ରକ୍ତହୀନତା ଦୂରୀକରଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

0

ଭୁବନେଶ୍ୱର: ରକ୍ତହୀନତା କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ଦେଶର ସମସ୍ୟା। ଜନସଂଖ୍ୟାର ୫୦%ରୁ ଊର୍ଦ୍ଧ୍ବ ମହିଳା ରକ୍ତହୀନତା ଶିକାର ହୋଇଥିବା ଜଣାପଡ଼ିଛି। ରକ୍ତହୀନତା ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ବ୍ୟାପକ ସଚେତନତା ଓ ନିୟମିତ ଔଷଧ ସେବନ ଦ୍ୱାରା ଏହି ସମସ୍ୟା ଦୂର କରାଯାଇପାରିବ। ଏ ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ୱର ଏମ୍ସରେ ଶୁକ୍ରବାର ‘ଆନେମିକା ମୁକ୍ତ ଓଡ଼ିଶା’ ଅଭିଯାନ ପ୍ରସ୍ତୁତି ବୈଠକ ଅବସରରେ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି।
ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ୟୁନିସେଫ୍ ଓ ଭୁବନେଶ୍ୱର ଏମ୍ସର ମିଳିତ ଆନୁକୂଲ୍ୟରେ ଆସନ୍ତା ୯ ତାରିଖଠାରୁ ଆନେମିଆ ମୁକ୍ତ ଓଡ଼ିଶା ଅଭିଯାନ ଆରମ୍ଭ ହେଉଛି। ଏହି ଅବସରରେ ଏମ୍ସ ସମ୍ମିଳନୀ କକ୍ଷରେ ଏକ ପ୍ରାକ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍ସର ବିଭିନ୍ନ ବିଭାଗୀୟ ମୁଖ୍ୟ, ୟୁନିସେଫ୍ ବିଶେଷଜ୍ଞ ଓ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ବୈଠକରେ ସ୍ୱାଗତ ଭାଷଣ ଦେଇ ଏମ୍ସ ଡିନ୍ ତଥା କମ୍ୟୁନିଟି ମେଡିସିନ୍ ଓ ଫ୍ୟାମିଲି ମେଡିସିନ୍ ମୁଖ୍ୟ ପ୍ରଫେସର ଡ.ବିକାଶ ଭାଟିଆ କହିଲେ ଯେ ଜାତୀୟ ସ୍ତରରେ ୫୦%ରୁ ଊଦ୍ଧ୍ୱର୍ ମହିଳା ରକ୍ତହୀନତାର ଶିକାର ହୋଇଥିବା ଜଣାପଡ଼ିଛି। ଓଡ଼ିଶାର ସ୍ଥିତି ଏ କ୍ଷେତ୍ରରେ ସାମାନ୍ୟ ଉନ୍ନତ ଥିôଲେ ମଧ୍ୟ ଅନୁନ୍ନତ ଅଂଚଳରେ ଏହି ସମସ୍ୟା ଉଦ୍ବେଗଜନକ। ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା ଓ ଅଙ୍ଗନବାଡ଼ି କର୍ମୀ ଏବଂ ଗରିବ ପରିବାର ମହିଳାମାନେ ଅଧିକ ରକ୍ତହୀନତାର ଶିକାର ହେଉଛନ୍ତି। ବିଶେଷକରି ପ୍ରସୂତି, ନବଜାତ ଶିଶୁ, କିଶୋରୀ ଓ ସ୍କୁଲ୍ ଛାତ୍ରୀମାନଙ୍କଠାରେ ରକ୍ତହୀନତାର ଲକ୍ଷଣ ଅଧିକ ଥିବା ଜଣାଯାଇଛି। ବ୍ୟାପକ ସଚେନନତା ଓ ଔଷଧ ସେବନ ଦ୍ୱାରା ଏହି ସମସ୍ୟା ଦୂର କରାଯାଇପାରିବ। ବାର୍ଷିକ ୩% ହାରରେ ୨୦୨୨ ସୁଦ୍ଧା ‘ଆନେମିଆ ମୁକ୍ତ ଭାରତ’ ଗଠନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବ୍ୟାପକ ସଚେତନତା ବିନା ଏହି ଲକ୍ଷ୍ୟ ହାସଲ ହେବ ନାହିଁ। ଏହି ଲକ୍ଷ୍ୟ ହାସଲ ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ୯ ତାରିଖରୁ ଏମ୍ସରେ ରକ୍ତହୀନତା ନିରୂପଣ ଓ ନିରାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ରବିବାର ଓ ଛୁଟି ଦିନ ବ୍ୟତୀତ ୩୦ଟି କାର୍ଯ୍ୟଦିବସରେ ଏହି କାର୍ଯ୍ୟକ୍ରମ ଜାରି ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଟାଙ୍ଗି, ମେଣ୍ଢାଶାଳ, ସାଲିଆ ସାହି ଓ ଆଇଆରସି ଭିଲେଜ୍ରେ ଏହି ଅଭିଯାନ ଆରମ୍ଭ ହେବ। ୬ରୁ ୫୯ମାସର ଶିଶୁ, ଗର୍ଭବତୀ, ପ୍ରସୂତି, କିଶୋରୀମାନଙ୍କର ରକ୍ତହୀନତା ପରୀକ୍ଷା, ଚିକିତ୍ସା, ପରାମର୍ଶ, ସଚେତନତା ଆଦି ଏହି ଅଭିଯାନର ମୂଳ ଲକ୍ଷ୍ୟ।
ଆଲୋଚନାରେ ଅଂଶଗ୍ରହଣ କରି ୟୁନିସେଫର ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ କହିଲେ ଯେ ରକ୍ତହୀନତା ଦୂର ପାଇଁ କେବଳ ଔଷଧ ସେବନ ଫଳପ୍ରଦ ହେବ ନାହିଁ। ଏଥିପାଇଁ ଜୀବନଶୈଳୀ, ଅଭ୍ୟାସ, ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଗଣମାଧ୍ୟମର ସହଯୋଗ ଓ ସହାୟତା ବିନା ଏହା ସମ୍ଭବ ନୁହେଁ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ସାଧାରଣ ଲୋକଙ୍କ ବୁଝିହେବା ଭଳି ପ୍ରଭାବଶାଳୀ ଓ ସରଳ ଭାବେ ଉପସ୍ଥାପନ କରାଗଲେ ବିଭିନ୍ନ ପଦକ୍ଷେପ ଫଳପ୍ରଦ ହୋଇପାରିବ। ଆନେମିଆ ଦୂରୀକରଣରେ ସ୍ୱଚ୍ଛଭାରତ ଅଭିଯାନ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବାକୁ ଯାଉଛି ବୋଲି ସେ କହିଥିଲେ।
ଏମ୍ସର ନିର୍ଦେଶିକା ପ୍ରଫେସର ବି. ଗୀତାଞ୍ଜଳି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେହିପରି ୟୁନିସେଫ୍ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ, ଏମ୍ସର କମ୍ୟୁନିଟି ଓ ଫ୍ୟାମିଲି ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ସ୍ୱୟଂପ୍ରଜ୍ଞା ପରିଡ଼ା ପ୍ରମୁଖ ବିଭିନ୍ନ ତଥ୍ୟ ସମ୍ବଳିତ ସୂଚନା ଓ ପରାମର୍ଶ ଦେଇଥିଲେ। ନିୟମିତ ସନ୍ତୁଳିତ ଆହାର, ଖାଦ୍ୟ ସଂଯମତା ଓ ଲୌହସାର ଯୁକ୍ତ ଖାଦ୍ୟ ଗ୍ରହଣ ଏବଂ ଐକ୍ୟବଦ୍ଧ ଉଦ୍ୟମ ଦ୍ୱାରା ରକ୍ତହୀନତାକୁ ଦୂର କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଥିଲେ। ଏହି ଅବସରରେ ଆନେମିଆ ନିରୂପରଣ ପାଇଁ ଅତ୍ୟାଧୁନିକ ଉପକରଣ ହୋମୋକ୍ୟୁ ୩୦୧ର ପ୍ରଦର୍ଶନ ଓ ପରୀକ୍ଷଣ କରାଯାଇଥିଲା। ଟେକନିକାଲ୍ ସେସନ୍‌ରେ ବିଶେଷଜ୍ଞମାନେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

Leave A Reply