ବିବାହିତାଙ୍କୁ ୫୫ ହଜାରରେ ବିକ୍ରି !

0

କଟକ: ଉଚ୍ଚ ବେତନରେ ଭଲ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ପୁରୀର ଜଣେ ମହିଳାଙ୍କୁ ମଧ୍ୟପ୍ରଦେଶରେ ୫୫ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଓଡ଼ିଶା କ୍ରାଇମ ବ୍ରାଞ୍ଚ ପୁଲିସ୍‍ ସୋମବାର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ରାମ କ୍ରିଷ୍ଣା(୩୮), ମିନା ଦାସ, ମନୋରମା ବାରିକ୍‍, ବିଦୁ ବେହେରା, ପ୍ରଭାତି ସାହୁ। ରାମ କ୍ରିଷ୍ଣା ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ପୁରୀ ଜିଲା ସଦର ଥାନା ଅନ୍ତର୍ଗତ ବାଉରିବସ୍ତାରେ ଦାଉଦି ଓରଫ ସୂର୍ଯ୍ୟକାନ୍ତି ମଲ୍ଲିକ(୩୫)ଙ୍କ ଘର। ଦରିଦ୍ର ଶ୍ରେଣୀର ହୋଇଥିବାରୁ ସେ କାମ ଅନ୍ୱେଷଣ କରୁଥିଲେ। ସ୍ଥାନୀୟ ଅଞ୍ଚଳର କେତେକ ମହିଳା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ କାମ କରୁଥିଲେ। ସେମାନେ ସୂର୍ଯ୍ୟକାନ୍ତିଙ୍କୁ ସେଠାରେ ଯାଇ କାମ କରିବାକୁ ପ୍ରବର୍ତ୍ତାଇ ଥିଲେ। ଏଥିଲାଗି ମାସିକ ମୋଟା ଅଙ୍କର ଦରମା ମିଳିବ ବୋଲି ସେମାନେ ସୂର୍ଯ୍ୟକାନ୍ତିଙ୍କୁ କହିଥିଲେ। ପାରିବାରିକ ଅନଟନ ଥିବାରୁ ସୂର୍ଯ୍ୟକାନ୍ତି ସେମାନଙ୍କ କଥାରେ ରାଜି ହୋଇଥିଲେ। ସମ୍ପୃକ୍ତ ମହିଳାମାନେ ସୂର୍ଯ୍ୟକାନ୍ତିଙ୍କୁ ନେଇ ମଧ୍ୟପ୍ରଦେଶର ଗୁନା ଜିଲା ଅଶୋକ ନଗର ଥାନା ଜନଦା ଗ୍ରାମର ଦଶରଥ ସିଂହ ଯାଦବଙ୍କ ପାଖରେ ଛାଡିଦେଇ ପଳାଇ ଆସିଥିଲେ। ପରେ ଦଶରଥ ସୂର୍ଯ୍ୟକାନ୍ତିଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ। ତେବେ ସେ ରାଜି ନହେବାରୁ ‘୫୫ ହଜାର ଟଙ୍କା ଦେଇ ତୋତେ ମୁଁ ବିବାହ କରିବା ପାଇଁ କିଣିଛି’ ବୋଲି ଦଶରଥ ସୂର୍ଯ୍ୟକାନ୍ତିଙ୍କୁ କହିଥିଲେ। ଏହା ଶୁଣିବାପରେ ସୂର୍ଯ୍ୟକାନ୍ତି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯେଉଁ ମହିଳାମାନଙ୍କ ଉପରେ ବିଶ୍ୱାସ ରଖି ସେ ଏଠାକୁ ଆସିଥିଲେ ସେମାନେ ତାଙ୍କୁ ମାତ୍ର କିଛି ଟଙ୍କାରେ ବିକ୍ରି କରି ଦେଇଥିବା ଜାଣି ମର୍ମାହତ ହୋଇଥିଲେ।
ସେ ବିବାହିତା ଓ ୪ଟି ପିଲାର ମା’ ବୋଲି ସୂର୍ଯ୍ୟକାନ୍ତି ଦଶରଥଙ୍କୁ କହିଥିଲେ। ତେବେ ଦଶରଥ ଟଙ୍କା ଦେଇ ତାଙ୍କୁ କିଣିଥିବାରୁ ବିବାହ ଜିଦ୍‍ରେ ଅଟଳ ରହିବା ସହ ସୂର୍ଯ୍ୟକାନ୍ତିଙ୍କୁ ଘରକୁ ଯିବାକୁ ଦେଇ ନଥିଲା।
ଏପଟେ ଝିଅ (ସୂର୍ଯ୍ୟକାନ୍ତି) ନିଖୋଜ ଥିବା ସଂକ୍ରାନ୍ତ ବାପା ଅରୁ ମଲ୍ଲିକ ପୁରୀ ସଦର ଥାନାରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ସ୍ଥାନୀୟ ଅଞ୍ଚଳର କେତେକ ମହିଳା ଆନ୍ଧ୍ରପ୍ରଦେଶରେ କାମ କରୁଥିବା ଅରୁ ଜାଣିବାକୁ ପାଇଲେ। ପରେ ଝିଅ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳରେ ଖୋଜଖବର କରିଥିଲେ। ତାଙ୍କ ଝିଅ ଅନ୍ୟ କେତେକ ମହିଳାଙ୍କ ସହ ଚାକିରି ଅନ୍ୱେଷଣରେ ଆନ୍ଧ୍ର ପ୍ରଦେଶ ପଳାଇଥିବା ଅରୁ ଜାଣିବାକୁ ପାଇଲେ। ତେଣୁ ସେ ଉକ୍ତ ମହିଳାମାନେ କାର୍ଯ୍ୟ କରୁଥିବା ସ୍ଥାନର ଠିକଣା ସଂଗ୍ରହ କରି ସେଠାକୁ ଯାଇଥିଲେ। ଝିଅ ସଂକ୍ରାନ୍ତରେ ସମ୍ପୃକ୍ତ ମହିଳାମାନଙ୍କୁ ପଚାରିବାରୁ ସେ ମଧ୍ୟ ପ୍ରଦେଶର ଦଶରଥ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଅଧୀନରେ କାମ କରୁଥିବା କହିଥିଲେ। ତେବେ ତାଙ୍କ ଝିଅକୁ ୫୫ ହଜାର ଟଙ୍କାରେ ଦଶରଥଙ୍କୁ ବିକ୍ରି କରିଦେଇଥିବା ମହିଳାମାନେ ଅରୁଙ୍କୁ କହି ନଥିଲେ। ଠିକଣା ପାଇ ଅରୁ ମଧ୍ୟପ୍ରଦେଶର ଜନଦା ଗ୍ରାମରେ ଦଶରଥଙ୍କ ଘରେ ପହଞ୍ଚି ଝିଅକୁ ଫେରାଇ ଦେବା ପାଇଁ କହିଥିଲେ। ତେବେ ସେ ୫୫ ହଜାର ଟଙ୍କା ଦେଇ କିଣିଥିବାରୁ ଝିଅକୁ ଫେରାଇବେ ନାହିଁ ବୋଲି ଦଶରଥ ଅରୁଙ୍କୁ କହିଥିଲେ। ଏକାକୀ ଯାଇଥିବାରୁ ଭୟରେ ଝିଅକୁ ନଆଣି ଅରୁ ସେଠାରୁ ନିଜ ଗାଁକୁ ପଳାଇ ଆସି ପୁରୀ ସଦର ଥାନାର ପୁଲିସକୁ ସମସ୍ତ ଘଟଣା ସଂକ୍ରାନ୍ତରେ କହିଥିଲେ। ସଦର ଥାନା ପୁଲିସ ମଧ୍ୟପ୍ରଦେଶର ଅଶୋକ ନଗର ଥାନା ପୁଲିସ ସହ ଯୋଗାଯୋଗ କରି ସୂର୍ଯ୍ୟକାନ୍ତିଙ୍କୁ ଉଦ୍ଧାର କରିଥିଲା।
ସୂର୍ଯ୍ୟକାନ୍ତି ପୁରୀସ୍ଥିତ ନିଜ ଘରେ ପହଞ୍ଚିବା ପରେ ତାଙ୍କୁ ବିକ୍ରି କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ୍‍ରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ୨୨/୨୦୧୮ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଡିଏସ୍‍ପି ନୀଳିମା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‍ ସମ୍ପୃକ୍ତ ମହିଳାମାନଙ୍କୁ କାବୁ କରିଥିଲା। ସେମାନଙ୍କୁ ପଚରା ଉଚରାକରିବା ପରେ ଯୁବତୀ ଚାଲାଣର ମାଷ୍ଟମାଇଣ୍ଡ ରାମକ୍ରିଷ୍ଣାଙ୍କ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ରାମକ୍ରିଷ୍ଣାଙ୍କ ଘର ମଧ୍ୟପ୍ରଦେଶର ଜନଦା ଅଞ୍ଚଳରେ। ସେ ପୁରୀର ବାଟଗାଁରେ ରହୁଛନ୍ତି। ସେ ମହିଳା ଓ ଯୁବତୀମାନଙ୍କୁ ରୋଜଗାର ଯୋଗାଇଦେବା ଆଳରେ ବାହାର ରାଜ୍ୟରେ ନେଇ ବିକ୍ରି କରିଥାନ୍ତି ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏହି ଯୁବତୀ ଚାଲାଣ ରାକେଟ୍‍ରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

Leave A Reply