ସୁନ୍ଦରୀ ଡ଼ର: ଆଜି ଆସିବେ ଦୁଇ ବିଶେଷଜ୍ଞ

0

ଅନୁଗୋଳ : ସାତକୋଶିଆର ବାଘୁମୁଣ୍ଡା ଅଞ୍ଚଳରେ ଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜିଂ କରିବା ପାଇଁ ଯାଇଥିବା ଟିମ୍‍ ଶୁକ୍ରବାର ମଧ୍ୟ ସଫଳତା ପାଇ ପାରି ନାହିଁ। ମଙ୍ଗଳବାରଠାରୁ ଏହି ଟିମ୍‍ କୁମୁରୀ ଓ ବାଘମୁଣ୍ଡା ଅଞ୍ଚଳରେ ଡ଼େରା ପକାଇ ରହିଥିଲେ ମଧ୍ୟ ଟ୍ରାଙ୍କୁଲାଇଜିଂ କରିପାରୁ ନାହାନ୍ତି। ବୁଧବାର ଥରେ ଚେଷ୍ଟା କରି ଟ୍ରାଙ୍କୁଲାଇଜିଂ କରାଯାଇଥିଲେ ମଧ୍ୟ ବାଘୁଣୀ ଦେହରେ ବାଜି ନଥିଲା। ୮ ଫୁଟ ଦୂରତ୍ୱକୁ ଲମ୍ଫ ମାରି ବାଘୁଣୀ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଅପରପକ୍ଷରେ ଶନିବାର ସନ୍ଧ୍ୟା ସୁଦ୍ଧା ମଧ୍ୟପ୍ରଦେଶର ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ୨ ଜଣ ଟ୍ରାଙ୍କୁଲାଇଜିଂ ଏକ୍ସପର୍ଟ ଆସି ପହଞ୍ଚିବେ ବୋଲି ସାତକୋଶିଆ ଡିଏଫ୍‍ଓ ରାମସ୍ୱାମୀ ପି ପ୍ରକାଶ କରିଛନ୍ତି। ୩ ଦିନ ଛେଳି ବାନ୍ଧି ମଞ୍ଚା କରି
ବିଶେଷଜ୍ଞ ଦଳ ଜଗି ରହିଥିଲେ ମଧ୍ୟ ଧରା ପଡ଼ୁନି ବାଘୁଣୀ। ଶୁକ୍ରବାର ରଣକୌଶଳ ପରିବର୍ତ୍ତନ କରି ଏକ ମଇଁଷିକୁ ବାନ୍ଧି ବନ ବିଭାଗ ଅପେକ୍ଷା କରି ରହିଛି। ବାଘୁଣୀକୁ ଟ୍ରାଙ୍କୁଲାଇଜିଂ କରିବାରେ ଯେତିକି ବିଳମ୍ବ ହେଉଛି ସେତିକି ଗ୍ରାମବାସୀଙ୍କ ମନରେ ସନ୍ଦେହ ଦୃଢ଼ୀଭୂତ ହେଉଛି। ସେମାନେ ବାଘୁଣୀକୁ ଦେଖିଲେ ମଧ୍ୟ ବନ ବିଭାଗ ଟ୍ରାଙ୍କୁଲାଇଜିଂ କରୁନି ବୋଲି ଅଭିଯୋଗ କରୁଛନ୍ତି।
ଘଞ୍ଚ ଜଙ୍ଗଲ ଭିତରେ ବାଘୁଣୀକୁ ଟ୍ରାଙ୍କୁଲାଇଜିଂ କରିହେବ ନାହିଁ ବୋଲି ସ୍ପଷ୍ଟ କରିଛି ବନ ବିଭାଗ। ଖୋଲା ପଡ଼ିଆ କିମ୍ବା ଗାଁ ପାଖ ଅଞ୍ଚଳକୁ ଆସିବା ପରେ ଟ୍ରାଙ୍କୁଲାଇଜିଂ କରାଯିବ।
ଆଜି ବାଘମୁଣ୍ଡା ଗ୍ରାମଠାରୁ ୩ କି.ମି ଦୂରତ୍ୱରେ ଜଙ୍ଗଲ ଭିତରେ ବାଘୁଣୀ ରହିଛି। ଦେଖି ପାରୁଥିଲେ ମଧ୍ୟ ଟ୍ରାଙ୍କୁଲାଇଜିଂ କରିପାରୁ ନାହାନ୍ତି ଟିମ୍‍। ଟିମ୍‍ କାର୍ଯ୍ୟଦକ୍ଷତା ନେଇ ସନ୍ଦେହ ପ୍ରକଟ କରୁଛନ୍ତି ଗ୍ରାମବାସୀ। ବନ ବିଭାଗ ଡ଼େରା ପକାଇ ରହିଥିଲେ ମଧ୍ୟ ଟାଇଁସି, ଜଗନ୍ନାଥପୁରଠାରୁ ଆରମ୍ଭ କରି କୁମୁରୀ, ବାଘମୁଣ୍ଡା, ନୂଅାଁସାହି ଭଳି ୭ରୁ ୮ଟି ମୌଜାର ଲୋକ ଘରୁ ବାହାରିପାରୁ ନାହାନ୍ତି।
ବାଘୁଣୀ ଆକ୍ରମଣରେ ମୃତ ତ୍ରିିନାଥଙ୍କ ଶବ ରଖି ଆନ୍ଦୋଳନ କରିଥିବା ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜରପଡ଼ା ଥାନା ପକ୍ଷରୁ ୧୯ ଜଣଙ୍କୁ କୋର୍ଟ ଚାଲାଣ କରିବା ପରେ ଅସନ୍ତୋଷ ବୃଦ୍ଧି ପାଇଛି। କଂଗ୍ରେସ, ବିଜେପି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାର ପ୍ରଭାବ ଆଜି ଜିଲା ପରିଷଦର ବୈଠକରେ ଦେଖିବାକୁ ମିଳିଥିଲା।

Leave A Reply