ମାଲେସିଆ ସହ ଗୋଲ୍‍ଶୂନ୍ୟ ଡ୍ର ପରେ ଭାରତ ସେମିରେ

0

ମସ୍କାଟ୍‍: ଏଠାରେ ଚାଲିଥିବା ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଭାରତ ଓ ମାଲେସିଆ ମଧ୍ୟରେ ମୁକାବିଲା ୦-୦ ଗୋଲ୍‍ରେ ଶେଷହୋଇଛି। ଫଳରେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ତେବେ ଏହି ୧ ପଏଣ୍ଟ ପାଇ ଉଭୟ ଭାରତ ଓ ମାଲେସିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‍ରେ ଭାରତ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ ହେଁ ଗୋଲ୍‍ ଦେଇ ପାରିନଥିଲା। ପୂର୍ବ ୩ଟି ମ୍ୟାଚ୍‍ରେ ୨୩ଟି ଗୋଲ୍‍ ଦେଇଥିବା ଭାରତ ଏକାଧିକ ସୁଯୋଗ ଛାଡ଼ିଥିଲା। ପୁଣି ଏସୀୟ କ୍ରୀଡ଼ା ସେମିଫାଇନାଲରେ ମାଲେସିଆଠାରୁ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଥିବା ଭାରତର ଆଶା ଅପୂରଣୀୟ ରହିଛି। ୪ଟି ମ୍ୟାଚ୍‌ରୁ ୧୦ ପଏଣ୍ଟ ସହ ଭାରତ ଟେବୁଲ ଶୀର୍ଷରେ ରହିଛି। ବୁଧବାର କୋରିଆ ବିପକ୍ଷରେ ଭାରତ ୫ମ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ ଖେଳିବ।
ଆରମ୍ଭରୁ ଉଭୟ ଭାରତ ଓ ମାଲେସିଆ ଜଗିରଖି ଖେଳିବା ଆରମ୍ଭ କରିଥିଲେ। ୭ମ ମିନିଟରେ ଭାରତକୁ ପ୍ରଥମ ସୁଯୋଗ ମିଳିଥିଲା। ଅଧିନାୟକ ମନଦୀପ ସିଂହ ଏକ ଚମତ୍କାର ପାସ୍‍ ପାଇଥିଲେ ହେଁ ବଲ୍‍ ପାଖରେ ପହଞ୍ଚି ପାରିନଥିଲେ। ୮ମ ମିନିଟରେ ଦିଲପ୍ରୀତ ସିଂହଙ୍କୁ କେବଳ ମାଲେସିଆ ଗୋଲ୍‍ରକ୍ଷକଙ୍କୁ ପରାସ୍ତ କରିବାର ଥିଲେ ହେଁ ସଠିକ୍‍ ଭାବେ ସେ ସଟ୍‍ ମାରି ପାରିନଥିଲେ। ୧୦ମ ମିନିଟରେ ଆକାଶଦୀପ ସିଂହଙ୍କ ଆକ୍ରମଣରୁ ଭାରତକୁ ପ୍ରଥମ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ହରମନପ୍ରୀତ ସିଂହ ମାରିଥିବା ସଟ୍‍କୁ ମାଲେସିଆ ଗୋଲ୍‍ରକ୍ଷକ ରୋକି ଦେଇଥିଲେ। ଏହିପରି ଭାରତୀୟ ଦଳ ମ୍ୟାଚ୍‍ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ଦୁର୍ବଳ ଫିନିସିଂ ଯୋଗୁଁ ଗୋଲ୍‍ ହୋଇନଥିଲା। ମଧ୍ୟାନ୍ତର ସୁଦ୍ଧା ମୁକାବିଲା ଗୋଲ୍‍ଶୂନ୍ୟ ରହିଥିଲା। ଏସୀୟ କ୍ରୀଡ଼ା ସେମିଫାଇନାଲରେ ପେନାଲ୍‍ଟି କର୍ଣ୍ଣର ଗୋଲ୍‍ ବଳରେ ଭାରତକୁ ମାଲେସିଆ ପରାହତ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଡିଫେଣ୍ଡର ମାଲେସିଆକୁ ପେନାଲ୍‍ଟି କର୍ଣ୍ଣର ନଦେବାକୁ ପ୍ରୟାସ କରିଥିଲେ। ୪ର୍ଥ କ୍ୱାର୍ଟରରେ ଭାରତୀୟ ଦଳ ଗୋଲ୍‍ଦେବାକୁ ସମସ୍ତ ପ୍ରୟାସ କରିଥିଲା। ୫୪ ମିନିଟରେ ହଳଦିଆ କାର୍ଡ ମିଳିବା ଯୋଗୁଁ ମାଲେସିଆ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲେ। ନୀଳକାନ୍ତ ଶର୍ମା ଏକ ଚମତ୍କାର ସୁଯୋଗ ପାଇଥିଲେ ହେଁ ବଲ୍‍କୁ ବାହାରକୁ ମାରିଥିଲେ। ୫୫ ମିନିଟରେ ଜର୍ମନପ୍ରୀତ ସିଂହ କ୍ରସ୍‍ ମାରିଥିଲେ ହେଁ ଏହାକୁ ଗୋଲ୍‍ରେ ପରିଣତ କରିବାକୁ କୌଣସି ଭାରତୀୟ ନଥିଲେ। ଶେଷ ୫ ମିନିଟରେ ଭାରତୀୟ ଖେଳାଳି ପ୍ରବଳ ଚାପ ପକାଇ ଖେଳିଥିଲେ। ଫଳରେ ମାଲେସିଆର ସମସ୍ତ ଖେଳାଳିଙ୍କୁ ନିଜ ହାଫ୍‍ରେ ଦେଖିବାକୁ ମିଳିଥିଲା। ୫୭ ମିନିଟରେ ଭାରତକୁ ଏକ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ତେବେ ହରମନପ୍ରୀତ୍‍ ସିଂହଙ୍କ ସଟ୍‍କୁ ମାଲେସିଆ ଡିଫେଣ୍ଡର ରୋକି ଦେଇଥିଲେ। ପରବର୍ତ୍ତୀ ମିନିଟରେ ମଧ୍ୟ ଭାରତକୁ ମିଳିଥିବା ପେନାଲ୍‍ଟି କର୍ଣ୍ଣର ହିଟ୍‌କୁ ହରମନପ୍ରୀତ ସିଂହ ରୋକି ପାରିନଥିଲେ।

Leave A Reply