ଭାରତ ସହିତ ଯୁଦ୍ଧରୁ ଅନେକ ଶିକ୍ଷା ମିଳିଛି: ପାକ୍‌ ସେନାମୁଖ୍ୟ

0

ନୂଆଦିଲ୍ଲୀ: ପାକ୍‍ ସେନାମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ୍‍ ବଜୱା ଭାରତ ବିରୋଧରେ ବିଷୋଦ୍‍ଗାର କରିଛନ୍ତି। ରାୱଲପିଣ୍ଡିଠାରେ ଅନୁଷ୍ଠିତ ୧୯୬୫ ଯୁଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଇମ୍ରାନଙ୍କ ଉପସ୍ଥିତିରେ ବଜୱା କହିଛନ୍ତି ଯେ ଭାରତ ସହିତ ୧୯୬୫ ଓ ୧୯୭୧ ଯୁଦ୍ଧରୁ ପାକିସ୍ତାନ ଅନେକ ଶିକ୍ଷାଲାଭ କରିଛି। ଏହା ଆମଠାରେ ଉତ୍ସାହ ଭରିଦେଇଛି ଓ ଏଥିଯୋଗୁଁ ଦେଶ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ହୋଇପାରିଛି।  ସୀମାରେ ହେଉଥିବା ରକ୍ତପାତର ପ୍ରତିଶୋଧ ନିଆଯିବ ଏବଂ ଏଥିପାଇଁ ତାଙ୍କ ଦେଶର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ବାଜୱା କହିଛନ୍ତି ଯେ କାଶ୍ମୀରବାସୀଙ୍କୁ ସେମାନଙ୍କ ସ୍ୱାଧୀନତା ଓ ଆତ୍ମନିର୍ଦ୍ଧାରଣ ମାମଲାରେ ପାକିସ୍ତାନର ସମର୍ଥନ ବଜାୟ ରହିବ।

ଅନ୍ୟପଟେ ଯୁଦ୍ଧକୁ ସମ୍ପୂର୍ଣ୍ଣ ବିରୋଧ କରନ୍ତି ବୋଲି ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି। ଏଥିସହ ଅନ୍ୟ ରାଷ୍ଟ୍ରଗୁଡିକ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ତାଙ୍କ ସରକାରଙ୍କ ବିଦେଶ ନୀତି ପର୍ଯ୍ୟାପ୍ତ ବୋଲି ସେ ଦର୍ଶାଇଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ ରାଷ୍ଟ୍ରର ଯୁଦ୍ଧ ପାକିସ୍ତାନ ଲଢ଼ିବ ନାହିଁ। ଆତଙ୍କବାଦ ବିରାଧରେ ପାକିସ୍ତାନ ତୁଲ୍ୟ କେହି ଲଢ଼ୁ ନାହାନ୍ତି ବୋଲି ସେ ଜୋର ଦେଇ କହିଛନ୍ତି।
ପାକିସ୍ତାନ ଉପରେ ଭୟ ଏବଂ ଆତଙ୍କବାଦର ବିପଦ ସବୁବେଳେ ଲାଗି ରହିଛି। ଦେଶର ବାସସ୍ଥାନ, ସ୍କୁଲ, ଧାର୍ମିକପୀଠ, ସରକାରୀ ପ୍ରତିଷ୍ଠାନ ଭଳି ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ ହେଉଛି। ପାକିସ୍ତାନକୁ ଦୁର୍ବଳ କରିବାକୁ ଯୋଜନା ହେଉଛି। ଦେଶ ପ୍ରତି ମନ୍ଦ ନଜର ରଖୁଥିବା ଶକ୍ତିଙ୍କୁ ତାଙ୍କ ସେନା କଡ଼ା ଜବାବ ଦେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave A Reply