‘ସୁନ୍ଦରୀ’ ପାଇଁ ଲଙ୍କାକାଣ୍ଡ

0

ପୁଣି ମାରି ଖାଇଲା ମଣିଷ

ଅନୁଗୋଳ : ସୁନ୍ଦରୀ ପାଇଁ ପୁଣି ସୃଷ୍ଟି ହୋଇଛି ଲଙ୍କାକାଣ୍ଡ। ସାତକୋଶିଆ ଅଭୟାରଣ୍ୟର ଶୋଭା ବର୍ଦ୍ଧନ ସହିତ ଆଶ୍ରିତ ବନ୍ୟଜନ୍ତୁଙ୍କୁ ଶିକାରୀଙ୍କ କବଳରୁ ସୁରକ୍ଷା ପ୍ରଦାନ ପାଇଁ ଅଭୟାରଣ୍ୟରେ ଛଡ଼ାଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ସାତକୋଶିଆ ବନାଞ୍ଚଳ ଏବଂ ଏହାର ଉପକଣ୍ଠ ଗ୍ରାମବାସୀଙ୍କ ପାଇଁ ଆତଙ୍କର କାରଣ ସାଜିଛି। ମାତ୍ର ୩୯ ଦିନ ପୂର୍ବରୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବା ଜଣେ ବୃଦ୍ଧାଙ୍କୁ ମାରିଦେଇଥିବାବେଳେ ରବିବାର ସକାଳେ ବିଲକୁ କାମ କରିବା ପାଇଁ ଯାଇଥିବା ଜଣେ ବୃଦ୍ଧଙ୍କୁ ମାରି ଖାଇଯାଇଛି। ଏଥିସହିତ ମୃତକଙ୍କ ଫଟୋ ଉଠାଇବାକୁ ଯାଇଥିବା ଜଣେ ସାମ୍ବାଦିକ ଏବଂ ଅନ୍ୟ କେତେକଙ୍କୁ ମଧ୍ୟ ବାଘୁଣୀ ସୁନ୍ଦରୀ ଆକ୍ରମଣ କରି କ୍ଷତାକ୍ତ କରିଛି। ଏହାକୁ ନେଇ ଉତ୍ତ୍ୟକ୍ତ ଜନତାଙ୍କ ରୋଷର ଶିକାର ହୋଇଛନ୍ତି ବନବିଭାଗ କର୍ମଚାରୀ ଓ ପୁଲିସ। ବାଘୁଣୀକୁ ତୁରନ୍ତ ସ୍ଥାନାନ୍ତର କରିବା ସହିତ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବା ସହ ରାସ୍ତାରୋକ କରିଥିବା ଲୋକମାନେ ପରେ ପୁଲିସକୁ ଢେଲାପଥର ମାଡ଼ କରିବା ସହ ରାଜପଥରେ ଯାଉଥିବା ବସ୍ ଓ ଟ୍ରକ୍‌ରେ ନିଆଁ ଲଗାଇଦେଇଛନ୍ତି। ପରିସ୍ଥିତି ସମ୍ଭାଳିବାକୁ ଯାଇ ପୁଲିସ ଲାଠିମାଡ଼ କରିବା ସହ ଗୁଳିଚାଳନା କରିଛନ୍ତି। ଲୋକଙ୍କ ଢେଲାପଥର ମାଡ଼ରେ ଉପଜିଲାପାଳଙ୍କ ସମେତ ୩ ଅଧିକାରୀ, ୫ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ପୁଲିସ ଗୁଳିରେ ୪ଜଣ ଗ୍ରାମବାସୀ ଆହତ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ
ଉତ୍ତ୍ୟକ୍ତ ଲୋକେ ୭ଜଣ ବନକର୍ମଚାରୀଙ୍କୁ ଏକ କୋଠାଘରେ ଅଟକ ରଖିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୪ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି।
ବେକରେ ରେଡିଓକଲାର ବନ୍ଧାଯାଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛଡ଼ାଯାଇଥିବା ବାଘୁଣୀ ‘ସୁନ୍ଦରୀ’ ପୁଣି ରବିବାର ସକାଳେ ଅନୁଗୋଳ ବ୍ଲକ ଅନ୍ତର୍ଗତ ଟାଇଁସି ଗ୍ରାମର ତ୍ରିନାଥ ସାହୁ(୬୫)ଙ୍କୁ ଶିକାର କରିଥିବା ଜଣାଯାଇଛି। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ତ୍ରିନାଥ ବିଲକୁ କାମ କରିବାକୁ ଯାଇଥିବାବେଳେ ବାଘୁଣୀ ନିକଟସ୍ଥ ନାଳ ନିକଟରେ ତାଙ୍କୁ ଅତ୍ୟନ୍ତ ଜଘନ୍ୟ ଭାବେ ମାରି ପକାଇଛି। ତ୍ରିନାଥଙ୍କ ବୀଭତ୍ସ ମୃତଶରୀର ନାଳ ନିକଟରେ ପଡିଥିବାବେଳେ ଏଠାରେ ପହଞ୍ଚିଥିବା ଟିଭି ସାମ୍ବାଦିକ ରଘୁନାଥ ସାହୁଙ୍କୁ ମଧ୍ୟ ବାଘୁଣୀ ଲୁଚି ରହିଥିବା ବୁଦାମୂଳରୁ ଆକ୍ରମଣ କରି ଆହତ କରିଥିଲା। ବାଘୁଣୀ ଆକ୍ରମଣରେ ଅନ୍ୟ କେତେକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ଜଙ୍ଗଲ ବିଭାଗର କେତେକ ବରିଷ୍ଠ ଅଧିକାରୀ ବାଘୁଣୀ ଆକ୍ରମଣରେ ତ୍ରିନାଥଙ୍କର ମୃତ୍ୟୁ ଘଟଣାକୁ ସ୍ୱୀକାର କରୁଥିବାବେଳେ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ଆୟୋଜିତ କ୍ଷତିଗ୍ରସ୍ତ ଓ ବିକ୍ଷୋଭକାରୀଙ୍କ ଆଲୋଚନାରେ ବରିଷ୍ଠ ବନ କର୍ମଚାରୀମାନେ ଭାଗ ନେବାକୁ ସାହସ ଜୁଟାଇ ପାରି ନାହାନ୍ତି। ତ୍ରିନାଥଙ୍କ ବୀଭତ୍ସ ଶରୀରକୁ ୫୫ ନମ୍ବର ଜାତୀୟ ରାଜପଥ ମୁଣ୍ଡାସାହି ନିକଟରେ ରଖି ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିବା ସହ ରାଜ୍ୟ ଜଙ୍ଗଲ ମନ୍ତ୍ରୀ, ଜିଲାପାଳ ଓ ବରିଷ୍ଠ ଜଙ୍ଗଲ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟତଃ ବାଘୁଣୀକୁ ସ୍ଥାନାନ୍ତର, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଭୃତି ଦାବିର ସମାଧାନ ପାଇଁ ଅଡି ବସିଛନ୍ତି।
୭ ଜଣ ବନ କର୍ମଚାରୀଙ୍କୁ କୋଠଘରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଟକ ରଖିଥିବା ଜଣାଯାଇଛି। ପୁଲିସ ଦ୍ୱାରା ଆୟୋଜିତ ସମାଧାନ ବୈଠକ ବିଫଳ ହେବାପରେ ସାତକୋଶିଆ ଅଞ୍ଚଳରେ ବ୍ୟାପକ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଅପରପକ୍ଷରେ ବାଘୁଣୀ ଆତଙ୍କ ଯୋଗୁଁ ସାତକୋଶିଆ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ତାଟିକବାଟ ପଡିଯିବା ସହ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି। ପ୍ରକାଶ ଯେ ଗତ ମାସ ୧୨ ତାରିଖ ଏହି ବାଘୁଣୀ ଆକ୍ରମଣରେ ଟିକରପଡ଼ା ହାତିବାରୀ ଅଞ୍ଚଳର ବୃଦ୍ଧା କୈଳାସୀ ସାଏଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଅଦ୍ୟାବଧି ବନ ବିଭାଗ ଓ ପୁଲିସ ମୃତ୍ୟୁରେ ବାଘୁଣୀର ସଂପୃକ୍ତିକୁ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି। କୈଳାସୀଙ୍କ ମୃତ୍ୟୁର ୩୯ ଦିନ ପରେ ସୁନ୍ଦରୀ ଆକ୍ରମଣରେ ତ୍ରିନାଥଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଓ ପରିବେଶବିତ୍‍ ମହଲରେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୱାଇଲ୍‍ଡ ଲାଇଫ୍‍ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ (ଡବ୍ଲୁଆଇଆଇ) ନିୟନ୍ତ୍ରଣରେ ଏହି ବ୍ୟାଘ୍ର ପ୍ରକଳ୍ପରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ର ବାଘୁଣୀକୁ ଏଠାରେ ବ୍ୟାଘ୍ର ବଂଶ ବୃଦ୍ଧିପାଇଁ ଅବସ୍ଥାପିତ କରାଯାଇଥିବାବେଳେ ତା’ବେକରେ ବନ୍ଧାଯାଇଥିବା ରେଡିଓକଲାର ସହାୟତାରେ ତାର ଗତିବିଧି ନିୟନ୍ତ୍ରଣ ପାଇଁ ବନ ବିଭାଗ ପର୍ୟ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଥିଲା; ମାତ୍ର ଦୁଇ ଦୁଇଟି ମଣିଷ ଶିକାର ଓ ଗାଈଗୋରୁଙ୍କୁ ଶିକାର ପରେ ଏହି ନିୟନ୍ତ୍ରଣ ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ ହୋଇପଡିଥିବା ପରିବେଶବିତ୍‍ ମହଲରେ ଆଲୋଚନା ହେଉଛି। କୈଳାସୀଙ୍କ ମୃତ୍ୟୁ ଘଟଣାରେ ବାଘୁଣୀ ଦୋଷୀ ନୁହେଁ ଏବଂ ଅନୁସନ୍ଧାନ ଜାରି ରହିଛି ବୋଲି ଜଙ୍ଗଲ ମନ୍ତ୍ରୀଙ୍କ ବୟାନ ପରେ ଏଠାରେ ଲୋକମାନଙ୍କ ମଧ୍ୟରେ ବିଶେଷତଃ ସାତକୋଶିଆ ଅଞ୍ଚଳର ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଆଲୋଡନ ସୃଷ୍ଟି ହୋଇଥିଲା। ପୁଲିସ ଚାରି ଚାରିଟି ମୋକଦ୍ଦମା ରୁଜୁ କରି ଜଙ୍ଗଲ ବିଭାଗର ପ୍ରାୟ ୫ କୋଟି ଟଙ୍କା କ୍ଷତି ହୋଇଥିବା ଧ୍ୱଂସଲୀଳା ଘଟଣାରେ ବହୁ ଲୋକଙ୍କ ବିରୋଧରେ ମୋକଦ୍ଦମା ରୁଜୁ ମଧ୍ୟ କରି ସାରିଛି। ତେବେ କୈଳାସୀଙ୍କ ମୃତ୍ୟୁର ଅପାସୋରା ଦୁଃଖ ଲୋକଙ୍କ ହୃଦୟରୁ ଲିଭି ନଥିବାବେଳେ ପୁଣି ବାଘୁଣୀର ବୀଭତ୍ସ ଶିକାର ଘଟଣା ‘କଟା ଘାରେ ଚୂନ’ ସଦୃଶ ହୋଇ ପଡିଛି।
୫୫ ନମ୍ବର ଜାତୀୟ ରାଜପଥର କଞ୍ଜରା ମୁଣ୍ଡାସାହିଠାରେ ପୁଲିସର ଲାଠି ଚାଳନା ପରେ ଉତ୍ତ୍ୟକ୍ତ ଜନତା ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ି ଭଙ୍ଗାରୁଜା କରିବା ସହ ୩ଟି ବସ୍‍ ପୋଡି ଦେଇଛନ୍ତି। ଘଟଣାସ୍ଥଳରେ ଆଇନଶୃଙ୍ଖଳା ବିପର୍ୟ୍ୟୟ ହେବା ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା।


କଞ୍ଜରା ମୁଣ୍ଡାସାହି ଛକଠାରେ ମୃତଦେହ ରଖି ରାସ୍ତାରୋକ କରିଥିବା ଆନ୍ଦୋଳନକାରୀଙ୍କ ପାଖକୁ ବ୍ୟାଘ୍ର ପ୍ରକଳ୍ପର ଫିଲ୍ଡ ଡାଇରେକ୍ଟର ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଦର୍ଶନ ପଣ୍ଡା ଓ ଡିଏଫ୍‍ଓ ଭି. କାର୍ତ୍ତିକେୟ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଦୂରରୁ ଥାଇ ସେମାନଙ୍କ ଉପରକୁ ଢ଼େଲାପଥର ମାଡ଼ କରିଥିଲେ। ପଥର ମାଡ଼ରେ ଉପଜିଲାପାଳ ବାସୁଦେବ ଶତପଥି, ତହସିଲଦାର ବିଚିତ୍ରାନନ୍ଦ ନାଏକ ଓ ମାଜିଷ୍ଟ୍ରେଟ୍‍ ଦାୟୀତ୍ୱରେ ଥିବା ପତିତ ପାବନ ଦେବତା ଏବଂ ଅନୁଗୋଳ ଥାନା ଆଇଆଇସିଙ୍କ ସମେତ ୪ଜଣ କନେଷ୍ଟବଳ ଆହତ ହୋଇଥିବା ଜଣାଯାଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୁଲିସ ଲାଠି ଚାଳନା କରିବା ସହ ଫାଙ୍କା ଗୁଳି ଚାଳନା, ଟିଅର ଗ୍ୟାସ ବ୍ୟବହାର କରିଥିବା ଜଣାଯାଇଛି। ଟାଇଁସି ଗ୍ରାମର ସଚ୍ଚିଦାନନ୍ଦ ପ୍ରଧାନ, ହଟିଆ ପ୍ରଧାନ, କାଠି ଏବଂ ମୌଜା ଗ୍ରାମର ଦେବରାଜ ସାହୁଙ୍କ ଶରୀରରେ ଗୁଳି ବାଜିଥିବା ଅଭିଯୋଗ ହୋଇଛି। ପରେ ଉତ୍ୟକ୍ତ ଗ୍ରାମବାସୀ କଞ୍ଜରା ମୁଣ୍ଡାସାହି ପାଖ ପଞ୍ଚାୟତ ଘର ପଛ ପାଖରେ ଆତ୍ମଗୋପନ କରିଥିଲେ। ଶବକୁ ରାତ୍ରି ପ୍ରାୟ ସାଢ଼େ ୮ଟାରେ ପୁଲିସ, ପ୍ରଶାସନ ପକ୍ଷରୁ ଅନୁଗୋଳ ସଦର ଡ଼ାକ୍ତରଖାନାକୁ ଅଣାଯାଇଛି। ମୃତଦେହ ଉଠିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ଏସ୍‍ପି ମିତ୍ରଭାନୁ ମହାପାତ୍ର ୪ ପ୍ଲାଟୁନ୍‍ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଯଥାସମ୍ଭବ ଆୟତ୍ତ କରିଥିବାବେଳେ ଗ୍ରାମବାସୀଙ୍କ ସହ କରିଥିବା ଆଲୋଚନାରେ ସଫଳ ହୋଇ ପାରି ନଥିବା ଜଣାଯାଇଛି। ଗ୍ରାମବାସୀ ଓ ବିକ୍ଷୋଭକାରୀମାନେ ଡିଏସ୍‍ପି ହରିହର ପାଣିଙ୍କ ପୁଲିସ ଗାଡିକୁ ଟେକା ପଥର ମଧ୍ୟ ମାରିଥିବା ଜଣାପଡିଛି। କ୍ଷେତ୍ର ନିର୍ଦେଶକ ତଥା ଆରସିସିଏଫ୍‍ଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେହେଁ ସେ ଫୋନ୍‌ ଉଠାଉ ନାହାନ୍ତି।

Leave A Reply