ବାମ ପରିବର୍ତ୍ତେ ଡାହାଣ ଗୋଡ଼ରେ ଅସ୍ତ୍ରୋପଚାର

0

ଘସିପୁରା: ଆନନ୍ଦପୁର ହସପିଟାଲରେ କାର୍ଯରତ ଡ଼ାକ୍ତରଙ୍କ ଖାମଖିଆଲ ନୀତି ପାଇଁ ଜଣେ ମହିଳାଙ୍କୁ ଅଯଥାରେ କଷ୍ଟ ଭୋଗିବାକୁ ପଡ଼ିଛି। ଅସ୍ତ୍ରୋପଚାର ହେବାର ଥିଲା ବାମ ଗୋଡ଼ରେ କିନ୍ତୁ ଭୁଲବଶତଃ ଏହା କରାଗଲା ଡାହାଣ ଗୋଡ଼ରେ। ଖାଲି ଏତିକି ନୁହେଁ, ପୁଣି ଘଣ୍ଟାଏ ନପୁରୁଣୁ ତ୍ରୁଟି ସୁଧାରିବାକୁ ଯାଇ ବାମ ଗୋଡ଼ରେ ମଧ୍ୟ ଅସ୍ତ୍ରୋପଚାର କରାଗଲା। ଫଳରେ ମହିଳା ରୋଗୀ ଜଣକ ଏବେ ଚାଲିବାକୁ ଅସମର୍ଥ। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ୱ ହୀନତା ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଏହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଆନନ୍ଦପୁର ବ୍ଲକ ଖଣ୍ଡବିଲ ଗାଁର ମୀତାରାଣୀ ଜେନା ନାମକ ଜଣେ ମହିଳା ନିଜ ବାମଗୋଡ଼ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କ ସ୍ୱାମୀ ତ୍ରଲୋଚନ ଜେନା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ବାମ ପାଦରେ କ୍ଷତ ଥିବା କହି ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ଏହାପରେ ଡାକ୍ତରଖାନାରେ ଡ୍ରେସିଂ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ମହିଳାଙ୍କ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ବାମ ଗୋଡ଼ ବଦଳରେ ଡାହାଣ ଗୋଡରେ ଅସ୍ତ୍ରୋପଚାର କରି ଦେଇଥିଲେ। ମହିଳାଙ୍କ ସ୍ୱାମୀ ଏହା ଦେଖି ପ୍ରତିବାଦ କରିବା ପରେ ତ୍ରୁଟି ସୁଧାରିବାକୁ ଯାଇ ତରବରିଆ ଭାବେ ପୁଣିଥରେ ବାମ ଗୋଡ଼ ପାଦରେ ଅସ୍ତ୍ରୋପଚାର କରାଯାଇଥିଲା। କମ ସମୟ ବ୍ୟବଧାନରେ ଦୁଇ ଦୁଇଟି ଅସ୍ତ୍ରୋପଚାର ମହିଳାଙ୍କୁ ପ୍ରବଳ ଯନ୍ତ୍ରଣା ଦେବା ସହ ସେ ଚାଲିବାକୁ ମଧ୍ୟ ଅକ୍ଷମ ହୋଇଛନ୍ତି। ଏହାକୁ ନେଇ କିଛି ସମୟ ଧରି ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଓ କର୍ମଚାରୀଙ୍କ ଏଭଳି ଖାମଖିଆଲି ନୀତି ରୋଗୀଙ୍କ ଜୀବନ ପ୍ରତି ବିପଦ ଆଣୁଥିବାରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Leave A Reply