ସିଟ୍‍ ବୃଦ୍ଧି ପାଇଁ ସାମ୍‍ସରେ ଏଣିକି ଅନ୍‍ଲାଇନ୍‍ ଆବେଦନ

0

ଭୁବନେଶ୍ୱର: ରାଜ୍ୟର ଜୁନିୟର କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଷ୍ଟୁଡେଣ୍ଟ ଏକାଡେମିକ୍‍ ମ୍ୟାନେଜ୍‍ମେଣ୍ଟ ସିଷ୍ଟମ(ସାମ୍‍ସ)ଅଧୀନରେ ସିଟ୍‍ ବୃଦ୍ଧି ଓ ହ୍ରାସ ଏବଂ ସ୍ଥାୟୀ ଓ ଅସ୍ଥାୟୀ ଅନୁମତି ପାଇଁ ଏଣିକି ଅନ୍‍ଲାଇନ୍‍ରେ ଆବେଦନ କରିବାକୁ ପଡ଼ିବ। ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ଜୁନିୟର କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଅନ୍‍ଲାଇନ୍‍ ଆବେଦନ ସୂଚନା ସାମ୍‍ସରେ ଉପଲବ୍ଧ ହେଉଛି।
ସିଟ୍‍ ବୃଦ୍ଧି ଓ ହ୍ରାସ ଏବଂ ଅନୁମତି ପାଇଁ ଜୁନିୟର କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସାମ୍‍ସ ୱେବ୍‍ସାଇଟ୍‍ ବ୍ରାଉଜିଂ କରିବା ସହିତ ସାମସ୍‍ ପୋର୍ଟାଲ୍‍ରେ ଅନ୍‍ଲାଇନ୍‍ ଆବେଦନ ନିୟମାବଳୀ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍‍ ବୃଦ୍ଧି କିମ୍ବା ନୂଆ ବିଭାଗ ଖୋଲିବା ପାଇଁ ୩୦୦୦ଟଙ୍କା ଏବଂ ପ୍ରତି ବିଷୟ ଲାଗି ୧୦୦୦ଟଙ୍କା ଦାଖଲ କରିବାକୁ ପଡ଼ିବ। ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍‍ କିମ୍ବା ନୂଆ ବିଭାଗ ଖୋଲିବାକୁ ସ୍ୱୀକୃତି ପାଇଁ ୩୦୦୦ଟଙ୍କା ଓ ପ୍ରତି ବିଷୟ ଲାଗି ୧୦୦୦ଟଙ୍କା ପଇଠ କରିବା ଆବଶ୍ୟକ। କଲେଜଗୁଡ଼ିକ ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ରେ ଆବେଦନ କରିପାରିବେ। ଏ ସଂକ୍ରାନ୍ତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ବେସରକାରୀ, ଅନୁଦାନପ୍ରାପ୍ତ, ସେଲ୍‌ଫଫାଇନ୍‍ସିଂ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।

Leave A Reply