ଭାରତ-ଚୀନ ଚେସ୍‍ ସମ୍ମିଳନୀ: ଭାରତକୁ ପ୍ରଥମ ଟାଇଟଲ

0

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ତୃତୀୟ ଭାରତ-ଚୀନ ଚେସ୍‍ ସମ୍ମିଳନୀ ଉଦ୍‍ଯାପିତ ହୋଇଯାଇଛି। ଭାରତ ୯-୭ ପଏଣ୍ଟରେ ଚୀନ୍‍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ପ୍ରଥମ ୫ ରାଉଣ୍ଡ ଖେଳରେ ପଛୁଆ ଥିବା ଭାରତ ଅନ୍ତିମ ୩ ରାଉଣ୍ଡରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ମଙ୍ଗଳବାର ଅନ୍ତିମ ତଥା ୮ମ ରାଉଣ୍ଡରେ ଭାରତ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି ବିଜୟ ସହ ଚମ୍ପିଆନ ହୋଇଥିଲା। ଭାରତ ମୋଟ ୧୫.୫ ଗେମ୍‍ ପଏଣ୍ଟ ଓ ଚୀନ୍‍ ୧୬.୫ ଗେମ୍‍ ପଏଣ୍ଟ ହାସଲ କରିଥିଲେ।
ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ, କିଟ୍‍ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ମିଳିତ ସହଯୋଗରେ ଚାଲିଥିବା ଉକ୍ତ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଯୁବ ଗ୍ରାଣ୍ଡମାଷ୍ଟର ଆର୍ଯ୍ୟନ ଚୋପ୍ରା, ମୁରଲୀ କାର୍ତ୍ତିକେୟନ, ଶ୍ରୀନାଥ ନାରାୟଣନ ଓ ଅରବିନ୍ଦ ଚିଦାମ୍ବରମ୍‍ ପ୍ରତିନିଧିତ୍ୱ କରିଥିବା ବେଳେ ଚୀନ୍‍ ପକ୍ଷରୁ ପୂର୍ବତନ ବିଶ୍ୱ ଜୁନିୟର ଚେସ୍‍ ଟାଇଟଲ ହାସଲକାରୀ ଗ୍ରାଣ୍ଡମାଷ୍ଟର ଲୁ ସଙ୍ଗଲେଇ, ଜୁ ଜିଆଙ୍ଗୁ, ବାଇ ଜିନ୍‍ସୀ ଓ ଜୁ ୟୁଙ୍ଗଲୁନ ପ୍ରତିନିଧିତ୍ୱ କରିଥିଲେ। ଅନ୍ତର୍ଜାତୀୟ ମାଷ୍ଟର ତଥା ଫିଡେ ବରିଷ୍ଠ ଟ୍ରେନର ଶେଖର ଚନ୍ଦ୍ର ସାହୁ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଉଦ୍‍ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍‍ ସଂଘ ସମ୍ପାଦକ ଭରତ ସିଂହ ଚୌହ୍ୱାନ, କିଟ୍‍ ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ, ଅଲ୍‍ ଡ଼ିଶା ଚେସ୍‍ ସଂଘ ସମ୍ପାଦକ ସଭାପତି କୃଷ୍ଣକୁମାର ଶର୍ମା, ଉପସଭାପତି ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଚମ୍ପିଆନ ଭାରତୀୟ ଦଳକୁ ମୋଟ ଟ୍ରଫି ସହ ୬ ଲକ୍ଷ ଓ ରନର୍ସଅପ ଚୀନ ଦଳକୁ ୪ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।

Leave A Reply