ମିଳୁନି କାଳିଆ ଟଙ୍କା, ରାଜରାସ୍ତାକୁ ଓଲ୍ଲାଇବେ ଚାଷୀ

ଟିଟିଲାଗଡ଼-କ୍ରମାଗତ ଭାବରେ ମରୁଡିର ଶିକାର ହୋଇ ତଳିତଳାନ୍ତ ଟିଟିଲାଗଡ ଉପଖଣ୍ଡର ଚାଷୀ ପରିବାର ଭାସିଗଲା ବେଳକୁ କୁଟାଖିଅକୁ ଆଶ୍ରା ପରି କାଳିଆ ଉପରେ ଆସ୍ଥା ପ୍ରକଟ କରିଥିଲେ। କ୍ଷମତାକୁ ପୁଣି ଫେରିଥିବା ଦଳ ଚାଷୀ, ଭୁମିହୀନ ସମସ୍ତଙ୍କ ପାଇଁ କାଳିଆ ଅଛି ବୋଲି ଭରସା ଦେଇଥିଲେ। ଚାଷୀଙ୍କୁ ବର୍ଷକୁ ଖରିଫ ଏବଂ ରବି ଫସଲ ପାଇଁ ୫ ହଜାର ଲେଖାଏଁ ୫ଟି ଫସଲ ପାଇଁ କାଳିଆ ଟଙ୍କା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଏପରିକି ଭୂମିହୀନ ମଧ୍ୟ ଏହି ଯୋଜନାରେ ସହାୟତା ପାଇବେ ବୋଲି ଘୋଷଣା ହୋଇଥିଲା। ନିର୍ବାଚନ ପୁର୍ବରୁ ସରକାରଙ୍କ ଏହି ଯୋଜନାକୁ ବିରୋଧି ସମାଲୋଚନା କରିଥିଲେ। ନିର୍ବାଚନ କମିଶନରଙ୍କ କଟକଣା ନେଇ ଅନେକ ଚାଷୀ ସହାୟତାରୁ ବଂଚିତ ହେବା ସହ ଯୋଜନାର ଭାଗ୍ୟ ସୁତା ଖିଅରେ ଝୁଲିଥିଲା। ତେବେ ଶାସକ ଦଳ ପୁଣି ଥରେ କ୍ଷମତାସୀନ ହେଲେ ଏକା ଥରକେ ଦୁଇଟି ଫସଲର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇ କ୍ଷମତାକୁ ଫେରିଲେ। ହେଲେ ଅଦ୍ୟାବଧି ବହୁ ସଂଖ୍ୟାରେ ଚାଷୀ ପରିବାର ଏହି ଯୋଜନାରୁ ବଂଚିତ ରହିଛନ୍ତି। ଏନେଇ ଚାଷୀ ନିଜ ବ୍ୟାଙ୍କ ଜମାଖାତା ଧରି ଟଙ୍କା ଆସିଲା କି ନାହିଁ ବୋଲି ପ୍ରତିଦିନ ବ୍ୟାଙ୍କ ଚକ୍କର କାଟୁଥିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ କାମରେ ବ୍ୟସ୍ତ ରହୁଥିବା ବ୍ୟାଙ୍କ କର୍ମଚାରୀ “ଦିନା ଦୁଏ ହେଲା ତ ଦେଖିଥିଲି ବୋ ନେଇ ପଡ୍ବାର, ପଡ୍ଲେ କେଁ ମୁଁଇ ଖାଇଦେମି କେଁ, ତର୍ ଟା ତୁଇ ନେବୁ”ବୋଲି ଚାଷୀଙ୍କୁ କହୁଛନ୍ତି। “ମର୍ ଘର୍ ତରାର୍ ଦୁଇ ଜନ୍ କର୍ ପଡ୍ଲା ମର୍ ଟା କେନ୍ତା ନେଇ ପଡ୍ଲା, ଦୁଇ ଥର୍ କାଗଜ୍ ପତର୍ ଦେଇଥିଲିଁ, ଆମ୍କେ ଗରିବ୍ କେ ନେଇ ମିଲ୍ଲା, ଧନୀ କେ ମିଲୁଛେ”, ଏମିତି ହତାଶ ଚାଷୀଙ୍କ ଅନେକ ଅଭିଯୋଗ ଆଲୋଚନାର ବିଷୟ ହୋଇଛି। ଅନେକ ଚାଷୀଙ୍କ ମୋବାଇଲ ଫୋନକୁ ମେସେଜ ଆସୁଛି ହେଲେ ଟଙ୍କା ଜମା ହୋଇନାହିଁ। କିଛି ଚାଷୀ ଏଟିଏମ କାର୍ଡ ପାଇଥିବା ବେଳେ ତାହା ବ୍ୟବହାର କରିଜାଣିନାହାନ୍ତି। ଅନ୍ୟପକ୍ଷରେ ଚାଷୀଙ୍କୁ ଯୋଜନା ନେଇ ଅଭିଯୋଗ କରିବାକୁ ସଠିକ ଠିକଣା ମଧ୍ୟ କେହି ଦେଉନାହାନ୍ତି। ଅନ୍ୟପଟରେ ପୁର୍ବ ବର୍ଷ ଗୁଡିକ ଭଳି ଚଳିତ ବର୍ଷ ମରୁଡି ଦାଉ ସାଧି ଉପଖଣ୍ଡ ଅନ୍ତର୍ଗତ ୧,୨୧,୭୨୪ ହେକ୍ଟର ଚାଷ ଜମିରୁ ଅଦ୍ୟାବଧି ୪୨୩୪ ହେକ୍ଟର ଚାଷ ଜମିରେ ହିଁ ହଳ ବୁଲିଛି ବୋଲି କୃଷି ବିଭାଗ କହିଛି। ବର୍ଷାଭାବ ଚାଷୀ ପରିବାରଙ୍କ ଉପରେ କଟା ଘାରେ ଚୂନ ସଦୃଶ ହୋଇଛି। ସରକାର ଚାଷୀ ପରିବାରଙ୍କ ଉତଥାନ ପାଇଁ ଯୋଜନା ପ୍ରଣୟନ କରୁଥିବା କହୁଥିବା ବେଳେ ଚାଷ ଋତୁରେ ଚାଷୀ ବେକାର ବସିଛି। ଚାଷୀ ସରକାରୀ ସହାୟତାରୁ ବଂଚିତ ରହିଛନ୍ତି। ଏନେଇ ଆଗମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କୃଷକ ନେତା ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ କାଲିଆ ଯୋଜନା ନେଇ ଟିଟିଲାଗଡ କୃଷି ଜିଲା ଅଧିକାରୀ ବାଲକୃଷ୍ଣ ଗୌଡଙ୍କୁ ଯୋଗାଯୋଗ କରିବାରୁ ଫେଜ୍‍ ଅନୁଯାୟୀ ସହାୟତା ମିଳିବ ବୋଲି କହିଛନ୍ତି।

Comments are closed.