ଅସରନ୍ତି ଏକ ସ୍ମୃତିପଥ

0
ଅନ୍ନଦାପ୍ରସାଦ ରାୟ

ଓଡ଼ିଶାର ପ୍ରାୟ ଶହେ ବର୍ଷର ଇତିହାସ ସତ୍ୟବାଦୀ ଯୁଗର ଭୂମିକାକୁ ଅନେକ ଆଜିର ପ୍ରେକ୍ଷାପଟରେ ପୁନର୍ଜୀବିତ କରିବାର ଚେଷ୍ଟା କରିବାର ପ୍ରାସଙ୍ଗିକତା ରହିଛି- କାରଣ ଏହା ସଂସ୍କୃତିଗତ ସଙ୍କଟର ଅର୍ଗଳିରେ ଆମ ସମସ୍ତଙ୍କୁ ଗଳାରୁଦ୍ଧ କରିଛି। ଏତିକିବେଳେ ମନେପଡ଼ନ୍ତି ଜଣେ ଶତାବ୍ଦୀ ପୁରୁଷ ଡକ୍ଟର ରାଧାନାଥ ରଥ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ‘ସମାଜ’ ସମ୍ବାଦପତ୍ରର ଦୃଶ୍ୟମାନ ଭୂମିକା- ଯେଉଁଥିରେ ‘ସତ୍ୟବାଦୀ ଯୁଗ’ର ଏକ ସମ୍ମିଳିତ ପ୍ରତିଧ୍ୱନି ଓଡ଼ିଶାର ସାଧାରଣ ଜୀବନକୁ ପ୍ରଭାବିତ କରିଥିଲା।
ସତ୍ୟବାଦୀ ଯୁଗର କେନ୍ଦ୍ରବିନ୍ଦୁରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ଯାହାଙ୍କୁ ତ୍ୟାଗ ଓ ତପସ୍ୟାର ପ୍ରତିମୂର୍ତ୍ତି ଭାବେ ଓଡ଼ିଶାର ଜନସାଧାରଣ ଆଜି ମଧ୍ୟ ସ୍ମରଣ କରନ୍ତି- ସେହି ସ୍ମୃତିର ଏକ ସାର୍ଥକ ସଂସ୍କରଣ ଥିଲେ ଡକ୍ଟର ରାଧାନାଥ ରଥ, ଯେ ସତ୍ୟବାଦୀ ଯୁଗର ସ୍ତମିତ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ପାଇଁ ଆଜୀବନ ସଙ୍କଳ୍ପବଦ୍ଧ ଅଭିଯାନ ବଜାୟ ରଖିପାରିଥିଲେ। ବସ୍ତୁତଃ ସେ ଥିଲେ ସତ୍ୟବାଦୀର ଶେଷ ତୀରରେ। ତାଙ୍କ ଭିତରେ ଥିଲା ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗ-ତପସ୍ୟାର କଠୋର ଶପଥ, ପଣ୍ଡିତ ନୀଳକଣ୍ଠଙ୍କର ଶାଣିତ ପ୍ରଜ୍ଞା ମାନସ, ପଣ୍ଡିତ ଗୋଦାବରୀଙ୍କ ଛଳଛଳ ଉତ୍ତଳ କବିତ୍ୱର ଝରଣା, ଆଚାର୍ଯ୍ୟ ହରିହରଙ୍କ ଭଳି ନିଷ୍କପଟ ସ୍ନେହୀ ମାନବିକ ଉଦ୍‍ବୋଧନ, ପଣ୍ଡିତ କୃପାସିନ୍ଧୁଙ୍କ ଭଳି ତଥ୍ୟାନୁସନ୍ଧିତ୍ସୁ- ଏ ପଞ୍ଚସଖାଙ୍କ ପଞ୍ଚପ୍ରବୃତ୍ତିର ଏକ ସୁନ୍ଦର ସମନ୍ୱୟ ଥିଲେ ରାଧାନାଥ ରଥ। ସେହି ସତ୍ୟବାଦୀ ଯୁଗରୁ ପଞ୍ଚପ୍ରଦୀପର ପ୍ରଭାକୁ ଉତ୍ତରିତ କରିପାରିଥିଲେ ସେମାନଙ୍କ ଉତ୍ତରପୁରୁଷକୁ।
କିନ୍ତୁ ଡକ୍ଟର ରାଧାନାଥ ରଥଙ୍କ ଦେହାବସାନ ପରେ ସେ ସବୁ ମୂଲ୍ୟବୋଧର ଅବକ୍ଷୟ ଏତେ ବ୍ୟାପକ ଓ ଗଭୀର ଶୂନ୍ୟତାର ହାହାକାର ସୃଷ୍ଟି କରିଥିଲା, ଯାହା ଆଜିପର୍ଯ୍ୟନ୍ତ ଆମେ ଏକବିଂଶ ଶତାବ୍ଦୀର ଏ ଦୁରାଚାର ପୀଡ଼ିତ ଅପସଂସ୍କୃତିର ଶିକାର ହୋଇଥିଲାବେଳେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛି- ଏବେ ମଧ୍ୟ କେହି କେହି କହନ୍ତି, “ଆଜି ଯଦି ରାଧାନାଥ ରଥ ଥାଆନ୍ତେ” ଆମେ ଆଉ ହତାଶ ନ ହୋଇ ଚାହିଁ ରହିଥା’ନ୍ତୁ ‘ସମାଜ’ କାଗଜର ସମ୍ପାଦକୀୟ ସ୍ତମ୍ଭକୁ, ‘ଅଣାକାରଙ୍କ ଝିଟିପିଟି କହେ’ ପ୍ରସଙ୍ଗ ଲେଖାକୁ।
ପ୍ରାୟ ସତୁରି ବର୍ଷର ସାମ୍ବାଦିକ ଜୀବନ ଭିତରେ ରାଧାନାଥବାବୁଙ୍କ ପରିଚୟ କେବଳ ଓଡ଼ିଶାରେ ସୀମିତ ନ ଥିଲା। ସେ ଭାରତର ସାମ୍ବାଦିକ ଜଗତରେ ଜଣେ ବିଶିଷ୍ଟ ଜାତୀୟତାବାଦୀ ସାମ୍ବାଦିକ ଭାବରେ ସ୍ୱୀକୃତି ଲାଭ କରିଥିଲେ; କିନ୍ତୁ ତାଙ୍କର ସାମ୍ବାଦିକତା କେବଳ ସମ୍ବାଦପତ୍ରର ସମ୍ବାଦ ଭିତରେ ସୀମିତ ନ ଥିଲା, ବରଂ ତା’ର ପରିସର ସାମାଜିକ ସମସ୍ୟା, ସାଂସ୍କୃତିକ ମୈତ୍ରୀ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣ ଆଡ଼କୁ ପ୍ରସାରିତ ହୋଇଥିଲା। ପ୍ରତିଦିନର ଘଟିତ ଘଟଣାବଳୀର ଉପସ୍ଥାପନାକୁ ସମ୍ବାଦ କୁହାଯାଏ। କିନ୍ତୁ ତା’ରି ଭିତରେ ଥିବା ସତ୍ୟକୁ ଉଦ୍‍ଘାଟନ କରି ତା’ର ସଂଜ୍ଞା ନିରୂପଣ କରିବାରେ ଜଣେ ସଫଳ ସାମ୍ବାଦିକର ନିଜସ୍ୱ ବିଚାର ବୁଦ୍ଧି ରହିବା ଆବଶ୍ୟକ। ଏହାଥିଲା ରାଧାନାଥବାବୁଙ୍କ ସାମ୍ବାଦିକତାରେ ଯାହା ଥିଲା, ସେହି ଗାନ୍ଧୀ, ଗୋପବନ୍ଧୁ ସାମ୍ବାଦିକତାରେ ଯାହା ଥିଲା, ସେହି ଗାନ୍ଧୀ, ଗୋପବନ୍ଧୁ ଯୁଗର ମୂଲ୍ୟବୋଧଭିତ୍ତିକ ଏକ ସାମାଜିକ ଅଙ୍ଗୀକାରବଦ୍ଧତା। ସମସ୍ୟା ଓ ସମାଧାନର ରାସ୍ତା ନିର୍ଣ୍ଣୟ କରିବା ଏବଂ ସରକାରଙ୍କ ଦୋଷତ୍ରୁଟି ତଥା ଅପାରଗତାକୁ ଅଙ୍ଗୁଳି ନିର୍ଦେଶ କରି ଜନକଲ୍ୟାଣ ପାଇଁ ଜନଗଣଙ୍କ ସ୍ୱରକୁ ସମ୍ବାଦପତ୍ର ମାଧ୍ୟମରେ ଉପସ୍ଥାପିତ କରିବା ତାଙ୍କ ସାମ୍ବାଦିକତାର ପ୍ରଧାନ ଲକ୍ଷ୍ୟ।
ଆଜି ସେସବୁ ଲକ୍ଷ୍ୟ ଯେ ନାହିଁ, ଏ କଥା କୁହାଯିବ ନାହିଁ; କିନ୍ତୁ ସମ୍ବାଦପତ୍ରମାନେ ମୂଲ୍ୟବୋଧରୁ ଓହରି କିଛି ତାତ୍କାଳୀକ ସୁବିଧା ହାସଲ କରିବାରେ ତତ୍ପର ହେବାର ଦେଖାଯାଉଛି। ଏହାଦ୍ୱାରା ସାମ୍ବାଦିକତାର ନୈତିକ ଅବକ୍ଷୟ ହେବାର ଆଶଙ୍କା ଉପୁଜିଛି। ରାଧାନାଥବାବୁଙ୍କ ସାମ୍ବାଦିକତା ଜୀବନାଦର୍ଶକୁ ପୁନରୁଦ୍ଧାର କରିବା ପାଇଁ ତାଙ୍କ ସ୍ମୃତି ହିଁ ପାଥେୟ ସ୍ୱରୂପ ବିବେଚିତ ହେବ। ସାମ୍ବାଦିକତା ଭିତରେ ମଧ୍ୟ ସେ କ୍ଷମତା ରାଜନୀତିର ଅଳିନ୍ଦକୁ ପ୍ରବେଶ କରିବାର ସୁଯୋଗ ପାଇଥିଲେ। ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ। ପୁଣି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗକୁ ହାତଛଡ଼ା କରିଥିଲେ। ଏପରିକି ତାଙ୍କୁ ରାଜ୍ୟପାଳ ହେବାର ଆମନ୍ତ୍ରଣ ଆସିଥିଲା। କିନ୍ତୁ ସେ ସବୁକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ସେ ସ୍ପଷ୍ଟ ଜାଣିଥିଲେ କ୍ଷମତା ରାଜନୀତି ଏ ବିଷଚକ୍ର ଯେଉଁଥିରେ ରହିଲେ ଦୁର୍ନୀତିର ଚରାଭୂଇଁ ସାଜିଥିବା ଅମଲାତନ୍ତ୍ରର ନାଗଫାଶରୁ ମୁକ୍ତି ପାଇବା ସମ୍ଭବ ନୁହେଁ। ସେ ନିଜେ ଓଡ଼ିଶାର ପ୍ରାୟ ତିନିଦଶନ୍ଧିର କ୍ଷମତା ରାଜନୀତିର ବିଷଦନ୍ତକୁ ଦେଖିଥିଲେ ଏବଂ କ୍ଷମତା କିପରି ବ୍ୟକ୍ତିତ୍ୱକୁ କବଳିତ କରି ତା’ର ମହତ୍ତ୍ୱକୁ ଭୂଲୁଣ୍ଠିତ କରେ ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ତାଙ୍କ ପାଇଁ ‘ସମାଜ’ ଥିଲା ଏକ ମିଶନ୍‍, ଏକ ଅପ୍ରତିହତ ଅଭିଯାତ୍ରା। ‘ସମାଜ’କୁ ସେ ନିଜ ରକ୍ତମାଂସ ପଳପଳ ନିଷ୍ପେଷଣ କରି ଗଢ଼ିଥିଲେ ଏକ ସ୍ୱୟଂସମ୍ପୂର୍ଣ୍ଣ ପ୍ରତିଷ୍ଠାନ ଭାବରେ। ପ୍ରଥମେ ହ୍ୟାଣ୍ଡ୍‍ପ୍ରେସ୍‍, ଟ୍ରେଡଲ୍‍ ଯୁଗରୁ ‘ସମାଜ’ ମୁଦ୍ରଣ ବ୍ୟବସ୍ଥାକୁ ସେ ‘ଲାଇନୋ-ମନୋ’ ଓ ଡି.ଟି.ପି. ଯୁଗର ଯାନ୍ତ୍ରିକ ବ୍ୟବସ୍ଥା ପର୍ଯ୍ୟନ୍ତ ଉନ୍ନିତ କରାଇଥିଲେ। ସାରା ଓଡ଼ିଶା ‘ସମାଜ’ର ଗୋଟିଏ ସଂସ୍କରଣକୁ ଦେଖିପାରୁଥିଲା। ଯେଉଁ ଗୋଟିଏ ସଂସ୍କରଣ ଓଡ଼ିଶାର ସାମଗ୍ରିକ ପରିସ୍ଥିତିର ଏକ ସତ୍ୟପାଠ ଥିଲା। ପରବର୍ତ୍ତୀ ସମୟରେ ‘ସମାଜ’ର ଏକାଧିକ ସଂସ୍କରଣ ହୋଇଛି। ସର୍ବାଧିକ କମ୍ପ୍ୟୁଟର ବ୍ୟବସ୍ଥା ଦ୍ୱାରା ତାହା ପରିବର୍ତ୍ତିତ ହୋଇଛି।
ରାଧାନାଥବାବୁ ଜଣେ ଅପ୍ରତିମ ବାଗ୍ମୀ। ସେ ଓଡ଼ିଆ, ବଙ୍ଗଳୀ, ଇଂରାଜୀ ଓ ହିନ୍ଦୀରେ ଅନର୍ଗଳ ବକ୍ତୃତା ଦେଇପାରନ୍ତି। ବିଶ୍ୱବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ ସେ ନିଜେ ଏକ ବିଶ୍ୱବିଦ୍ୟାଳୟ ହୋଇଯାଇଥିଲେ। ନିରନ୍ତର ଦେଶ, ଜାତି, ସମାଜ ସଂସ୍କୃତିକୁ ପ୍ରଗାଢ଼ ଭାବରେ ଭଲ ପାଉଥିବା ରାଧାନାଥବାବୁ ବହୁ ସୁଯୋଗ ଓ ଆମନ୍ତ୍ରଣ ଲାଭ କରି ମଧ୍ୟ କେବେହେଲେ ଭାରତ ବାହାରକୁ ଯାଇନାହାନ୍ତି। ସେ ଚାହିଁଥିଲେ ମନ୍ତ୍ରୀ ଭାବରେ ସରକାରୀ ଖର୍ଚ୍ଚରେ ବିଦେଶ ଗସ୍ତ କରିପାରିଥା’ନ୍ତେ। କିନ୍ତୁ ସେ ସାରା ପୃଥିବୀର ପ୍ରବହମାନ ଘଟଣାବଳୀକୁ ନିଜ ନଖ ଦର୍ପଣରେ ଦେଖିପାରୁଥିଲେ। ଏତେ ଦୀର୍ଘ ସଂଗ୍ରାମ ଓ ସାଧନାର ଜୀବନ ଥିଲା, ଯାହା ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଆନ୍ଦୋଳନର ଅଂଶୀଦାର ଭାବରେ କୌଣସିପ୍ରକାର ବୈଷୟିକ ସୁଖସୁବିଧା ଚାହୁଁ ନ ଥିଲେ। ନିଜର ଘର ଖଣ୍ଡିଏ ବି ସେ କଟକ କି ଭୁବନେଶ୍ୱରରେ କରିପାରି ନ ଥିଲେ। ତାଙ୍କ ନିଜସ୍ୱ ଗଚ୍ଛିତ କିଛି ପାଣ୍ଠି ନ ଥିଲା। ଲୋକସେବକମଣ୍ଡଳର ଆଜୀବନ ସଭ୍ୟ ଭାବରେ ସେ କେବଳ ନିଜର ଭରଣପୋଷଣ ପାଇଁ ଆନୁଷ୍ଠାନିକ ଖର୍ଚ୍ଚ ପାଉଥିଲେ, ଯାହାଥିଲା ଲୋକସେବକମଣ୍ଡଳର ନିର୍ଦ୍ଧାରିତ ନୀତି ଓ ବ୍ୟବସ୍ଥା। ଏ ପର୍ଯ୍ୟନ୍ତ ମଧ୍ୟ ତାହା ଅନୁସୃତ ହେଉଛି।
ଏତେ ତ୍ୟାଗ, ତପସ୍ୟାର ଗୋଟିଏ ଶୁଦ୍ଧପୂତ ଜୀବନ କେବଳ ‘ସମାଜ’ର ଦୀପସ୍ତମ୍ଭ ହୋଇ ଓଡ଼ିଶାର ଜନମାନସକୁ ସେ ଆଲୋକିତ କରିଥିଲେ। ତାଙ୍କ ରାଜନୈତିକ ତଥା ସାଂସ୍କୃତିକ ଜାଗରଣର କ୍ଷେତ୍ର ପ୍ରସ୍ତୁତ କରିଥିଲେ, ତାହା ଓଡ଼ିଶାକୁ ଗୌରବାନ୍ୱିତ କରିପାରିଥିଲା। ସାମ୍ବାଦିକତା ଭିତରେ ସେ ଦଳଗତ ରାଜନୀତିକୁ ଆଦୌ ପ୍ରଶ୍ରୟ ଦେଉ ନ ଥିଲେ, ଯଦିଓ ସେ ନିଜେ ଥିଲେ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା; କିନ୍ତୁ ସେ ଏତେ ନିରପେକ୍ଷ ଓ ନିର୍ଭୀକ ନୀତି ଅବଲମ୍ବନ କରିଥିଲେ, ଯଦ୍ଦ୍ୱାରା ସେ ସାମ୍ବାଦିକତାର ଆଦର୍ଶକୁ ଉଜ୍ଜ୍ୱଳ କରିବାରେ ସମର୍ଥ ହୋଇଥିଲେ। ବହୁ ବାଦ-ବିସମ୍ବାଦ, ପ୍ରତିହିଂସାର ପ୍ରତିକ୍ରିୟାର ସମ୍ମୁଖୀନ ହୋଇ ମଧ୍ୟ ସେ ନିଜର ବିଶ୍ୱାସ ଓ ବିଚାରକୁ କେବେ ବାଜି ଲଗାଉ ନ ଥିଲେ। ସତ୍ୟ, ନ୍ୟାୟ ପାଇଁ ସେ ଥିଲେ ଉତ୍ସର୍ଗୀକୃତ ଏକ ସର୍ବମାନ୍ୟ ବ୍ୟକ୍ତି ଯେ ଦଳମତର ଊର୍ଦ୍ଧ୍ବରେ ସାମ୍ବାଦିକତାର ଦୁନ୍ଦୁଭି ନାଦ କରିଥିଲେ। ଜୀବନର ଶେଷଭାଗକୁ ସେ କଂଗ୍ରେସ ଦଳ ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ବାସ୍ତବିକ୍‍ ଏଭଳି ଜଣେ ବ୍ୟକ୍ତି ନିଜର ତ୍ୟାଗ ଓ ସମସ୍ୟା ବଳରେ ଏକ ଅନୁଷ୍ଠାନରେ ପରିଣତ ହୋଇଯାଇଥିଲେ। ପୂଜ୍ୟପୂଜା, ଦୀନଦଳିତର ସେବାରେ ସେ ଆନନ୍ଦ ପାଉଥିଲେ। ‘ସମାଜ’ ସମ୍ବାଦପତ୍ର ଥିଲା ତାଙ୍କ ପାଇଁ ଏକ ଅମୋଘ ଅସ୍ତ୍ର, ଯଦ୍ଦ୍ୱାରା ସେ ଦୁର୍ନୀତି, ଦୁଷ୍କୃତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ସମ୍ବାଦପତ୍ରର ମର୍ଯ୍ୟାଦାକୁ ସେ ଅକ୍ଷୁଣ୍ଣ ରଖିପାରିଥିଲେ।
ରାଧାନାଥବାବୁ, ଗୁଲଜାରୀଲାଲ ନନ୍ଦା ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲାବେଳେ ତାଙ୍କ ପ୍ରତିଷ୍ଠିତ ସଦାଚାର ସମିତିର ଓଡ଼ିଶା ଶାଖାର ସଭାପତି ଥିଲେ ଏବଂ ଲୋକସେବକମଣ୍ଡଳର ସଭାପତି ପଦ ମଣ୍ଡନ କରିଥିଲେ। କୌଣସି ବ୍ୟକ୍ତିଗତ ସ୍ୱାର୍ଥ, ଅଭିସନ୍ଧି ବା ଅମୂଳକ ଓ ବିଭ୍ରାନ୍ତିକର ସମ୍ବାଦ ପ୍ରକାଶ କରି ହଇଚଇ ସୃଷ୍ଟି କରିବା ଥିଲା ତାଙ୍କ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ। ‘ସମାଜ’ କାର୍ଯ୍ୟାଳୟ ବାହାରେ ସମଗ୍ର ଲୋକାଳୟ ଥିଲା ତାଙ୍କର କର୍ମ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। କେବଳ କାଗଜ କଲମରେ ନୁହେଁ ସେ ସିଧାସଳଖ ଲୋକସମ୍ପର୍କ ରକ୍ଷା କରିବାରେ ସମୟ ଦେଉଥିଲେ ଯାହାଫଳରେ ସାଧାରଣ ଜୀବନର ସମସ୍ୟାକୁ ନିଜେ ଅନୁଧ୍ୟାନ କରିବାରେ ସମର୍ଥ ହୋଇପାରିଥିଲେ। ତେଣୁ ‘ସମାଜ’ ସର୍ବକାଳୀନ ଓ ସାର୍ବଜନୀନ ଲୋକସଂସ୍କୃତି ଲାଭ କରିଛି।
(ଡକ୍ଟର ରାଧାନାଥ ରଥଙ୍କ ୧୪ଶ ଶ୍ରାଦ୍ଧ ଅବସରରେ ପ୍ରକାଶ ପାଇଥିବା ‘ସ୍ମୃତି ବନ୍ଦନିକା-୨୦୧୨’ରେ ପ୍ରକାଶିତ ଲେଖାର ସମ୍ପାଦିତ ଅଂଶ)

Leave A Reply