ସିଆରସିସିଙ୍କ ପାଇଁ ନୂଆ ନିର୍ଦେଶାବଳୀ ଜାରି

0

ଭୁବନେଶ୍ୱର: ତୃଣମୂଳ ସ୍ତରରେ ଶିକ୍ଷାଦାନ ପଦ୍ଧତିରେ ଉନ୍ନତି ଆଣିବା ଏବଂ ବିଭିନ୍ନ ଶିକ୍ଷା କାର୍ଯ୍ୟାଳୟ ଓ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ କ୍ଲଷ୍ଟର ରିସୋର୍ସ ସେଣ୍ଟର (ସିଆରସି) ସ୍ଥାପନ କରାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ, ନିରୀକ୍ଷଣ ବ୍ୟବସ୍ଥା ଓ ଆବଶ୍ୟକୀୟ ସହାୟତା ପ୍ରଦାନ ଏହାର ମୂଳ ଉଦ୍ଦେଶ୍ୟ। ତେବେ ସିଆରସିସିଙ୍କ ଭୂମିକା ବିଚାରକୁ ନେଇ ସେମାନଙ୍କ ପାଇଁ ନୂଆ ନିର୍ଦେଶାବଳୀ ଜାରି କରିଛି ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା)। ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ କରାଯାଇଛି।
ହସ୍ତଗତ ସୂଚନା ଅନୁସାରେ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପ୍ରଧାନଶିକ୍ଷକ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚାୟତିରାଜ ସଦସ୍ୟଙ୍କ ସହ ସିଆରସିସି ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରି ପ୍ରତିବର୍ଷ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବେ। ସିଆରସିସି ନିଜ କ୍ଲଷ୍ଟରରେ ଥିବା ସମସ୍ତ ବିଦ୍ୟାଳୟରେ ନିୟମିତ ପାଠ ପଢ଼ା ସୁନିଶ୍ଚିତ କରିବା ସହ ବିଦ୍ୟାଳୟ ଗସ୍ତ କରି ଶିକ୍ଷାଦାନ ପଦ୍ଧତି ଯାଞ୍ଚ କରିବେ। ବିଦ୍ୟାଳୟ ନିରୀକ୍ଷଣ ଆପ୍‍ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥ୍ୟ ଅପଲୋଡ୍‍ କରିବେ ଏବଂ ସିଆରସିସି ଏନେଇ ମତ ଉପସ୍ଥାପନ କରିବେ। ଶିକ୍ଷାଦାନ ପାଇଁ ଯେପରି ଏକ ସୁସ୍ଥ ବାତାବରଣ ରହିବ ତାହା ସୁନିଶ୍ଚିତ କରିବା ଜରୁରୀ।
ଓପେପାର ନିର୍ଦେଶନାମା ଅନୁସାରେ ଶିକ୍ଷକଙ୍କ ସହାୟତା ପାଇଁ ସିଆରସିସି ବିଶେଷଜ୍ଞ କମିଟି ଗଠନ କରିବେ ଏବଂ ଆବଶ୍ୟକସ୍ଥଳେ ସେମାନଙ୍କ ପରାମର୍ଶ ଗ୍ରହଣ କରିବେ। ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ, ବିଦ୍ୟାଳୟସ୍ତରୀୟ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ଜରୁରୀ। ଶିକ୍ଷକଙ୍କ ବୈଠକରେ ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷାବିତ୍‍, ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରି ସେମାନଙ୍କ ପରାମର୍ଶ ଅନୁସାରେ ଶିକ୍ଷାଦାନ ବ୍ୟବସ୍ଥା ତ୍ୱରାନ୍ୱିତ କରାଯିବ। ସେହିପରି ଉତ୍ତମ ଅଭ୍ୟାସକୁ ଶ୍ରେଣୀ ଗୃହରେ ଲାଗୁ ପାଇଁ ସିଆରସିସି ନିଜ କ୍ଲଷ୍ଟର୍‍ର ଶିକ୍ଷକଙ୍କୁ ଉତ୍ସାହିତ କରିବା ଆବଶ୍ୟକ। ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ସିଆରସିସି ଉପସ୍ଥିତ ରହିବା ଜରୁରୀ, ଯଦ୍ଦ୍ୱାରା ଗୁଣାତ୍ମକ ଶିକ୍ଷାଦାନ ପଦ୍ଧତି ତ୍ୱରାନ୍ୱିତ ହୋଇ ପାରିବ। କୌଣସି କ୍ଷେତ୍ରରେ ପ୍ରଧାନ ଶିକ୍ଷକ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି ତେବେ ସେଠାରେ ସିଆରସିସି ହସ୍ତକ୍ଷେପ କରି ସମାଧାନ ପାଇଁ ପଦକ୍ଷେପ ନେଇ ପାରିବେ। ଜାରି ନିର୍ଦେଶାବଳୀରେ କୁହାଯାଇଛି ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ବିଶେଷକରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ଶିକ୍ଷା ଅଧିକାର ଯେପରି ଅକ୍ଷୁଣ୍ଣ ରହେ ତାହା ଦେଖିବା ସିଆରସିସିଙ୍କ ଦାୟିତ୍ୱ। ବିଦ୍ୟାଳୟରେ ନାମ ଲେଖାଇ ନଥିବା ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସିଆରସିସି ସେମାନଙ୍କ ଘର ପର୍ଯ୍ୟନ୍ତ ଯାଇ ଅଭିଭାବକଙ୍କୁ ଶିକ୍ଷା ଅଧିକାର ଏବଂ ଏହାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବେ। ଦୁର୍ବଳ କୋଠା, କୂଅ, ପୋଖରୀ, ବ୍ୟସ୍ତବହୁଳ ରାସ୍ତା, ଜଙ୍ଗଲ ଓ ରୋଷେଇଶାଳା ଠାରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ତାଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ। ପ୍ରାକୃତିକ ଦୁର୍ବିପାକ ସମୟରେ ସିଆରସିସି ନିଜ କ୍ଲଷ୍ଟର୍‍ରେ ଜଣେ ନେତା ଭାବେ କାର୍ଯ୍ୟ କରି ସେମାନଙ୍କୁ ସହାୟତା ପ୍ରଦାନ କରିବେ। ବିଦ୍ୟାଳୟ ଓ ସରକାରଙ୍କ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନରେ ସେ ମୁଖ୍ୟ ସଂଯୋଜକ ଦାୟିତ୍ୱ ନିର୍ବାହ କରିବେ। ମଧ୍ୟାହ୍ନ ଭୋଜନ ସହ ସରକାରୀ କାର୍ଯ୍ୟକ୍ରମ ଏବଂ ଅନ୍ୟ ନିର୍ଦେଶ ପାଳନ ସୁନିଶ୍ଚିତ କରାଇବା ଦାୟିତ୍ୱ ସିଆରସିସିଙ୍କୁ ଦିଆଯାଇଛି। ମାସରେ ଥରେ ସିଆରସିସି କ୍ଲଷ୍ଟର୍‍ରେ ଥିବା ବିଦ୍ୟାଳୟ ଯିବେ। ସକାଳ ୧୦ରୁ ଅପରାହ୍ନ ୨ଟା ମଧ୍ୟରେ ସେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଦିନ ୨ରୁ ୫ଟା ମଧ୍ୟରେ ସିଆରସିସି ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ।

Leave A Reply