ବେଲଟିକିରି ଶିଶୁ ଆଶ୍ରୟଗୃହ କେଳେଙ୍କାରୀ: ରାଜ୍ୟ ସରକାରଙ୍କୁ ଏନ୍‍ସିପିସିଆର୍‍ ସମାଲୋଚନା

0

ଢେଙ୍କାନାଳ ସଦର: ବେଲଟିକିରିସ୍ଥିତ ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ଡ୍ରିମ୍‍ ସେଣ୍ଟର ଦ୍ୱାରା ପରିଚାଳିତ ଆଶ୍ରୟଗୃହର ଯୌନ ନିର୍ଯାତନା ମାମଲା ପଦାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଗୁରୁବାର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‍ସିପିସିଆର୍‍)ର ଏକ ଟିମ୍‍ ଢେଙ୍କାନାଳରେ ପହଞ୍ଚି ତନାଘନା କରିଛନ୍ତି। ଶିଶୁମାନେ ରହୁଥିବା ଆଶ୍ରୟଗୃହ ପରିଦର୍ଶନ କରିବା ସହ ଅନ୍ତେବାସୀ ଓ ଜିଲା ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଟିମ୍‍ର ସଦସ୍ୟ ଯଶୋବନ୍ତ ଜୈନ ଶିଶୁ ଅଧିକାର ନେଇ ରାଜ୍ୟ ସରକାର ଗମ୍ଭୀର ନଥିବା ଢେଙ୍କାନାଳ ଯୌନ ନିର୍ଯାତନା ମାମଲାରୁ ସ୍ପଷ୍ଟ ହୋଇଛି। ଛାତ୍ରାବାସ ନାଁରେ ପରିଚାଳିତ ଆଶ୍ରୟଗୃହରେ
ଶିଶୁ ଯୌନ ନିର୍ଯାତନା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଛାତ୍ରାବାସ ପରିଚାଳନା ନେଇ ରାଜ୍ୟ ସରକାରଙ୍କର କୌଣସି ସ୍ପଷ୍ଟ ନୀତି ନାହିଁ ବୋଲି କହି ସମାଲୋଚନା କରିଥିଲେ।
ଢେଙ୍କାନାଳ ସଦର ବ୍ଲକ୍‍ ଅନ୍ତର୍ଗତ ବେଲଟିକିରିଠାରେ ପଶ୍ଚିମବଙ୍ଗର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସାଲଗାଡିଆ ହାପି ଆଣ୍ଡ୍‍ ହୋଲି ହୋମ୍‍ ଦ୍ୱାରା ଏକ ବେଆଇନ୍‍ ଆଶ୍ରୟଗୃହ ଗଢି ଉଠିଥିଲା। ଆଶ୍ରୟଗୃହରେ ଅନ୍ତେବାସୀ ନାବାଳିକାମାନଙ୍କୁ ଖରାପ ଉଦ୍ଦେଶ୍ୟରେ ଆଲିଙ୍ଗନ କରିବା, ଚୁମ୍ବନ ଦେବା ଆଦି ସଂଗୀନ ଅଭିଯୋଗ ଉଠିବା ପରେ ଅନୁଷ୍ଠାନର ମୁଖ୍ୟ ଡଃ ଫୟାଜ ରେହେମାନଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କିନ୍ତୁ ଆଶ୍ରୟଗୃହରେ ଶିଶୁମାନଙ୍କୁ କେବଳ ଯୌନ ନିର୍ଯାତନା ଦିଆଯାଉନଥିଲା ବରଂ ଶିଶୁମାନଙ୍କର ନୀରିହତାର ସୁଯୋଗ ନିଆଯାଇ ଧର୍ମାନ୍ତରୀକରଣ କରାଯାଉଥିବାର ଅଭିଯୋଗ ଉଠିଥିଲା। ଏହାକୁ ନେଇ ନୂଆଦିଲ୍ଲୀସ୍ଥିତ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‍ସିପିସିଆର୍‍) ଗଭୀର ଉଦ୍‍ବେଗ ପ୍ରକାଶ କରିଥିଲା। ଏହି ଘଟଣାରେ ତଦନ୍ତ କରିବା ପାଇଁ ଏନ୍‍ସିପିସିଆର୍‍ ଘୋଷଣା କରିଥିଲେ। ଡଃ ଫୟାଜ ରେହମାନଙ୍କ ଦ୍ୱାରା ପରିଚାଳିତ ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ଡ୍ରିମ୍‍ ସେଣ୍ଟରର ୨୨ଟି ଆଶ୍ରୟଗୃହ ସମେତ ଅନ୍ୟାନ୍ୟ ଆଶ୍ରୟଗୃହଗୁଡିକୁ ଯାଞ୍ଚ କରିବା ପାଇଁ ଏନ୍‍ସିପିସିଆର୍‍ର ୯ଟି ଟିମ୍‍ ବୁଧବାରଠାରୁ ଓଡିଶା ଗସ୍ତ କରିଛନ୍ତି। ଗୁରୁବାର ଅପରାହ୍ନ ୩ଟାରେ ଆୟୋଗର ସଦସ୍ୟ ଯଶୋବନ୍ତ ଜୈନ, ଆୟୋଗର ଶିଶୁ ସୁରକ୍ଷା ଅଧିକାରୀ ମିନୁ ମେହେଟା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏବଂ ସଦସ୍ୟ ହରିହର ନାୟକ ପ୍ରମୁଖ ଢେଙ୍କାନାଳରେ ପହଞ୍ଚି ପ୍ରଥମେ ବେଲଟିକିରି ଗସ୍ତ କରିଥିଲେ। ବେଲଟିକିରିଠାରେ ଅସୁରକ୍ଷିତ ଭାବରେ ନିକାଞ୍ଚନ ସ୍ଥାନରେ ଗଢିଉଠିଥିବା ଆଶ୍ରୟ ଗୃହ ପରିଦର୍ଶନ କରି କମିଟି କ୍ଷୋଭ ଏବଂ ଉଦ୍‍ବେଗ ପ୍ରକାଶ କରିଥିଲେ। ଗ୍ରାମବାସୀ କମିଟି ଆଗରେ ବେଆଇନ୍‍ ଆଶ୍ରୟଗୃହ ନେଇ ଗ୍ରାମବାସୀଙ୍କ କୌଣସି ମତାମତ ନିଆଯାଇନଥିଲା। ଗ୍ରାମବାସୀଙ୍କର ବିନା ସହଯୋଗ ଓ ସହଭାଗିତାରେ ଆଶ୍ରୟଗୃହ ଚାଲିଥିଲା। ଯୌନ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଗ୍ରାମବାସୀ ଆଶ୍ରୟଗୃହ ସଂପର୍କରେ ସବିଶେଷ ତଥ୍ୟ ପାଇବା କମିଟି ଆଗରେ ପ୍ରକାଶ କରିଥିଲେ। କମିଟିର ସଦସ୍ୟମାନେ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍‍ ମିଶନ୍‍ର ଶିଶୁଗୃହ ପରିଦର୍ଶନ କରି ସ୍ଥାନାନ୍ତରିତ ହୋଇଥିବା ବେଲଟିକିରି ଆଶ୍ରୟଗୃହର ଉପସ୍ଥିତ ୫ ଜଣ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନେ ଆଶ୍ରୟଗୃହରେ ଚାଲିଥିବା ଯୌନ ନିର୍ଯାତନା ନେଇ କମିଟି ଆଗରେ ମତ ରଖିଥିଲେ। ମହର୍ଷି ଦୟାନନ୍ଦ ସର୍ଭିସ୍‍ ମିଶନ୍‍ରେ ରେଜିଷ୍ଟ୍ରିଭୁକ୍ତ ଶିଶୁଗୃହର ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା ବୁଲି ଦେଖିବା ସହ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ଢେଙ୍କାନାଳ ସଦର ବ୍ଲକ୍‍ ମହୁଲପଡା ଗ୍ରାମରେ ଥିବା ବିଶ୍ୱକୁନ୍ତଳ ଶିଶୁଗୃହ ପରିଦର୍ଶନ, ଅନ୍ତେବାସୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଢେଙ୍କାନାଳ ସର୍କିଟ୍‍ ହାଉସ୍‍ଠାରେ ଜିଲାପାଳ ନିଖିଲ ପବନ କଲ୍ୟାଣ, ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ନାୟକ, ଡିଏସ୍‍ପି ସୁବାଷ ଚନ୍ଦ୍ର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ, ସଦସ୍ୟ ନିରଞ୍ଜନ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। କିଶୋର ନ୍ୟାୟ ଆଇନ୍‍ ଅନୁଯାୟୀ ଶିଶୁମାନଙ୍କ ପ୍ରତି ପ୍ରଶାସନ ଏବଂ କର୍ମଚାରୀମାନେ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ଆୟୋଗର ସଦସ୍ୟ ଶ୍ରୀ ଜୈନ ବେଲଟିକିରି ଆଶ୍ରୟଗୃହ ପରିଦର୍ଶନ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ଯେ ଗ୍ରାମବାସୀ ଏବଂ ପ୍ରଶାସନର ବିନା ସହାୟତାରେ ଏଠାରେ ଆଶ୍ରୟଗୃହ ଚାଲିଥିବା ନେଇ ଲୋକଙ୍କଠାରୁ ଶୁଣିବାକୁ ପାଇଲି। ଗ୍ରାମବାସୀଙ୍କ ବିନା ସହଭାଗିତାରେ ଆଶ୍ରୟଗୃହ ଚାଲିବା ପ୍ରଶାସନର ସବୁଠାରୁ ବଡ ବିଫଳତା। ଏଠାକୁ ଦେଶ ଏବଂ ବିଦେଶରୁ ଲୋକମାନଙ୍କର ଯିବାଆସିବା ଲାଗିଥିଲା। ଗାଁଠାରୁ ଏତେ ଦୂରରେ ଆଶ୍ରୟଗୃହ କରାଯାଇଛି ଯେ ଯଦି ଅନ୍ତେବାସୀମାନଙ୍କର ସୁବିଧା ଅସୁବିଧା ଓ ରୋଗବୈରାଗ ହେଲେ ସହାୟତା ପାଇବା ମୁସ୍କିଲ ହୋଇପଡିବ। ଆଶ୍ରୟଗୃହ ପ୍ରତିଷ୍ଠା କରିବା ନେଇ ଏଠାରେ ଆଇନ୍‍ର ଖୋଲା ଉଲ୍ଲଘଂନ କରାଯାଇଛି। ଶିଶୁଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଇ ସେମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଉଦ୍‍ବେଗର କାରଣ। ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତା ରହିଛି। ପ୍ରଶାସନ ଏହି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ହେଁ ସରକାର ଶିଶୁ ଅଧିକାର ନେଇ ଆଦୌ ଚିନ୍ତିତ ଥିବାବେଳେ ମନେହେଉନାହିଁ। ବିଦେଶୀ ଅନୁଦାନ ଓ ଧର୍ମାନ୍ତରୀକରଣ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ବିଦେଶରୁ କେଉଁ କେଉଁ ସଂସ୍ଥାରୁ ଅନୁଦାନ ଆସୁଥିଲା ତାହାର ଯାଞ୍ଚ ପାଇଁ ଗୃହ ମନ୍ତ୍ରଣାଳୟକୁ ଲେଖାଯିବ। ଧର୍ମାନ୍ତରୀକରଣର ଚେର ବହୁତ ଗଭୀରକୁ ଯାଇଥିବା ଜଣାପଡୁଛି। ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି। ଓଡିଶାରେ ଚାଲିଥିବା ବିଭିନ୍ନ ଛାତ୍ରାବାସଗୁଡିକ ପାଇଁ ସରକାରଙ୍କର କୌଣସି ସ୍ପଷ୍ଟ ନୀତି ନଥିବା ଶ୍ରୀ ଜୈନ ଅଭିଯୋଗ କରିଛନ୍ତି। ଛାତ୍ରାବାସଗୁଡିକରେ ୧୮ ବର୍ଷରୁ କମ୍‍ ବୟସର ଶିଶୁମାନେ ରହୁଥିବାରୁ ସେମାନଙ୍କର ଅଧିକାର ଏବଂ ସୁରକ୍ଷା ଦିଗରେ ସରକାର ଚିନ୍ତା ପ୍ରକଟ କରୁନଥିବା ଅଭିଯୋଗ କରିଥିଲେ। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡିକରେ ଗଢିଉଠିଥିବା ଅସଂଖ୍ୟ ଛାତ୍ରାବାସର କର୍ମଚାରୀ ଏବଂ ଶିଶୁମାନଙ୍କୁ ପରିବହନ କରୁଥିବା ଗାଡିଗୁଡିକର ଡ୍ରାଇଭର, ହେଲପର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ୍‍ (ପୋକ୍ସ) ଏବଂ କିଶୋର ନ୍ୟାୟ ଆଇନ୍‍ ସଂପର୍କରେ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଇବା ଉଚିତ୍‍ ବୋଲି ମତ ଦେଇଥିଲେ।

Leave A Reply