ହନୁମାନ ଥିଲେ ‘ଜାଠ୍‌’ : ଉତ୍ତରପ୍ରଦେଶ ଧାର୍ମିକ ବ୍ୟାପାର ମନ୍ତ୍ରୀଙ୍କ ମନ୍ତବ୍ୟ

0

ଲକ୍ଷ୍ନୌ : ରାମଭକ୍ତ ହନୁମାନଙ୍କ ଜାତି-ଗୋତ୍ରକୁ ନେଇ ବିତର୍କ ଥମିବାର ନାହିଁ। ପ୍ରଥମେ ହନୁମାନଙ୍କୁ ଦଳିତ- ଆଦିବାସୀ, ପରେ ମୁସଲମାନ ବୋଲି ଅଭିହିତ କରାଯିବା ସହ ତାଙ୍କର ଗୋତ୍ରକୁ ନେଇ ବିବାଦ ହୋଇଥିଲା। ଶୁକ୍ରବାର ଉତ୍ତରପ୍ରଦେଶର ଧାର୍ମିକ ବ୍ୟାପାର ବିଭାଗ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ ହନୁମାନଙ୍କୁ ନୂଆ ପରିଚୟ ଦେଇଛନ୍ତି। ହନୁମାନ ‘ଜାଠ୍‌’ ଥିଲେ ବୋଲି ଚୌଧୁରୀ କହିଛନ୍ତି। ହନୁମାନଙ୍କର ବୁନିଆଦି ଓ ବ୍ୟବହାର; ବିଶେଷ ଭାବେ ତାଙ୍କର ଲମ୍ପକୁ ନେଇ ସେ ନିଜ ମନ୍ତବ୍ୟକୁ ସାବ୍ୟସ୍ତ କରିବା ଉଦ୍ୟମ କରିଛନ୍ତି। ଜାଠ୍‌ମାନେ ଯେମିତି ବାସ୍ତବ କଥା ନ ବୁଝି ଡିଆଁଡେଇଁ କରନ୍ତି, ହନୁମାନ ସେଭଳି ଲମ୍ପ ଦିଅନ୍ତି; ତେଣୁ ସେ ଜାଠ୍‌ ବୋଲି ଚୌଧୁରୀ ଦାବି କରିଛନ୍ତି। ବ୍ୟକ୍ତିର ଆଚାର ବ୍ୟବହାରରୁ ତାର ବୁନିଆଦି ସମ୍ପର୍କରେ ଅବଗତ ହୋଇଥାଏ; ପ୍ରତ୍ୟେକ ସନାତନ ଧର୍ମବିଶ୍ବାସୀ ଏହା ଜାଣନ୍ତି। ସେହି ଅନୁସାରେ ହନୁମାନ ଓ ଜାଠ୍‌ଙ୍କ ମଧ୍ୟରେ ବଂଶାନୁକ୍ରମିକ ସମ୍ବନ୍ଧ ରହିଥିବା ଚୌଧୁରୀ କହିଛନ୍ତି। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଆଲୋଚନା କରିଥିବା ମଧ୍ୟ କହିଛନ୍ତିି। ଗୁରୁବାର ଉତ୍ତରପ୍ରଦେଶ ବିଧାନ ପରିଷଦର ବିଜେପି ସଦସ୍ୟ ମୁକ୍କଲ ନବାବ ହନୁମାନଙ୍କୁ ମୁସଲମାନ ବୋଲି କହିଥିଲେ। ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ରାଜସ୍ଥାନର ଅଲୱରଠାରେ ନିର୍ବାଚନ ପ୍ରଚାର ସମୟରେ ହନୁମାନଙ୍କୁ ଜଙ୍ଗଲବାସୀ ଦଳିତ ବୋଲି ବର୍ଣ୍ଣନା କରିଥିଲେ।

Leave A Reply