ଅନିର୍ବାଣ

ଧରଣୀଧର ପାଣିଗ୍ରାହୀ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ତିରୋଧାନ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ହେଲା ହେଲାଣି। ତାଙ୍କର ଅମ୍ଳାନ ସ୍ମୃତି ଏବେ ବି ଜନମାନସରେ ଚିର ଭାସ୍ବର ହୋଇ ରହିଛି। ବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଜାତୀୟ ରାଜନୀତି ଦୃଶ୍ୟପଟରେ ଆବିର୍ଭୂତ ହୋଇଥିବା ଆଗ ଧାଡ଼ିର ବହୁ ତୁଙ୍ଗ ନେତାଙ୍କ ମଧ୍ୟରୁ ଆଉ କେହି ଏତେ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହେବାରେ ତାଙ୍କ ସମକକ୍ଷ ହୋଇପାରିନାହାନ୍ତି। ଯଦି ମହାତ୍ମାଗାନ୍ଧୀ ଥିଲେ ଭାରତର ମୁକ୍ତିଦାତା ଓ ଜାତିର ଜନକ, ନେହେରୁ ଥିଲେ ଆଧୁନିକ ଭାରତର ପ୍ରମୁଖ ବିନ୍ଧାଣି। ୧୯୪୨ରେ ମହାତ୍ମା ଗାନ୍ଧୀ ନେହେରୁଙ୍କୁ ‘ଭାରତ ରତ୍ନ’ ବୋଲି ସମ୍ବୋଧନ କରି ତାଙ୍କର ରାଜନୈତିକ ଉତ୍ତରାଧିକାରୀ ରୂପେ ବାଛିଥିଲେ ଏବଂ ପ୍ରକାଶ୍ୟରେ କହିଲେ, ‘ତାଙ୍କ ହାତରେ ଏ ଜାତି ନିରାପଦ ରହିବ।’ ଅନେକ ନେତା ଏପରି ମତାମତକୁ ଗ୍ରହଣ କରି ନପାରି କହିଥିଲେ, ‘ନେହେରୁଙ୍କ ସମାଜବାଦ ଗାନ୍ଧୀଙ୍କ ସ୍ବପ୍ନର ଭାରତର ପରିପନ୍ଥୀ’। ଏହାର ଉତ୍ତରରେ ମହାତ୍ମା କହିଥିଲେ, ‘ବ୍ୟସ୍ତ ହୁଅନାହିଁ, ମୋ ଅନ୍ତେ ସେ ମୋ ଭାଷାରେ କଥାବାର୍ତ୍ତା କରିବେ।’ ତାହାହିଁ ହେଲା। କିନ୍ତୁ ଦେଶର ଶିଳ୍ପାୟନ ସହିତ ଏକ ବଳିଷ୍ଠ ଔଦ୍ୟୋଗିକ, ପ୍ରାବିଧିକ ଓ ବୈଜ୍ଞାନିକ ଭିତ୍ତିଭୂମି ଗଢ଼ି ତୋଳିବାକୁ ବଦ୍ଧପରିକର ହୋଇ ସେଥିରୁ କେବେ ବିଚ୍ୟୁତ ହେଲେ ନାହିଁ। ହେଲେ ବୈଦେଶିକ ନୀତି କ୍ଷେତ୍ରରେ ନେହେରୁଙ୍କ ଶ୍ରେଷ୍ଠତା ଓ ବିଶ୍ବ ରଙ୍ଗମଞ୍ଚରେ ଜ‌େ​ଣ ପ୍ରଖ୍ୟାତ ଅଭିନେତା ରୂପେ ତାଙ୍କର ସୁଖ୍ୟାତି ସତ୍ତ୍ବେ, ଏହି କ୍ଷେତ୍ରରେ ହିଁ ତାଙ୍କର ଚରମ ବିଫଳତା ତାଙ୍କ ଜୀବନର ଏକ ଦୁଃଖଦ ଅଧ୍ୟାୟ ହୋଇ ରହିଗଲା। ତାଙ୍କର ଚୀନା ନୀତି ଭୁଶୁଡ଼ି ପଡ଼ିବା ଫଳରେ, ତାଙ୍କ ଏସୀୟ ଐକ୍ୟର ସ୍ବପ୍ନ ଧୂଳିସାତ ହୋଇଗଲା, ଜାତୀୟ ଆତ୍ମବିଶ୍ବାସ ଭୁଶୁଡ଼ି ପଡ଼ିଲା ଏବଂ ନେହେରୁ ନିଜେ ଭାଙ୍ଗିପଡ଼ିଲେ। ତାଙ୍କ ଜୀବନର ବାକି ଦୁଇବର୍ଷ ଏକ ବିଷାଦମୟ ଗୋଧୂଳି ଲଗ୍ନରେ ପରିଣତ ହେଲା।
କାଶ୍ମୀର ସମସ୍ୟାର ସମାଧାନରେ ନେହେରୁ ପ୍ରଧାନ ‘ପ୍ରତିବନ୍ଧକ’ ବୋଲି ଯେଉଁ ପାକିସ୍ତାନୀମାନେ ଦିନକ ଆଗରୁ ଚିତ୍କାର କରୁଥିଲେ ତାଙ୍କ ମୃତ୍ୟୁ ସମ୍ବାଦରେ ମ୍ରିୟମାଣ ହୋଇ ସେଇମାନଙ୍କ ଆଖିରୁ ଝରିଥିଲା ଅବାରିତ ଅଶ୍ରୁଧାରା ଏବଂ ସମଗ୍ର ପାକିସ୍ତାନରେ ସୃଷ୍ଟି ହୋଇଥିଲା ଏକ ଆବେଗମୟ ଶୋକାକୁଳ ପରିବେଶ। ତାହାହିଁ ନେହେରୁଙ୍କର ସୀମାହୀନ ଅଦ୍ବିତୀୟ ଲୋକପ୍ରିୟତାର ଏକ ଉଜ୍ଜ୍ବଳ ଝଲକ। ଟ୍ରୁମ୍ୟାନଙ୍କ ଶାସନରେ ପରରାଷ୍ଟ୍ର ସଚିବ ଥିବା ଡିନ୍‌ ଆର୍ଟସନ୍‌ ନେହେରୁଙ୍କ ସମ୍ପର୍କରେ କହିଥିଲେ, ‘ଭାରତ ବିଶ୍ବ ପାଇଁ ଏତେ ମହତ୍ତ୍ବପୂର୍ଣ୍ଣ ଏବଂ ନେହେରୁ ଭାରତ ପାଇଁ ଏତେ ମହତ୍ତ୍ବପୂର୍ଣ୍ଣ ଯେ ସେ ଯଦି ନଥାନ୍ତେ- ଭୋଲ୍‌ଟାୟାର୍‌ ଈଶ୍ବରଙ୍କ ସମ୍ପର୍କରେ କହିଥିବାଭଳି- ତାଙ୍କୁ ନିଶ୍ଚିତ ରୂପେ ଉଦ୍ଭାବନ କରିବାକୁ ପଡ଼ିଥାଆନ୍ତା। ଭାରତର ତତ୍କାଳୀନ ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟି ଘୋର ନେହେରୁ ବି​‌େ​‌ଦ୍ବଷୀ ଥିବାବେଳେ ସେହି ଦଳର ଅବିସମ୍ବାଦିତ ତୁଙ୍ଗ ନେତା ଓ ଏକ ନିର୍ବିବାଦୀୟ ଆଲୋକର ବର୍ତ୍ତିକା ପ୍ରଫେସର ହୀରେନ୍‌ ମୁଖାର୍ଜୀ ଲେଖିଥିଲେ ନେହେରୁଙ୍କ ‘ଜୀବନୀ’ ଗ୍ରନ୍ଥ ଏବଂ ତା’ର ନାମକରଣ କରିଥିଲେ ‘ଜେଣ୍ଟଲ କଲୋସସ୍‌’। ତାଙ୍କର ଆଉ ଜଣେ କଠୋର ସମାଲୋଚକ ନୀରଦ ଚୌଧୁରୀ ତାଙ୍କୁ ଭାରତର ‘ଅକାମୀ ଦେବଦୂତ’ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କର ଖ୍ୟାତି, ପ୍ରତିଷ୍ଠା, କର୍ତ୍ତୃତ୍ବ ଓ ଜନପ୍ରିୟତା ସତ୍ତ୍ବେ, ସେ ଆଉ ବେଶି ଆଗକୁ ଯାଇପାରିନଥିଲେ ମଧ୍ୟ ଆଧୁନିକ ଭାରତ ଇତିହାସର ବୈଚିତ୍ର୍ୟମୟ ଦୃଶ୍ୟପଟରେ ସେ ମହାତ୍ମାଙ୍କ କେତେ ପାହୁଣ୍ଡ ପଛରେ ଚାଲୁଥିବେ ସିନା, କିନ୍ତୁ ବାକି ପ୍ରତ୍ୟେକଙ୍କ ଠାରୁ ବହୁତ ଆଗରେ ଥିବେ।
ଜବାହରଲାଲ ନେହେରୁ ବର୍ତ୍ତମାନ ଏକ ସୂ‌‌େର୍ଯ୍ୟାପରାଗ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଏବଂ ତାଙ୍କ ଜ୍ୟୋତିରେ ନିଷ୍ପ୍ରଭତା ଆସିଯାଇଛି। ସେ ଯେ ସରକାରୀ ପୃଷ୍ଠପୋଷକତା ହରାଇଛନ୍ତି ତାହା ସ୍ବାଗତଯୋଗ୍ୟ; କାରଣ ତାହାହିଁ ଏକମାତ୍ର ପନ୍ଥା ଯେଉଁ ବାଟଦେଇ ଗଲେ ଜଣେ ମହାନ୍‌ ନେତା ତାଙ୍କ ନିଜ ଗୋଡ଼ରେ ଠିଆ ହେବାପାଇଁ ସକ୍ଷମ ହୋଇପାରିବେ। ତାଙ୍କ ପରିବାର ଦଳ ଓ ସରକାରର ଏକ ଅଂଶବିଶେଷ ହୋଇ ରହିଆସିଥିବାରୁ ଏପର୍ଯ୍ୟନ୍ତ ତାଙ୍କ ଜୀବନ ଓ କାର୍ଯ୍ୟକଳାପ ଉପରେ ପାଳନ କରାଯାଇଥିବା ଯେ କୌଣସି ଉତ୍ସବକୁ ସନ୍ଦେହ ଚକ୍ଷୁରେ ଦେଖାଯାଇଛି ଏବଂ ନେହେରୁଙ୍କର ପ୍ରକୃତ ପ୍ରଶଂସକଙ୍କୁ ବି ତାଙ୍କ ପାରିଷଦ ରୂପେ ଭୁଲରେ ଚିତ୍ରଣ କରାଯାଇଛି। ସରକାରଙ୍କୁ ନେତୃତ୍ବ ଦେଉଥିବା ନେତାଙ୍କ ପାଖରୁ ଗଣତନ୍ତ୍ର ତିନିଗୋଟି ଗୁଣର ଅଧିକାରୀ ହେବା ଆଶା କରିଥାଏ। ପ୍ରଥମତଃ ବିନମ୍ରତାର ସହ ଜନତାର ସେବା କରିଚାଲିଥିବା ଗୌରବମୟ ରେକର୍ଡ ତାଙ୍କର ରହିଥିବା ଉଚିତ। ଜନତା ଜନାର୍ଦ୍ଦନଙ୍କ ସହିତ ନେହେରୁଙ୍କ ନିରବଚ୍ଛିନ୍ନ ସାକ୍ଷାତକାର ଏବଂ ଜାତିର ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ ତାଙ୍କର ଗଭୀର ସମ୍ବେଦନଶୀଳତା ତାଙ୍କର ସମସାମୟିକ ବିଶ୍ବ ନେତୃବୃନ୍ଦଙ୍କଠାରୁ ତାଙ୍କୁ ଭିନ୍ନଭାବେ ଏକ ସ୍ବତନ୍ତ୍ର ଶ୍ରେଣୀଭୁକ୍ତ କରିରଖିଥିଲା।
ଜଣେ ନେତାଙ୍କର ଦ୍ବିତୀୟ ସଦ୍‌ଗୁଣ ହେଲା, ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନ ପ୍ରତି ପ୍ରତିଶ୍ରୁତିବଦ୍ଧତା। ନେହେରୁ ଯେ ଉତ୍ତୁଙ୍ଗ ବ୍ୟକ୍ତିତ୍ବମାନଙ୍କୁ ଆରୋପ କରାଯାଉଥିବା ଗୁରୁତ୍ବ ଅପେକ୍ଷା ଗଣତନ୍ତ୍ରର ବିଭିନ୍ନ ଅନୁଷ୍ଠାନର ଅପରିହାର୍ଯ୍ୟତା ଉପରେ ଅଧିକ ଗୁରୁତ୍ବ ଆରୋପ କରୁଥିଲେ, ତାହା ତାଙ୍କର ଏକମାତ୍ର ମାପକାଠି ନୁହେଁ; ଗଣତନ୍ତ୍ର ସଫଳ ହେବାକୁ ହେଲେ ଏକ ଟାଣୁଆ ବିରୋଧୀ ଦଳର ଆବଶ୍ୟକତାକୁ ସେ ମଧ୍ୟ ମୁକ୍ତ କଣ୍ଠରେ ସ୍ବୀକାର କରୁଥିଲେ। ତୃତୀୟ ସଦ୍‌ଗୁଣ ହେଲା, ନେତାଙ୍କ ‘ଲିଗାସି’ର ଗୁଣାତ୍ମକ ମାନ।
ନେହେରୁଙ୍କ ଗୋଷ୍ଠୀନିରପେକ୍ଷ ନୀତି ଓ ମିଶ୍ର ଅର୍ଥବ୍ୟବସ୍ଥାରେ ତାଙ୍କର ଦୃଢ଼ ବିଶ୍ବାସ ପ୍ରତି ଆଜିକାଲି ବ୍ୟଙ୍ଗୋକ୍ତି ପ୍ରକାଶ କରିବା ପ୍ରଚଳିତ ରୁଚିସମ୍ମତ ହୋଇଯାଇଛି। କିନ୍ତୁ ସେ ଏହି ନୀତିଗୁଡ଼ିକ ତାଙ୍କ କଳ୍ପନାବିଳାସର ସ୍ମାରକୀ ରୂପେ ରୂପାୟନ କରିନଥିଲେ, ବରଂ ସେ ସମୟରେ ଭାରତର ବାସ୍ତବ ଅବସ୍ଥା ସହିତ ଖାପ ଖାଇଲାଭଳି ପ୍ରଣୟନ କରିଥିଲେ। ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ହୃଦ୍‌ବୋଧ ହୋଇଥିଲେ ଜାତୀୟ ସ୍ବାର୍ଥରକ୍ଷା ଦୃଷ୍ଟିରୁ ତାଙ୍କ ନୀତିଗୁଡ଼ିକୁ ପରିବର୍ତ୍ତନ କରିବା ବା ବାତିଲ କରିଦେବା ପାଇଁ ସେ କେବେ କୁଣ୍ଠାବୋଧ କରିନ’ଥାନ୍ତେ, କାରଣ ତାଙ୍କ ବାସ୍ତବବାଦୀ ଦୃଷ୍ଟିକୋଣ ଥିଲା ତାଙ୍କ ଚରିତ୍ରର ଅନ୍ୟ ଏକ ବୈଶିଷ୍ଟ୍ୟ। ନେହେରୁ ଥିଲେ ଜଣେ ସ୍ବୟଂସମ୍ପୂର୍ଣ୍ଣ ପ୍ରଧାନମନ୍ତ୍ରୀ। ଆଧୁନିକ ଭାରତ ଜନ୍ମ ଦେଇଥିବା ଜବାହରଲାଲ ନେହେରୁ ଥିଲେ ସେହିପରି ଜଣେ ନେତା। ଏକ ଅନିର୍ବାଣ ଦୀପଶିଖା।
ଏନ-୪/୨୮୩, ଆଇଆରସି ଭିଲେଜ, ଭୁବନେଶ୍ବର

Comments
Loading...