ରାଜ୍ୟରେ ତୈଳ ପ୍ରକଳ୍ପକୁ ତ୍ବରାନ୍ବିତ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

0

ଭୁବନେଶ୍ୱର:ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ର ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପଗୁଡିକ କାର୍ଯ୍ୟାନ୍ବୟନ ହେଲେ ରାଜ୍ୟର ଯୁବକଙ୍କୁ ନିଯୁକ୍ତି ମିଳିପାରନ୍ତା। ହେଲେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହିତ ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ହସ୍ତ​‌େ​‌କ୍ଷପ ଲୋଡିଛନ୍ତି।
ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ ଓଡିଶା ପୂର୍ବରୁ ଦେଶର ଇସ୍ପାତର ପେଣ୍ଠସ୍ଥଳୀ ଭାବେ ପରିଚିତ ଲାଭ କରିଥିବାବେଳେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗ୍ୟାସ୍ ଓ ପେଟ୍ରୋକେମିକାଲସ ଶିଳ୍ପର ପେଣ୍ଠସ୍ଥଳୀ ପାଲଟିବା ସମ୍ଭାବନା ରହିଛି। ପାରାଦ୍ବୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ପଥ ଭାବେ ବିକଶିତ ହେଉଛି। ୨୦୧୩-୧୪ ଆର୍ଥିକ ବର୍ଷରେ ପାରାଦ୍ବୀପ ବନ୍ଦରରେ ପେଟ୍ରୋଲିୟମ ପଦାର୍ଥର ପରିବହନର ମାତ୍ରା ୧୭.୭୦ ଏମ୍ଏମଟି ଥିବା ବେଳେ ୨୦୧୭-୧୮ସୁଦ୍ଧା ପାଖାପାଖି ଦ୍ବିଗୁଣିତ ହୋଇ ୩୩.୭୮ ଏମଏମଟିରେ ପହଞ୍ଚିଛି।
ଶ୍ରୀ ପ୍ରଧାନ କହିଛନ୍ତି, ୪୦ ହଜାର କୋଟି ଟଙ୍କାର ୧୫ ଏମଏମଟିପିଏ କ୍ଷମତା ବିଶିଷ୍ଠ ପାରାଦ୍ୱୀପ ତୈଳ ରିଫାଇନାରୀ ପୂର୍ଣ କାର୍ଯ୍ୟକ୍ଷମ ହେବାସହ ତୈଳ ଓ ଗ୍ୟାସ କ୍ଷେତ୍ରର ନୂଆ ନୂଆ ପ୍ରକଳ୍ପରେ ପୁଞ୍ଜି ନିବେଶ ହୋଇଛି। ଏହି ମାମଲାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ମାମଲାରେ ୫ଟି ବୃହତ ପ୍ରକଳ୍ପପାଇଁ ଦୀର୍ଘଦିନର ଆବେଦନ ପଡି ରହିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୫ରୁ ୨୫ ଏମଏମଟିପିଏକୁ ପାରାଦ୍ବୀପ ତୈଳ ବିଶୋଧନାଗାରର କ୍ଷମତା ବୃଦ୍ଧି, ପେଟ୍ କୋକ୍ ଗ୍ୟାସିଫିକେସନ ପ୍ରକଳ୍ପ,ପିଏକ୍ସ/ପିଟିଏ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଜାଗା ଭଦ୍ରକରେ ଟେକ୍ସଟାଇଲ ପ୍ରକଳ୍ପ ଲାଗି ଜମି ଯୋଗାଇ ଦେବାପାଇଁ ଦରଖାସ୍ତ ଦିଆଯାଇଥିବା ସତ୍ତ୍ବେ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଉ ନାହାନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଓଡିଶାରେ ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ବିଦେଶରେ ରୋଡ ଶୋ କରିଥିଲେ ମଧ୍ୟ ଇଣ୍ଡିଆନ୍ ଅଏଲ ସହଯୋଗରେ ଆସୁଥିବା ବିଭିନ୍ନ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟ ସରକାର ସହଯୋଗ କରୁ ନାହାନ୍ତି। ତାଇୱାନ ସରକାରଙ୍କ ପେଟ୍ରୋଲିୟମ ଫାର୍ମ ସିପିସି ନିଗମ ପକ୍ଷରୁ ୪୩ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଜମି , ଜଳ, ବିଜୁଳି ଓ ପରିବହନ ଆବଶ୍ୟକତାକୁ ପୂରଣ କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଉନାହାନ୍ତି।
ଏହି ତାଇୱାନ ସରକାରଙ୍କ କମ୍ପାନୀ ସହ ଇଣ୍ଡିଆନ୍ ଅଏଲର ମୋଟ ୮୩ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ହେଲେ ଓଡିଶାର ଅର୍ଥନୀତିକୁ ସୁଦୃଢ କରିବା ସହ ଯୁବପିଢ଼ିଙ୍କ ପାଇଁ ବିଶେଷ ସହାୟକ ହେବ। ରାଜ୍ୟ ସରକାର ଉପଯୁକ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାପାଇଁ ସମ୍ପୃକ୍ତ ବିଭାଗ ନିର୍ଦେଶ ଦେବାପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଜ୍ଜ୍ବଳା ଯୋଜନା ଲୋକପ୍ରିୟତାକୁ ନେଇ ବିଜେଡି ଭୟଭୀତ:ଧର୍ମେନ୍ଦ୍ର

ଭୁବନେଶ୍ୱର: ଯୋଜନା ସମ୍ପର୍କରେ ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଲେଖିଥିବା ପତ୍ର ଉପରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯୋଜନା ବିରୋଧରେ ବିଜେଡି ଓ ରାଜ୍ୟ ସରକାର ଯେଭଳି ଭାବେ ମିଥ୍ୟା ରାଜନୈତିକ ପ୍ରଚାର କରୁଛନ୍ତି ତାହା ଗରିବ ପରିବାର ମଧ୍ୟରେ ଉଜ୍ଜ୍ବଳା ଯୋଜନାର ଲୋକପ୍ରିୟତାକୁ ସେମାନଙ୍କର ଥିବା ଡରକୁ ପ୍ରମାଣିତ କରୁଛି । ଉଜ୍ଜ୍ବଳା ଯୋଜନାର ବିଫଳତା ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ପାତ୍ର ଲେଖିଥିବା ଚିଠି ଆଶ୍ଚର୍ଯ୍ୟାନ୍ବିତ କରିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀମାନଙ୍କୁ ଏହି ଯୋଜନା ସମ୍ପର୍କରେ ବୁଝାଇବା ପାଇଁ ପ୍ରସ୍ତାବ ଦେଇଥିଲି। ଯଦି ପ୍ରକୃତ ପକ୍ଷେ ମୋଦୀ ସରକାରଙ୍କ ଉଜ୍ଜ୍ବଳା ଯୋଜନା ରାଜ୍ୟର ୪୧ ଲକ୍ଷ ଗରିବ ପରିବାରର ଜୀବନରେ କିପରି ସକାରାତ୍ମକ ପରିବର୍ତ୍ତନ ଆଣିଛି ଏହା ଜାଣିବାକୁ ସେମାନେ ଆଗ୍ରହୀ ତା’ହେଲେ ମୁଁ ମୋର ଏହି ପ୍ରସ୍ତାବକୁ ଆଉଥରେ ଦୋହରାଉଛି। ଉଜ୍ଜ୍ବଳା ଯୋଜନା ବିରୋଧରେ ବିଜେଡି ଓ ରାଜ୍ୟ ସରକାରଙ୍କ ମିଥ୍ୟା ରାଜନୈତିକ ପ୍ରଚାର ଗରିବ ପରିବାର ମଧ୍ୟରେ ଉଜ୍ୱଳା ଯୋଜନାର ଲୋକପ୍ରିୟତାକୁ ସେମାନଙ୍କର ଥିବା ଡରକୁ ପ୍ରମାଣିତ କରୁଛି। ଓଡିଶାକୁ ଶତ ପ୍ରତିଶତ ଧୁଆଁ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ଏହି ପବିତ୍ର ଯୋଜନାକୁ ନେଇ ରାଜନୀତି ନ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କାର୍ଯ୍ୟରେ ନୁହେଁ; କଥାରେ ବିଶ୍ବାସ କରନ୍ତି:ସସ୍ମିତ

ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଯେତେସବୁ ପ୍ରକଳ୍ପ ପାଇଁ ଜମି ମଗାଯାଇଛି ସେଥିରେ ରାଜ୍ୟ ସରକାର ସହଯୋଗ କରିବା ସହିତ ଜମି ଯୋଗାଇ ଦେଇଛନ୍ତି ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜସ୍ବ ବିଭାଗ ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟକୁ ମଗାଯାଇଥିବା ଜମି ସରକାର ଯୋଗାଇବାର ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇଟା ଖଣ୍ଡେ ପଡିନାହିଁ। ଏହାବାଦ୍ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ପ୍ରକଳ୍ପ ଲାଗି ଜମି ମଗାଯାଉଥିଲେ ହେଁ ତାହା ପରବତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାନ୍ବୟନ ହେଉନାହିଁ। ଏଥିରୁ ନିସ୍ତାର ପାଇଁ ରାଜ୍ୟ ସରକାରଙ୍କୁ ସଂପୃକ୍ତ କେନ୍ଦ୍ରମନ୍ତ୍ରୀ କେବଳ ପତ୍ର ଲେଖି ଦାୟିତ୍ବ ତୁଲାଉଛନ୍ତି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେବଳ କାର୍ଯ୍ୟ ନୁହେଁ କଥାରେ ତଥା ପତ୍ରରେ ବିଶ୍ବାସ କରନ୍ତି ବୋଲି ଶ୍ରୀ ପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Leave A Reply