ଭୁବନେଶ୍ୱରକୁ ଉଡ଼ିଲା ଏଲାୟନ୍ସ ଏୟାର ବିମାନ

ଝାରସୁଗୁଡ଼ା : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାୟନ୍ସ ଏୟାର ତାର ବିମାନ ସେବା ଆରମ୍ଭ କରିଛି। ପ୍ରଥମ ଦିନରେ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ୪୦ ଜଣ ଯାତ୍ରୀ ଆସିଥିବାବେଳେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ୫୫ ଜଣ ଯାତ୍ରୀ ଯାଇଛନ୍ତି। ୭୮ ସିଟ୍‍ ବିଶିଷ୍ଟ ଏହି ବିମାନ ପ୍ରଥମ ଦିନରେ ଆଶାଠାରୁ ଅଧିକ ଲୋକ ଯାତ୍ରା କରିଥିବାରୁ ଏହି ବିମାନ ବନ୍ଦରର ଭବିଷ୍ୟତ ଖୁବ ଉଜ୍ୱଳ ବୋଲି ଏଲାୟନ୍ସ ଏୟାରର ଅଧିକାରୀମାନେ କହିଛନ୍ତି।
ଆଜି ସକାଳ ୧୦.୩୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଏଲାୟନ୍ସ ଏୟାର ଏଟିଆର-୭୨ ବିମାନ ଆସି ଝାରସୁଗ୍‍ୁଡ଼ାରେ ଅବତରଣ କରିଥିଲା। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ, ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଏହି ବିମାନରେ ଆସି ଝାରସୁଗୁଡ଼ାଠାରେ ଅବତରଣ କରିଥିଲେ। ବିମାନଟି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନକୁ ୱାଟର କ୍ୟାନନ ସାଲୁଟ ପ୍ରଦାନ କରାଯାଇଥିଲା। ଏଲାୟନ୍ସ ଏୟାରରେ ଝାରସୁଗୁଡ଼ା ଆସିଥିବା ସମସ୍ତ ଯାତ୍ରୀଙ୍କୁ ଝାରସୁଗୁଡ଼ା ସଙ୍ଗୀନି ମହିଳା ସମିତି ପକ୍ଷରୁ ସମସ୍ତଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା। ଦିନ ୧୧ଟାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଭାରତ ସରକାରଙ୍କ ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ, ଏଏଆଇ ପ୍ରାନ୍ତୀୟ ଅଧିକାରୀ ଏସ.ପି. ଯାଦବ ଓ ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀ ସି.ଏସ୍‍. ସୁବେଇୟା, ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦେଶକ ସୁଦେଶ କୁମାର ଚୌହାନ, ଝାରସୁଗୁଡ଼ାର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଶିଳ୍ପ ସଂସ୍ଥା ଓ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ। ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ ସହ କେକ୍‍ କାଟି ଥିଲେ। ପ୍ରଥମେ ବୋଡ଼ିଂ ପାସ ନେଇଥିବା ଯାତ୍ରୀଙ୍କୁ ବୋଡ଼ିଂ ପାସ ପ୍ରଦାନ କରାଯାଇଥିଲା। ପରେ ଅତିଥିମାନେ ଝାରସୁଗୁଡ଼ାରୁ ଭୁବନେଶ୍ୱର ବିମାନ ଚଲାଚଳ କରିବାକୁ ପତାକା ଦେଖାଇ ଏଲାୟନ୍ସ ଏୟାର ବିମାନ ସେବାକୁ ଶୁଭାରମ୍ଭ କରିଥିଲେ।
ଆଜିର ଉଦ୍‍ଘାଟନ ସମାରୋହରେ ଯୋଗ ଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ଝାରସୁଗୁଡ଼ାରେ ନୂତନ ନିର୍ମାଣ ହେଉଛି ଏବଂ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାଙ୍କୁ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ସମେତ ଦେଶର ଅନ୍ୟାନ୍ୟ ସ୍ଥାନକୁ ବିମାନ ସେବା ଯୋଗାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼଼ୀ ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅତିଥି ଭାବେ ଯୋଗଦେଇଥିବା ବରଗଡ଼ ସାଂସଦ ସୁରେଶ ପୁଜାରୀ କହିଛନ୍ତି ଯେ ଝାରସୁଗୁଡ଼ା ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦର ଏବଂ ଏହାର ଯେଉଁଭଳି ଭାବେ ଉନ୍ନତି କରୁଛି ଏହା ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାର ୧ ନମ୍ବର ବିମାନ ବନ୍ଦର ହେବ। ଆଗରୁ ହାଇଦ୍ରାବାଦ୍‍, ଦିଲ୍ଲୀ, କଲକାତାକୁ ବିମାନ ଚାଲୁଥିଲା। ତେବେ ଆଜିଠାରୁ ଭୁବନେଶ୍ୱର ଓ ରାୟପୁରକୁ ଏଲାୟନ୍ସ ଏୟାର ତା’ର ବିମାନ ସେବା ଆରମ୍ଭ କରୁଛି। ଆଗାମୀ ଦିନରେ ବେଙ୍ଗାଲୁର ଏବଂ ମୁମ୍ବାଇକୁ ବିମାନ ଚଳାଚଳ ପାଇଁ ଦାବି ସମ୍ପର୍କରେ ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେବ। ଝାରସୁଗୁଡ଼ାରୁ ଆଗାମୀ ଦିନରେ ଅନ୍ତଃରାଷ୍ଟ୍ରୀୟ ବିମାନ ସେବା ମଧ୍ୟ ଆରମ୍ଭ ହେବା ଆଶା କରୁଛୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଲୟର ଯୁଗ୍ମ ସଚିବ ଉଷା ପାଢ଼଼ୀ କହିଛନ୍ତି, ଝାରସୁଗୁଡ଼ା ହେଉଛି ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦର। ଉଡ଼ାନ ଯୋଜନାରେ ଝାରସୁଗୁଡ଼ା ବିମାନବନ୍ଦର ଅଗାମୀ ଦିନରେ ଏକ ପ୍ରମୁଖ ବିମାନବନ୍ଦର ଭାବେ ଉଭା ହେବ। ଜେଟ ଏୟାରୱେଜ ଝାରସୁଗୁଡ଼ାରୁ ମୁମ୍ବାଇ ସେକ୍ଟର ପାଇଁ ବିମାନ ଚଳାଚଳ ପାଇଁ ବିଡ୍‍ ଜିଣିଥିଲା। କିନ୍ତୁ ଜେଟ ଏୟାରୱେଜ ବନ୍ଦହେବା ପରେ ମୁମ୍ବଇ ସେକ୍ଟର ବିମାନ ଚଳାଚଳ ପାଇଁ ପୁଣି ଟେଣ୍ଡର କରାଯିବ ବୋଲି ଉଷା ପାଢ଼ୀ କହିଛନ୍ତି। ଏହା ସହିତ ଖୁବ କମ ଦିନ ମଧ୍ୟରେ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ କରିବାକୁ ଚେଷ୍ଟା ଜାରି ରହିଥିବା ଶ୍ରୀମତୀ ପାଢ଼ୀ କହିଛନ୍ତି। ଏଲାୟନ୍ସ ଏୟାରର ବିମାନ ରାୟପୁରରୁ ସଂଧ୍ୟା ୫ଟା ୫ରେ ବାହାରି ସଂଧ୍ୟା ୬.୧୦ରେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ପୁଣି ସଂଧ୍ୟା ୬.୩୫ ମିଟରେ ରାୟପୁର ଅଭିମୁଖେ ଯାତ୍ରା କରିଛି।

Comments are closed.