ସୁରତରେ ନବୀନ: ହୃଦରୋଗ ଚିକିତ୍ସାଳୟରେ ଓଡ଼ିଆ ଶିଶୁଙ୍କୁ ଭେଟିଲେ

0

ଭୁବନେଶ୍ୱର,୧୭ା୧୨(ନି.ପ୍ର): ଗୁଜରାଟର କାଶୀନ୍ଦ୍ରରେ ଥିବା ଶ୍ରୀ ସତ୍ୟସାଇ ହୃଦରୋଗ ଚିକିତ୍ସାଳୟରେ ହୃଦରୋଗରେ ପୀଡ଼ିତ ୧୫୦ରୁ ଊର୍ଦ୍ଧ୍ଵ ଓଡ଼ିଆ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ଦିନିକିଆ ସୁରତ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସୋମବାର ଏହି ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଧୀନ ଶିଶୁଙ୍କୁ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ। ଏହି ଅବସରରେ ସେମାନଙ୍କ ମଧ୍ୟରୁ ଆରୋଗ୍ୟ ଲାଭ କରିଥିବା ୩୬ ଜଣ ଓଡ଼ିଆ ଶିଶୁଙ୍କୁ ସେ ସୁସ୍ଥ ହେବା ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି ଚିକିତ୍ସାଳୟ ସହ ପୂର୍ବରୁ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ସେହି ଅନୁଯାୟୀ ହୃଦ୍‌ରୋଗରେ ପୀଡ଼ିତ ଓଡ଼ିଆ ପିଲାଙ୍କ ପାଇଁ ଏଠାରେ ମାଗଣାରେ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବା ବ୍ୟବସ୍ଥା ରହିଛି।
ମୁଖ୍ୟମନ୍ତ୍ରୀ ଅପରାହ୍ଣରେ ଅହମ୍ମଦାବାଦ ବିମାନ ବନ୍ଦରରେ ଅବତରଣ କରି ଶ୍ରୀ ସତ୍ୟସାଇ ହୃଦରୋଗ ଚିକିତ୍ସାଳୟକୁ ଯାଇଥିଲେ। ସନ୍ଧ୍ୟାରେ ସୁରତର ଆମରେଲିଠାରେ ଆୟୋଜିତ ଓଡ଼ିଶା ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଠାରେ ସମବେତ ଲକ୍ଷାଧିକ ଜନସମାବେଶକୁ ସେ ସମ୍ବୋଧିତ କରିଛନ୍ତି। ସୁରତର ସୂତାକଳରେ ଲକ୍ଷାଧିକ ଓଡ଼ିଆ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାରୁ ଏହି ସମାବେଶରେ ଯୋଗ ଦେବା ପାଇଁ ସୂତାକଳ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି।

Leave A Reply