ମୁଲାପେରିୟାର ଡ୍ୟାମ୍‍ ଜଳ ନିଷ୍କାସନ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର: ସୁପ୍ରିମକୋର୍ଟ

0

ନୂଆଦିଲ୍ଳୀ: କେରଳ ଓ ତାମିଲନାଡ଼ୁ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ସାଜିଥିବା ମୁଲାପେରିୟାର ଡ୍ୟାମ୍‍ର ଗେଟ୍‍ ଖୋଲାଯିବକି ନାହିଁ ସେ ସମ୍ପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ କେନ୍ଦ୍ରର ନିଷ୍ପତ୍ତିକୁ ମାନି ନେବାକୁ ତାମିଲନାଡ଼ୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
କେରଳରେ ଆସିଥିବା ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା ଯୋଗୁଁ ଏକଧିକ ଡ୍ୟାମ୍‍ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ୫୮ଟି ଡ୍ୟାମ୍‍ର ଗେଟ୍‍ ଖୋଲି ଦିଆଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ ମୁଲାପେରିୟାର ଡ୍ୟାମ୍‍ ଗେଟ୍‍ ଖୋଲିଲେ ବନ୍ୟା ପରିସ୍ଥିତି ଆହୁରି ଜଟିଳ ହେବ। ଅପରପକ୍ଷରେ ଗେଟ୍‍ ନ ଖୋଲିଲେ ବ୍ରିଟିଶ୍‍ ଅମଳରେ ନିର୍ମିତ ଏହି ଡ୍ୟାମ୍‍ ପ୍ରତି ବିପଦ ରହିଛି। ତେଣୁ ଡ୍ୟାମର ଜଳସ୍ତର ୩ ଫୁଟ୍‍ କମାଇବା ପାଇଁ ଜାତୀୟ ବିପଦ ପରିଚାଳନା କମିଟି ପ୍ରସ୍ତାବ ଦେଇଛି।
ଗେଟ୍‍ ଖୋଲିଲେ ତାମିଲନାଡ଼ୁ ପ୍ରତି ବିପଦ ସୃଷ୍ଟ ହେବ ବୋଲି ତାମିଲନାଡ଼ୁ ସରକାର ଆଶଙ୍କା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ କେରଳ ମୁଖ୍ୟ ଶାସନ ସଚିବଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। କେରଳ ବନ୍ୟା ସ୍ଥିତି ଦୃଷ୍ଟିରୁ ଉଭୟ ରାଜ୍ୟ ସହମତି ଭିତ୍ତିରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗତ କାଲି କହିଥିଲେ।

Leave A Reply