ୟୁନିଭର୍ସିଟି ଲ’ କଲେଜ ଅଶାନ୍ତ

0

ଭୁବନେଶ୍ୱର: ନାମଲେଖାରେ ଅନିୟମିତତାକୁ କେନ୍ଦ୍ର କରି ‘ୟୁନିଭର୍ସିଟି ଲ’କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରଛାତ୍ରୀ କଲେଜ ଫାଟକରେ ତାଲାପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍‍କୁ ନାକେଦମ୍‍ ହେବାକୁ ପଡ଼ିଛି।
୨୦୧୮-୧୯ଶିକ୍ଷାବର୍ଷର ଅକ୍ଟୋବର ତୃତୀୟ ସପ୍ତାହ ପରେ ବି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ୟୁନିଭର୍ସିଟି ଲ’ କଲେଜ’ରେ ନାମଲେଖା ସମ୍ପନ୍ନ ହୋଇପାରିନାହିଁ। ପୂଜା ଛୁଟି ଭିତରେ ତରବରିଆ ଭାବେ ନାମଲେଖା ଚାଲିଥିବାରୁ ଛାତ୍ରଛାତ୍ରୀ ଏହାର ପ୍ରତିବାଦ କରିଛନ୍ତି। ନାମଲେଖାରେ ଅନିୟମିତତା ଅଭିଯୋଗ ଆଣି ଛାତ୍ରଛାତ୍ରୀ ଏହାର ପ୍ରତିବାଦରେ ମୁଖ୍ୟଫାଟକରେ ତାଲା ପକାଇ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ପୂଜା ଛୁଟିରେ କଲେଜ କ୍ୟାମ୍ପସ ହଠାତ୍‍ ଅଶାନ୍ତ ହୋଇପଡ଼ିଛି। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ କଲେଜ ସମ୍ମୁଖ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବ୍ୟାହତ ହୋଇଥିଲା। ଘଟଣାସ୍ଥଳରେ ଅଧ୍ୟକ୍ଷ ପ୍ରଫେସର ପ୍ରଣବ କୁମାର ରଣା, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ କଲେଜ ଓ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀ ଏବଂ ପୁଲିସ ପ୍ରଶାସନ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତାଧୀନ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେଠାରେ ୨ପ୍ଲାଟୁନ୍‍ ପୁଲିସ ମୁତୟନ କରାଯାଇଛି।
ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟ ନିୟମାନୁସାରେ ‘ୟୁନିଭର୍ସିଟି ଲ’ କଲେଜ’ରେ ନାମଲେଖା ହେଉନାହିଁ। କଲେଜ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବହୁ ଛାତ୍ରଛାତ୍ରୀ ଚଳିତ ବର୍ଷ ନାମଲେଖାରୁ ବଞ୍ଚିତ ହୋଇଛନ୍ତି। ଅଗଷ୍ଟ ଶେଷସୁଦ୍ଧା ନାମଲେଖାଇବାକୁ ନିୟମ ରହିଥିବାବେଳେ ଅକ୍ଟୋବର ୨୨ରୁ ତରବରିଆ ଭାବେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାମଲେଖାରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଛି। ମେଧାତାଲିକା ଅନୁଯାୟୀ ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।
କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ‘ୟୁନିଭର୍ସିଟି ଲ’ କଲେଜ’ରେ ତିନିବର୍ଷିଆ ଏଲ୍‍ଏଲ୍‍ବି(ଅନର୍ସ) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୨୯ରେ ଅନୁଷ୍ଠିତ ହୋଇଥିଲା। କେତେକ ଆଶାୟୀ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ମୋବାଇଲ୍‍ ଫୋନ୍‍ ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଏଥିପାଇଁ ଏକ ତଦନ୍ତ କମିଟି ଗଠନ ହୋଇଥିଲା। କୁଳପତିଙ୍କ ପରାମର୍ଶକ୍ରମେ ଏହାର ତଦନ୍ତ ପାଇଁ କମିଟି କ୍ରାଇମବ୍ରାଞ୍ଚ ସାଇବର ସେଲ୍‍କୁ ସୁପାରିସ କରାଯାଇଥିଲା। ତଦନ୍ତ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଦଶହରା ଛୁଟି ମଧ୍ୟରେ ନାମଲେଖା ଶେଷ କରିବାକୁ କୁଳପତି ନିର୍ଦେଶ ଦେଇଥିଲେ। ଫଳରେ ଅଭିଜ୍ଞ ଅଧ୍ୟାପକଙ୍କ ଦ୍ୱାରା ତିନିବର୍ଷିଆ ଏଲ୍‍ଏଲ୍‍ବି(ଅନର୍ସ) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାଖାତାର ମୂଲ୍ୟାୟନ ପରେ ମେଧାତାଲିକା ପ୍ରସ୍ତୁତ ହୋଇଛି। ତଦନୁସାରେ ଅକ୍ଟୋବର ୨୨ରୁ ନାମଲେଖା ଚାଲିଛି। ଖାତାଦେଖା କିମ୍ବା ନାମଲେଖାରେ କୌଣସି ଅନିୟମିତତା ହୋଇନାହିଁ। ମନୋନୀତ ଛାତ୍ରଛାତ୍ରୀଙ୍କୁ ଏନ୍‍ଓସି ଏବଂ ସିଏଲ୍‍ସି ଆଣିବାକୁ ଅଧିକ ଦିନ ଦିଆଯାଇଛି। ନାମଲେଖା ପ୍ରକ୍ରିୟା ଆସନ୍ତାକାଲି ସୁଦ୍ଧା ଶେଷ ହେବ ଏବଂ ଅକ୍ଟୋବର ୨୫ରୁ ପାଠପଢ଼ା ଆରମ୍ଭ ହେବ।

Leave A Reply