ଅଣାୟତ୍ତ ବ୍ୟାଙ୍କ ଠକେଇ

ବ୍ୟାଙ୍କ ସମୂହ ଗୋଟିଏ ଦେଶର ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଆଧାର ଯାହା ଅର୍ଥ ସଂଚୟ ଓ ଲଗାଣ ମାଧ୍ୟମରେ ଅର୍ଥନୀତିକୁ ସଂଚାଳିତ ଏବଂ ସୁଦୃଢ଼ କରିଥାଏ। ଏହା ମଧ୍ୟ ସର୍ବସାଧାରଣଙ୍କ ଜମା ଅର୍ଥର ସୁରକ୍ଷା କରେ। ଦୁର୍ଭାଗ୍ୟର ବିଷୟ ଭାରତର ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କ ସମୂହ ଏବେ ସେମାନଙ୍କର ମୌଳିକ ଦାୟିତ୍ବ ନିର୍ବାହରେ ବିଫଳ ହୋଇଛନ୍ତି ଏବଂ ଜମା ଅର୍ଥର ସୁରକ୍ଷା କରିବା ଅବସ୍ଥାରେ ନାହାନ୍ତି। ଏହା ଫଳରେ ବ୍ୟାଙ୍କ ଉପରୁ ଜମାକାରୀଙ୍କ ଆସ୍ଥା ତୁଟୁଛି। ଭାରତରେ ବ୍ୟାଙ୍କ ଠକେଇର ପ୍ରାବଲ୍ୟ ଏବେ ଉଭୟ ଅର୍ଥନୀତି ଓ ଜମାକାରୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି। ରିଜର୍ଭବ୍ୟାଙ୍କର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ବ୍ୟାଙ୍କ ଠକେଇ ୭୩ଶତାଂଶ ବଢ଼ିଛି। ୨୦୧୮-୧୯ରେ ୬୮୦୦ରୁ ଅଧିକ ବ୍ୟାଙ୍କ ଠକେଇ ଘଟଣା ଘଟିଥିବାବେଳେ ଏଥିରେ ମୋଟ ୭୧,୫୪୨କୋଟି ଟଙ୍କା ଗଫଲତି ହୋଇଛି। ବର୍ଷକ ମଧ୍ୟରେ ଏହି ଠକେଇ ଓ ଜାଲିଆତି ପରିମାଣ ୭୩ଭାଗ ବଢ଼ିଛି ବୋଲି ରିଜର୍ଭବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି। ଏହା ନିଶ୍ଚିତ ଚିନ୍ତାଜନକ ଓ ଆମ ବ୍ୟାଙ୍କ ବ୍ୟବସ୍ଥାର ସୁରକ୍ଷା ପ୍ରତି ଏକ ବଡ଼ ଆହ୍ବାନ।
ଗୋଟିଏ ପଟରେ ବ୍ୟାଙ୍କ ଠକେଇ ଓ ଜାଲିିଆତି ବଢ଼ୁଥିବାବେଳେ ଏହାକୁ ରୋକିବା ପାଇଁ ସରକାର ଓ ବ୍ୟାଙ୍କସ୍ତରରେ ସେଭଳି ତତ୍ପରତା ନାହିଁ। ଯେଉଁ ପଦକ୍ଷେପମାନ ଗ୍ରହଣ କରାଯାଉଛି ତାହା ସଫଳ ହେଉନଥିବା ଜଣାପଡ଼ୁଛି। ତା’ନହେଲେ ଏଇ ଠକେଇ ବଢ଼ନ୍ତା ନାହିଁ। କ୍ଷତିଗ୍ରସ୍ତବ୍ୟାଙ୍କଗୁଡ଼ିକୁ ସରକାର ପୁନଃ ଅର୍ଥଲଗାଣ ବ୍ୟବସ୍ଥାରେ ରାଜକୋଷରୁ ଶହଶହ କୋଟିଟଙ୍କା ବିନା ଦ୍ବିଧାରେ ପ୍ରଦାନ କରୁଛନ୍ତି। ଏହି ଅର୍ଥ ଦେବାବେଳେ ସରକାର ବାହାଦୁର ଗରିବ ଜନତାଙ୍କ କଷ୍ଟଲବ୍ଧ ଟିକସ କିପରି ବିନିଯୋଗ ହେଉଛି ସେଥିପ୍ରତି ଏକପ୍ରକାର ଆଖି ବୁଜି ଦେଉଛନ୍ତି; କିନ୍ତୁ ଯେଉଁ ମହତ୍‌ ଉଦ୍ଦେଶ୍ୟରେ ଏହି ଅର୍ଥ ବ୍ୟାଙ୍କମାନଙ୍କୁ ଦିଆଯାଉଛି ତାହାର ସୁରକ୍ଷା ଓ ସୁୁବିନିଯୋଗ ପ୍ରତି ଧ୍ୟାନ ଦିଆଯାଉନାହିଁ। ଏ କିପରି ନ୍ୟାୟ?
ଅର୍ଥନୀତି ବଢ଼ିଲେ ଅର୍ଥ ପ୍ରସାର ବଢ଼େ ଏବଂ ବ୍ୟାଙ୍କ ବ୍ୟବସ୍ଥାର ସଂପ୍ରସାରଣ ଘଟେ। ତେବେ ଏ କ୍ଷେତ୍ରରେ ଯେଉଁ ସୁରକ୍ଷିତ ବ୍ୟବସ୍ଥା ରହିବା କଥା ଭାରତରେ ତାହାର ବିଶେଷ ଅଭାବ ପରିଲକ୍ଷିତ ହେଉଛି। ବଡ଼ବଡ଼ ବ୍ୟବସାୟୀ, ଶିଳ୍ପପତି ବ୍ୟାଙ୍କରୁ ବିପୁୁଳ ଋଣନେଇ ନ’ଶୁଝିବା, ଋଣ ପ୍ରଦାନରେ ସରକାରୀ ଓ ରାଜନୈତିକ ହସ୍ତକ୍ଷେପ ତଥା ଚାପ ଏବଂ କର୍ମଚାରୀଙ୍କ ସଲାସୁତୁରା ବ୍ୟାଙ୍କ ଠକେଇର ଅନ୍ୟତମ ପ୍ରମୁଖ କାରଣ। ଏହାକୁ ରୋକିବାକୁ ବ୍ୟାଙ୍କ ସମୂହର ଯେଉଁ ଆଭ୍ୟନ୍ତରୀଣ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ବ୍ୟବସ୍ଥା ଅଛି ତାହା ମଧ୍ୟ ବିଶେଷ ଫଳପ୍ରଦ ହେଉନାହିଁ। ଏହା ନ’ହେବାର କାରଣ କ’ଣ? ବୋଧହୁଏ ସରକାର ଓ ଆମ ବ୍ୟାଙ୍କ ନିୟନ୍ତ୍ରଣ ବ୍ୟବସ୍ଥା ଏ କ୍ଷେତ୍ରରେ ବିଫଳ ହୋଇଛି। ଏମିତି ଯଦି ଚାଲିବ ଜମାକାରୀଙ୍କ ଆସ୍ଥା ଓ ବିଶ୍ବାସ ବ୍ୟାଙ୍କ ସମୂହ ଉପରୁ ସମ୍ପୂର୍ଣ୍ଣ ତୁଟିଯିବ ଏବଂ ଭାରତ କ୍ରମଶଃ ଏକ ଖଣ୍ଟଙ୍କ ସାଧାରଣତନ୍ତ୍ରରେ ପରିଣତ ହେବ। ଆର୍ଥିକ ଶୃଙ୍ଖଳା ଓ ଜମାଅର୍ଥର ସୁରକ୍ଷା ପ୍ରତି ତୀକ୍ଷ୍‌ଣ ନଜର ରଖିବା ଏକ ସମୃଦ୍ଧ ରାଷ୍ଟ୍ରରେ ପ୍ରଥମ ଦାୟିତ୍ବ। ଆମ ବିଚାରରେ ଭାରତ ସରକାର ଏ ଦିଗଟିକୁ ବୋଧହୁଏ ଜାଣିଶୁଣି ଭୁଲିଯାଇଛନ୍ତି କିମ୍ବା ଉପାୟଶୂନ୍ୟ ଭାବେ ଏହାକୁ ବରଦାସ୍ତ କରୁଛନ୍ତି। ନୂଆ ଅର୍ଥମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କିଛି ଠୋସ୍‌ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments
Loading...