ସଙ୍କଳ୍ପର ନବବର୍ଷ

0

ଦୀପକ ମାଲବ୍ୟ

ଜୟ ଜଗନ୍ନାଥ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଚ୍ଛାଦିତ ବିଶ୍ବସ୍ତରୀୟ ଐତିହ୍ୟର ଆନ୍ତର୍ଜାତିକ ପରିଚୟ ହାସଲ କରିଥିବା ଆମ ଓଡ଼ିଶା ପ୍ରଗତିର ସୋପାନରେ। ଆପଣଙ୍କ ଓ ସରକାରଙ୍କ ଅଙ୍ଗୀକାରବଦ୍ଧତା ତଥା ସମର୍ପଣ ରାଜ୍ୟକୁ ଏକ ନମ୍ବର କରିବାରେ ସହାୟତା କରିବ। ରାଜନୀତିକ ବୈଚାରିକ ମତଭେଦ ମଧ୍ୟ ରାଜ୍ୟର ପ୍ରତିଷ୍ଠା ଓ ପ୍ରଗତିକୁ ଅଟକାଇ ପାରିବ ନାହିଁ। ଅସଲ ଲକ୍ଷ୍ୟ ତ ସର୍ବାଙ୍ଗୀଣ ବିକାଶ ଅଟେ। ମାଧ୍ୟମ କେହି ଜଣେ ହେଉ ବା ସମସ୍ତେ। ମୋର ବିଶ୍ବାସ ଯେ ଆପଣ ଯାହାକୁ ନିର୍ବାଚିତ କରି ବିଧାନସଭା ଓ ସଂସଦକୁ ପଠାନ୍ତି, ସେ ରାଜ୍ୟର ପ୍ରଗତି ପାଇଁ ନିଶ୍ଚିତ ଭାବେ ନିଜର ଭୂମିକା ନିର୍ବାହ କରୁଥିବେ; କାରଣ ତାଙ୍କୁ ମଧ୍ୟ ପଦ ହରାଇବାର ବିପଦ ରହିଛି। ଜନପ୍ରତିନିଧି ହୁଅନ୍ତୁ ବା ଚାକିରିଜୀବୀ, ସଭିଏଁ ତ ଜନତାଙ୍କର ଚାକର।
ବିଶ୍ବାସ କରନ୍ତୁ, ଯେଉଁ ଲୋକେ ରାଜନୀତି କ୍ଷେତ୍ରରେ ଅଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ଆପଣଙ୍କ ମଙ୍ଗଳ କରିବା। ଯଦି ଆପଣମାନେ ସୁଖରେ ରହିବେ, ତେବେ ରାଜ୍ୟର ବି ବିକାଶ ହେବ ଓ ପଛୁଆ ରାଜ୍ୟର ଶ୍ରେଣୀରୁ ଉପରକୁ ଉଠିବ। ବର୍ତ୍ତମାନ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ବେଶ୍ ପ୍ରଚେଷ୍ଟା ଚାଲିଛି। ଓଡ଼ିଶାର ଯୁବପିଢ଼ି ସକାରାତ୍ମକ ଦିଗରେ ଅଗ୍ରସର ହେଉଛନ୍ତି। ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ ମିଳିଲେ ଓଡ଼ିଶା ଏବେମଧ୍ୟ ତ୍ବରିତ୍ ବେଗରେ ଆଗକୁ ବଢ଼ିବ। ବର୍ତ୍ତମାନ ରାଜନୀତିକ ଦଳଗୁଡ଼ିକର ଦାୟିତ୍ବ ଯେ ଯୁବପିଢ଼ିକୁ ସେମାନେ କେତେ ଭାଗୀଦାର କରିବେ। ସମାଜରେ ସଚେତନତା ଆଣିବା ପାଇଁ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ ଓ ଆଜିର ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ପରି ବ୍ୟକ୍ତିତ୍ବଙ୍କ ଅବଦାନ ଅବିସ୍ମରଣୀୟ।
ସୁଦୂରବର୍ତ୍ତୀ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଆଦି ମୌଳିକ ସୁବିଧା ଉପରେ ସରକାର ଧ୍ୟାନ ଦେଉଛନ୍ତି। ରାଜ୍ୟକୁ ଆନନ୍ଦଦାୟକ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏପରିକି ଜନମଙ୍ଗଳକାରୀ ଯୋଜନାଗୁଡ଼ିକର ବି ପ୍ରତିଦ୍ବନ୍ଦ୍ବିତା ଲାଗିଛି ଯେ ଜନତା କାହାକୁ ଶ୍ରେୟ ଦେବେ। ଶୀର୍ଷରେ ବସିଥିବା ଓଡ଼ିଶାର ଲୋକେ ନିତି ବିକାଶର ନୂଆ ପରିଭାଷା ଗଢ଼ୁଛନ୍ତି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସାଲ ସାଇନ୍ସେସ (କିସ୍‌)ରେ ୨୭ ହଜାର ଆଦିବାସୀ ପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ରୋଜଗାରମୂଳକ ଶିକ୍ଷା ଦେବାର କାମ ସତରେ କେଉଁ ରାଜ୍ୟରେ ହେଉଛି। ଦେଶବିଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ଇନ୍‌ଷ୍ଟିଚ୍ୟୁଟ୍ ପ୍ରେରଣା ଦେଇଥାଏ। ଅପରପକ୍ଷେ ୧୮୧୭ର ଖୋର୍ଦ୍ଧା ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ଆନ୍ଦୋଳନ କୁହାଯାଉଛି। ଏଥିପାଇଁ ପ୍ରସ୍ତାବିତ ସ୍ମାରକ ସ୍ବାଧୀନତା ଆନ୍ଦୋଳନର ସ୍ବର୍ଣ୍ଣିମ ଇତିହାସର ସାକ୍ଷୀ ହେବ, ଯାହା ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ପାଲଟିବ।
ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରି ଓଡ଼ିଶା ଦେଖାଇ ଦେଇଛି ଯେ ରାଜ୍ୟରେ ପ୍ରଚୁର ଶକ୍ତି ରହିଛି। ମେକ୍‌ ଇନ ଓଡ଼ିଶା ଜରିଆରେ ଆସିଥିବା କୋଟିକୋଟି ଟଙ୍କାର ବିକାଶର ପ୍ରସ୍ତାବ ଓ ବୁଝାମଣାପତ୍ର ବିଶ୍ବସ୍ତରୀୟ ବିକାଶର ଦ୍ବାରକୁ ଉନ୍ମୁକ୍ତ କରିଛି। ଏହାଦ୍ବାରା ପୂର୍ବୋଦୟର ସମ୍ଭାବନାକୁ ବଳ ମିଳିବ। ମନେହେଉଛି, ଓଡ଼ିଶା ଔଦ୍ୟୋଗିକ କ୍ରାନ୍ତିର ନୂଆ ଅଧ୍ୟାୟ ଲେଖିବ। ବିଭିନ୍ନ ଯୋଜନା ଓଡ଼ିଶାର ଉଡ଼ାଣ ଲାଗି ନୂତନ ପକ୍ଷ ଦେଇଛି। ବନ୍ଦରର ବିକାଶ, ଜଳମାର୍ଗକୁ ଶକ୍ତିଶାଳୀ କରିବା ଓ ରାଜପଥ ନେଟ୍‌ୱର୍କକୁ ଆହୁରି ମଜଭୁତ କରିବା ଆଦି ପ୍ରମାଣ କରୁଛି ଯେ ପୂର୍ବୋଦୟ ମାର୍ଗରେ ଅଗ୍ରସର ହେବାପାଇଁ ଓଡ଼ିଶାକୁ ଏବେ କୌଣସି ଶକ୍ତି ରୋକିପାରିବ ନାହିଁ। ଏଠାକାର ଲୋକେ ଭାବୁଛନ୍ତି ଯେ ଦୁଃଖର ଦିନ ଗଲା ଓ ସୁଖର ଦିନ ଆସିବ। ଯୋଜନାଗୁଡ଼ିକର ଯଦି ଗଣତି କରିବା, ତେବେ ଆପଣମାନଙ୍କ ‘ସମାଜ’ ଖବରକାଗଜର ପୃଷ୍ଠା ଭର୍ତ୍ତି ହୋଇଯିବ। ଓଡ଼ିଶାର ସଶକ୍ତ ଯୁବପିଢ଼ି ସବୁକିଛି କରିବାରେ ସମର୍ଥ। ଅପହଞ୍ଚ ଇଲାକାଗୁଡ଼ିକୁ ପହଞ୍ଚର ସୀମାକୁ ଅଣାଯାଉଛି। ୨୦୧୯ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁ କରାଯାଉଛି ବୋଲି କୁହାଯାଉଛି, ତେବେ ଅନ୍ତତଃ ଏହାଦ୍ବାରା ରାଜ୍ୟର ବିକାଶ ହିଁ ହେବ।
ନବବର୍ଷ ସଙ୍କଳ୍ପ
ନୂଆବର୍ଷର କଥା ଆସିବା ମାତ୍ରେ ଆମର ସେହି ଉତ୍ସବସବୁ ମନେପଡ଼େ, ଯାହା ନୂଆବର୍ଷ ସହ ସଂପୃକ୍ତ ହୋଇଥାଏ। ସଙ୍କଳ୍ପ ଦ୍ବିତୀୟ ସ୍ଥାନରେ ରହିଥାଏ, ଯାହା ବର୍ଷ ଆରମ୍ଭ ହେବା ପୂର୍ବରୁ ନିଆଯାଏ। ସେ ଯାହାହେଉ, ଆପଣ ନୂଆବର୍ଷକୁ ମାନନ୍ତୁ ବା ନ ମାନନ୍ତୁ ଓ କୌଣସି କ୍ୟାଲେଣ୍ଡରର ନୂଆବର୍ଷକୁ ମାନନ୍ତୁ, ଏହା ପ୍ରାୟ ଜୀବନର ସେହି ମନୋବୈଜ୍ଞାନିକ ଘଟନାରୁ ଗୋଟିଏ ହୋଇଥାଏ, ଯେତେବେଳେ ଆମକୁ ଲାଗେ ଯେ ଏବେ ଆମେ ନୂଆ ଜୀବନଟିଏ ଆରମ୍ଭ କରିପାରିବା ବା ଆମକୁ କରିବା ଦରକାର। ଏପରି ଏକ ମୋଡ଼ ସେତେବେଳେ ଆସେ, ଯେତେବେଳେ ଆମେ ସ୍କୁଲଦିନରେ ନୂଆ ଶ୍ରେଣୀରେ ପହଞ୍ଚୁ ବା ପୁଣି ଆମେ ଏକ ନୂତନ ଗୃହରେ ପ୍ରବେଶ କରୁ, କିନ୍ତୁ ସାଧାରଣରେ ଧାରଣା ରହିଛି ଯେ ନୂଆବର୍ଷର ଅଧିକାଂଶ ସଙ୍କଳ୍ପ ଅଧୁରା ରହିଯାଏ କିମ୍ବା ଲକ୍ଷ୍ୟଭ୍ରଷ୍ଟ ହୁଏ। ଆମର ସଙ୍କଳ୍ପ କାହିଁକି ଅଧୁରା ରହିଯାଏ, ଏହାକୁ ନେଇ ମନୋବୈଜ୍ଞାନିକଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିରହିଛି ଓ ଏହାକୁ ନେଇ ଗବେଷଣା ବି ହୋଇଛି। ଗୋଟିଏ ଧାରଣା ହେଉଛି, ଆମର ଅଧିକାଂଶ ସଙ୍କଳ୍ପ ସ୍ପଷ୍ଟ ନ ଥାଏ। ଆମେ ଏକ ଛୋଟମୋଟର ଲକ୍ଷ୍ୟ ନିର୍ଦ୍ଧାରଣ କରୁ; ଯେପରିକି ଏବର୍ଷ ମୁଁ ଓଜନ କମ୍ କରିବି ବା ସିଗାରେଟ୍ ଟାଣିବା ବନ୍ଦ କରିଦେବି। ଏଥିରେ ସଙ୍କଳ୍ପ କମ୍, ସଦିଚ୍ଛା ବେଶି ଥାଏ। କେତେକ ମନୋବୈଜ୍ଞାନିକ କହନ୍ତି ଯେ ସଙ୍କଳ୍ପ ସ୍ପଷ୍ଟ ହେବା ଦରକାର ଓ ଛୋଟଛୋଟ ଲକ୍ଷ୍ୟରେ ବାଣ୍ଟି ହେବା ଆବଶ୍ୟକ, ଯାହାକୁ ସହଜରେ ହାସଲ କରାଯାଇପାରିବ। ଉଦାହରଣ ସ୍ବରୂପ ମାସେ ପର୍ଯ୍ୟନ୍ତ ପ୍ରତ୍ୟହ ଦୌଡ଼ିବି। ପୁଣି ଅଢ଼େଇ କିମ୍ବା ତା’ଠାରୁ ଆଗକୁ ତିନି କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିବି।
ଆଜ୍ଞା ହଁ; ମୋର ଇସାରା ସେହି ଯୁବକଯୁବତୀ, କୃଷକ ଓ ଯୋଜନାକୁ ରୂପାୟିତ କରୁଥିବା ଅଧିକାରୀଗଣ, ନେତୃବୃନ୍ଦଙ୍କ ଆଡ଼କୁ, ଯେଉଁମାନେ ନିଜ ସଙ୍କଳ୍ପଶକ୍ତି ଦ୍ବାରା ନିଜର ଦେଶ/ରାଜ୍ୟକୁ ନିଶାମୁକ୍ତ, କ୍ଷୁଧାମୁକ୍ତ, ଅଶିକ୍ଷାମୁକ୍ତ କରିପାରିବେ। ସେମାନେ ନିଜନିଜ ନଗର, ସହର, ଗାଁରେ ଛୋଟଛୋଟ ସଙ୍କଳ୍ପ ନିଅନ୍ତୁ ଯେଉଁଥିରେ ଯୁବକଯୁବତୀ, ବୟସ୍କ ଲୋକେ ଏକ ଗୌରବଶାଳୀ, ପ୍ରଗତିଶୀଳ, ଶକ୍ତିସଂପନ୍ନ ନାଗରିକଙ୍କୁ ଶିକ୍ଷିତ ଓ ପ୍ରଶିକ୍ଷିତ କରିପାରିବେ। ସରକାର ମଧ୍ୟ ଚାହିଁଲେ ସାମାଜିକ ସଙ୍ଗଠନ, ସ୍କୁଲକଲେଜ ସାହାଯ୍ୟରେ ନୂଆବର୍ଷର ସଙ୍କଳ୍ପ ଯାତ୍ରା ଆୟୋଜନ କରିପାରିବେ। ଆମ ଗତ କେଇବର୍ଷ ଭିତରେ ଦେଖିଚୁ ଯେ କିଭଳି ଆମ ରାଜ୍ୟର ଯୁବକଯୁବତୀମାନେ ସମଗ୍ର ବିଶ୍ବରେ ନିଜର ପ୍ରତିଭା, ମେଧା ଦ୍ବାରା ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି।

Leave A Reply