ମ୍ୟାଲେରିଆ ନିୟନ୍ତ୍ରଣ: ସଫଳତା ପାଇଁ ଓଡ଼ିଶା ପ୍ରଶଂସିତ

0

ଭୁବନେଶ୍ୱର: ଓଡ଼ିିଶାରେ ମେଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଗତ ନଭେମ୍ବର ମାସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବୈଠକରେ ପ୍ରକାଶିତ ମେଲେରିଆ ରିପୋର୍ଟରେ ରାଜ୍ୟରେ ମେଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତାକୁ ଶ୍ରେଷ୍ଠ ପ୍ରତିପାଦିତ କରାଯାଇଛି। ଏହି ସଫଳତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏକ ପତ୍ରରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା ଏବଂ କାର୍ଯ୍ୟରତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ମେଲେରିଆମୁକ୍ତ କରାଯିବାକୁ ଲକ୍ଷ୍ୟ ରହିଛି। ଗତ ଦୁଇ ବର୍ଷ ଭିତରେ ମେଲେରିଆ ନିରାକରଣରେ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦୧୬ ଅପେକ୍ଷା ୨୦୧୭ରେ ମେଲେରିଆ ସଂକ୍ରମଣ ୨୨.୩୨ପ୍ରତିଶତ ହ୍ରାସ ପାଇଛି। ୨୦୧୮ରେ ମଧ୍ୟ ଏହି ଧାରା ଅବ୍ୟାହତ ରହିଛି। ଏହି ବର୍ଷ ମେଲେରିଆ ନିରାକରଣ ସର୍ବାଧିକ ୮୪ପ୍ରତିଶତରେ ପହଞ୍ଚିଛି। ମେଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ପ୍ରଶଂସା କରିବା ସହିତ ଏହା ସର୍ବୋତ୍କୃଷ୍ଟ ମଡ଼େଲ ବୋଲି ବିଶ୍ୱ ମେଲେରିଆ ରିପୋର୍ଟରେ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୪ରେ ୩,୯୫,୦୦୪ ମେଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ରୋଗରେ ୮୯ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୫ରେ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୪, ୩୬, ୭୯୨କୁ ବୃଦ୍ଧି ପାଇଥିଲା। ଏହି ବର୍ଷ ୮୦ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୬ରେ ୪,୪୯,୬୯୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ୩,୫୨,୧୪୦ଜଣ ଚିହ୍ନଟ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୪ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ୩,୩୨,୩୬୪ଜଣ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୫୯ହଜାର ୭୫୦ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗରେ ଏବର୍ଷ ଏହି ରୋଗରେ ମାତ୍ର ୩ଜଣଙ୍କ ମୃତ୍ୟୁ ଘଟିଛି।
ମେଲେରିଆ ନିରାକରଣ କ୍ଷେତ୍ରରେ ଜାତୀୟସ୍ତରରେ ଓଡ଼ିଶାର ଅବଦାନକୁ ସେ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ବ୍ୟାପକ ମେଲେରିଆ ନିରାକରଣ ପଦକ୍ଷେପ ପାଇଁ ସଫଳତା ମିଳିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମେଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟର ୧୭ଟି ଅତ୍ୟଧିକ ମେଲେରିଆ ପ୍ରବଣ ଜିଲାରେ ୧.୧୩ କୋଟି ଔଷଧ ଉପଚାରିତ ମାଶାରି ବଣ୍ଟନ କରାଯାଇଛି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ୨୪ଟି ଜିଲାର ଅତ୍ୟଧିକ ମେଲେରିଆ ପ୍ରବଣ ଦୁର୍ଗମ ଅଞ୍ଚଳରେ ‘ଦମନ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଅଞ୍ଚଳର ୧୪ଲକ୍ଷ ୧୯ହଜାର ୧୨୧ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇ ୬୮୬୩୧ରୋଗୀ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ପ୍ରଦାନ କରାଯାଇଛି।
ଘର ଭିତରେ ଔଷଧ ସିଞ୍ଚନ ଦ୍ୱାରା ୫୭ଲକ୍ଷ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ମେଲେରିଆ ରୋଗ ଚିହ୍ନଟ ଓ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ୪୭ହଜାରରୁ ଅଧିକ ଆଶା ଓ ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯାଇଛି। ୫୦୦ରୁ ଅଧିକ ସରକାରୀ ପରୀକ୍ଷାଗାରରେ ରୋଗ ଚିହ୍ନଟ ସହ ଚିକିତ୍ସା ପ୍ରଦାନ କରାଯାଉଛି। ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏସବୁ ମାଗଣାରେ କରାଯାଉଥିବା ବେଳେ ଏହି ସଫଳତା ରାଜ୍ୟକୁ ବିଶ୍ୱସ୍ତରରେ ଶ୍ରେଷ୍ଠ ପ୍ରତିପାଦିତ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply