ଶକ୍ତି ପରୀକ୍ଷାରେ ଶକ୍ତିଲାଭ

0

କପଟ ପଶାରେ ହାରିବାପରେ ସର୍ତ୍ତାନୁଯାୟୀ ପାଣ୍ଡବମାନେ ବନବାସକୁ ଆଦରି ନେଇଥିଲେ। ବନବାସରେ ଥିବା ସମୟରେ ଏହି ଘଟଣା। ଦିନେ ମହର୍ଷି ବେଦବ୍ୟାସ ପାଣ୍ଡବମାନଙ୍କୁ ଭେଟି ସେମାନଙ୍କୁ ଉପଦେଶ ଦେଇ କହିଥିଲେ- ତୁମେମାନେ ଯଦି ରାଜ୍ୟ ଫେରି ପାଇବାକୁ ଇଚ୍ଛାକରୁଛ ତା’ହେଲେ ଖଳମତି କୌରବମାନଙ୍କ ସହ ଯୁଦ୍ଧ କରିବାକୁ ପଡ଼ିବ। ଏଭଳି ଚୁପ୍‌ଚାପ୍‌ ରହିବା ତୁମମାନଙ୍କ ପକ୍ଷେ ଶୋଭା ପାଉନାହିଁ। ଯୁଦ୍ଧ କରିବାକୁ ହେଲେ କୌରବମାନଙ୍କ ଅପେକ୍ଷା ତୁମକୁ ଶକ୍ତିଶାଳୀ ହେବାକୁ ପଡ଼ିବ। ମୋ ବିଚାରରେ ଧନୁର୍ଦ୍ଧାରୀ ମଧ୍ୟମ ପାଣ୍ଡବ ଭଗବାନ ଶିବଙ୍କ ଆଶୀର୍ବାଦ ଲାଭରେ ସକ୍ଷମ ହେଲେ ବଳଶାଳୀ ହୋଇପାରିବେ।
ଶିବଙ୍କ କୃପାଲାଭ ଉଦ୍ଦେଶ୍ୟରେ ଅର୍ଜୁନ କୈଳାସ ପର୍ବତ ନିକଟରେ ଏକ ବୃକ୍ଷତଳେ ଅନ୍ନ ଜଳ ତ୍ୟାଗ କରି କଠୋର ତପସ୍ୟା କଲେ। ଅର୍ଜୁନଙ୍କ କଠୋର ତପସ୍ୟା ବିଷୟ କୌରବମାନଙ୍କୁ ଅଛପା ନଥିଲା। କୁରୁ ଚୁଡ଼ାମଣି ଦୁ​‌େ​‌ର୍ଯ୍ୟାଧନ ଚିନ୍ତିତ ହୋଇପଡ଼ିଲେ, କାରଣ ସେ ନିଶ୍ଚିତ ଥିଲେ ଯେ ଶିବଙ୍କ ବରଲାଭରେ ସକ୍ଷମ ହେଲେ ଅର୍ଜୁନ ଅମିତ ବଳଶାଳୀ ହୋଇଯିବେ। ଏହି କାରଣରୁ ତପସ୍ୟାରେ ବିଘ୍ନ ସୃଷ୍ଟି କରିବା ନିମନ୍ତେ ଯୋଜନା କରି ମୁକାସୁରକୁ ପଠାଇଲେ।
ମୁକାସୁର ଶୂକର ବେଶ ଧାରଣ କରି ତପସ୍ୟା ସ୍ଥଳରେ ପହଞ୍ଚି ଅର୍ଜୁନଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଲା। ଠିକ୍‌ ସେହି ସମୟରେ ଏକ ଶିକାରୀ ଦମ୍ପତି ସେଠାରେ ପହଞ୍ଚିଲେ। କୌଣସି ଜଙ୍ଗଲି ପଶୁ ତାଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ସୂଚନା ପାଇ ଅର୍ଜୁନ ତତ୍‌କ୍ଷଣାତ୍‌ ତୀର ଚାଳନା କରିଥିଲେ। ତୀବ୍ର ଗତିରେ ଯାଇଥିବା ଲକ୍ଷ୍ୟଭେଦୀ ଶରାଘାତରେ ଶୂକର ସେହିଠାରେ ଟଳି ପଡ଼ିଲା। ଏହି ସମୟରେ ଶିକାରୀ ମଧ୍ୟ ତୀର ଚାଳନା କରିଥିଲେ, କିନ୍ତୁ ଶିକାରୀର ତୀର ଲକ୍ଷ୍ୟ ଭ୍ରଷ୍ଟ ହୋଇ ଅର୍ଜୁନଙ୍କ ପାଦ ଦେଶରେ ପଡ଼ିଥିଲା। ଅର୍ଜୁନ ମନେମନେ ଭାବିଲେ ଏହା ମୋରି ତୀର। ଜଙ୍ଗଲି ଶୂକରକୁ ବଧ କରି ମୋ ନିକଟକୁ ଫେରି ଆସିଛି। ଏହିଭଳି ଭାବୁଥିବାବେଳେ ଶିକାରୀ ସେଠ​‌ାରେ ପହଞ୍ଚି ଏହା ତାଙ୍କ ପ୍ରେରିତ ଶର, ତେଣୁ ତାଙ୍କୁ ଫେରାଇ ଦେବା ନିମନ୍ତେ ଦାବି କରିଥିଲେ। ଅର୍ଜୁନ ମଧ୍ୟ ଏହା ତାଙ୍କ ପ୍ରେରିତ ଶର ବୋଲି କହିଥିଲେ। ଦୁଇଜଣ ଶରକୁ ନିଜର ବୋଲି ଦାବି କଲେ। କେହି କାହାରି ଜିଦ୍‌ରୁ ଟଳିବାର ନଥିଲେ। କଳିଗୋଳ ଚରମ ସୀମାରେ ପହଞ୍ଚିଲା। ଶିକାରୀ କ୍ଷୁବ୍ଧ ହୋଇ ଅର୍ଜୁନ ଉପଯୁକ୍ତ ଶାସ୍ତି ଦେବା ଉଦ୍ଦେଶ୍ୟରେ ତାଙ୍କ ଉପରେ ତୀରବୃଷ୍ଟି କରିବାକୁ ଲାଗିଲେ। ଅର୍ଜୁନ ମଧ୍ୟ ତୀର ଚାଳନା କରି ଏହାର ଜବାବ୍‌ ଦେଇଥିଲେ। ଏଥିରେ ଶିକାରୀଙ୍କ ପତ୍ନୀ ଡରି ଯାଇଥିଲେ। ସେ ଦୈବୀଶକ୍ତି ବଳରେ ଅର୍ଜୁନଙ୍କୁ ଶରକୁ ପୁଷ୍ପ କରିଦେଲେ।
ଦୁହେଁ ତୀରଚାଳନା ଛାଡ଼ି ପରସ୍ପର ବାହୁ ଯୁଦ୍ଧରେ ବ୍ୟାପୃତ ହେଲେ। ଅର୍ଜୁନ ଅନୁଭବ କଲେ ଶିକାରୀ ବଳଶାଳୀ, ତାକୁ ପରାଜିତ କରିବା ସହଜ ନୁହେଁ। ଠିକ୍‌ ସେହି ସମୟରେ ଶିକାରୀ ଅର୍ଜୁନଙ୍କୁ ଭୂମିଶାୟୀ କରିଦେଲେ। ଅର୍ଜୁନ ଅସହାୟ ଅବସ୍ଥାରେ ଭୂମିରେ ପଡ଼ି ଆଖିବନ୍ଦକରି ଭଗବାନ ଶିବଙ୍କୁ ସ୍ମରଣ କଲେ; ପରାଜୟ ଜନିତ ଲଜ୍ଜାରୁ ଉଦ୍ଧାର ପାଇବା ପାଇଁ କାତର ପ୍ରାର୍ଥନା କଲେ। ଅବିଶ୍ବସନୀୟ ଘଟଣା ଘଟିଲା। ଅର୍ଜୁନ ଆଖି ଖୋଲି ଦେଖିଲେ ସମ୍ମୁଖରେ ଆରାଧ୍ୟ ଶିବ ଓ ଦେବୀ ପାର୍ବତୀ ଠିଆ ହୋଇଛନ୍ତି। କୈଳାସପତି ହସିହସି କହିଲେ ଶିକାରୀ ରୂପରେ ମୁଁ ହିଁ ତୁମର ଶକ୍ତି ପରୀକ୍ଷା ନେଉଥିଲି। ତୁମେ ଏଣିକି ଯୁଦ୍ଧରେ ସର୍ବଦା ବିଜୟୀ ହେବ। ଏହାକହି ଅତି ଶକ୍ତିଶାଳୀ ପାଶୁପତ ଅସ୍ତ୍ର ଅର୍ଜୁନଙ୍କୁ ଦେଇ କହିଥିଲେ- ‘ ଏହା ବିଶ୍ବର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, କେବଳ ତୁମେ ହିଁ ଏହାର ଅଧିକାରୀ ହେବାକୁ ଯୋଗ୍ୟ।’

Leave A Reply