ଅସାଧାରଣ ତ୍ୟାଗୀ

0

ତ୍ୟାଗ, ଆତ୍ମୋତ୍ସର୍ଗର ତପୋବନରେ ହିଁ ଆଦର୍ଶର ପୁଷ୍ପ ପ୍ରଷ୍ପୁଟିତ ହୋଇ ନିଜର ସୌରଭରେ ଜନମନ ହରଣ କରିଥାଏ। ଆତ୍ମବଳିଦାନ ହିଁ ଯେ କୌଣସି ବ୍ୟକ୍ତିକୁ ଶ୍ରେଷ୍ଠତ୍ବର ସର୍ବୋଚ୍ଚ ଶିଖରକୁ ନେଇଯାଇଥାଏ। ଅନ୍ୟମାନଙ୍କ ପାଇଁ ବଞ୍ଚୁଥିବା, ସମୂହସ୍ବାର୍ଥ ଉଦ୍ଦେଶ୍ୟରେ ଆତ୍ମସ୍ବାର୍ଥକୁ ଜଳାଞ୍ଜଳି ଦେଉଥିବା ବ୍ୟକ୍ତି ହିଁ ନିଜ ପାଇଁ ଇତିହାସରେ ସ୍ବର୍ଣ୍ଣିମସ୍ଥାନ ସଂରକ୍ଷିତ କରି ରଖିଥାଏ।
ଆର୍ଯ୍ୟାବର୍ତ୍ତର ଉତ୍ତରାଖଣ୍ଡ କ୍ଷେତ୍ରର ଏହି ଘଟଣା। ଦୀର୍ଘ ବର୍ଷଧରି ସେ ଅଞ୍ଚଳରେ ବର୍ଷା ହେଲା ନାହିଁ। ଦୁର୍ଭିକ୍ଷର କରାଳ ଛାୟାରେ ସମଗ୍ର ଅଞ୍ଚଳବାସୀଙ୍କ ଭିତରେ ହାହାକାର ପଡ଼ିଗଲା। ପ୍ରଥା ଅନୁଯାୟୀ ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରି ବର୍ଷା କରାଇବା ନିମନ୍ତେ ଲୋକମାନଙ୍କ ପାଖରେ ସେଭଳି ସାଧନ ମଧ୍ୟ ନଥିଲା। ତଥାପି ଏକ ମାମୁଲି ଯଜ୍ଞ କରିବା ନିମନ୍ତେ ଗ୍ରାମବାସୀ ନିଷ୍ପତ୍ତି ନେଲେ। ଯଜ୍ଞ ଆୟୋଜନ ପାଇଁ ଜଣେ ସନ୍ଥ ଏକ ସଭା ଆହୂତ କଲେ। ଗ୍ରାମବାସୀ ସଭାରେ ଏକତ୍ରିତ ହେଲେ। ସାଧୁ ଗ୍ରାମବାସୀଙ୍କୁ ଶୁଣାଇଥିଲେ- ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ବୃଷ୍ଟି ନିମନ୍ତେ ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରାଇବାକୁ ହେଲେ ନରମେଧ ଯଜ୍ଞ କରିବାକୁ ହେବ ଓ ଏ ନିମନ୍ତେ ଜଣଙ୍କୁ ବଳିଦେବାକୁ ହେବ।
ଏହାଶୁଣି ଗ୍ରାମବାସୀଙ୍କ ଭିତରେ ଶ୍ମଶାନର ନୀରବତା ଛାଇ ହୋଇଗଲା। କାହାରି ତୁଣ୍ଡରୁ ପଦେ ହେଲେ କଥା ଫିଟିଲା ନାହିଁ। ପ୍ରତ୍ୟେ​‌େ​‌କ ମୁହଁ ତଳକୁ କରି ଦେଲେ। ଆଗକୁ କିଏ ବା ଆସିବ? ଜୀବନ ତ ସଭିଙ୍କର ଅତିପ୍ରିୟ।
ଠିକ୍‌ ଏହି ସମୟରେ ଜଣେ ବାଳକ ଆଗକୁ ଆସି କହିଲା- ‘ମୁଁ ବଳିଦାନ ନିମନ୍ତେ ପ୍ରସ୍ତୁତ।’ ଉପସ୍ଥିତ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇ ବାଳକର ମୁହଁକୁ ଚାହିଁ ରହିଥିଲେ।
ବାଳକଟିର ନାଁ ଥିଲା ଶତମନ୍ୟୁ। ମାତା-ପିତାଙ୍କର ଏକମାତ୍ର ସନ୍ତାନ ଥିଲେ ଶତମନ୍ୟୁ। ଯଜ୍ଞର ପୁରୋଧାଙ୍କୁ କହିଥିଲେ- ମୋତେ କିଛି ସମୟ ଦିଅନ୍ତୁ ମୁଁ ମାତା-ପିତାଙ୍କର ଅନୁମତି ନେଇ ଆସିବି। ଆପଣ ଯଜ୍ଞ ଆରମ୍ଭ କରନ୍ତୁ।
ମାତାପିତା ବାଳକର ପୁଣ୍ୟକାର୍ଯ୍ୟରେ ବଳିଦାନଜନିତ ଅକାଟ୍ୟ ଯୁକ୍ତିକୁ ଖଣ୍ଡନ କରିପାରି ନଥିଲେ। ବାଳକଟି ଅନୁମତି ନେଇ ଯଜ୍ଞସ୍ଥାନକୁ ଆସିଥିଲା। ସିଂହଶାବକ ସଦୃଶ ମସ୍ତକ ଉଚ୍ଚକରି ହର୍ଷୋତ୍‌ଫୁଲ୍ଲ ବଦନରେ ବଳିବେଦି ଉପରକୁ ଯାଇଥିଲା। ଯଜ୍ଞାଚାର୍ଯ୍ୟ ବାଳକ ଉଦ୍ଦେଶ୍ୟରେ କହିଥିଲେ- ‘ବାଳକ! ତୁମର ଅନ୍ତିମ ସମୟ ନିକଟ ହୋଇ ଆସିଲା। ସମସ୍ତଙ୍କୁ ଅଭିବାଦନ ଜଣାଅ।’
ବାଳକ ତାହାହିଁ କରିଥିଲା। ଘାତକ ଖଡ଼ଗ ହାତରେ ଧରି ବଳି ଦେବାକୁ ପ୍ରସ୍ତୁତ ହେବା ସମୟରେ ବାତାବରଣ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଆକାଶରୁ ପୁଷ୍ପବୃଷ୍ଟି ହେଲା। ଦେବତାମାନେ ସ୍ବର୍ଗରେ ଥାଇ ସାଧୁ-ସାଧୁ କହିବାକୁ ଲାଗିଲେ। ପାରିଜାତ ପୁଷ୍ପବୃଷ୍ଟି ମଧ୍ୟରେ ଦେବରାଜ ଇନ୍ଦ୍ର ସ୍ବୟଂ ପ୍ରକଟ ହୋଇ ବାଳକକୁ ଗଳାରେ ଲଗାଇ ଆଲିଙ୍ଗନ କରି ଉପସ୍ଥିତ ଗ୍ରାମବାସୀଙ୍କୁ କହିଥିଲେ- ‘ମୁଁ ଶତମନ୍ୟୁ ଭଳି ଜଣେ ବାଳକଠାରେ ଏଭଳି ଅଦ୍ଭୁତ ତ୍ୟାଗ ମନୋବୃତ୍ତି ଦେଖି ଅତି ପ୍ରସନ୍ନ । ଏବେ ଏଠାରେ ବର୍ଷା ହେବ। ଆଳସ୍ୟ, ଅସଂଯମ, ଅନୈତିକତାରେ ଡୁବି ଯାଇଥିବା ଗ୍ରାମବାସୀଙ୍କୁ ଉଚିତ୍‌ ଶିକ୍ଷା ଦେବା ଉଦ୍ଦେଶ୍ୟରେ ମୁଁ ଏଭଳି ଦଣ୍ଡ ଦେଇଥିଲି ସେମାନଙ୍କୁ। ହେଲେ ଯେଉଁଠାରେ ଏହି ବାଳକ ଭଳି ପରମାର୍ଥୀ ଅଛନ୍ତି, ସେମାନଙ୍କ ଉପରେ ଦୈବୀ ବିପତ୍ତି ପଡ଼ିବନି।’
ଇନ୍ଦ୍ର ଦେବ ଏହାକହି ଅନ୍ତର୍ହିତ ହୋଇଯାଇଥିଲେ। ହଠାତ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଯାଇଥିଲା।

Comments
Loading...