ଅବଧୂତଙ୍କ ଗୁରୁ

0

ପ୍ରତ୍ୟେକଙ୍କଠାରୁ କିଛି ନା କିଛି ଶିଖିବାର ଅଛି। ଏପରିକି ବିବେକ ଜ୍ଞାନ ନଥିବା ପଶୁପକ୍ଷୀଙ୍କଠାରୁ ମଧ୍ୟ କିଛି ଶିଖିବାର ଥାଏ। ତେବେ ଏ ସବୁକୁ ଗଭୀର ଭାବରେ ଅନୁଧ୍ୟାନ କଲେ ହିଁ ଏହା ଜାଣି ହୋଇଥାଏ। ଏଇ ଯେମିତି କ୍ଷୁଦ୍ର ପିମ୍ପୁଡ଼ିଟିଏଠାରୁ ସହଯୋଗିତା, ସମଭାବରେ ଉପଭୋଗ କରିବା ନୀତି ପରିଲକ୍ଷିତ ହୋଇଥାଏ। କୌଣସିଠାରେ ଖାଦ୍ୟ କଣିକାଟିଏ ପଡ଼ିଥିଲେ ଯଦି ଗୋଟିଏ ପିମ୍ପୁଡ଼ି ଏହା ଦେଖିବାକୁ ପାଏ, ତା’ହେଲେ ସେ ଅନ୍ୟ ସାଥିମାନଙ୍କୁ ସେହିସ୍ଥାନକୁ ଆମନ୍ତ୍ରଣ କରିଆଣେ। ସମସ୍ତେ ସମ୍ମିଳିତ ଭାବରେ ସେହି ଖାଦ୍ୟକୁ ନେବାରେ ସକ୍ଷମ ହୋଇଥାନ୍ତି। ଏକତ୍ରିତ ହୋଇ କ୍ଷୁଦ୍ର ପିମ୍ପୁଡ଼ିମାନେ ବେଳେବେଳେ ଅସମ୍ଭବ ସମ୍ଭବ କରିଥାନ୍ତି। ସେମାନଙ୍କ ଓଜନଠାରୁ କାହିଁକେତେ ଗୁଣ ଖାଦ୍ୟ କଣିକାକୁ ସମ୍ମିଳିତ ହୋଇ ନେବାରେ ସକ୍ଷମ ହୋଇଥାନ୍ତି।
ଅବଧୂତ ଦତ୍ତାତ୍ରେୟ ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ପରିସ୍ଥିତିରେ କାହାରି ନା କାହାରିଠାରୁ ଜ୍ଞାନପ୍ରାପ୍ତି ଦିଗରେ ଚେଷ୍ଟା କରିଥାନ୍ତି। ଆକାଶରେ ମୁକ୍ତଭାବରେ ବିଚରଣ କରୁଥିବା ପକ୍ଷୀ, ସ୍ଥଳଭାଗରେ ଅବାଧରେ ବୁଲୁଥିବା ପଶୁ, କୀଟପତଙ୍ଗମାନଙ୍କର ଗତିବିଧି ଭଲଭାବରେ ନିରୀକ୍ଷଣ କରି ସେମାନଙ୍କଠାରୁ କିଛି ନା କିଛି ଶିକ୍ଷାଲାଭ କରିଥାନ୍ତି। ଏହା ମଧ୍ୟ ଦତ୍ତାତ୍ରେୟ କହୁଥିଲେ ଯେ ଯେଉଁମାନଙ୍କଠାରୁ ମୁଁ କିଛି ନା କିଛି ଶିକ୍ଷା ପାଉଛି ସେମାନେ ମୋର ଗୁରୁ।
ଦିନେ ଦତ୍ତାତ୍ରେୟ ରାସ୍ତା ପାର୍ଶ୍ବରେ ଥିବା ଏକ ବୃକ୍ଷ ତଳେ ବସି ଭଗବାନଙ୍କ ନାମ ସ୍ମରଣ କରୁଥାନ୍ତି। ନାମ ଜପ ଶେଷ ହେବାପରେ ଆକାଶକୁ ଅନାଇଥିବା ସମୟରେ ଦେଖିବାକୁ ପାଇଲେ ପକ୍ଷୀଟିଏ ଆକାଶରେ ଆଗେଆଗେ ଯାଉଛି, ପଛେପଛେ ପ୍ରାୟ ଅଧଡଜନ ହେବ ପକ୍ଷୀ ତା’ର ପିଛାକରି ଧାଇଁଛନ୍ତି। କୌତୂହଳୀ ହୋଇ ଦତ୍ତାତ୍ରେୟ କାରଣ ଜାଣିବାକୁ ଧ୍ୟାନମଗ୍ନ ହେବାରୁ ତାଙ୍କ ନଜରରେ ଅନ୍ୟ କିଛି ପଡ଼ିଲା।
ପ୍ରଥମେ ଯାଉଥିବା ପକ୍ଷୀଟିର ଚଞ୍ଚୁରେ ରୁଟି ଖଣ୍ଡେ ଧରିଥିବା ଦେଖିବାକୁ ପାଇଲେ ସେ। ଏହାକୁ ତା’ଠାରୁ ଛଡ଼େଇ ଆଣିବାକୁ ଅନ୍ୟପକ୍ଷୀମାନେ ତା’ର ପଶ୍ଚାତଧାବନ କରୁଥିବା ଜାଣିପାରିଲେ। ପ୍ରଥମ ପକ୍ଷୀଟି କମ ବୟସ୍କ ଥିବାରୁ ଅପେକ୍ଷାକୃତ ତୀବ୍ର ଗତିରେ ଉଡ଼ୁଥାଏ। ହେଲେ ବେଶୀ ସମୟ ଧରି ସେ ନିଜକୁ ବଞ୍ଚାଇ ପାରିନଥିଲା। ପଶ୍ଚାତ ଧାବନ କରୁଥିବା ପକ୍ଷୀମାନଙ୍କ ବାରମ୍ବାର ଚଞ୍ଚୁ ଆଘାତରେ ଲହୁଲୁହାଣ ହୋଇଯାଇଥିଲା ଓ ତା’ର ଚଞ୍ଚୁରୁ ରୁଟିଟି ଖସିପଡ଼ିଥିଲା। ପିଛା କରୁଥିବା ପକ୍ଷୀମାନଙ୍କ ଭିତରୁ ଗୋଟିଏ ପକ୍ଷୀ ତତ୍‌କ୍ଷଣାତ ତଳକୁ ଖସି ଏହାକୁ ଝାମ୍ପିନେଇ ଚାଲିଯାଇଥିଲା। ଦତ୍ତାତ୍ରେୟ ଏବେ ଦେଖିବାକୁ ପାଇଲେ ପ୍ରଥମ ପକ୍ଷୀଟିର ପିଛା କରୁଥିବା (ରୁଟି ଧରିଥିବା) ପକ୍ଷୀଟିକୁ ଛାଡ଼ି ସବୁ ପକ୍ଷୀ ଦ୍ବିତୀୟପକ୍ଷୀ (ରୁଟିଖଣ୍ଡକ ଧରିଥିବା) ପଛରେ ପଡ଼ିଯାଇ ତାକୁ ଚଞ୍ଚୁରେ ଆଘାତ କରିବାରେ ଲାଗିଛନ୍ତି। ପ୍ରଥମରୁ ରୁଟି ଧରିଥିବା କ୍ଷତାକ୍ତ ପକ୍ଷୀଟି ଏକ ଗଛଡାଳରେ ବସି ବଡ଼ ବିକଳଭାବରେ ତା’ଠାରୁ ଖାଦ୍ୟନେଇ ଉଡ଼ିଯାଉଥିବା ପକ୍ଷୀ ଆଡ଼କୁ ଅନେଇଛି।
ଦତ୍ତାତ୍ରେୟ ଏବେ ଦୁଇହାତ ଯୋଡ଼ି ପକ୍ଷୀ ଉଦ୍ଦେଶ୍ୟରେ କହିଲେ ହେ ପକ୍ଷୀ ! ଆଜିଠାରୁ ତୁ ମୋର ଗୁରୁ ହେଲୁ। ମୁଁ ଆଜି ତୋଠାରୁ ଏଇ ଶିକ୍ଷା ଲାଭ କଲି ଯେ ଯେଉଁ ବସ୍ତୁ ଦ୍ରବ୍ୟ ଉପରେ ଅଧିକରୁ ଅଧିକ ଲୋକ ଅଧିକାର ସାବ୍ୟସ୍ତ କରିବାକୁ ବାହାରିଥା’ନ୍ତି ତାହା ପରିତ୍ୟାଗ କରିବା ନିହାତି ଉଚିତ, ଅନ୍ୟଥା ସେହି ବସ୍ତୁ ପ୍ରାପ୍ତି ତ ଦୂରର କଥା, ଶାରୀରିକ ଯନ୍ତ୍ରଣା, ମୃତ୍ୟୁବତ୍‌ପୀଡ଼ା ଭୋଗିବା ସାର ହୁଏ।

Leave A Reply