ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଥିଲି : ଚାଳକ

0

ଅମୃତସର (ପଞ୍ଜାବ): ପଞ୍ଜାବ ଅମୃତସର ନିକଟରେ ଦଶହରା ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାରେ ୬୧ ଜଣଙ୍କ ମୁତ୍ୟୁ ବରଣ କରିବା ସହ ୧୪୩ ଜଣ ଆହତ ହେବା ଘଟଣା ଏବେ ସମଗ୍ରଦେଶକୁ ଦୋହଲାଇ ଦେଇଛି। ପଞ୍ଜାବ ଓ ରେଳବାଇ ପୁଲିସ ଦୁର୍ଘଟଣା ଘଟାଇଥିବା ଡିଏମୟୁ ଟ୍ରେନ ଚାଳକଙ୍କୁ ଅଟକ ରଖିଛି। ଅଟକ ଟ୍ରେନ ଚାଳକ ଅରବିନ୍ଦ କୁମାର ଘଟଣାକୁ ବଖାଣି କୋହଭରା କଣ୍ଠରେ କହନ୍ତି, ଦୁର୍ଘଟଣା ପରେ ସେ ଟ୍ରେନ୍‌ ଅଟକାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଲୋକମାନେ ହଠାତ୍‌ ପଥରମାଡ କରିବା ଆରମ୍ଭ କରି ଦେଇଥିଲେ। ଏମିତିରେ ଟ୍ରେନ୍‌ ଭିତରେ ବସିଥିବା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍‌କୁ ଅଟକାଇ ନ ଥିଲେ। ଟ୍ରେନ ଚକାତଳେ ଲୋକଙ୍କ ଜୀବନ ଯାଉଥିବା ସେ ଜାଣିପାରି ମଧ୍ୟ ଟ୍ରେନକୁ ଅଟକାଇ ନ ଥିଲେ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେ ଟ୍ରେନ ଅଟକାଇ ନ ଥିଲେ ବୋଲି କହିଛନ୍ତି। ଅରବିନ୍ଦ କୁମାର କହିଛନ୍ତି, ‘ଅକ୍ଟୋବର ୧୯ ତାରିଖ ଦିନ ସନ୍ଧ୍ୟା ୫ଟାରେ ଟ୍ରେନ୍‌ ନମ୍ବର ଡିପିସି ୧୧୦୯୧ର ଚାର୍ଜ ନେଇଥିଲି ଓ ଜଲନ୍ଧରର ପ୍ଲାଟଫର୍ମ ୧ରୁ ୫:୧୦ରେ ବାହାରି ଥିଲି। ସନ୍ଧ୍ୟା ୬:୪୪ରେ ମାନାୱାଲାରେ ପହଞ୍ଚି ୬: ୪୬ରେ ହଳଦିଆ ଓ ସବୁଜ ସଙ୍କେତ ମିଳିବା ପରେ ଅମୃତସର ପାଇଁ ବାହାରି ଥିଲି। ମାନାଓ୍ଵାଲା ଓ ଅମୃତସର ମଧ୍ୟରେ ଗେଟ ସଂଖ୍ୟା ୨୮ ଡିସଟେଣ୍ଟ ଓ ଗେଟ ସିଗନଲ ଗ୍ରିନ୍‌ ପାସ୍‌ କରିଥିଲା। ଏହାପରେ ଗେଟ ସଂଖ୍ୟା ୨୭ ମଧ୍ୟରେ ଲଗାତର ହର୍ଣ୍ଣ ବଜାଇ ପାସ୍‌ କରିଥିଲି। ଗାଡ଼ି କେଏନ୍‌-ନମ୍ବର ୫୦୮/୧୧ ଆଖପାଖରେ ପହଞ୍ଚିଲା ବେଳକୁ ସାମ୍ନାରୁ ଗାଡ଼ି ସଂଖ୍ୟା ୧୩୦୦୬ ଡିଏନ୍‌ ଆସୁଥିଲା। ଆକସ୍ମିକ ଭାବେ ଲୋକଙ୍କୁ ଡୁଜୁମ୍‌ ଟ୍ରାକ୍‌ ପାଖରେ ଦେଖି ମୁଁ ତୁରନ୍ତ ହର୍ଣ୍ଣ ବଜାଇ ଜରୁରୀକାଳୀନ ବ୍ରେକ୍‌ ଦେଇଥିଲି। ଜରୁରୀକାଳୀନ ବ୍ରେକ୍‌ ଦେବାପରେ ବି ଟ୍ରେନ୍‌ ଚକା ତଳେ ୬୧ଜଣ ଲୋକ ଚାଲି ଆସିଥିଲେ। ଏହାପରେ ଟ୍ରେନ୍‌ ଅଟକାଇବାକୁ ଚେଷ୍ଟା କରୁଥିଲେ ହେଁ ବହୁ ସଂଖ୍ୟାରେ ଲୋକମାନେ ପଥରମାଡ କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ଗାଡ଼କୁ ଆଗକୁ ବଢ଼ାଇ ଅମୃତରସର ଷ୍ଟେସନ୍‌ରେ ପହଞ୍ଚାଇବା କ୍ଷଣି ଏହି ଘଟଣା ବିଷୟରେ ସମସ୍ତ ଅଧିକାରୀଙ୍କୁ ସୂଚନା ଦେଇଥିଲି।’ ରେଳବାଇ କହିଛି ଯେ ଟ୍ରେନ ଚାଳକଙ୍କ ବିରୋଧରେ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।
ଏହି ଦୁର୍ଘଟଣା ପଛରେ ରେଳବାଇର କୌଣସି ଦୋଷତ୍ରୁଟି ନାହିଁ। ରେଳବାଇ ପକ୍ଷରୁ କୌଣସି ଦୋଷ ନଥିବାରୁ ଚାଳକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି। ଅନ୍ୟପଟେ ଅଘଟଣ ଘଟିବା ପରଠାରୁ ରେଳ ଧାରଣାରେ ଆନ୍ଦୋଳନ ଚଳାଇଥିବା ବିକ୍ଷୋଭକାରୀଙ୍କୁ ରବିବାର ହଟାଇଦିଆଯାଇଛି। ସୂଚନାଯୋଗ୍ୟ ଶୁକ୍ରବାର ସନ୍ଧ୍ୟାରେ ରେଳ ଧାରଣାରେ ଠିଆ ହୋଇ ଲୋକେ ରାବଣପୋଡି ଉତ୍ସବ ଦେଖୁଥିବାବେଳେ ଟ୍ରେନ ମାଡିଯାଇ ୬୧ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply