ସେବାଶ୍ରମରେ ଲକ୍ଷାଧିକ ଟଙ୍କାର ଆମ୍ବୁଲାନ୍ସ ପଡି ରହିଥିବା ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ପଛୁଆ ଜିଲା ହୋଇଥିବାବେଳେ ରୋଗୀ ସେବା ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ମେଡିକାଲ କଲେଜ ସହ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି।  କିନ୍ତୁ ସରକାରଙ୍କ ଠାରୁ ଯେଉଁ ସବୁ ସୁବିଧା ଆସୁଛି ତାହା ରୋଗୀଙ୍କ ପାଖରେ ଠିକ ଭାବରେ ପହଞ୍ଚି ପାରୁ  ନଥିବା ଅଭିଯୋଗ ହୋଇଛି  ।

ବଲାଙ୍ଗିର ସିଡିଏମଓଙ୍କ କାର୍ଯ୍ୟାଳୟ ଓ ମେଡିକାଲ ପରିସରରେ ହସପିଟାଲ ପରିସରରେ  କୋଟିଏ ଟଙ୍କାର ଆମ୍ବୁଲାନ୍ସ ପଡି ରହିଥିବା ଦୈନିକ ‘ସମାଜ’ ଖବର କାଗଜରେ ପ୍ରକାଶିତ ହୋଇଥିଲା। ତେବେ ଏହାରି ଭିତରେ ଆମ୍ବୁଲାନ୍ସ ରହସ୍ୟ ଖୋଲିବାରେ ଲାଗିଛି। ଜିଲାକୁ ଆଉ ଏକ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସର ଅବସ୍ଥା ମଧ୍ୟ ସମାନ ଥିବା ଜଣାପଡିଛି। ଏପଟେ ବଲାଙ୍ଗିର ମେଡିକାଲରୁ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ଗରିବ ଲୋକଙ୍କୁ ଆମ୍ବୁଲାନ୍ସ ମିଲୁନଥି ବା ବେଳେ ସେବାଶ୍ରମରେ ଲକ୍ଷାଧିକ ଟଙ୍କାରେ କିଣାଯାଇଥିବା ଆମ୍ବୁଲାନ୍ସ ଖାଲିରେ ପଡି ରହିଥିବା ସୂଚନା ମିଳିଛି  ।

ମିଳିଥିବା ତଥ୍ୟରୁ ପ୍ରକାଶ ଯେ,ପଶ୍ଚିମ ଓଡିଶା ବିକାଶ ପରିଷଦରୁ ବଲାଙ୍ଗିର ଜିଲାକୁ ୩ ଗୋଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ସନ୍ଥ ଭୀମଭୋଇ ମେଡିକାଲ କଲେଜ ସମେତ ପାଟଣାଗଡ ଓ ଟିଟିଲାଗଡକୁ ଗତ ଜାନୁୟାରୀ ୧୦ ତାରିଖ ବଲାଙ୍ଗିର ମୁଖ୍ୟ ଚିକିତ୍ସା ଅଧିକାରୀ ମାଧ୍ୟମରେ ଏହାକୁ ପ୍ରଦାନ କରାଯାଇଥିଲା। ଟିଟିଲାଗଡ ଓ ପାଟଣାଗଡ ଉପଖଣ୍ଡରେ ଆମ୍ବୁଲାନ୍ସ ଲୋକଙ୍କୁ ସେବା ପ୍ରଦାନ କରୁଥିବା ବେଳେ ବଲାଙ୍ଗିରରେ ଆମ୍ବୁଲାନ୍ସ ଗାଏବ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି ।  ଏ ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଧିକାରୀ ଓ କର୍ମଚାରୀମାନେ ଅବଗତ ନଥିବା ବେଳେ ଏହାକୁ ନେଇ ଫାଇଲ ଖୋଜା ଚାଲିଛି। ତେବେ ମିଳିଥିବା ଖବର ଅନୁସାରେ ଗତ ଜାନୁଆରୀ ୨୬ ତାରିଖରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ସାଧାରଣ ନିର୍ବାଚନ ପୂର୍ବରୁ ସାମାଜିକ ଅନୁଷ୍ଠାନ ବଲାଙ୍ଗିର ମାରୱାଡି ଯୁବା ମଞ୍ଚକୁ ରକ୍ଷଣା ବେକ୍ଷଣ ସହ ରୋଗୀଙ୍କୁ ସେବା ଯୋଗାଇଦେବାକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ। କିନ୍ତୁ ବର୍ତ୍ତାମାନ ସୁଦ୍ଧା ଏହା  ରେଜିଷ୍ଟ୍ରେସନ ହୋଇନଥିବା ବେଳେ ପଡିରହିଥିବା ଜଣାପଡିଛି। ଏହି ଆମ୍ବୁଲାନ୍ସର ଅନୁଦାନ ପରିମାଣ ୧୦ଲକ୍ଷ ୪୦ ହଜାର ୯୨୬ ଟଙ୍କା। ଏତେ ମୂଲ୍ୟର ଆମ୍ବୁଲାନ୍ସ ଗଲା କୁଆଡେ ବୋଲି ବିଭିନ୍ନ ମହଳରେ ଚର୍ଚ୍ଚା ଚାଲିଥିବା  ବେଳେ ଏକ ସେବାଶ୍ରମରେ ଖତଖାଉଥିବା ଜଣାପଡିଛି। ଅବ୍ୟବହୃତ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିବା ଫଳରେ ରୋଗୀଙ୍କ ସେବା ଉର୍ଦ୍ଦେଶ୍ୟରେ ଅଣାଯାଇଥିବା ଆମ୍ବୁଲାନ୍ସ କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Comments are closed.