ଅଜ୍ଞାତ ଶତ୍ରୁ, ନୂଆ ଆକ୍ରମଣର ଭୟ

ଏଇ ବର୍ଷ ଫେବୃଆରୀ ଆରମ୍ଭରେ ଆଣ୍ଟାର୍କଟିକାର ଏକ ଅଞ୍ଚଳରେ ତାପମାତ୍ରା ୬୫ ଡିଗ୍ରୀ ଫାରେନ୍‌ହିଟ୍ ଛୁଇଁଥିଲା। ଚିନ୍ତା କରନ୍ତୁ, ବରଫର ମୁଲକରେ ଗ୍ରୀଷ୍ମର ରାଜତ୍ବ! ଆଉ ସେତେବେଳେ ନ୍ୟୁୟର୍କର ତାପମାତ୍ରା ଥିଲା ତା’ଠୁ କମ୍‌! ବିଶ୍ବ ଉତ୍ତପ୍ତୀକରଣ ଯୋଗୁଁ ଆଣ୍ଟାର୍କଟିକାରେ ତାପମାତ୍ରା ବୃଦ୍ଧି ଯଦିଓ ଅସ୍ବାଭାବିକ ନୁହେଁ ବୋଲି ଆମେ ଧରିନେଇଛୁ, ତଥାପି ପରିସ୍ଥିତି କ୍ରମଶଃ ବିିଗିଡ଼ିବାରେ ଲାଗିଛି। ଫେବୃଆରୀ ୨ୟ ସପ୍ତାହରେ ଆଣ୍ଟାର୍କଟିକାର ଅନ୍ୟ ଏକ ଇଲାକାରେ ତାପମାନ ୬୯ଡିଗ୍ରୀ ଫାରେନ୍‌ହିଟ୍‌ରେ ପହଞ୍ଚିଥିଲା। (ଦିଲ୍ଲୀଠୁ ଅଧିକ) ଠିକ୍‌ ତା ପରଦିନ ପାଇନ୍‌ ଆଇଲ୍ୟାଣ୍ଡ ହିମବାହର ୧୩୦ ବର୍ଗ ମାଇଲ ପରିମିତ ଏକ ପ୍ରାଚୀନ ବରଫ ଚଟାଣ ଧସି ପଡ଼ିଥିଲା। ପ୍ରବନ୍ଧ ଲେଖା ହେବାବେଳକୁ କରୋନା ସଂକ୍ରମଣ (ସିଓଭିଆଡ଼ି-୧୯) ନିୟନ୍ତ୍ରିତ ସ୍ଥିତିକୁ ଅବଶ୍ୟ ଆସିନାହିଁ, କିନ୍ତୁ ଗବେଷକମାନେ ସତର୍କବାଣୀ ଶୁଣେଇ ସାରିଛନ୍ତି ଯେ ଉଭୟ ମେରୁରେ ତୁଷାର ହାନି ଜୋର୍‌ ଧରିଥିବାରୁ ଏବଂ ମେରୁ ସମେତ ଅନ୍ୟାନ୍ୟ ଅଞ୍ଚଳରେ ହିମବାହ ତରଳିବା ଅବ୍ୟାହତ ରହିବାରୁ ଆଗକୁ ଏହା କେବଳ ସମୁଦ୍ରପତ୍ତନ ବୃଦ୍ଧିର କାରଣ ହେବ ନାହିଁ, ବରଂ ଜଳବାୟୁ ପରିବର୍ତ୍ତନଜନିତ ନୂତନ ପରିସ୍ଥିତି (ପ୍ରକୃତରେ ଦୁଃସ୍ଥିତି) ବରଫ ଆସ୍ତରଣ ତଳେ ପୋତି ହୋଇ ରହିଥିବା ପ୍ରାଚୀନ କୀଟାଣୁ (ମାଇକ୍ରୋକ୍‌)ମାନଙ୍କୁ ନବଜନ୍ମ ଦେବ। ଉଲ୍ଲେଖଯୋଗ୍ୟ ଯେ ସର୍ବନିମ୍ନ ଦୁଇବର୍ଷ ସମୟ ମାଟି, ଶିଳାଖଣ୍ଡ ଇତ୍ୟାଦି ଶୂନ୍ୟ ଡିଗ୍ରୀ ସେଲସିୟସ ତାପମାତ୍ରାରେ ବରଫାବୃତ ହୋଇରହିଲେ କ୍ରମଶଃ ଦୃଢ଼ ଚଟାଣରେ ପରିବର୍ତ୍ତିତ ହୁଏ। ମଜବୁତ୍‌ ତୁଷାର/ବରଫର ଏଇ ଆସ୍ତରଣକୁ କୁହାଯାଏ ‘ପର୍‌ମାଫ୍ରଷ୍ଟ’। ବରଫର ଚଟାଣ ତଳେ ଜୈବିକ ସତ୍ତା ମଧ୍ୟ ଜମାଟ ବାନ୍ଧି ରହିଥା’ନ୍ତି। କୀଟାଣୁ ବା ମାଇକ୍ରୋବ୍‌ ଏଥିରୁ ମୁକ୍ତ ନୁହନ୍ତି। ବିଜ୍ଞାନୀଙ୍କ ମତ, ପରମାଫ୍ରଷ୍ଟ ୨ବର୍ଷରୁ ୨୦,୦୦୦ବର୍ଷ ବୟସ୍କ ବା ତତୋଽଧିକ ହୋଇପାରେ। ଚଳିତ ବର୍ଷ ଜାନୁଆରୀରେ ପରମାଫ୍ରଷ୍ଟ ତରଳିବା ଯୋଗୁଁ ଏମିତି କିଛି ଭୂତାଣୁମାନଙ୍କର ସନ୍ଧାନ ମିଳିଛି ଯେଉଁମାନେ ୫୦୦ ବର୍ଷ ପ୍ରାଚୀନ।

ନିକଟରେ ପ୍ରକାଶିତ ଗୋଟିଏ ଗବେଷଣାତ୍ମକ ନିବନ୍ଧ ଦର୍ଶାଇଛି, ତିବ୍ଦତରୁ ସଂଗୃହୀତ କିଛି ଭୂତାଣୁରୁ ପୂର୍ବରୁ ଆବିଷ୍କାର କରାଯାଇ ନଥିଲା। ଆକଳନ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ହିମବାହ ତରଳିବା ଯୋଗୁଁ ସମାନ ଘଟଣା ହୁଏତ ଘଟୁଥାଇପାରେ, ତେବେ ଭୂତାଣୁ/କୀଟାଣୁମାନଙ୍କର ନୂଆ ଡାଟାବେସ୍‌ ଆମ ପାଖରେ ଉପଲବ୍ଧ ନାହିଁ, ଯେଉଁ ଭୂତାଣୁମାନଙ୍କୁ ବରଫ ଚଟାଣ ତରଳିବା ପରେ ଠାବ କରାଯାଉଛି। ହଜାରହଜାର ବର୍ଷ ଧରି ସୁପ୍ତ ଥିବା କୀଟାଣୁ/ ଭୂତାଣୁ ପୁନଃ ପ୍ରକ୍ରିୟାରତ ହେବାପାଇଁ ସବୁବେଳେ ଅନୁକୂଳ ପରିବେଶ ହୁଏତ ପାଇ ନଥାଇ ପାରନ୍ତି, କିନ୍ତୁ ଏମାନଙ୍କର ଏକ କ୍ଷୁଦ୍ର ଭାଗ ଯଦି ତିଷ୍ଠି ରହିବା ପାଇଁ ସକ୍ଷମ ହୋଇଥା’ନ୍ତି, ତେବେ ଜୀବଜଗତ ପାଇଁ ବିପଦ କିଛି କମ୍‌ ନୁହେଁ।

ବୈଜ୍ଞାନିକଙ୍କ ମତାନୁଯାୟୀ: ପରମାଫ୍ରଷ୍ଟ ତରଳିବା ଯୋଗୁଁ ପ୍ରକଟ ହେଉଥିବା ଭୂତାଣୁଙ୍କ ପାଇଁ ଈଷତ ବାଇଗଣୀ (ଅଲଟ୍ରା ଭାଓଲେଟ୍‌) ରଶ୍ମି, ଅମ୍ଳଜାନ ଏବଂ ଉଚ୍ଚ ତାପମାତ୍ରା ପ୍ରତିକୂଳ ସାବ୍ୟସ୍ତ ହୋଇପାରେ। ଅନ୍ୟପକ୍ଷରେ ଅନ୍ଧାର, ହିମ-ଶୀତଳ ଓ ଅମ୍ଳଜାନରହିତ ପରିବେଶରେ ଏମାନେ ବେଶ୍‌ ସୁସ୍ଥ। ଏମିତି ସମ୍ଭବ ଯେ ହଜାରହଜାର ବର୍ଷ ଧରି କିଛି କୀଟାଣୁ ସଂଯୋଗକୁ ଆରାମଦାୟକ ସ୍ଥିତିରେ ଅଛନ୍ତି। ଅର୍ଥାତ୍‌, ଥରେ ପ୍ରକଟ ହେବାପରେ ଏମାନେ ପୁନଃ ପ୍ରକ୍ରିୟାରତ ହେବାପାଇଁ କଷ୍ଟକର ହେବନାହିଁ। ଚିନ୍ତାଜନକ ହେଉଛି ଅଜ୍ଞାତ ଭୂତାଣୁ କ’ଣ ନୂଆ ରୋଗ ସୃଷ୍ଟି କରିବେ ଏବଂ ସେ ସମସ୍ତ ରୋଗ ସହିତ ଝୁଝିବାପାଇଁ ଆମ ପାଖରେ ଆଣ୍ଟିବାୟୋଟିକ୍ସ୍‌ ଅନ୍ୟାନ୍ୟ ଔଷଧ ଉପଚାର ଅଛି ନା ନାହିଁ ସେ ସମ୍ବନ୍ଧରେ ପୂର୍ବାନୁମାନ ଜଟିଳ। ୨୦୧୪ରେ ଜଣେ ବିଶେଷଜ୍ଞ ଉଲ୍ଲେଖ କରିଥିଲେ ଯେ ସାଇବେରିଆ ଅଞ୍ଚଳରୁ ୩୦.୦୦୦ ବର୍ଷ ପ୍ରାଚୀନ ଏକ ଭୂତାଣୁ ଆବିଷ୍କାର ହୋଇଛି ଯାହା ସାଧାରଣ ଭୂତାଣୁଠୁ ଆକାରରେ ଦଶଗୁଣ ବଡ଼ ଅର୍ଥାତ ଜଏଣ୍ଟ ଭାଇରସ୍‌। ୨୫,୦୦୦ରୁ ୨୮,୦୦୦ ବର୍ଷ ପୁରୁଣା ଆଉ ଏକ ଭୂତାଣୁର ସନ୍ଧାନ ମଧ୍ୟ ସାଇବେରିଆରୁ ମିଳିଛି। ସାନା ହେଉଚି, ଉଭୟ ଭୂତାଣୁ ମଣିଷକୁ ସଂକ୍ରମିତ କରିବାର କ୍ଷମତା ରଖନ୍ତି ନାହିଁ।

ପର୍ଯ୍ୟାବରଣବିତ୍‌ଙ୍କ ଭୟ, ଉଭୟ ମେରୁରେ ଜଳବାୟୁ ପରିବର୍ତ୍ତନ କାରଣରୁ ବରଫ କ୍ଷୟର ତୀବ୍ରତା ସମସ୍ୟା ବଢ଼େଇବ। ଉତ୍ତର ଗୋଲାର୍ଦ୍ଧରେ ୨୪ ପ୍ରତିଶତ ବା ୯ ନିୟୁତ ବର୍ଗମାଇଲ ପର୍‌ମାଫ୍ରଷ୍ଟ ଦ୍ବାରା ଆଚ୍ଛାଦିତ। ଯଦି ବିଶ୍ବ ଉତ୍ତପ୍ତୀକରଣକୁ ୨ଡିଗ୍ରୀ ସେଲ୍‌ସିୟସରେ ନିୟନ୍ତ୍ରଣ କରିବା ସମ୍ଭବ ହୁଏ (ଆଶା କ୍ଷୀଣ), ତଥାପି ଆସନ୍ତା ୪୦ ବର୍ଷ ଭିତରେ ଉତ୍ତର ଗୋଲାର୍ଦ୍ଧ ଅନ୍ତତଃ ୩୫ ପ୍ରତିଶତ ତୁଷାର ହରେଇବ ଯାହା ଶତାବ୍ଦୀ ଶେଷ ଆଡ଼କୁ ୮୦ ପ୍ରତିଶତ ଛୁଇଁବ। ଏଣେ ଆଣ୍ଟାର୍କଟିକାରେ ଗତ ୨ ମାସର ବରଫ କ୍ଷୟ ସବୁ ରେକର୍ଡ଼ ଭାଙ୍ଗିସାରିଛି। ଆଇ-ପିସିସି ଦର୍ଶାଇଛି, ୟୁରୋପ, ପୂର୍ବ ଆଫ୍ରିକା ସମେତ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ୨୧୦୦ ମସିହା ଆଡ଼କୁ ବରଫକ୍ଷୟ ୭୫ ପ୍ରତିଶତ ହୋଇସାରିଥିବ। ଅଜଣା ସଂକ୍ରାମକ/ ମହାମାରୀର ଭୟ ଅବଶିଷ୍ଟ ପୃଥିବୀକୁ ଅବସନ୍ନ କରି ରଖିଥିବ। ୨୦୧୬ରେ ଉତ୍ତର-ପୂର୍ବ ରୁଷିଆର ଏକ ଅଞ୍ଚଳରେ ଯେତେବେଳେ ୧୨ ବର୍ଷର ଗୋଟିଏ ପିଲାର ମୃତ୍ୟୁ ହେଲା, ସେତେବେଳେ ଜଣାପଡ଼ିଲା ଏହା ଆନ୍ଥ୍ରାକ୍ସଜନିତ ମୃତ୍ୟୁ। ବହୁବର୍ଷ ଧରି ସେ ଇଲାକାରେ ଆନ୍ଥ୍ରାକ୍ସ ମୃତ୍ୟୁ ଘଟିନଥିଲା। ଅଧ୍ୟୟନ ସ୍ପଷ୍ଟ କଲା, ୭୫ବର୍ଷ ତଳେ ପରମାଫ୍ରଷ୍ଟ ତଳେ ପୋତି ହୋଇ ରହିଥିବା ମଣିଷ ଏବଂ ଜୀବଜନ୍ତୁଙ୍କ ଅବଶେଷ ବରଫ ତରଳିବା କାରଣରୁ ଗୃହପାଳିତ ସଂସ୍ପର୍ଶରେ ଆସିଲା ଏବଂ କ୍ରମେ ଯାଯାବର ଓ ଜନବସତିମାନଙ୍କୁ ସଂକ୍ରମିତ କଲା। ଉଲ୍ଲେଖନୀୟ ଯେ କୌଣସି ଅଞ୍ଚଳରେ ପ୍ରାଚୀନ ବରଫ କ୍ଷୟର ପ୍ରଭାବ ସଂପୂର୍ଣ୍ଣ ସ୍ଥାନୀୟ ନୁହେଁ।

ପାଠକେ, କୀଟାଣୁ ବିଜ୍ଞାନ ଉପରେ ନୂତନ ଗବେଷଣା ଏକଥା ବି ସୂଚେଇ ସାରିଲାଣି। ଆମର ପରିବର୍ତ୍ତିତ, ତଥାକଥିତ ଆଧୁନିକ ଜୀବନଶୈଳୀ, ମାନସିକ ଚାପ ଏବଂ ସଂକ୍ରମଣ ଶରୀରରେ ଠାବ ହୋଇନଥିବା ବା ନିଷ୍କ୍ରିୟ ଥିବା ପ୍ରାଚୀନ ଭୂତାଣୁମାନଙ୍କୁ ପୁନର୍ଜୀବିତ କରିପାରେ। ଅର୍ଥାତ୍‌, ପୁନଃ ସଂସ୍ଥାପନ। ପ୍ରାଣପ୍ରତିଷ୍ଠା! ନୂଆ ଅସୁସ୍ଥତା ଉତ୍ପନ୍ନ କରିପାରେ। ଆଶ୍ଚର୍ୟ୍ୟ ହେଉଛି ଏସବୁ ପ୍ରାଚୀନ ଭୂତାଣୁ ଖାସ୍‌ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରକଟ ହେଉନାହାନ୍ତି ବା ହେବେ ନାହିଁ, କାରଣ ଏମାନେ ଆମ ଭିତରେ ଅଛନ୍ତି, ବାହାରେ ନୁହେଁ। ଏ ସମସ୍ତ ଅନାବିଷ୍କୃତ, ଅଜ୍ଞାତ, ସୂକ୍ଷ୍ମ ଅଥଚ ଘାତକ ଜୀବସତ୍ତା ଆମରି ଜିନ୍‌ରେ ଲୁକ୍କାୟିତ। ସେମାନେ ପ୍ରକୃଷ୍ଟ ପରିସ୍ଥିତିର ଅପେକ୍ଷାରେ ଯାହା ରହିଛନ୍ତି, କିନ୍ତୁ ରୀତିମତ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ଅଛନ୍ତି। ପ୍ରାଥମିକ ଗବେଷଣା ଯଥେଷ୍ଟ ପୂର୍ବରୁ ଏ ବାବଦରେ ଆଲୋକପାତ କରିଥିଲେ ହେଁ ନୂତନ ଅଧ୍ୟୟନ ଦର୍ଶାଇଛି, ଆମ ଡିଏନ୍‌ଏରେ ଲୁଚି ରହିଥିବା ଭୂତାଣୁ ଆମ ଜିନୋମ୍‌ର ପ୍ରାୟ ୮ ପ୍ରତିଶତ। ସରଳ ଅର୍ଥରେ, ଜିନୋମ୍‌ ହେଉଛି ଜିନ୍‌ର ଶୃଙ୍ଖଳା। ଏଇ ଅଜ୍ଞାତ ଭୂତାଣୁମାନଙ୍କ ପ୍ରାଚୀନତା ଦୃଷ୍ଟିରୁ ଏମାନଙ୍କୁ ଫସିଲ ଭାଇରସ ବା ଭୂତାଣୁ ଜୀବାଶ୍ମ କହିହେବ। ଏକଥା ବି ସତ ଯେ ଅଧିକାଂଶ ମଣିଷ ଏମାନଙ୍କ ଘାତକ ଆକ୍ରମଣର ଶିକାର ଜୀବନକାଳ ଭିତରେ ନହୋଇ ପାରନ୍ତି। ତେବେ ସୁପ୍ତ ଜୈବିକ ସତ୍ତାମାନଙ୍କ ପୁନଃ-ଆବିର୍ଭାବକୁ ଆଖି ବୁଜିଦେଇ ହେବନାହିଁ। ବିବର୍ତ୍ତନ ଧାରାରେ ଆମ ଜୀବକୋଷ, ବୃହତ୍ତର ଅର୍ଥରେ ଆମ ଶରୀର ଅଜ୍ଞାତ ଶତ୍ରୁମାନଙ୍କ ସହିତ ନିରନ୍ତର ଯୁଦ୍ଧରତ। ଅଧିକାଂଶ କ୍ଷେତ୍ରରେ ବିଜୟୀ ବି, କିନ୍ତୁ ପରିବର୍ତ୍ତିତ ଜୀବନଧାରା, ପର୍ୟ୍ୟାବରଣର ଭୟଙ୍କର ଅସନ୍ତୁୁଳନ ଦେହଭିତରେ ସବୁ ଓଲଟପାଲଟ କରିଦେବା ଆରମ୍ଭ କରିଦେଇଛି। ଆମର ଅଜ୍ଞାତ ଶତ୍ରୁମାନେ ମଧ୍ୟ ବେଶ୍‌ ପ୍ରାଚୀନ। ଗାଣିତିକ ନିଷ୍କର୍ଷ ଆଧାରରେ ବିବର୍ତ୍ତନ କ୍ରମରେ ଏମାନେ ୪୬୦ ନିୟୁତରୁ ୫୫୦ ନିୟୁତ ବର୍ଷ ପୁରାତନ, ଅର୍ଥାତ୍‌ ଏମାନଙ୍କ ବୟସ ପୃଥିବୀରେ ମେରୁଦଣ୍ଡୀଙ୍କ ବୟସ ସହିତ ସମାନ। ଅନ୍ତତଃ ୧୦୦ ନିୟୁତ ବର୍ଷ ଧରି ଏମାନେ ସ୍ତନ୍ୟପାୟୀଙ୍କୁ ସଂକ୍ରମିତ କରି ଆସୁଛନ୍ତି। କରୋନା ସଂକ୍ରମଣ ସହିତ ଜଳବାୟୁ ପରିବର୍ତ୍ତନର ନିର୍ଦିଷ୍ଟ ସମ୍ପର୍କ ଅଛି ବୋଲି ଏ ପର୍ୟ୍ୟନ୍ତ ପ୍ରମାଣିତ ହୋଇନାହିଁ, ତଥାପି ନୂଆ ଘାତକମାନେ ଆକ୍ରମଣ ପାଇଁ ଆମ ଚାରିପାଖରେ ପ୍ରସ୍ତୁତ ଅଛନ୍ତି। ଆଗକୁ ନୂଆ ବିପଦକୁ ଏଡ଼େଇ ଦିଆଯାଇ ନପାରେ।

ଶୈଳେନ୍ଦ୍ର ଦ୍ବିବେଦୀ

 

Comments
Loading...