ସାତକୋଶିଆରୁ ଉଠିବ ୫ ଗ୍ରାମ

0

ନୂଆଦିଲ୍ଲୀ: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅଞ୍ଚଳରେ ବନ୍ୟଜନ୍ତୁ ଓ ମଣିଷ ଲଢ଼େଇକୁ ଏଡ଼ାଇବା ପାଇଁ ପ୍ରସ୍ତାବିତ ଜନବସତି ବିସ୍ଥାପନ ଯୋଜନାରେ ସ୍ଥାନୀୟ ଜନତାଙ୍କ ବିରୋଧ ମୁଖ୍ୟ ବାଧକ ସାଜିଛି। ଜାତୀୟ ମାନବାଧିକାର ଆୟୋଗଙ୍କୁ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅଞ୍ଚଳରୁ ପାଞ୍ଚଟି ଗ୍ରାମକୁ ହଟାଇବା ପାଇଁ ଯୋଜନା ରହିଛି। ସେଥିମଧ୍ୟରୁ ମହାନଦୀ ବନ୍ୟଜନ୍ତୁ ଡିଭିଜନର ମାରଡ଼ା, କୁଟୁରୀ, ଶାଳପଙ୍ଗଡ଼ା ଓ ମୁସୁଗୁଡ଼ା
ଏବଂ ସାତକୋଶିଆ ବନ୍ୟଜନ୍ତୁ ଡିଭିଜନର ରାଇଗୋଡ଼ା ଗ୍ରାମ ରହିଛି। ପ୍ରଥମ ପର୍ଯ୍ୟାୟରେ ମାରଡ଼ା ଗ୍ରାମର ୫୯ଟି ଓ ରାଇଗୋଡ଼ା ଗ୍ରାମର ୭୮ଟି ପରିବାରକୁ ଘଞ୍ଚ ଜଙ୍ଗଲରୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ କରିବା ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ଉଦ୍ୟମ କରିଥିଲା। ଜଙ୍ଗଲ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୋର୍‍ଦାର ବିରୋଧ ଯୋଗୁଁ ମହାନଦୀ ବନ୍ୟଜନ୍ତୁ ଡିଭିଜନ ଅନ୍ତର୍ଗତ ମାରଡ଼ା ଗ୍ରାମ ବିସ୍ଥାପନର ଅଗ୍ରଗତି ହୋଇପାରୁ ନାହିଁ। ଗ୍ରାମବାସୀଙ୍କୁୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମହାନଦୀ ବନ୍ୟଜନ୍ତୁ ଡିଭିଜନ କର୍ତ୍ତୃପକ୍ଷ ଓ ଅନୁଗୋଳ ଜିଲା ପ୍ରଶାସନ ସ୍ଥାନୀୟ ଅଧିବାସୀଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି। ଖୁବ୍‍ ଶ୍ରୀଘ୍ର ଏ ଦିଗରେ ସଫଳତା ମିଳିବାର ସମ୍ଭାବନା ରହିଛି ବୋଲି ରାଜ୍ୟ ଜଙ୍ଗଲ ବିଭାଗ ଜଣାଇଛି।
ଅପରପକ୍ଷେ ସାତକୋଶିଆ ବନ୍ୟଜନ୍ତ୍‍ୁ ଡିଭିଜନ ଅନ୍ତର୍ଗତ ରାଇଗୋଡ଼ା ଗ୍ରାମ ବିସ୍ଥାପନରେ ରାଜ୍ୟ ଜଙ୍ଗଲ ବିଭାଗ ସଫଳ ହୋଇଛି। ସ୍ୱେଚ୍ଛାକୃତ ପୁନର୍ବାସ ଯୋଜନାରେ ଘଞ୍ଚ ଜଙ୍ଗଲ ଅଞ୍ଚଳ ମଧ୍ୟରୁ ରାଇଗୋଡ଼ାବାସୀଙ୍କୁ ବିସ୍ଥାପିତ କରାଯାଇ ଅନୁଗୋଳ ତହସିଲ ଅନ୍ତର୍ଗତ ନୂଆଖେଟା ଗ୍ରାମ ନିକଟସ୍ଥ ସରୁଆଳିଠାରେ ଥଇଥାନ କରାଯାଇଛି। ପ୍ରାୟ ୧୭ ଏକର ଜମିରେ ନୂଆ ରାଇଗୋଡ଼ା ନାମରେ ଏକ ନୂତନ ଗ୍ରାମ ନିର୍ମାଣ କରାଯାଇ ରାଜ୍ୟ ସରକାରଙ୍କ ତରଫରୁ ବିସ୍ଥାପିତଙ୍କ ପାଇଁ ୭୮ଟି ଅସ୍ଥାୟୀ ବାସଗୃହ ନିର୍ମାଣ, ସଡ଼କ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ଗୋଷ୍ଠୀ ପାଇଖାନା ନିର୍ମାଣ, ସୌର ଆଲୋକ ବ୍ୟବସ୍ଥା, ବିଜୁଳି ବ୍ୟବସ୍ଥା, ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରାଯିବା ସହ ରୋଜଗାର ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ସମସ୍ତ ବାସହରାଙ୍କ ପାଇଁ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ମଞ୍ଜୁର କରାଯିବା ସହ ଜମି ଓ ବାସଗୃହ ହରାଇଥିବା ରାଇଗୋଡ଼ା ଗ୍ରାମବାସୀଙ୍କୁ କ୍ଷତିପୂରଣ ବାବଦକୁ ୭.୮ କୋଟି ଟଙ୍କା ଦିଆଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।
ତେବେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅଞ୍ଚଳର ବିସ୍ଥାପିତଙ୍କୁ ଦିଆଯାଇଥିବା ସମସ୍ତ ସୁବିଧା ଅସ୍ଥାୟୀ ବୋଲି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିଛନ୍ତି। ସାତକୋଶିଆ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ଅବହେଳା କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବ୍ୟାଘ୍ର ଅଭୟାରଣ୍ୟ ଅଞ୍ଚଳ ଛାଡ଼ିବାକୁ ରାଜି ହେଉନାହାନ୍ତି ବୋଲି ପ୍ରତିଜବାବରେ ଦର୍ଶାଇଛନ୍ତି। ରାଜ୍ୟ ଜଙ୍ଗଲ ବିଭାଗର ଦାୟିତ୍ୱହୀନତା ସ୍ଥାନୀୟ ଅଞ୍ଚଳରେ ବାଘ-ମଣିଷ ଲଢ଼େଇର ସମ୍ଭାବନାକୁ ବୃଦ୍ଧି କରୁଛି। ସାତକୋଶିଆ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ବାସଚ୍ୟୁତଙ୍କୁ ତୁରନ୍ତ ବାସଗୃହ, ପାଇଖାନା ଓ ବିଜୁଳି ସଂଯୋଗ ଯୋଗାଇ ଦିଆଯିବା ସହ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ୫୦ ଲକ୍ଷ ଓ ଆହତଙ୍କୁ ପାଞ୍ଚ ଲକ୍ଷ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଆଡଭୋକେଟ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave A Reply