ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦ ଆଜି

0

ୱେଲିଂଟନ: ଘରୋଇ ନ୍ୟୁଜିଲାଣ୍ଡକୁ ଦିନିକିଆ ସିରିଜ୍‌ରେ ସହଜରେ ପରାସ୍ତ କରିବା ପରେ ବୁଧବାରଠାରୁ ଭାରତ ତା’ର ଟ୍ବେଣ୍ଟି୨୦ ଅଭିଯାନ ଆରମ୍ଭ କରିବ। ଉଭୟ ଦଳ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବାକୁ ଯାଉଥିବା ବେଳେ ବୁଧବାର ଏହାର ପ୍ରଥମ ମ୍ୟାଚ୍ ଖେଳାଯିବ। ଦିନିକିଆ ସିରିଜ୍‌କୁ ସହଜରେ ୪-୧ରେ ଜିତିଥିବା ଭାରତ ଟ୍ବେଣ୍ଟି୨୦ ସିରିଜ୍‌ରେ ମଧ୍ୟ ପ୍ରାଧାନ୍ୟ ବଜାୟ ରଖିବା ଲକ୍ଷ୍ୟରେ ଏହି ମ୍ୟାଚ୍‌ରେ ଓହ୍ଲାଇବ। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ଟ୍ବେଣ୍ଟି୨୦ରେ ଭଲ ରେକର୍ଡ ରଖିଥିବା ନ୍ୟୁଜିଲାଣ୍ଡ ଏହି ସିରିଜ୍ ଜିତି ସମ୍ମାନ ହାସଲ କରିବାକୁ ଚାହିଁବ। ଉଭୟ ଦଳ କିଛି ପ୍ରମୁଖ ଖେଳାଳିଙ୍କ ବିନା ଏହି ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଯୁବ ଖେଳାଳି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଚାହିଁବେ।
ଟ୍ବେଣ୍ଟି୨୦ରେ ଭାରତଠାରୁ ବହୁତ ଆଗରେ ରହିଛି ନ୍ୟୁଜିଲାଣ୍ଡ। ଉଭୟ ଦଳଙ୍କ ମଧ୍ୟରେ ୮ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ନ୍ୟୁଜିଲାଣ୍ଡ ୬ଟି ଓ ଭାରତ ୨ଟି ଜିତିଛି। ନ୍ୟୁଜିଲାଣ୍ଡ ମାଟିରେ ଉଭୟ ଦଳ ୨ ଥର ପରସ୍ପରର ମୁକାବିଲା କରିଛନ୍ତି। ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ଦିନିକିଆ ସିରିଜ୍ ଖେଳିଥିବା ଭାରତୀୟ ବ୍ୟାଟିଂ ଲାଇନ୍‌ରେ କିଛି ପରିବର୍ତ୍ତନ ହେବା ନିଶ୍ଚିତ। ଋଷଭ ପନ୍ତ୍‌ ଏହି ମ୍ୟାଚ୍‌ରେ ଖେଳିବେ। ତାଙ୍କ ସହ ମହେନ୍ଦ୍ର ସିଂହ ଧୋନି ଓ ଦିନେଶ କାର୍ତ୍ତିକ ମଧ୍ୟକ୍ରମ ସମ୍ଭାଳିବେ। ଅଲ୍‌ରାଉଣ୍ଡର ସ୍ଥାନ ପାଇଁ କ୍ରୁନାଲ ପାଣ୍ଡ୍ୟା ଓ କେଦାର ଯାଦବଙ୍କ ମଧ୍ୟରେ ମୁକାବିଲା ହୋଇପାରେ। ବିଶେଷଜ୍ଞ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାର ଓ ଖଲିଲ ଅହମ୍ମଦ ଖେଳିପାରନ୍ତି। ଦୁଇ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ପୁଣିଥରେ ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲିଟିବେ। ତେବେ ଭାରତ ଯଦି ଏହି ମ୍ୟାଚ୍ ଏବଂ ପରେ ସିରିଜ୍ ଜିତିବା​କୁ ଲକ୍ଷ୍ୟରଖିଛି; ଏହା ସମ୍ଭବ ହେବ ଏହାର ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଯୋଗୁଁ। ଟ୍ବେଣ୍ଟି୨୦ରେ ଉଭୟେ ଚମ୍ପିଆନ୍ ବ୍ୟାଟ୍‌ସମ୍ୟାନ୍ ଏବଂ ଏକା ଦଳକୁ ଜିତାଇବାର କ୍ଷମତା ରଖିଛନ୍ତି। ତେଣୁ ରୋହିତ ଓ ଧାୱନଙ୍କ ପ୍ରତି ନ୍ୟୁଜିଲାଣ୍ଡ ବୋଲରଙ୍କୁ ସତର୍କ ରହିବାକୁ ପଡ଼ିବ। ବିରାଟ କୋହଲି ଟ୍ବେଣ୍ଟି୨୦ ସିରିଜ୍‌ରେ ଖେଳୁନଥିବା ବେଳେ ଯୁବ ବ୍ୟାଟସମ୍ୟାନ୍‌ ଶୁବମାନ୍‌ ଗିଲ୍‌ଙ୍କୁ ପୂର୍ବରୁ ଖେଳାଯାଇଥିବା ଦିନିକିଆ ସିରିଜ୍‌ରେ ସୁଯୋଗ ମିଳିଥିଲା। ତେବେ ସେ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିବାରୁ ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ ତା’ ଉପରେ ନଜର ରହିବ। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟ ଦଳକୁ ଫେରିଥିବାରୁ ଭାରତୀୟ ଦଳର ଭାରସାମ୍ୟ ଭଲ ​‌େ​‌ହାଇପାରିଛି। ଟ୍ବେଣ୍ଟି୨୦ ସିରିଜ୍‌ରେ ହାର୍ଦିକ ଉଭୟ ବ୍ୟାଟ ଓ ବଲ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।
ଦିନିକିଆ ସିରିଜ୍‌ରେ ଭାରତୀୟ ବ୍ୟାଟିଂକୁ ଚାପରେ ପକାଇଥିବା ବାମହାତି ଫାଷ୍ଟବୋଲର ଟ୍ରେଣ୍ଟ୍‌ ବୋଲ୍‌ଟଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଟିମ୍ ସାଉଦି ଓ ଲୋକି ଫର୍ଗୁସନ୍‌ଙ୍କୁ ପେସ୍ ଆକ୍ରମଣର ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ। ତେବେ ୪ ଅଲ୍‌ରାଉଣ୍ଡର ଜେମ୍‌ସ ନିସାମ୍, କଲିନ୍ ଡି ଗ୍ରାଣ୍ଡହୋମ୍, ଡଗ୍ ବ୍ରେସ୍‌ୱେଲ ଓ ସ୍କଟ୍ କୁଗେଲେଇନ୍‌ଙ୍କ ଉପସ୍ଥିତି ଯୋଗୁଁ ନ୍ୟୁଜିଲାଣ୍ଡ ଦଳ ଶକ୍ତିଶାଳୀ ମନେହେଉଛି। ତେବେ ମାର୍ଟିନ୍ ଗପ୍‌ଟିଲ ଦଳରୁ ବାଦ୍ ପଡ଼ିଥିବାରୁ ଏବଂ କଲିନ୍ ମନ୍‌ରୋ ଫର୍ମରେ ନଥିବାରୁ ନ୍ୟୁଜିଲାଣ୍ଡ ଚିନ୍ତାରେ ରହିଛି। ତେଣୁ ଅଧିନାୟକ କେନ୍ ୱିଲିୟମ୍‌ସନ ଓ ରସ୍ ଟେଲରଙ୍କୁ ବ୍ୟାଟିଂ ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ। ଟିମ୍ ସେଇଫର୍ଟ ୱିକେଟ ରକ୍ଷକ ଭାବେ ଖେଳିବେ। ଟେଲର ଓ ସେଇଫର୍ଟ ବ୍ୟାଟିଂ ଓପନ୍‌ କରିବାର ସମ୍ଭାବନା ରହିଛି। ସାଣ୍ଟନର୍‌ ସ୍ପିନର ଭାବେ ଦାୟିତ୍ବ ନିର୍ବାହ କରିବା ନିଶ୍ଚିତ ଥିବା ବେଳେ ଅନ୍ୟତମ ସ୍ପିନର ଇସ୍‌ ସୋଧିଙ୍କୁ ସୁଯୋଗ ମିଳୁଛି କି ନାହିଁ ତାହା ଦେଖିବା କଥା।
ୱେଲିଙ୍ଗଟନ୍‌ର ପିଚ୍‌ ସର୍ବଦା ପ୍ରହେଳିକା ସୃଷ୍ଟି କରିଥାଏ। ଏଠାରେ ଖେଳାଯାଇଥିବା ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭଲ ରନ୍‌ ସ୍କୋର ହୋଇଥିଲା। ଏହି ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୧୯୬ ରନ୍‌ କରିଥିବା ବେଳେ ପ୍ରତିପକ୍ଷ ଇଂଲଣ୍ଡ ୧୨ ରନ୍‌ରେ ପରାସ୍ତ ହୋଇଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ କାକର ପଡ଼ିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ ନିଜର ରଣନୀତି ପ୍ରସ୍ତୁତ କରିଥିବେ।

Leave A Reply