ବିବାଦରେ ଛନ୍ଦି ହୋଇଯାଉଛି ସୁନ୍ଦରଗଡ଼ ପୁଲିସ

ଜାତୀୟ ମାନବ ଅଧିକାର କମିଶନରେ ଅଭିଯୋଗ ପଞ୍ଜିକୃତ

ସୁନ୍ଦରଗଡ଼ : ଦୁର୍ଘଟଣାରୁ ପୁଲିସ ଗାଡ଼ି ଭଙ୍ଗାରୁଜା ପ୍ରସଙ୍ଗ ଦିନକୁ ଦିନ ଘନେଇବାରେ ଲାଗିଛି। ଏପରିକି ସୁନ୍ଦରଗଡ଼ ଏସ.ପିଙ୍କ ବିରୁଦ୍ଧରେ ଅଦାଲତର ନିର୍ଦ୍ଦେଶକ୍ରମେ ଦୁଇଟି ମାମଲା ରୁଜୁ ହେବା ଓ ପରବର୍ତ୍ତୀ ସମୟରେ ପୁଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ନେଇ ଜାତୀୟ ମାନବ ଅଧିକାର କମିଶନରେ ଅଭିଯୋଗ ପଞ୍ଜିକୃତ ହେବା ଘଟଣା ପୁଣି ପୁଲିସ ଛବିକୁ ମଳିନ କରିଦେଇଥିବାର ଚର୍ଚ୍ଚା ଜୋର ଧରିଛି। ପୁଲିସ ଧର୍ଯ୍ୟ ଓ ଶାଳିନତା ଢ଼ଙ୍ଗରେ ନିଜ କର୍ତ୍ତମ୍ୟ କରିବା ପରିବର୍ତ୍ତେ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଜୈନିକ ଓକିଲ ମଧ୍ୟ ଏ ସମ୍ପର୍କରେ ପଶ୍ଚିମାଞ୍ଚଳ ଡ଼ି.ଆଇ.ଜିଙ୍କୁ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି। ଘଟଣା ହେମଗିର କନିକାରୁ ଯାଇ ଦିଲ୍ଲୀରେ ପହଞ୍ଚିଗଲାଣି ମାତ୍ର ପୁଲିସ ତାର ଆଦବ କାଏଦାରେ କୌଣସି ପରିବର୍ତ୍ତନ ଆଣୁନଥିବାରୁ କ୍ରମଶଃ ପୁଲିସ ପ୍ରତି ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ପରେ କନିକା ସ୍ଥାନୀୟ ଉତ୍ତ୍ୟକ୍ତ ଲୋକ ରାସ୍ତା ରୋକ କରିବା ଓ ପରେ କନିକା ବିଟ ହାଉସ ସମ୍ମୁଖରେ ଠିଆ ହୋଇଥିବା ଦୁଇଟି ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ଅଭିଯୋଗରେ କନିକା ପୁଲିସ ଓକିଲ ସମେତ ୧୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି କିଛି ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ଜିଲା ଦୌରା ଜଜ୍‍ଙ୍କ ଅଦାଲତରୁ ଗିରଫ ବ୍ୟକ୍ତିମାନେ ଜାମିନରେ ଛାଡ଼ ପାଇଥିଲେ ହେଲେ ପୁଲିସ ରାସ୍ତା ରୋକରେ ମଧ୍ୟ ଏହି ଅଭିଯୁକ୍ତିମାନେ ସଂପୃକ୍ତ ଥିବାର ସୂଚନା ଅଦାଲତକୁ ଦେଇନଥିବାରୁ ଅଦାଲତ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲା।
ଏପରିକି ପୁଲିସର ଏଭଳି କାର୍ଯ୍ୟକଳାପରେ ବିରକ୍ତି ପ୍ରକାଶ କରି ଜିଲା ଓ ଦୌରା ଜଜ୍‍ ହେମଗିର ଥାନା ଅଧିକାରୀଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ କେଇଫତ୍‍ ଦେବା ପାଇଁ ନୋଟିସ ଜାରି କରିଥିଲେ। ଏ ପ୍ରକ୍ରିୟା ଚାଲିଥିବା ବେଳେ ପୁଲିସ ବିଭିନ୍ନ ସମୟରେ ଅଭିଯୁକ୍ତ ଓ ତାଙ୍କ ପରିବାର ବର୍ଗଙ୍କୁ ବାରମ୍ବାର ଥାନାକୁ ଡ଼କାଇ ହଇରାଣ ହରକତ କରୁଥିବାର ଅଭିଯୋଗ ହୋଇଛି। ଏପରିକି ଏସ.ପିଙ୍କ ନାମରେ ଅଦାଲତରେ କେଶ୍‍ କରିଥିବା ଲୋକଙ୍କୁ ମଧ୍ୟ ପୁଲିସ ଥାନାକୁ ଡ଼କାଇ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଥିବାର ଜଣାପଡ଼ିଛି।
ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ, ଏସପିଙ୍କ ବିରୁଦ୍ଧରେ କେଶ୍‍ କରିଥିବା ଶ୍ରୀ ପଟ୍ଟନାୟକଙ୍କୁ କନିକା ବିଟ୍‍ ହାଉସରେ ଡ଼କାଇ ଜୈନିକ ଏସ.ଡ଼ି.ପି.ଓ ସଦର ଏସ.ଡ଼ି.ପି.ଓ ଏଭଳି ଧମକ ଚମକ ଦେଇଥିବା ବେଳେ କେଶ୍‍ କରିଥିବା ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଏହି ଏସ.ଡ଼ି.ପି.ଓ ଡ଼କାଇ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଇଛନ୍ତି। ଏ ସମ୍ପର୍କରେ ପୁଲିସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିବା ବେଳେ ମାମଲା ସମ୍ପର୍କରେ ପୁଲିସ ପଚରାଉଚୁରା କରିବା ପାଇଁ ଏଭଳି କରୁଛି ବୋଲି ପରୋକ୍ଷରେ ସୂଚନା ମିଳିଛି। ଏଠାରେ ପ୍ରଶ୍ନ ଉଠୁଛି ଘଟଣା ହେମଗିର ଥାନା ଅନ୍ତର୍ଗତ କନିକାରେ ଘଟିଥିଲେ ହିଁ ପୁଲିସ ପକ୍ଷରୁ କନିକାବାସୀଙ୍କୁ ସୁନ୍ଦରଗଡ଼ ଟାଉନ ଥାନାରେ ଡ଼କାଯାଇ ପଚରାଉଚୁରା କରିବା ଆଳରେ ଘଣ୍ଟା ଘଣ୍ଟା ବସାଇବାର ଉଦ୍ଦେଶ୍ୟ କଣ ବୋଲି ଚର୍ଚ୍ଚା ଚାଲିଛି। ଏପରିକି ଏ ଘଟଣା ସୋମବାର ଜିଲା ଦୌରା ଜଜ୍‍ ଙ୍କ ଅଦାଲତରେ ଚାଲିଥିବା ମାମଲାର ଶୁଣାଣି ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡ଼ିଛି। ପୁଲିସ-ପବ୍ଲିକ ଏ ମୁହାଁମୁହି ପରିସ୍ଥିତିରେ କିଏ କେତେ ଠିକ ତାହା ଆଗାମୀ ସମୟ ନିଶ୍ଚିତ କରିବାକୁ ଥିବା ବେଳେ ଏହା ସ୍ପଷ୍ଟ ହୋଇଛି ଯେ, ପୁଲିସ ବିବାଦରେ ଛନ୍ଦି ହେବା ଘଟଣା ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଉଛି।

Comments are closed.