ଭାରତ-ୱେଷ୍ଟଇଣ୍ଡିଜ୍‍ ୨ୟ ଦିନିକିଆ ଆଜି

0

ବିଶାଖାପାଟଣା: ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ୍‍ ମଧ୍ୟରେ ଦିନିକିଆ ସିରିଜ୍‍ର ପ୍ରାରମ୍ଭ ଆଶା ଅନୁରୂପ ହୋଇଛି। ପ୍ରଥମ ଦିନିକିଆରେ ବିରାଟ ବାହିନୀ ସହଜରେ ବିଜୟୀ ହୋଇଛି। ମ୍ୟାଚ୍‍ର ପ୍ରଥମାର୍ଦ୍ଧରେ ୱେଷ୍ଟଇଣ୍ଡିଜ୍‍ ଉନ୍ନତ ଦଳ ମନେ ହୋଇଥିଲା। ତେବେ ବିରାଟ କୋହଲି ଓ ରୋହିତ ଶର୍ମା ଆକ୍ରମଣାତ୍ମକ ଶତକ ଅର୍ଜନକରି ଇଣ୍ଡିଜ୍‍ର ୩୨୨ ରନ୍‍ର ସ୍କୋର୍‍କୁ ଉପହାସ କରିବା ଭଳି ପିଛା କରିଥିଲେ। ଏହି ମ୍ୟାଚ୍‍ ପୂର୍ବରୁ ୪ନଂ ବ୍ୟାଟିଂ ସ୍ଥାନ ଉପରେ କୋହଲି ଗୁରୁତ୍ୱ ଦେବା ସହ ଅମ୍ବତି ରାୟୁଡୁ ଏହି ସ୍ଥାନ ପାଇଁ ଉପଯୁକ୍ତ ବ୍ୟାଟ୍‍ସମ୍ୟାନ୍‍ ବୋଲି କହିଥିଲେ। ତେବେ ରାୟୁଡୁ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳକୁ ମ୍ୟାଚ୍‍ର ଫଳାଫଳ ସ୍ପଷ୍ଟ ହୋଇ ଯାଇଥିଲା। ଜୀବନର ପ୍ରଥମ ଦିନିକିଆ ଖେଳିଥିବା ଭାରତୀୟ ଦଳର ଭବିଷ୍ୟତ କୁହା ଯାଉଥିବା ଋଷଭ ପନ୍ତ୍‍ଙ୍କୁ ବ୍ୟାଟିଂ ହିଁ ମିଳିନଥିଲା। ଏପରି ପ୍ରାଧାନ୍ୟ ବିସ୍ତାରକାରୀ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ବୁଧବାର ୱେଷ୍ଟଇଣ୍ଡିଜ୍‍ ବିରୋଧରେ ୨ୟ ଦିନିକିଆ ମ୍ୟାଚ୍‍ ଖେଳିବାକୁ ଯାଉଛି। ଏହି ଇସ୍ପାତ ନଗରୀରେ ଭାରତକୁ ଚକ୍‍ମାଦେବା ପାଇଁ ୱେଷ୍ଟଇଣ୍ଡିଜ୍‍କୁ ବୋଲିଂରେ ଇସ୍ପାତ ଭଳି ମଜ୍‍ଭୁତ ପ୍ରଦର୍ଶନ କରିବାକୁ ପଡ଼ିବ।
ତଥାପି ସ୍ପଷ୍ଟଭାବେ କହିହେବ ଯେ ଭାରତ ଏହି ମ୍ୟାଚ୍‍ ଜିତି ୨-୦ରେ ଆଗୁଆ ହେବା ଲାଗି ଫେଭରିଟ୍‍। ପ୍ରଥମ ଦିନିକିଆରେ ଭାରତ ମାତ୍ର ୨ ଜଣ ସ୍ପିନରଙ୍କୁ ଖେଳାଇଥିବା ବେଳେ ଏହାର ଫାଇଦା ୱେଷ୍ଟଇଣ୍ଡିଜ୍‍ର ବ୍ୟାଟ୍‍ସମ୍ୟାନ୍‍ ଉଠାଇଥିଲେ। ଦୁଇ ସ୍ପିନର ଭଲ ବୋଲିଂ କରିଥିବା ବେଳେ ମହମ୍ମଦ ସାମି, ଉମେଶ ଯାଦବ ଓ ମହମ୍ମଦ ଖଲିଲ ୩୦ ଓଭରରୁ ୨୦୯ ରନ୍‍ଦେଇ ୩ଟି ୱିକେଟ ନେଇଥିଲେ। ତେଣୁ ୨ୟ ଦିନିକିଆରେ ଏହି ୩ ପେସ୍‍ ବୋଲରଙ୍କ ମଧ୍ୟରୁ ଜଣଙ୍କୁ ବସାଇ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ୱେଷ୍ଟଇଣ୍ଡିଜ୍‍ ଦଳର କିଛି ଖେଳାଳି ପ୍ରଥମ ଦିନିକିଆରେ ଭଲ ପ୍ରଦର୍ଶନ କରିନଥିବା ବେଳେ ବୁଧବାର ଏଥିରେ ଉନ୍ନତି କରିବାକୁ ସେମାନେ ଚାହିଁବେ। ଭାରତମାଟିରେ ନିୟମିତ ଭାବେ ଭଲ ପ୍ରଦର୍ଶନ କରିଥିବା ମାର୍ଲନ୍‍ ସାମୁଏଲ୍‍ସ ଖାତା ଖୋଲିନଥିବା ବେଳେ ବୋଲିଂରେ ଦୁଇ ଅଭିଜ୍ଞ ପେସ୍‍ବୋଲର କିମାର ରୋଚ୍‍ ଓ ଜେସନ୍‍ ହୋଲ୍‍ଡର ପ୍ରଭାବ ପକାଇ ପାରିନଥିଲେ।
ଏହି ମ୍ୟାଚ୍‍ରେ ଉଭୟ ଦଳରେ ବିଶେଷ ପରିବର୍ତ୍ତନର ସମ୍ଭାବନା କମ୍‍। ଭାରତ ଜଣେ ପେସ୍‍ ବୋଲରଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଖେଳାଇପାରେ। କାରଣ ପ୍ରଥମ ଦିନିକିଆ ମ୍ୟାଚ୍‍ରେ ବିସ୍ଫୋରକ ଶତକ ହାସଲ କରିଥିବା ସିମ୍ରନ୍‍ ହେତ୍‍ମାୟରଙ୍କ ପାଇଁ ଟେଷ୍ଟ ସିରିଜ୍‍ରେ ଦୁଃସ୍ୱପ୍ନ ଥିଲେ କୁଲଦୀପ। ହେତ୍‍ମାୟର ୪ଟି ଇନିଂସ ମଧ୍ୟରୁ ଥରେ ରନ୍‍ଆଉଟ ହୋଇଥିବା ବେଳେ ବାକି ୩ ଥର କୁଲଦୀପଙ୍କ ବଲ୍‍ରେ ଆଉଟ ହୋଇଥିଲେ। ଇଣ୍ଡିଜ୍‍ ପାଇଁ ଫାଷ୍ଟବୋଲର ଓସାନେ ଥମାସ୍‍ ଜୀବନର ପ୍ରଥମ ଦିନିକିଆ ଖେଳି ତାଙ୍କ ଗତି ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ ହେଁ ଅତ୍ୟଧିକ ରନ୍‍ ଦେଇଥିଲେ। ତଥାପି ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ପ୍ରଥମ ଦିନିକିଆରେ ଶିଖର ଧାୱନ ବିଫଳ ହୋଇଥିବା ବେଳେ ୨ୟ ମ୍ୟାଚ୍‍ରେ ବଡ଼ ସ୍କୋର୍‍ କରିବାର ପ୍ରୟାସ କରିବେ।
ଏହି ମ୍ୟାଚ୍‍ରେ ୨ଟି ବଡ଼ ମାଇଲ୍‍ଖୁଣ୍ଟ ଭାରତୀୟଙ୍କୁ ଅପେକ୍ଷା କରିଛି। ଆଉ ମାତ୍ର ୮୧ ରନ୍‍ କଲେ ବିରାଟ କୋହଲି ୧୦ ହଜାର ଦିନିକିଆ ରନ୍‍ ପୂରଣ କରିବେ। ଅଦ୍ୟାବଧି ମାତ୍ର ୨୦୪ଟି ଇନିଂସରୁ କୋହଲି ୯୯୧୯ ରନ୍‍ କରିଛନ୍ତି। ୧୯୮୯ରେ ବିଶ୍ୱର ପ୍ରଥମ ବ୍ୟାଟ୍‍ସମ୍ୟାନ ଭାବେ ସଚିନ ତେନ୍ଦୁଲକର ୧୦ ହଜାର ଦିନିକିଆ ରନ୍‍ ସ୍କୋର୍‍ କରିଥିଲେ। ଏଥିପାଇଁ ସଚିନ ୨୫୯ ଇନିଂସ ନେଇଥିବା ବେଳେ ବିରାଟ କୋହଲି ଏହି ମାଇଲଖୁଣ୍ଟରେ ପହଞ୍ଚିଲେ ବିଶ୍ୱର ଦ୍ରୁତତମ ବ୍ୟାଟ୍‍ସମ୍ୟାନ ଭାବେ ୧୦ ହଜାର ଦିନିକିଆ ରନ୍‍ରେ ପହଞ୍ଚିବେ। ପୁଣି ଦ୍ରୁତତମ ଭାରତୀୟ ଭାବେ ୫ ହଜାର ଦିନିକିଆରେ ରନ୍‍ରେ ପହଞ୍ଚିବା ଲାଗି ଶିଖର ଧାୱନ ଆଉ ମାତ୍ର ୧୭୩ ରନ୍‍ ଆବଶ୍ୟକ କରୁଛନ୍ତି। ପୁଣି ସଚିନ ତେନ୍ଦୁଲକରଙ୍କ ୧୯୫ ଦିନିକିଆ ଛକା ସଂଖ୍ୟାକୁ ଅତିକ୍ରମ କରିବା ଲାଗି ରୋହିତ ଶର୍ମା ଆଉ ମାତ୍ର ଗୋଟିଏ ଛକା ଆବଶ୍ୟକ କରୁଛନ୍ତି। ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୨୧୭ଟି ଦିନିକିଆ ଛକା ମାରିଛନ୍ତି।

ଭାରତ-ୱେଷ୍ଟଇଣ୍ଡିଜ୍‍
ସିଧା ପ୍ରସାରଣ: ଅପରାହ୍‍ଣ ୧.୩୦ରୁ; ଷ୍ଟାର ସ୍ପୋର୍ଟସ ୧ ଓ ୩

Leave A Reply