ଅସହଯୋଗ ଆନ୍ଦୋଳନ ଓ ଗୋପବନ୍ଧୁ

0

ଡଃ ଦୁର୍ଗାପ୍ରସନ୍ନ ପଣ୍ଡା

୧୯୨୧ରେ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ଆହ୍ୱାନରେ ବିଲାତ ପାର୍ଲାମେଣ୍ଟର ଭାରତ ବିଭାଗ ମନ୍ତ୍ରୀ ମଣ୍ଟେଗୁ ସାହେବ କ୍ରୋଧାନ୍ଧ ହୋଇ ଘୋଷଣା କଲେ, ‘ଆମ୍ଭେମାନେ ଭାରତରେ ଗାନ୍ଧିଙ୍କ ଗତିବିଧି ଲକ୍ଷ୍ୟ କରୁଛୁଁ। ଅବସ୍ଥା ଅନୁସାରେ ବ୍ୟବସ୍ଥା କରାଯିବ।’ ଭାରତରେ ଏହି ଖବର ପହଞ୍ଚିବା ପରେ ଗୋପବନ୍ଧୁଙ୍କ ‘ସମାଜ’ – ସମ୍ପାଦକୀୟ ପ୍ରାୟ ସାତଆଠ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ଉତ୍ତପ୍ତ ହୋଇଉଠିଲା। ଅସହଯୋଗ ଓ ଗାନ୍ଧିଜୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଗୋପବନ୍ଧୁ ସମ୍ପାଦକୀୟରେ ଲୋକମତକୁ ଜାଗ୍ରତ କଲେ। କେବଳ ଅସହଯୋଗ ସମ୍ପର୍କରେ ଗୋପବନ୍ଧୁ ‘ସମାଜ’ରେ ଯାହା ପ୍ରକାଶ କରିଥିଲେ, ତାହା ‘ଗୋପବନ୍ଧୁ ରଚନାବଳୀ’ ୬ଷ୍ଠ ଖଣ୍ଡରେ ଲିପିବଦ୍ଧ ହୋଇଛି।
ଗୋପବନ୍ଧୁ ଲେଖିଛନ୍ତି, ‘ଭାରତର ବିଭିନ୍ନ ଦଳର ନେତାମାନେ ମଣ୍ଟେଗୁଙ୍କ ଏହି ଭାବକୁ କେହି ଭଲ ଭାବୁନାହାନ୍ତି। ମହାତ୍ମା ଗାନ୍ଧି ଦେବତା। ତାଙ୍କ ପ୍ରତି କୌଣସି ପ୍ରକାର ଅପମାନ, ଅନ୍ୟାୟ, ଅତ୍ୟାଚାର ହେଲେ, ଦେଶରେ ଯେ କି ଉତ୍ପାତ ଘଟିପାରେ, କହିଦେଉ ନାହିଁ। ଗାନ୍ଧି ତ ରାଜନୀତିର କୂଟ ଫାନ୍ଦରେ ଚାଲିବା ଲୋକ ନୁହନ୍ତି। ତାଙ୍କ ପେଟରେ ଯାହା, ମୁହଁରେ ତାହା। ଉଦୟତି ଯଦି ଭାନୁଃ ପଶ୍ଚିମ, ଦିଗ୍‍ବିଭାଗେ, ନ ଟଳତି ଖଳୁ ବାକ୍ୟଂ – ଏହା ଗାନ୍ଧିଙ୍କ ନୀତି। ମଣ୍ଟେଗୁ ସାହେବଙ୍କ କଥା ଶୁଣି ସେ (ଗାନ୍ଧି) ତାଙ୍କ ‘ମନ କଥା ଖୋଲି ଲେଖିଛନ୍ତି।’ ଫେବୃୟାରୀ ୧୯୨୧ରୁ ‘ଅସହଯୋଗ’ ପ୍ରସଙ୍ଗରେ ‘ସମାଜ’ରେ କଡ଼ା ସମ୍ପାଦକୀୟ ପ୍ରକାଶ ପାଇଲା। ସାହେବମାନଙ୍କ ପାଖରେ ଘରୋଇ କାମ କରୁଥିବା ଚାକରମାନେ ଦେଢ଼ା ଦରମା ଦାବି କଲେ। ସେମାନଙ୍କ ଧର୍ମଘଟରେ ଅତିଷ୍ଠ ହୋଇ ଅନେକ ସାହେବ ପରିବାର ନିଜ ହାତରେ କାମ କଲେ। ‘ଅସହଯୋଗ’ ସାହେବ ପରିବାରରେ ‘ଭୂତ’ ହୋଇ ପ୍ରବେଶ କଲା। ବ୍ରିଟେନରେ ଅସହଯୋଗକୁ କଠୋର ଭାଷାରେ ନିନ୍ଦା କରାଗଲା।
ଅସହଯୋଗ ଭାରତରେ ‘ମହାମିଳନ’ ଘଟାଇଲା ବୋଲି ପଣ୍ଡିତ ଗୋପବନ୍ଧୁ ସମାଜରେ ସୂଚାଇବାକୁ ଯାଇ ଲେଖିଲେ, ହିନ୍ଦୁ ମୁସଲମାନ ବିବାଦ, ଓଡ଼ିଆ ବଙ୍ଗାଳୀ ବିବାଦ, ମାଲିକ ଶ୍ରମିକ ବିବାଦ ପରିବର୍ତ୍ତେ ସର୍ବତ୍ର ମହାମିଳନ ଘଟିଲା। ଅସହଯୋଗକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଗୋପବନ୍ଧୁଙ୍କ ଆହ୍ୱାନରେ ବଡ଼ଲୋକ ଘରର ଛାତ୍ରମାନେ ସରକାରୀ ସ୍କୁଲକୁ ନ ଯାଇ ବନବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଲେ।
‘ଅସହଯୋଗ’ ଉପରେ ଏକ ବ୍ୟଙ୍ଗ ପ୍ରବନ୍ଧ ଲେଖି ଗୋପବନ୍ଧୁ ସୂଚାଇଦେଲେ ଯେ ବଙ୍ଗ ଭଳି ଉନ୍ନତ ପ୍ରଦେଶରେ ସୁରେନ୍ଦ୍ରନାଥ ବାନାର୍ଜୀଙ୍କୁ ଲୋକେ ଆଉ ସମ୍ମାନ ପ୍ରଦର୍ଶନ କଲେ ନାହିଁ; କାରଣ ବାନାର୍ଜୀ ମହାଶୟ ଥିଲେ ଜଣେ ସରକାରୀ କର୍ମଚାରୀ। ସରକାରୀ ଅଫିସରଙ୍କ ଗସ୍ତ ସମୟରେ ସେମାନଙ୍କ ଅଭ୍ୟର୍ଥନା ପାଇଁ ବାଜା ବାଜିଲା ନାହିଁ କି ରସିଦ ଦିଆଗଲା ନାହିଁ। ଗୋପବନ୍ଧୁ ଲେଖିଛନ୍ତି-
‘ସେହି ଅର୍ଜୁନ ସେହି ପାର୍ଥ, ସେହି ଗାଣ୍ଡିବ ସେହି ହାତ’
ଅର୍ଜୁନଙ୍କ ଗାଣ୍ଡିବ ସରକାରୀ ହେବା ପରେ ତାହାର ଶକ୍ତି ଲୋପ ପାଇଲା, ଯେମିତି ଲୋପ ପାଇଲା ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଲୋକପ୍ରିୟତା। ଲୋକପ୍ରତିନିଧିମାନେ ସରକାରଙ୍କ ପ୍ରତି ଆନୁଗତ୍ୟ ଦେଖାଇବାରୁ ଲୋକେ କହିଲେ, “କର୍କଟ ବୃଶ୍ଚିକ ପରି। ସିନା ତାହାଙ୍କ ମାଧୁରୀ।”
(ଗୋପବନ୍ଧୁ ରଚନାବଳୀ ୬ଷ୍ଠ-ପୃ ୩୬)
ଖୋର୍ଦ୍ଧାର ମାଜିଷ୍ଟ୍ରେଟ ସୁରେନ୍ଦ୍ର ଚନ୍ଦ୍ର ବୋଷ ଲେଖିଛନ୍ତି, ସେ ଜାହାଜରେ ବିଲାତ ଯାତ୍ରା କଲାବେଳେ ଦେଖିଲେ ଯେ ଗାନ୍ଧିଜୀଙ୍କ ଅସହଯୋଗ ଡାକରା ହେତୁ ଭାରତରୁ ବଦଳି ହୋଇଯାଉଥିବା ଅଫିସରମାନଙ୍କ ଜିନିଷପତ୍ର ଭାରତୀୟମାନେ ଜାହାଜକୁ ନେବାକୁ ଅନିଚ୍ଛା ପ୍ରକାଶ କରିବାରୁ ସେମାନେ ନିଜ ବ୍ୟବହାର୍ଯ୍ୟ ଜିନିଷମାନ ଭାରତରେ ଛାଡ଼ିଦେଇ କେବଳ କମ୍‍ ଓଜନଦାର ଜିନିଷ ନିଜେ ନିଜେ ବୋହିନେଇ ଜାହାଜରେ ରଖୁଥିଲେ। ୮ା୧୦ା୧୯୨୧ରେ ଗୋପବନ୍ଧୁଙ୍କ ଗୋଟାଏ ଅଭିଭାଷଣ ଶୁଣିବା ପରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ତୀବ୍ରତର ହେବା ଆଶଙ୍କାରେ ଗୋପବନ୍ଧୁଙ୍କୁ ଆଉ ସଭାରେ ଭାଷଣ ଦେବାକୁ ଅନୁମତି ମିଳିଲା ନାହିଁ। ଏହାପରେ ଗୋପବନ୍ଧୁ ‘ମୂକ ମିନତି’ ଶୀର୍ଷକ ଦେଇ ଏକ ଦୀର୍ଘ କବିତା ସମାଜରେ ପ୍ରକାଶ କଲେ।

Comments
Loading...