ସହାୟତା ନାଁରେ ବୃଦ୍ଧ ଦମ୍ପତିଙ୍କଠାରୁ ୮ହଜାର ଲୁଟ୍‌

0

କଟକ : ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରରେ ଦଲାଲଙ୍କ ପାଦୁର୍ଭାବ ଦିନକୁ ଦିନ ବଢିଚାଲିଛି। ଦଲାଲଙ୍କ ଉପରେ କେନ୍ଦ୍ର କର୍ତ୍ତୃପକ୍ଷଙ୍କ କୌଣସି କଟକଣା ନାହିଁ। ଦିନ ଦ୍ବିପ୍ରହରରେ କର୍କଟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଦଲାଲମାନେ ଲୁଟି ଚାଲିଛନ୍ତି। ଏଭଳି ଏକ ଘଟଣାକ୍ରମେ ବୃଦ୍ଧ ଦମ୍ପତି ଦଲାଲଙ୍କ ଶିକାର ହୋଇ ଚିକିତ୍ସା ପାଇଁ ରଖିଥିବା ୮ହଜାର ଟଙ୍କା ହରାଇଛନ୍ତି। ଅର୍ଥାଭାବରୁ ବୃଦ୍ଧଜଣଙ୍କ ପରୀକ୍ଷା କରି ନ ପାରିବାରୁ ତାଙ୍କ ଚିକିତ୍ସା ଅଧବାଟରେ ଅଟକିଛି।
ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ଶ୍ରୀରାମପୁର ଅଞ୍ଚଳର ରବି ସାହୁ(୬୫) ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ହେବା ପରେ ତାଙ୍କୁ ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। କର୍କଟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବା ପରେ ଜନୈକ ଡାକ୍ତର ତାଙ୍କୁ ଏଣ୍ଡୋସ୍କୋପି କରିବା ପାଇଁ ପରାମର୍ଶ ଦେଇଥିଲେ। କର୍କଟ କେନ୍ଦ୍ରରେ ଏହି ସୁବିଧା ନଥିବାରୁ ସେ ପତ୍ନୀ ଉଷାଙ୍କୁ ଧରି ଏସ୍‌ସିବିକୁ ଏଣ୍ଡୋସ୍କୋପି କରିବାକୁ ଗତକାଲି ଯାଇଥିଲେ। ଏଣ୍ଡୋସ୍କୋପି କରିବା ପାଇଁ ବାହାରେ ଅପେକ୍ଷା କରି ଥିବାବେଳେ ଏହି ସମୟରେ ଜଣେ ଦଲାଲ ସେଠାରେ ପହଞ୍ଚି ସେମାନଙ୍କୁ ସହାୟତା କରିବା ସକାଶେ କହିଥିଲେ। ବିଜୁ କୃଷକ କଲ୍ୟାଣ କାର୍ଡ ଥିବା ନେଇ ସେ ତାଙ୍କୁ କହିଥିଲେ। ଏଥିସହିତ ରାଜ୍ୟ ସରକାର ଚିକିତ୍ସା ସହାୟତା ୭ଲକ୍ଷ ଟଙ୍କା ଦେଉଥିବା ନେଇ ଦଲାଲଜଣଙ୍କ ରବିଙ୍କୁ କହିଥିଲେ। ୧୦ହଜାର ଟଙ୍କା ଦେଲେ ତୁରନ୍ତ ୩୫ହଜାର ଟଙ୍କା ମିଳିବ ବୋଲି ଦଲାଲ ଜଣଙ୍କ ଏହି ବୃଦ୍ଧ ଦମ୍ପତିଙ୍କୁ କହିଥିଲା। ଦଲାଲ କଥାରେ ଦୁହେଁ ବିଶ୍ବାସ କରିଯାଇଥିଲେ। ତେବେ ସେମାନଙ୍କ ନିକଟରେ ମାତ୍ର ୮ହଜାର ଟଙ୍କା ଥିବା ସେମାନେ ଦଲାଲକୁ କହିଥିଲେ। ୮ହଜାର ଟଙ୍କା ନେବା ପରେ ଆନୁସାଙ୍ଗିକ କାଗଜପତ୍ର ଜେରକ୍ସ କରିବାକୁ କହି ଦଲାଲ ସେଠାରୁ ପଳାଇଥିଲା। ଦୀର୍ଘ ସମୟ ପରେ ଦଲାଲ ଆଉ ମେଡିକାଲକୁ ଆସିନଥିଲା। ଦଲାଲକୁ ଖୋଜି ନ ପାଇବାରୁ ଦୁହେଁ ୱାର୍ଡରେ ପଡିରହିଛନ୍ତି। ଏଣ୍ଡୋସ୍କୋପି ହୋଇପାରୁନଥିବାରୁ ରବିଙ୍କ ଚିକିତ୍ସା ହୋଇପାରୁନାହିଁ। ପାଖରେ ଟଙ୍କା ନଥିବାରୁ ଦୁହେଁ ଅସହାୟ ଅବସ୍ଥାରେ ୱାର୍ଡରେ ପଡିରହିଛନ୍ତି।

Leave A Reply