ସମ୍ବଲପୁରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମହିଳା ପାଟ୍ରୋଲିଂ ଟିମ

ସମ୍ବଲପୁର : ଚଳିତ ସମୟରେ ସମାଜରେ ନାରୀଙ୍କ ପ୍ରତି ଚାଲିଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସମ୍ବଲପୁର ପୁଲିସ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ୫ଟି ନିୟମକୁ ଲାଗୁ ଓ ମହିଳା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ସମ୍ବଲପୁର ପୁଲିସ ପକ୍ଷରୁ ଏକ ମହିଳା ପୁଲିସ ପେଟ୍ରୋଲିଂ ଦଳ ଗଠନ କରାଯାଇଛି। ସମ୍ବଲପୁର ପୁଲିସ ତରଫରୁ ମହିଳା ସୁରକ୍ଷା ସହିତ ଜନତାଙ୍କ ସୁରକ୍ଷା ପାଇଁ ଆରମ୍ଭ କରାଯାଇଥିବା ତିନିଟି ସେବାକୁ ଉତ୍ତରାଞ୍ଚଳ ପୁଲିସ ଡିଆଇଜି ହିମାଂଶୁ ଲାଲ ଜିଲା ପୁଲିସ ମୁଖ୍ୟାଳୟରେ ଉଦଘାଟନ କରିଛନ୍ତି। ସମ୍ବଲପୁର ପୁଲିସ ତରଫରୁ ବୁଧବାର ଆରମ୍ଭ କରାଯାଇଥିବା ଏହି ସେବା ଗୁଡିକ ହେଲା ମହିଳା ପେଟ୍ରୋଲିଂ ଦଳ ଗଠନ, ମହିଳା ପିସିଆର ଭ୍ୟାନ ଓ ବାଇକ ଏବଂ ସମସ୍ତ ପିସିଆର ଭ୍ୟାନ ଗୁଡିକୁ ଜିପିଏସ ଟ୍ରାକିଂ ଯୁକ୍ତ କରି ସେମାନଙ୍କୁ ସେନ୍ଟ୍ରାଲାଇଜ ଭାବରେ ପରିଚାଳନା କରିବା। ପୂର୍ବରୁ ମହିଳା ଓ ଝିଅ ମାନଙ୍କ ସୁରକ୍ଷା ପାଇଁ ଡିଏସପି ସୁଜାତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ‘ୱି ସ୍କ୍ୱାର୍ଡ’ ଗଠନ କରାଯାଇଛି। ସେମାନେ ସ୍କୁଲ, କଲେଜ ଓ ଅନ୍ୟ ସ୍ଥାନ ମାନଙ୍କରେ ମହିଳା ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ସଚେନତା ସୃଷ୍ଟି କରୁଛନ୍ତି। ଉଦଘାଟନୀ ଅବସରରେ ଡିଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ପୂର୍ବରୁ ସମ୍ବଲପୁର ଜିଲା ଏସପି ଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ ଚାଲୁଥିବା ବେଳେ ସରକାରଙ୍କର ୫ଟି ବ୍ୟବସ୍ଥା ଅନୁଯାୟୀ ଆଜି ଚାଲୁ କରାଯାଇଥିବା ମହିଳା ପେଟ୍ରୋଲିଂ, ଅଧିକ ପେଟ୍ରୋଲିଂ ଯାନବାହାନ ଓ ଜିପିଏସ ଦ୍ୱାରା ପେଟ୍ରୋଲିଂକୁ ମନିଟରିଂ ଜିଲାରେ ନାରୀ ସୁରକ୍ଷା ଦିଗରେ ବିଶେଷ ସହାୟକ ହେବ।

ପିସିଆର ବ୍ୟବସ୍ଥାକୁ ତୁରନ୍ତ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଜନତା ପିସିଆର ସେବା ପାଇବା ପାଇଁ ପୁଲିସର ସହାୟତା ନଂ ୧୦୦ ଅଥବା ୫ଟି କଲ ସେନ୍ଟର ସହାୟତା ନଂ ୮୪୫୮୦୦୨୯୫୦କୁ କଲ କରିପାରିବେ। ଯଦି ପିସିଆର ସେବାରେ କୌଣସି ବିଳମ୍ବ ହୁଏ ତାହା ହେଲେ ପିସିଆର ଇନିସପେକ୍ଟର ତାରାବତୀ ପ୍ରଧାନ, ଏସଡିପିଓ ତପନ ମହାନ୍ତି (୯୪୩୮୫୫୪୪୩୩) ଅଥବା ଟ୍ରାଫିକ ଡିଏସପି ହିମାଂଶୁ ବେହେରା (୮୯୧୭୬୧୮୮୦୯) ଙ୍କୁ ଯୋଗାଯୋଗ କରିପାରିବେ। ଏତଦ ବ୍ୟତିତ ସମ୍ବଲପୁର ଏସପି ଙ୍କର ଟ୍ୱିଟର ହେଣ୍ଡଲ (@spsambalpur) ଅଥବା ହ୍ୱାଟସଅଫ ନଂ ୯୪୩୮୯୧୬୫୫୦ରେ ଯୋଗାଯୋଗ କରିପାରିବେ।

ସୂଚନାଯୋଗ୍ୟ ଯେ, ତେବେ ଗୋଟିଏ ପଟରେ ବିଗତ କିଛି ଦିନ ହେବ ସମ୍ବଲପୁର ମହାନଗର ଅଞ୍ଚଳରେ ମହିଳା ମାନଙ୍କ ସହିତ ନିର୍ଯ୍ୟାତନା ମାମଲା ବଢ଼ିଥିବା ବେଳେ ସମ୍ବଲପୁର ପୁଲିସ ପକ୍ଷରୁ ମହିଳା ମାନଙ୍କ ପାଇଁ ସୁବିଧା ପାଇଁ ମହିଳା ପାଟ୍ରୋଲିଂ ସେବା ଆରମ୍ଭକୁ ସାଧାରଣରେ ସ୍ୱାଗତ କରାଯାଉଛି। କିନ୍ତୁ ଆଗାମୀ ଦିନରେ ଏହା ପ୍ରକୃତ କ୍ଷେତ୍ରରେ ଫଳବତୀ ହେବ ତାହା ସମୟ ହିଁ କହିବ ବୋଲି ସହରବାସୀଙ୍କ ମଧ୍ୟରେ ମତପ୍ରକାଶ ପାଉଛି।

Comments are closed.