ହିନ୍ଦୁତ୍ୱ ଆଡ଼କୁ ଢଳୁଛି କଂଗ୍ରେସ!

0

ନୂଆଦିଲ୍ଲୀ: ଆର୍‍ଏସ୍‍ଏସ୍‍କୁ ସର୍ବଦା ସମାଲୋଚନା କରିଆସୁଥିବା କଂଗ୍ରେସ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ପରେ ନିଜେ ହିନ୍ଦୁତ୍ୱ ଆଡକୁ ଢଳୁଥିବାର ସୂଚନା ଦେଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅତୀତରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ନିଜେ ହିନ୍ଦୁତ୍ୱରେ ବିଶ୍ୱାସ ରଖନ୍ତି ନାହିଁ ବୋଲି ମତ ଦେଇଥିଲେ ମଧ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏହି ରାଜ୍ୟଗୁଡିକରେ ଘନ ଘନ ମନ୍ଦିର ଦର୍ଶନ କରିଥିଲେ। ଏହାର ପରିଣାମ ରାହୁଲ ଏବଂ ତାଙ୍କ ଦଳ କଂଗ୍ରେସ ପାଇଁ ଶୁଭଙ୍କର ହୋଇଛି। ଏହି ତିନି ରାଜ୍ୟରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ ସରକାର ଗଠନ ସୁଯୋଗ ପାଇଛି।
ଏହି ତିନି ରାଜ୍ୟରେ ରାହୁଲ ମୋଟ ୧୦ଟି ମନ୍ଦିର ଦର୍ଶନ କରିଥିଲେ। ସେପ୍ଟେମ୍ବର ୨୮ରେ ଚିତ୍ରକୁଟର କମଳନାଥ ମନ୍ଦିର, ଅକ୍ଟୋବର ୬ରେ ନର୍ମଦାରେ ଆରତୀ, ଅକ୍ଟୋବର ୭ରେ ଭୋପାଳର ବିଶ୍ୱକର୍ମା ମନ୍ଦିର, ଅକ୍ଟୋବର ୧୫ରେ ମା’ପୀତାମ୍ବରୀ ପୀଠ ଓ ଗ୍ୱାଲିୟରର ଗୋପାଳ ମନ୍ଦିର, ଅକ୍ଟୋବର ୧୬ରେ ଗ୍ୱାଲିୟରର ଅଚଳେଶ୍ୱର ମନ୍ଦିର ଏବଂ ଅକ୍ଟୋବର ୨୯ରେ ଉଜ୍ଜଇନ୍‌ର ମହାକାଳ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଥିଲେ। ତାଙ୍କର ଏହି ମନ୍ଦିର ଦର୍ଶନ କାର୍ଯ୍ୟକ୍ରମକୁ ବିଜେପି ପକ୍ଷରୁ ଖୁବ୍‍ ସମାଲୋଚନା କରାଯାଇଥିଲା। ଜବାବରେ ରାହୁଲ ନିଜକୁ ବ୍ରାହ୍ମଣ ଦର୍ଶାଇଥିଲେ। ନିର୍ବାଚନ ସମୟରେ ବିଜେପି ତାଙ୍କ ଗୋତ୍ରକୁ ନେଇ ପ୍ରଶ୍ନ ଉଠାଇବାରୁ ସେ ‘ଦତ୍ତା​‌େ​‌ତ୍ରୟ’ ବୋଲି କହିଥିଲେ।
ରାହୁଲଙ୍କୁ ଏହି ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନାରୁ ସୁଫଳ ମିଳିଛି। ମଧ୍ୟପ୍ରଦେଶର ୫ଟି ମନ୍ଦିର ଦର୍ଶନବେଳେ ରାହୁଲ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ। ଏଥିମଧ୍ୟରୁ ୧୩ଟିରେ କଂଗ୍ରେସ ଜିତିଛି। ସେହିଭଳି ରାଜସ୍ଥାନରେ ସେ ମାତ୍ର ତିନିଟି ମନ୍ଦିର ଦର୍ଶନବେଳେ ୨୮ ଆସନ ପାଇଁ ପ୍ରଚାର କରିଥିଲେ। ଏଥିମଧ୍ୟରୁ ୧୨ଟିରେ କଂଗ୍ରେସ ବିଜୟଲାଭ କରିଛି। ଛତିଶଗଡ଼ରେ ରାହୁଲଙ୍କର ମାତ୍ର ଦୁଇଟି ମନ୍ଦିର ଦର୍ଶନ ଦ୍ୱାରା କଂଗ୍ରେସ ୧୦ ଆସନରେ ଜୟଲାଭ କରିପାରିଛି।
ରାହୁଲ ହିନ୍ଦୁ ନୁହନ୍ତି ବୋଲି କେତେକ ଦକ୍ଷିଣପନ୍ଥୀ ସଂଗଠନ ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର କରିଥିଲେ। ରାହୁଲଙ୍କ ହିନ୍ଦୁତ୍ୱ ବିରୋଧୀ ଭାବମୂର୍ତ୍ତି ୨୦୧୪ରେ କଂଗ୍ରେସର ପରାଜୟର କାରଣ ଥିଲା; ଏଣୁ ବିଭିନ୍ନ ମନ୍ଦିର ଗସ୍ତ କରି ନିଜର ଏହି ଭାବମୂର୍ତ୍ତି ପରିବର୍ତ୍ତନ କରିବାକୁ ରାହୁଲ ସ୍ଥିର କରିଥିଲେ। ଏଥିସହ ମଧ୍ୟପ୍ରଦେଶରେ କଂଗ୍ରେସର ନିର୍ବାଚନୀ ଇସ୍ତହାରରେ ଗାଈ ଏବଂ ଗୋଶାଳାକୁ ସ୍ଥାନ ଦିଆଯାଇଥିଲା। ନିର୍ବାଚନ ପ୍ରଚାରବେଳେ ରାହୁଲ ନିଜକୁ ‘ପୂଜାରୀ ବ୍ରାହ୍ମଣ’ ବୋଲି ଦର୍ଶାଇଥିଲେ। ‘ହିନ୍ଦୁ ହେବାର ଅର୍ଥ ଅନ୍ୟ କାହାରିକୁ ଘୃଣା କରିବା ନୁହେଁ’ ବୋଲି ବାରମ୍ବାର କହି ସେ ବିଜେପିକୁ କଠୋର ହିନ୍ଦୁବାଦୀ ଭାବମୂର୍ତ୍ତି ମଧ୍ୟରେ କଏଦ କରିଦେଇଥିଲେ। ସବୁବେଳେ ଭାରତୀୟ ଜୀବନ ଦର୍ଶନର ଦ୍ୱାହି ଦେଇ ରାହୁଲ ‘ନମ୍ର ହିନ୍ଦୁତ୍ୱ’ର ପ୍ରଚାର କରିଥିଲେ। ତାଙ୍କ ବ୍ୟତୀତ କମଳନାଥ, ଦିଗବିଜୟ ସିଂହ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ମନ୍ଦିର ଦର୍ଶନ ପୂର୍ବକ ଦଳର ହିନ୍ଦୁତ୍ୱ ବିରୋଧୀ ଭାବମୂର୍ତ୍ତି ସୁଧାରିବାର ପ୍ରୟାସ କରିଥିଲେ।
ରାହୁଲଙ୍କ ‘ନମ୍ର ହିନ୍ଦୁତ୍ୱ’ର ଏହି ଧାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ଗୁଜରାଟରୁ ଆରମ୍ଭ ହୋଇଥିଲା। ଗତବର୍ଷ ଗୁଜରାଟ ବିଧାନସଭା ନିର୍ବାଚନବେଳେ ସେ ରାଜ୍ୟର ପ୍ରାୟ ୨୮ଟି ମନ୍ଦିର ଦର୍ଶନ କରିଥିଲେ। ନିଜକୁ ଶିବଭକ୍ତ ଦର୍ଶାଇବା ସହିତ ରାହୁଲ ଦେଶବାସୀଙ୍କ ସମ୍ମୁଖରେ ନିଜ ଜାତି ଓ ଗୋତ୍ର ପ୍ରକାଶ କରିଥିଲେ। ସୋମନାଥ ମନ୍ଦିର ଗସ୍ତକୁ ନେଇ ବିବାଦ ଉପୁଜିବାରୁ ଦଳ ପକ୍ଷରୁ ତାଙ୍କର ଫଟୋଚିତ୍ର ଜାରି କରାଯାଇଥିଲା। କର୍ଣ୍ଣାଟକରେ ମଧ୍ୟ କଂଗ୍ରେସ ପକ୍ଷରୁ ମନ୍ଦିର ଦର୍ଶନ ଯାତ୍ରା କରାଯାଇଥିଲା। ଏତଦ୍‌ବ୍ୟତୀତ ରାହୁଲ କୈଳାସ ମାନସରୋବର ଯାତ୍ରା କରିଥିଲେ। ଏହାକୁ ନେଇ ଅନେକ ପରିହାସ କରିବା ସହ ସେ ପ୍ରସାର କରିଥିବା ଫଟୋ ମିଛ ବୋଲି କହିବାକୁ ପଛାଇ ନ ଥିଲେ। ରାହୁଲ କିନ୍ତୁ ଏହି ଅପପ୍ରଚାରରୁ ବେଶ୍‌ ଫାଇଦା ଉଠାଇଥିଲେ। ଏ ସବୁଥିରୁ ଦଳକୁ ଏଥିରୁ ସୁଫଳ ମିଳିଥିଲା। ଏହା ଲକ୍ଷ୍ୟ କରିବା ପରେ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ହିନ୍ଦୁତ୍ବ କାର୍ଡ ଖେଳିବ ବୋଲି ସ୍ଥିର କରିଛି ଓ ଏହି ଯୋଜନାରେ ଅଗ୍ରସର ହେଉଛି। କଣ୍ଟାକୁ କଣ୍ଟାରେ କାଢ଼ିବା ନ୍ୟାୟରେ ‘୨୦୧୯ ନିର୍ବାଚନ, ଶେଷ ହେବ ବିଜେପି ଶାସନ’ ଅଭିମୁଖ୍ୟ ନେଇ ଆଗେଇ ଚାଲିଥିବା କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନ ଜିତି ପୁନଃ କ୍ଷମତାକୁ ଫେରିବା ନିମନ୍ତେ ହିନ୍ଦୁତ୍ୱ ଆଡକୁ ସମ୍ପୂର୍ଣ୍ଣ ଢ଼ଳିବାର ସମ୍ଭାବନା ରହିଛି।

Leave A Reply