ହ୍ରାସ ପାଉଛି ଭାରତୀୟଙ୍କ ଆୟୁ !

0

ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଭାରତୀୟଙ୍କ ଆୟୁ ଇତିମଧ୍ୟରେ ଦେଢ଼ ବର୍ଷ ହ୍ରାସ ହୋଇଛି। ବର୍ଦ୍ଧିତ ପ୍ରଦୂଷଣ କାରଣରୁ ଏ ସମସ୍ୟା ଉପୁଜିଥିବାର ପ୍ରକାଶ। ଦିଲ୍ଲୀର ପ୍ରଦୂଷଣ ସ୍ତର ସର୍ବାଧିକ ଥିବାବେଳେ ଲୋକେ ଆଦୌ ସଚେତନ ହେଉନାହାନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ପ୍ରଥମେ ନିଜେ ହିଁ ସଚେତନ ହେବା ଆବଶ୍ୟକ। ନିଜ ଦେଶରେ ରହି ବିଦେଶୀ ଆଦବକାଇଦା ପଛରେ ଧାଇଁବା ସବୁଠୁ ବଡ଼ ମୂର୍ଖାମୀ ବୋଲି ବିଶେଷଜ୍ଞ କହିଛନ୍ତି। ପ୍ରଦୂଷଣରୁ ରକ୍ଷା ପାଇବାକୁ ହେଲେ ଚାରାରୋପଣ ସହ ନିଜ ଘର ବାଲକୋନି ଅବା ଘର ଚାରିପାଖରେ ଥିବା ସ୍ଥାନରେ କୁଣ୍ଡରେ ଗଛ ଲଗାଇବା ମଧ୍ୟ ଦୈନିନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ଏହା ବାଦ୍ ହେଲା ଖାଦ୍ୟପାନୀୟ। ଆମ ପାରମ୍ପରିକ ଦେଶୀ ଘିଅ, ସୋରିଷ ତେଲ, ନଡ଼ିଆ ତେଲକୁ ବାଦ୍‌ ଦେଇ ଅଲିଭ ତେଲ, ରିଫାଇନ୍‌ଡ ସନ୍‌ଫ୍ଲାୱାର ତେଲ ପଛରେ ଲୋଭ କରିବା ମଧ୍ୟ ଆମ ଆୟୁ ହ୍ରାସର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।
ଦିଲ୍ଲୀ ଆସୁଥିବା ସଂଖ୍ୟାଧିକ ପର୍ୟ୍ୟଟକଙ୍କ ମତରେ ସେଠାରେ ପହଞ୍ଚିବା ମାତ୍ରେ ପରିବେଶ ଅସ୍ବସ୍ତିକର ଲାଗିଥାଏ। ନାକରେ ଜ୍ବାଳା ହେବା ସହ କେତେଜଣ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଥଣ୍ଡା, ଛିଙ୍କ ଆରମ୍ଭ ହୁଏ। ମହାନଗରୀ ଲୋକେ ଏବେ ଖାଦ୍ୟପାନୀୟରେ ଦେଶୀ ଫଳ, ପନିପରିବାକୁ ବାଦ୍‌ ଦେଇ ବିଦେଶୀ ଫଳ ଆଭାକାଡୋ, କିୱି, ବ୍ଲୁବେରୀ ଆଦିକୁ ସାମିଲ କଲେଣି। ସମସ୍ତ ବର୍ଗର ଲୋକ ଭଲଭାବେ ବୁଝିବା ଉଚିତ ଯେ ଆମ ଦେଶର ଜଳବାୟୁ ଅନୁସାରେ ଖାଦ୍ୟପାନୀୟ ହେବା ହିଁ ସୁସ୍ଥତାର ପ୍ରତୀକ। ଏଣୁ ନିଜ ଆୟୁ ବଢ଼ାଇବାକୁ ହେଲେ ଏସବୁ ଦିଗ ପ୍ରତି ଯତ୍ନବାନ୍ ହେବା ସହ କାର୍ୟ୍ୟକାରୀ କରିବା ନିତାନ୍ତ ଆବଶ୍ୟକ।

Leave A Reply