ଶ୍ରୀମନ୍ଦିର ସମସ୍ୟାର ସମାଧାନ ହୋଇପାରିବ: ଶଙ୍କରାଚାର୍ଯ୍ୟ

0

ପୁରୀ : ଆଲୋଚନା ମାଧ୍ୟମରେ ଶ୍ରୀମନ୍ଦିର ସମସ୍ୟାର ସମାଧାନ ହୋଇପାରିବ। ସୈଦ୍ଧାନ୍ତିକ ନିଷ୍ପତ୍ତି ସେଥିରେ ସହାୟକ ହେବବୋଲି ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରକାଶ କରିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ସେ କହିଲେ ରାଜମତ, ଲୋକମତ ଓ ଭକ୍ତଙ୍କ ମତାମତ ନିଆଯିବା ଉଚିତ। ଏ ସମ୍ପର୍କରେ ପରାମର୍ଶ ଦେବାକୁ ଓଡ଼ିଶାରେ ଅନେକ ବିଦ୍ୱାନ ରହିଛନ୍ତି। ଏପରି କିଛି ସମସ୍ୟା ନାହି ଯାହା ସମାଧାନ ଯୋଗ୍ୟ ନୁହେ। ତେବେ ଶ୍ରୀମନ୍ଦିର କ୍ଷେତ୍ରରେ ସଦ୍‍ଭାବ ଓ ଶାସ୍ତ୍ରୀୟ ମତକୁ ଗୁରୁତ୍ୱ ଦିଆଯିବା ଉଚିତ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଓଡ଼ିଶା ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି। ହିତାକାଂକ୍ଷୀ ଓ ବିଶେଷଜ୍ଞଙ୍କ ସହଯୋଗରେ ଶ୍ରୀମନ୍ଦିର ସମସ୍ୟାର ସମାଧାନ ପାଇଁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ସେ କହିଲେ ଶ୍ରୀମନ୍ଦିରକୁ ଧର୍ମ ନିରପେକ୍ଷ ଭାବେ ପରିଚାଳନା କରାଯାଇ ପାରିବ ନାହି। ସୁପ୍ରିମକୋର୍ଟ ହୁଅନ୍ତୁ ବା ହାଇକୋର୍ଟ ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ ସେମାନଙ୍କ ସୀମା ବାହାରେ। ପରମ୍ପରା ବିରୋଧୀ ବ୍ୟବସ୍ଥା କ୍ଷତିକାରକ। ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ପର୍କରେ ପଚାରିବାରୁ ସେ କହିଲେ ଅଧିକାରର ସୀମା ନିର୍ଣ୍ଣୟ ହେବାଉଚିତ। ଯେକୌଣସି ବୟସର ମହିଳାଙ୍କୁ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଧର୍ମଗୁରୁଙ୍କ ମାର୍ଗଦର୍ଶନ ନ୍ୟାୟାଳୟର ନିର୍ଣ୍ଣୟ ହେବା ଆବଶ୍ୟକ। ରଥଯାତ୍ରା ସମ୍ପର୍କରେ ସେ ଦେଇଥିବା ପରାମର୍ଶକୁ ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ନିର୍ଣ୍ଣୟ ସର୍ବମାନ୍ୟ। ପଶ୍ଚିମବଙ୍ଗର ଏକ ଧାର୍ମିକ ବିଷୟରେ କଲକାତା ହାଇକୋର୍ଟ ଚିଠିଲେଖି ତାଙ୍କ ପରାମର୍ଶ ମାଗିଥିଲେ ବୋଲି ଶଙ୍କରାଚାର୍ଯ୍ୟ କରିଛନ୍ତି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟରେ ବିଚାରାଧିନ ମୋକଦ୍ଦମା ସମ୍ପର୍କରେ ସେ କହିଲେ ଯେଉଁ ଭାବନା ନେଇ ଜଣେ ମହିଳା ମୋକଦ୍ଦମା କରିଛନ୍ତି ଏଠାକାର ପରିସ୍ଥିତି ତାଙ୍କୁ ଦୁଃଖୀ କରିଥିଲା। ପ୍ରଶାସନର ଅଦୂରଦର୍ଶିତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ନିଜ ପ୍ରସିଦ୍ଧି ପାଇଁ ଶକ୍ତିପ୍ରଦର୍ଶନ କ୍ଷତିକାରକ। ଆନ୍ଦୋଳନ ବ୍ୟବସ୍ଥିତ ଭାବେ ନହେଲେ ବିସ୍ଫୋରକ ରୂପ ଧାରଣ କରିଥାଏ। ବିରୋଧ କରୁଥିବା ବ୍ୟକ୍ତି ନିଜେ ଦିଶାହୀନ ହୋଇଛନ୍ତି। କିଛି ବାହାର ଲୋକ ସେଥିରେ ସାମିଲ ହୋଇଛନ୍ତି। ସରକାରଙ୍କୁ ବିରୋଧ ନକରି ମଧ୍ୟ ରାମସେତୁର ସୁରକ୍ଷା କରିବାରେ ସେ ସମର୍ଥ ହୋଇଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

Leave A Reply