ସରକାରଙ୍କ ବାଘଖେଳ!

0

ହରିହର ତ୍ରିପାଠୀ

ପ୍ରଖ୍ୟାତ ଗାଳ୍ପିକ ମନୋଜ ଦାସ ତାଙ୍କର ଏକ ଉପନ୍ୟାସରେ ଲେଖିଛନ୍ତି, ବାଘ ମାଂସ ଖାଏନି । ବାଘ ତା’ର ଖାଦ୍ୟ ଖାଏ । ବାଘର ଖାଦ୍ୟ ଯେ ମାଂସ ବା କୌଣସି ଜୀବ, ସେକଥା ସେ ଜାଣେନି । ବାଘ ମଧ୍ୟ ଜାଣେନି ଜୀବହତ୍ୟା କ’ଣ ବୋଲି । ସେ ଦୃଷ୍ଟିରୁ ବନ୍ୟପ୍ରାଣୀମାନଙ୍କ ଉପ​‌େ​‌ର ରୋଷ ପ୍ରକାଶ କରିବାର କୌଣସି ହେତୁ ନାହିଁ । ବର୍ତ୍ତମାନ ଓଡ଼ିଶାରେ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଚାଲିଥିବା ଚର୍ଚ୍ଚା ପରିପ୍ରେକ୍ଷୀରେ ଗୋଟିଏ କଥା କୁହାଯାଇ ପାରିବ ‘ସୁନ୍ଦରୀ’ ଲାଗି ବନ୍ୟପ୍ରାଣୀ ବିଭାଗର ସତର୍କତା ଆହୁରି ଜରୁରୀ ।
ବାଘଙ୍କ ସଂଖ୍ୟା ହ୍ରାସ ପାଉଛି । ରାଜ୍ୟର ସାତକୋଶିଆ ଅଭୟାରଣ୍ୟରେ ମହାବଳ ବଂଶ ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗତ ଜୁନ୍ ମାସରେ ଏକ ଐତିହାସିକ ପଦକ୍ଷେପ ନେଇଥିଲେ । ମଧ୍ୟପ୍ରଦେଶରୁ ଯୋଡ଼ିଏ ମହାବଳ ଆଣି ସାତକୋଶିଆ ଏନ୍‌‌େ‌କ୍ଲାଜରରେ ଛାଡ଼ିଥିଲେ । ଜୁନ୍ ୨୧ରେ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ପ୍ରଥମ ଯୁବ ମହାବଳ ଆସିଥିଲା । ସପ୍ତାହକ ପରେ, ଅର୍ଥାତ୍ ଜୁନ୍ ୨୮ରେ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’ ଆସି ଅନ୍ୟ ଏକ ଏନ୍‌‌େ‌କ୍ଲାଜରରେ ରହିଲା । ଅଣ୍ଡିରା ଯୁବ ମହାବଳ ଏନ୍‌‌େ‌କ୍ଲାଜରରେ ୧୫ଦିନ ରହଣି ପରେ ଜଙ୍ଗଲକୁ ମୁକ୍ତ କରାଯାଇଥିବାବେଳେ ବାଘୁଣୀକୁ ମୁକ୍ତ କରାଗଲା ଅଗଷ୍ଟ ୧୮ରେ । ତେବେ ବାଘୁଣୀ ସୁନ୍ଦରୀ ଜଙ୍ଗଲକୁ ମୁକ୍ତ ହୋଇଯିବା ପରେ ବନବିଭାଗ ନାକେଦମ୍ ହୋଇଗଲାଣି । ପ୍ରଥମେ କିଛି ବାଛୁରୀ ଓ ଗୋରୁ ଶିକାର କରିବା ପରେ ସୁନ୍ଦରୀ ମଣିଷ ଶିକାର କଲା ବୋଲି ଅଭିଯୋଗ ଆସିଲା । ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ପରିସରରେ ଥିବା ହାତୀବାରି ଗାଁର ମହିଳା କୈଳାଶୀ ସାଏ ପୋଖରିରେ ଗାଧୋଉଥିବା ବେଳେ ତାଙ୍କୁ ସୁନ୍ଦରୀ ବାଘୁଣୀ ଝାମ୍ପି ନେଲା ବୋଲି ଗାଁ ଲୋକ ଅଭିଯୋଗ ଆଣିଲେ । ଗାଁ ଲୋକଙ୍କ କହିବା ଅନୁସାରେ କୈଳାଶୀ ଗାଧୋଉଥିବା ବେଳେ ବାଘୁଣୀ ପଛପଟରୁ କୁଦା ମାରି ଝାମ୍ପି ବଣ ଭିତରକୁ ଟାଣି ନେଇ ଯାଇଥିଲା। ତେବେ ବନବିଭାଗ ମାନିନଥିଲା କୈଳାଶୀଙ୍କୁ ସୁନ୍ଦରୀ ମାରିଛି । କାରଣ ବନବିଭାଗର କହିବା କଥା ବାଘୁଣୀ ଆକ୍ରମଣ କରିଥିଲେ ଶରୀରକୁ ଛାଡ଼ି ଯାଇ ନଥାନ୍ତା। ମୃତ ଦେହକୁ ସାଙ୍ଗରେ ନେଇଥାନ୍ତା । ସେହିପରି ଏବେ କିଛି ଦିନ ତଳେ ବାଘୁଣୀ ଆଉ ଏକ ମଣିଷ ମାରିଥିବାର ଅଭିଯୋଗ ଆସିବା ପରେ ଏବେ ସୁନ୍ଦରୀ ବାଘୁଣୀକୁ ତୁରନ୍ତ ବେହୋସ କରି ଧରିବାକୁ ସରକାରଙ୍କ ଉପରେ ଚାପ ପଡିଛି ।
ତେବେ ପ୍ରଶ୍ନ ଉଠୁଛି ଯଦି ବାଘୁଣୀ କାହାକୁ ମାରିଥାଏ, ତେବେ ଏଥିରେ ବାଘୁଣୀର କୌଣସି ଦୋଷ ଅଛି କି ? ସଂପୂର୍ଣ୍ଣ ଦୋଷ ବନବିଭାଗ ଓ ଅଭୟାରଣ୍ୟ ପରିଚାଳନାର । ଜଙ୍ଗଲରେ ବାଘ ରହିବେ । ବାଘ ବଂଶ ପ୍ରାକୃତିକ ଭାବେ ବୃଦ୍ଧି ହେବ । ମାତ୍ର ମଣିଷ ଏବେ ପ୍ରକୃତିକୁ ଧ୍ୱଂସ କରିଚାଲିଥିବାରୁ ଜଙ୍ଗଲ କମୁଛି । ଜଙ୍ଗଲ କମିବାରୁ ବନ୍ୟପ୍ରାଣୀ ଲୁପ୍ତ ହେଉଛନ୍ତି । ଏଭଳି ସ୍ଥିତିରେ ହିଂସ୍ର ବନ୍ୟପ୍ରାଣୀଙ୍କୁ ଆଣି ଅଭୟାରଣ୍ୟରେ ଛାଡିବାବେଳେ ଅଭୟାରଣ୍ୟକୁ ଜନବସତିମୁକ୍ତ କରାଯିବା ଉଚିତ ନା ନୁହେଁ? ସୂଚନାଯୋଗ୍ୟ ସୁନ୍ଦରୀ ବାଘୁଣୀକୁ ଉପଯୁକ୍ତ ସ୍ଥାନରେ ଛଡ଼ାଯାଇ ନଥିବାରୁ ଆଜି ଏଭଳି ସମସ୍ୟା ଉପୁଜିଛି । ଜଣାପଡିଛି ଏବେ ବି ଅଭୟାରଣ୍ୟ ଭିତରେ ୧୧୨ଟି ଗାଁ ରହିଛି । ତେଣୁ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରା ନଯାଇ ବାଘୁଣୀ ଛଡ଼ାଯାଇଥିବାରୁ ବାଘୁଣୀକୁ ନେଇ ଭୟର ବାତାବରଣ ସୃଷ୍ଟିହୋଇଛି ।
ଏହି ଘଟଣା ପରେ ସାତକୋଶିଆରେ ବ୍ୟାଘ୍ର ସଂପ୍ରସାରଣ ଦିଗରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭବିଷ୍ୟତରେ ଆଉ ଦୁଇ ହଳ ବାଘ-ବାଘୁଣୀ ଆସିବାକୁ ଥିବାବେଳେ ଏବେ ସେ କଥା ସରକାର ଚିନ୍ତା କରିନପାରନ୍ତି । ସାତକୋଶିଆ ବ୍ୟାଘ୍ର ସଂପ୍ରସାରଣ ଯୋଜନା ବିଫଳ ହେବାର କାରଣ ଖୋଜାଯିବା ଦରକାର। ଅତୀତରେ ନାଗପୁର ତାଦୋବା ଅନ୍ଧାରୀ ଟାଇଗର ରିଜର୍ଭରେ ବ୍ୟାଘ୍ର ସଂପ୍ରସାରଣ ଲାଗି ୧କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ଫେଲ ମାରିଥିଲା । କାରଣ ଏଠାରେ ବି ବାଘ ଛଡ଼ାଯିବାର କିଛି ଦିନ ପରେ ବାଘଙ୍କର ଗତିବିଧି ଉପରେ ନଜର ରଖିବାଲାଗି ଥିବା ରେଡିଓ ଟ୍ରାକିଂ କଲାର ଆଉ କାମ କରିନଥିଲା। ଫଳରେ ବାଘର ଗତିବିଧି ଉପରେ ନଜର ରଖିବା ସମ୍ଭବ ହୋଇନଥିଲା । ଏବେ ସୁନ୍ଦରୀ ଯଦି ସତରେ ମଣିଷ ମାରିଥାଏ ତେବେ ଆଗକୁ ଏହି ଭୟ ବଢିଯିବ । ଏବେ ସରକାରଙ୍କ ମୁଖ୍ୟଚିନ୍ତା ହୋଇଛି ସୁନ୍ଦରୀ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା; ମାତ୍ର ତାହା ବି ସମ୍ଭବ ହେଉନି । ସୁନ୍ଦରୀ ଧରାପଡୁନି । ତେବେ ଅଭିଯୋଗ ଆସୁଛି ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାରେ ସରକାରଙ୍କ ବିଫଳତା କଣ ସତ୍ୟ ନା ପ୍ରାୟୋଜିତ ? ସାଧାରଣତଃ ବାଘ ବା ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ବେଳେ ହାତୀ ପିଠିରେ ବସି ଏହା କରାଯାଇଥାଏ । ଏଥିଲାଗି ଅତିକମରେ ଦୁଇଟି ହାତୀ ଆବଶ୍ୟକ ପଡିଥାଏ। ବିଶେଷଜ୍ଞଙ୍କ ମତରେ ବାଘୁଣୀକୁ ଟ୍ରାକ୍ କରାଯିବା ପରେ ହାତୀ ସହାୟତାରେ ତା’ ପାଖରେ ପହଞ୍ଚିଥାନ୍ତି ବିଶେଷଜ୍ଞ। ହାତୀ ଉପରେ ବସି ଟ୍ରାଙ୍କୁଲାଇଜ୍ କରିବା ସହଜ ହୋଇଥାଏ । ବାଘ/ବାଘୁଣୀର ଆଗ ଓ ପଛ ପାର୍ଶ୍ବରେ ଗୋଟିଏ ଲେଖାଏଁ ହାତୀ ଜଗି ରହିଥାନ୍ତି । ହାତୀଙ୍କ ଉପରେ ବସିଥିବା ନିଶ୍ଚେତନକାରୀ ସୁବିଧାପାଇବା କ୍ଷଣି ବାଘକୁ ଲକ୍ଷ୍ୟ କରି ଗୁଳି ଚଳାଇ ବାଘ/ବାଘୁଣୀକୁ ବେହୋସ କରିଥାନ୍ତି । ତେବେ ସୁନ୍ଦରୀକୁ ଧରିବା ଲାଗି ଏହି ପଦ୍ଧତିର ବ୍ୟବହାର କରାଯାଉନି । କୁହାଯାଉଛି ଏବେ ଓଡ଼ିଶାରେ କୁମ୍‌କି ହାତୀଙ୍କ ସଂଖ୍ୟା ବହୁତ କମ୍ । ଶିମିଳିପାଳରେ ମାତ୍ର ଦୁଇଟି କୁମ୍‌କି ହାତୀ ରହିଥିବା ବେଳେ ଚନ୍ଦକାରେ ଅଛନ୍ତି ଦୁଇଟି । କାଠ ମାଫିଆଙ୍କ କବଳରୁ ଗଛକୁ ରକ୍ଷା କରିବା ପାଇଁ ଚନ୍ଦକା ଜଙ୍ଗଲରେ ଏମାନଙ୍କୁ ରଖାଯାଇଛି । ଏହି ୪ଟି ହାତୀ ବ୍ୟତୀତ ଓଡ଼ିଶାରେ ଆଉ କୁମ୍‌କି ହାତୀ ନାହାନ୍ତି । ନନ୍ଦନକାନନରେ ପ୍ରାୟ ୨୦ଟି ହାତୀ ରହିଥିଲେ ମଧ୍ୟ ସେମାନଙ୍କୁ ତାଲିମ ଦିଆଯାଉ ନାହିଁ । ସାତକୋଶିଆରେ ତାଲିମପ୍ରାପ୍ତ ହାତୀ ନ ଥିବାରୁ ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବା ସହଜ ହେଉ ନାହିଁ ।
ଏସବୁକଥା ସରକାରଙ୍କୁ ଯେ ଜଣାନାହିଁ ବା ବନବିଭାଗ ଆଗରୁ ଜାଣିନି, ତା ନୁହେଁ । ସବୁ ଜାଣିବି ବିନା କୁମ୍‌କି ହାତୀରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଭଳି ଅପଚେଷ୍ଟା କରି ବନବିଭାଗ ସୁନ୍ଦରୀ ସନ୍ଧାନକୁ ଜାଣିଜାଣି ବିଳମ୍ବ କରିବାରେ ଲାଗିଛନ୍ତି ।
ସେ ଯାହାବି ହେଉ ପ୍ରକୃତିର ଭାରସାମ୍ୟ ରକ୍ଷା କରିବା ଲାଗି ମଣିଷ ରହିବା ସାଥିରେ ବାଘ ବି ରହିବା ଦରକାର । ମାତ୍ର ବାଘଭଳି ଜନ୍ତୁ ଲାଗି ପର୍ଯ୍ୟାପ୍ତ ଜଙ୍ଗଲ ରହିବା ଦରକାର। ତାହାହେଲେ ବାଘ ଜଙ୍ଗଲ ଛାଡି ଜନପଦମୁହାଁ ହେବ ନାହିଁ । ସେ ଦୃଷ୍ଟିରୁ ସରକାର ପ୍ରଥମେ ଜଙ୍ଗଲ ସୃଷ୍ଟି କରନ୍ତୁ। ଜଙ୍ଗଲରେ ଛୋଟଛୋଟ ଜଙ୍ଗଲୀ ଜୀବ, ପ୍ରାଣୀ ଯେମିତି ଅଧିକ ସଂଖ୍ୟାରେ ବଂଶବୃଦ୍ଧି କରିବେ ସେ ଦିଗରେ ପ୍ରୟାସ କରନ୍ତୁ ତା ପରେ ଯାଇ ବ୍ୟାଘ୍ର ବଂଶ ସଂପ୍ରସାରଣ ଲାଗି ବାଘଙ୍କୁ ଛାଡନ୍ତୁ । ତା ନକରି ବାଘଙ୍କୁ ନେଇ ଏଭଳି ଖେଳ ଖେଳିଲେ ପରିସ୍ଥିତି ଭୟଙ୍କର ହେବ ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା

Leave A Reply