ମେକ୍ସିକୋ ଗ୍ରାଁପ୍ରି ଜିତିଲେ ଭେର୍ଷ୍ଟାପେନ୍‍: ହାମିଲଟନ ବିଶ୍ୱ ଚମ୍ପିଆନ

0

ମେକ୍ସିକୋ ସିଟି: ମର୍ସିଡିଜ୍‍ ଡ୍ରାଇଭର ଲୁଇସ ହାମିଲଟନ ଚଳିତବର୍ଷ ପାଇଁ ଫର୍ମୁଲା ୱାନ ରେସ୍‍ରେ ବିଶ୍ୱ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ସିଜିନର ୧୯ଶ ରେସ୍‍ ମେକ୍ସିକୋ ଗ୍ରାଁପ୍ରିରେ ହାମିଲଟନ ୪ର୍ଥ ସ୍ଥାନ ଅଧିକାର କରିଥିଲେ ସୁଦ୍ଧା ମୋଟ ୩୫୮ ପଏଣ୍ଟ ପାଇ ବିଶ୍ୱ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୩୩ ବର୍ଷୀୟ ବ୍ରିଟିଶ ନାଗରିକ ହାମିଲଟନ ପୂର୍ବରୁ ୨୦୦୮, ୨୦୧୪, ୨୦୧୫ ଓ ୨୦୧୭ରେ ବିଶ୍ୱ ଚମ୍ପିଆନସିପ୍‍ ଟାଇଟଲ ହାସଲ କରିସାରିଛନ୍ତି। ହାମିଲଟନଙ୍କ ପଛକୁ ଡ୍ରାଇଭରଙ୍କ ତାଲିକାରେ ଫରାରିର ଦୁଇ ଡ୍ରାଇଭର ସେବାଷ୍ଟିଆନ ଭେଟେଲ (୨୯୪ ପଏଣ୍ଟ) ଓ କିମି ରାଇକୋନେନ୍‍ (୨୩୬ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତ ସିଜିନରେ ଆଉ ଦୁଇଟି ରେସ୍‍ ବାକିଥିବାବେଳେ ଭେଟେଲ କିମ୍ବା ରାଇକୋନେନ୍‍ ଚମ୍ପିଆନ ହେଲେ ସୁଦ୍ଧା ହାମିଲଟନଙ୍କୁ ଅତିକ୍ରମ କରିପାରିବେ ନାହିଁ।
ରବିବାର ମେକ୍ସିକୋଗ୍ରାଁପ୍ରି ଚୂଡାନ୍ତ ରେସ୍‍ରେ ରେଡ୍‍ବୁଲ ଡ୍ରାଇଭର ମ୍ୟାକ୍ସ ଭେର୍ଷ୍ଟାପେନ୍‍ ୪.୩୦୪ କିମି ଦୂରତ୍ୱ ବିଶିଷ୍ଟ ଟ୍ରାକ୍‍କୁ ୧ ଘଣ୍ଟା ୩୮ ମିନିଟ ୨୮.୮୫୧ ସେକେଣ୍ଡରେ ୭୧ ଥର ପରିକ୍ରମା କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପଛକୁ ଭେଟେଲ ୨ୟ ଓ ରାଇକୋନେନ୍‍ ୩ୟ ସ୍ଥାନ ହାସଲ କରିଛନ୍ତି। ଚଳିତ ସିଜିନରେ ଭେର୍ଷ୍ଟାପେନ୍‍ଙ୍କର ଏହା ହେଉଛି ଦ୍ୱିତୀୟ ଟାଇଟଲ।

Leave A Reply