୍ୱ ପ୍ରମାଣିତ କରିଦେଲା। ଏ ନିର୍ବାଚନରେ, ବିଧାନସଭାରେ ସଫଳତା ସତ୍ତ୍ବେ ସାଂସଦ କ୍ଷେତ୍ରରେ ବିଜେପି ବେଶ ସଫଳତା ପାଇଛି। ନବୀନଙ୍କ ଚକ୍ରବ୍ୟୂହକୁ ଭେଦିଛି କିଛିଟା। ତେବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତାରେ ପଞ୍ଚମଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇ ନଜିର ସୃଷ୍ଟିକଲେ। ସାରା ଭାରତବର୍ଷରେ ଭାଷଣ ଦେଉଥିବା ନେତାଙ୍କ ମଧ୍ୟରେ ନବୀନଙ୍କ ପରି ଏତେ କମ୍‍ କହିବାର ନଜିର ନାହିଁ। ତା’ପରେ ପ୍ରତିପକ୍ଷ ପ୍ରତି ତାଙ୍କ ଅଶାଳୀନ ମନ୍ତବ୍ୟ ବା ତୀବ୍ର ପ୍ରତିକ୍ରିୟା ପ୍ରାୟତଃ ନାହିଁ। ନିର୍ବାଚନ ପୂର୍ବରୁ ବହୁ ଚମକପ୍ରଦ ଯୋଜନାରେ ଏ ରାଜ୍ୟବାସୀଙ୍କୁ ତାଜୁବ କରିଦେଇଥିବା ନବୀନ ସରକାର ତାଙ୍କ ସେ ବତାସିଆ ଯୋଜନା ଓ କାର୍ଯ୍ୟକ୍ରମ ଯେ ଚାଲୁ ରଖିବେ, ଏ ଆଶା ସୃଷ୍ଟି ହୋଇଛି। କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱ ଏ ଦେଶ ପାଇଁ ନିଶ୍ଚୟ ଶୁଭଙ୍କର ହେବ ବୋଲି ଆଶା କରାଯାଇପାରେ।
ଏ ରାଜନୀତି, ଟଣାଟଣିରେ କ୍ଷମତା ଲାଭ ହାନିରେ ବେଙ୍ଗବେଙ୍ଗୁଲୀର ଯା’ଆସେ ନାହିଁ। କେବଳ ଶାସ୍ତ୍ରୀୟ ମନ୍ତ୍ର ଉଚ୍ଚାରଣ ଓ ଅନୁଭବ ସମସ୍ତଙ୍କର ଧେୟ ଓ ବିଶ୍ୱାସ ହେଉ ବୋଲି ତା’ର ବିଶ୍ୱାସ। ଏବେ ବିଜେତାମାନଙ୍କ ଶାସନ ଆରମ୍ଭ ହେବ। କ୍ଷମତା ଅଭିଷିକ୍ତ ହେବେ। କୁହାଯାଏ, “ଅୟମାରମ୍ଭଃ ଶୁଭାୟ ଭବତୁ ଶୁଭାୟ ଭବତୁ ଶୁଭାୟ ଭବତୁ।”
ଜୟ ଜଗନ୍ନାଥ

Comments
Loading...