ମମତାମୟୀ ମାଆ

0

ମା’-ଏଇ ଗୋଟିଏ ଅକ୍ଷର ଭିତରେ ନିହିତ ରହିଛି ସବୁ ଶକ୍ତି। ଜନ୍ମଦାତ୍ରୀ ଜନନୀ ଓ ଜନ୍ମଭୂମି ଉଭୟେ ଗରୀୟସୀ, ଉଭୟେ ସନ୍ତାନଙ୍କୁ କୋଳରେ ଧାରଣ କରିଥାନ୍ତି। ହେଲେ ଜନନୀ ଗର୍ଭରେ ଧାରଣ କରିଥାଏ ସନ୍ତାନକୁ। ସନ୍ତାନ ପାଇଁ ସବୁ ସୁଖସ୍ବାଚ୍ଛନ୍ଦ୍ୟକୁ ନିର୍ବିକାରରେ ବଳି ଦେଇଥାଏ। ସନ୍ତାନର ଦୁଃଖରେ ତା’ର ଆଖିରୁ ଲୁହ ଝରେ, ସନ୍ତାନର ସୁଖରେ ସେ ସୁଖୀ ହୋଇଥାଏ। ମାଆର ପଣତକାନି ତଳେ ଆଶ୍ରା ନେଇଥିବା ସନ୍ତାନକୁ ଇନ୍ଦ୍ରଙ୍କର ଶକ୍ତିଶାଳୀ ବଜ୍ର ମଧ୍ୟ କିଛି କ୍ଷତି କରିପାରି ନଥାଏ ବୋଲି କୁହାଯାଏ। ମାଆର ଅଭୟ ଆଶୀର୍ବାଦ ଯେଉଁମାନେ ଲାଭ କରିଥାନ୍ତି ସେମାନେ ଯଶସ୍ବୀ ମଧ୍ୟ ହୋଇଥାଆନ୍ତି। ଇତିହାସ ପର୍ଯ୍ୟାଲୋଚନା କଲେ ଏହା ମଧ୍ୟ ଜଣାଯାଇଥାଏ ଛତ୍ରପତି ଶିବାଜୀ, ଆବ୍ରାହମ ଲିଙ୍କନ, ବିନୋବା ଭାବେ ପ୍ରମୁଖ ମହାପୁରୁଷ ଶ୍ରେଷ୍ଠତ୍ବ ଲାଭ ପଛରେ ଥିଲା ସେମାନଙ୍କ ମାଆଙ୍କର ଆଶୀର୍ବାଦ।
ସିକନ୍ଦର ଥିଲେ ଦିଗବିଜୟୀ ସମ୍ରାଟ। ତାଙ୍କର ରାଜ୍ୟ ଜୟ ନିଶା ଆଗରେ ମାନବିକତା ବଳି ପଡ଼ିଥିଲା। ଯୁଦ୍ଧରେ ଜୟଲାଭ ଆଶାରେ ହତ୍ୟା, ଲୁଣ୍ଠନ, ଗୃହଦାହ ଆଦି ଅତି ଅମାନବୀୟ ପନ୍ଥା ଅନୁକରଣ କରୁଥିଲେ ତାଙ୍କର ସୈନ୍ୟସାମନ୍ତ। ଏସବୁ ପଛରେ ସିକନ୍ଦରଙ୍କ ପ୍ରତ୍ୟକ୍ଷ ସମର୍ଥନ ଥିଲା। ତାଙ୍କର ବଶ୍ୟତା ସ୍ବୀକାର ନକରିବା ଅର୍ଥ ସ୍କନ୍ଦ ଶିରଚ୍ୟୁତ ହେବା ଧାର୍ଯ୍ୟଥିଲା। ବର୍ବରତାର ସବୁ ସୀମା ଅତିକ୍ରମ କରିଯାଇଥିଲେ ସେ। ଏହା ସତ୍ତ୍ବେ ବି ସିକନ୍ଦର ଥିଲେ ଅତିମାତ୍ରାରେ ମାତୃଭକ୍ତ, ଏହା ଅନେକେ ଜାଣି ନଥିବେ।
ଏକଦା ବାଳକ ସିକନ୍ଦରଙ୍କୁ ତାଙ୍କର ମାଆ ପଚାରିଥିଲେ- ‘ବାବୁରେ! ଏ ସଂସାରରେ ତୋର ସବୁଠାରୁ ପ୍ରିୟ କିଏ? କାହାକୁ ତୁ ଅଧିକ ଭଲ ପାଉ?’
ବିନା ଦ୍ବିଧାରେ ସିକନ୍ଦର ତତ୍‌କ୍ଷଣାତ ଉତ୍ତର ଦେଇଥିଲେ- ‘ମୋର ତ ସବୁଠାରୁ ପ୍ରିୟ ତୁମେ, ମୋତେ ମୋର ମାଆ ସବୁଠାରୁ ଭଲ ଲାଗନ୍ତି।’ ‘ଆରେ ନା ନା, ମୁଁ ସେକଥା ପଚାରୁ ନାହିଁ। ଖାଇବା, ପିଇବା, ଖେଳକୁଦ, ଏସବୁର ମଧ୍ୟରୁ ତୋର ସବୁଠାରୁ ପ୍ରିୟ କ’ଣ ତାହା ମୁଁ ଜାଣିବାକୁ ଚାହଁୁଛି’ – ମା’ କହିଥିଲେ। ମାଆ କଥାଟାକୁ ଟିକେ ବୁଲେଇ କହିଥିଲେ। ଏଭଳି ପ୍ରଶ୍ନରେ ସିକନ୍ଦର କିଛି କ୍ଷଣ ଚିନ୍ତା କରି କହିଥିଲେ- ‘ମାଆ ! ସେସବୁ ଅପେକ୍ଷା ତୁମେ ତ ମୋର ସର୍ବାଧିକ ପ୍ରିୟ।’
ପୁନଶ୍ଚ ସେଇ ଏକା ଉତ୍ତର ଶୁଣି ସିକନ୍ଦରଙ୍କ ମାଆ ପ୍ରଶ୍ନ କରିଥିଲେ- ମୋଠାରେ ତୁ ଏଭଳି କ’ଣ ଦେଖୁଛୁ ଯେଉଁ କାରଣରୁ ମୋତେ ସବୁଠାରୁ ଅଧିକ ପ୍ରିୟ ବୋଲି କହୁଛୁ?
ଏଥିରେ ଅଭିଭୂତ ହୋଇ ବାଳକ ସିକନ୍ଦର କହିଥିଲେ- ‘ମାଆ! ତୁମଯୋଗୁଁ ତ ମୋର ସ୍ଥିତି ରହିଛି। ଅନ୍ୟଥା ଏହା ଅସମ୍ଭବ ହୋଇଥାନ୍ତା। ଏବେ ତୁମେ କୁହ, ଯଦି ତୁମେ ନଥାନ୍ତ ତା’ହେଲେ ସଂସାରରେ ମୋର ସ୍ଥିତି ଥାଆନ୍ତାକି? ମୋର ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ ତୁମ ଉପରେ ନିର୍ଭରଶୀଳ। ଭବିଷ୍ୟତରେ ମୁଁ ଯାହା କିଛି ହେବି, ତା’ ତ କେବଳ ତୁମର ଆଶୀର୍ବାଦରୁ ହିଁ ସମ୍ଭବ ହେବ।’
ଏଭଳି ଉତ୍ତର ଶୁଣି ମାଆ ଭାବବିହ୍ବଳ ହୋଇ ବାଳକ ସିକନ୍ଦରଙ୍କୁ ନିଜ ଆଡ଼କୁ ଆଉଜାଇ ନେଇ ଭବିଷ୍ୟତରେ ବଡ଼ମଣିଷ ହେବାପାଇଁ ଆଶୀର୍ବାଦ ଦେଇଥିଲେ। ମାଆଙ୍କ ଆଶୀର୍ବାଦ ସତ୍ୟ ସାବ୍ୟସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଯେ ଜଣେ ବିଶ୍ବଜୟୀ ସମ୍ରାଟ ହୋଇପାରିଥିଲେ, ଏହା ମୂଳରେ ଥିଲା ମାଆଙ୍କର ପ୍ରଚ୍ଛନ୍ନ ଆଶୀର୍ବାଦ।

Leave A Reply