ସିରିଜ୍‍ ବୋମା ବିସ୍ଫୋରଣରେ ଭଞ୍ଜନଗର ଥରହର

0

ଭଞ୍ଜନଗର: କିଛିଦିନର ନୀରବତା ପରେ ପୁଣି ଭଞ୍ଜନଗର ସହରରେ ଆତଙ୍କର ବାତାବରଣ ଖେଳିି ଯାଇଛି। ସିରିଜ୍‍ ବୋମା ବିସ୍ଫୋରଣରେ ସହର ଥରି ଉଠିଛି। ସହରର ମେଇନ୍‍ରୋଡ଼ରେ ଥିବା ଏକ୍ସିସ ବ୍ୟାଙ୍କଠାରୁ ଆରମ୍ଭ କରି ବାଉଁଶଲୁଣ୍ଡି ହିରୋ ସୋ’ ରୁମ୍‍ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଏପରି ୫ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା। ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଦ୍ରୁତଗତିରେ ଆସି ଗାଳିଗୁଲଜ କରି ଭିନ୍ନଭିନ୍ନ ସ୍ଥାନରେ ବୋମା ମାଡ଼ କରିଥିଲେ। ବୋମାର ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ମେଇନ୍‍ରୋଡ଼ ଓ ବାଉଁଶଲୁଣ୍ଡି ରାସ୍ତାରେ ଯାତାୟତ କରୁଥିବା ଲୋକେ ସ୍ତବ୍ଧ ହୋଇ ପଡ଼ିଥିଲେ। ଘଟଣା ଚାହୁଁ ଚାହୁଁ ସମଗ୍ର ସହରକୁ ବ୍ୟାପି ଯାଇଥିଲା। ବୋମା ମାଡ଼ରେ ରେବତୀ ହିରୋ ସୋ’ ରୁମ୍‍ର ସମ୍ମୁଖ ଭାଗର କାଚ କବାଟ ଚୁର୍‍ମାର ହୋଇଛି। ଏଥିରେ ଥିବା କର୍ମଚାରୀଙ୍କ ସହ ରାସ୍ତାରେ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଗୁରୁବାର ସନ୍ଧ୍ୟା ୬ଟା ୪୫ ମିନିଟ ସମୟରେ ଏହି ଘଟଣା
ଘଟିଛି। ଠିକ୍‍ ଏହି ସମୟରେ ବିଦ୍ୟୁତ୍‍ ବିଚ୍ଛିନ୍ନ ହୋଇପଡିଥିଲା। ରାସ୍ତାଘାଟ ଅନ୍ଧାର ଯୋଗୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଥିଲା। ଜନଗହଳିପୂର୍ଣ୍ଣ ଅନ୍ଧାରିଆର ସୁଯୋଗ ନେଇ ଦୁର୍ବୃତ୍ତମାନେ ମେଇନ୍‍ରୋଡ଼ ଏକ୍ସିସ ବ୍ୟାଙ୍କ ସମ୍ମୁଖରେ ଗୋଟିଏ, ଜଗନ୍ନାଥ ଯୁଏଲର୍ସ ସମ୍ମୁଖରେ ଗୋଟିଏ, ଲୋହରାଖଣ୍ଡି ପୋଲଠାରେ ଗୋଟିଏ, ବାଉଁଶଲୁଣ୍ଡି ମଦ କାଉଣ୍ଟର ସାମନାରେ ଗୋଟିଏ ଓ ହିରୋ ସୋ’ ରୁମ୍‍ ଉପରକୁ ଲକ୍ଷ୍ୟକରି ବୋମା ଫୋପାଡିଥିଲେ। ମୁହୂର୍ତ୍ତକ ମଧ୍ୟରେ ଏପରି ସିରିଜ୍‍ ବୋମା ବିସ୍ଫୋରଣ ଘଟଣା ସହରବାସୀଙ୍କୁ ଆତଙ୍କିତ କରିପକାଇଥିଲା। ଜଗନ୍ନାଥ ଯୁଏଲର୍ସ ସମ୍ମୁୁଖରେ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ମଦ କାଉଣ୍ଟର ସମ୍ମୁଖରେ ଥିବା ଗୋଟିଏ ବାଇକ୍‍ ଚୁର୍‍ମାର ହୋଇଯାଇଛି। ଏପରି ସିରିଜ୍‍ ବୋମା ବିସ୍ଫୋରଣ ପରେ ପରେ ଜନଗହଳିପୂର୍ଣ୍ଣ ମେଇନ୍‍ରୋଡ଼ରୁ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ବିସ୍ଫୋରଣ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ିଥିଲେ। ଧାଁ-ଦୌଡ଼ ମଧ୍ୟରେ କିଛି ବାଇକ୍‍ ସହ ବାଇକ ଧକ୍କା ହେବାରୁ କେତେଜଣ ପଡିଯାଇ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‍ ଦୁର୍ବୃତ୍ତଙ୍କ ପିଛା କରିଥିଲେ ହେଁ ରାତି ୮ଟା ପର୍ଯ୍ୟନ୍ତ କୌଣସି ଟେର ପାଇନାହାଁନ୍ତି।
ଅପରାଧ ସାମ୍ରାଜ୍ୟର କାରନାମାକୁ ପୁନର୍ବାର ସକ୍ରିୟ କରିବା ନିମନ୍ତେ ଦୁର୍ବୃତ୍ତମାନେ ଏପରି ସିରିଜ୍‍ ବୋମା ବିସ୍ଫୋରଣ ଘଟାଇଥିବାର କୁହାଯାଉଛି। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଦୁର୍ବୃତ୍ତଙ୍କ ଏହା ନିର୍ବାଚନୀ ଆତଙ୍କର ପୂର୍ବ ବାତାବରଣ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ବ୍ୟବସାୟୀଙ୍କୁ ଟାର୍ଗେଟ କରି ରାହାଜାନି ଉଦ୍ଦେଶ୍ୟରେ ଅପରାଧୀମାନେ ସହରରେ ଏପରି ବୋମା ମାଡ଼ କରି ଭୟଭୀତ କରିଥିବାର ସନ୍ଦେହ କରାଯାଇଛି। ପୁଲିସ୍‍ ତଦନ୍ତ ପ୍ରକ୍ରିୟାକୁ ଗତିଶୀଳ କରିଛି। ସିସି ଟିଭିରେ ଉତ୍ତୋଳିତ ଚିତ୍ରକୁ ପୁଲିସ ତନ୍‍ତନ୍‍ ଯାଞ୍ଚ କରିଥିଲେ ହେଁ ବୋମାମାଡ ସମୟ ଅନ୍ଧକାରରେ ବୁଡ଼ି ରହିଥିବାରୁ ଦୁର୍ବୃତ୍ତଙ୍କ ଗତିବିଧି ସ୍ପଷ୍ଟ ରୂପେ ଜଣା ପଡ଼ିନି। ବୋମା ମାଡ଼ରେ ରେବତୀ ହିରୋ ସୋ’ ରୁମ୍‍ର ପ୍ରଥମ ଭାଗ କାଚ କବାଟ ଧ୍ୱଂସ ହେବା ସହ ଅଫିସ୍‍କୁ ବାଡ଼ କରି ରହିଥିବା କାଚଗ୍ଲାସ୍‍ ଭାଙ୍ଗିରୁଜି ଯାଇଥିଲା। ପୁଲିସ୍‍ ଏଠାରୁ ଖଣ୍ଡ ବିଖଣ୍ଡିତ କାଚ ଓ ବିସ୍ଫୋରିତ ସୂତୁଲି ଓ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ କରିଛି। ଦୁର୍ବୃତ୍ତମାନେ ମାତ୍ର ୫ ରୁ ୧୦ ମିନଟ ମଧ୍ୟରେ ସହରରେ ଏପରି ସିରିଜ୍‍ ବୋମାର ଆତଙ୍କ ଚଳାଇ ବାଉଁଶଲୁଣ୍ଡି ବାଇପାସ୍‍ ରାସ୍ତାରେ ଫେରାର୍‍ ହୋଇଯାଇଥିବା ପୁଲିସ୍‍ ସନ୍ଦେହ କରିଛି। ଅପରାଧୀଙ୍କୁ ଅତିଶୀଘ୍ର କାବୁ କରାଯିବ ବୋଲି ଏସ୍‍ଡିପିଓ ଉତ୍କଳ କେଶରୀ ଦାସ ଜଣାଇଛନ୍ତି।
ଗଞ୍ଜାମ ଏବଂ ଭଞ୍ଜନଗର ଅଞ୍ଚଳରେ ଅପରାଧ ସାମ୍ରାଜ୍ୟକୁ ଦୃଢ଼ ହସ୍ତରେ ଦମନ କରିବା ନିମନ୍ତେ ପୁଲିସ୍‍ ପ୍ରଶାସନ ତରଫରୁ ଗୋଟିଏ ପରେ ଗୋଟିଏ ଏପରି ୪୦ ରୁ ଊର୍ଦ୍ଧ୍ବ ଏନ୍‍କାଉଣ୍ଟର ହୋଇଥିଲେ ହେଁ ଅପରାଧୀଙ୍କ ଦ୍ରୌରାତ୍ମ୍ୟ ଥମିବାରେ ନା ଧରୁନି। ନୂତନ ଅପରାଧୀମାନେ ଏବେ ମୁଣ୍ଡ ଟେକିଥିବା ଲକ୍ଷ୍ୟ କରାଯାଇଛି। ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକ ଭଞ୍ଜନଗର ଜେଲ୍‍କାନ୍ଥ ଡେଇଁ ଚମ୍ପଟ ମାରିବା ପରେ ପୁଲିସ୍‍ ଏନ୍‍କାଉଣ୍ଟରରେ ଆହତ ହୋଇ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ପୁନର୍ବାର ଚମ୍ପଟ ମାରି ପୁଲିସ୍‍ ଏନ୍‍କାଉଣ୍ଟରରେ ପ୍ରାଣ ହରାଇଥିଲା। ଏହା ସତ୍ତ୍ବେ ଅପରାଧୀଙ୍କ ସାମ୍ରାଜ୍ୟ ବଳବତ୍ତର ଥିବା ଲକ୍ଷ୍ୟ କରାଯାଇଛି। ଗତ କିଛିମାସ ତଳେ ଏକ୍ସିସ୍‍ ବ୍ୟାଙ୍କ ସମ୍ମୁୁଖରେ ରାତି ପ୍ରାୟ ୧୦ଟା ସମୟରେ ଏପରି ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା।

Leave A Reply